ଅଦିନିଆ ବର୍ଷାରେ ୨୮୩୨ ହେକ୍ଟର ଫସଲ ନଷ୍ଟ

 ନୂଆପଡା : ନୂଆପଡ଼ା ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ରବିଧାନ ଫସଲ ସହ ଅଣଧନକୁ ଉଜାଡ଼ି ଦେଇଛି । ଏଥିରେ ୧୮୩୨ହେକ୍ଟର ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୩୭୧୨.୨୭ ହେକ୍ଟର ଧାନ ଓ ଅଣଧାନ ଜାତୀୟ ଫସଲ ପ୍ରଭାବିତ ହୋଇଛି । ଜିଲ୍ଲାରେ ମଇମାସରେ ହାରାହାରି ୩୪.୬ ମିମି ବର୍ଷା ହେଉଥିବା ରେକର୍ଡ ରହିଛି ।
 କିନ୍ତୁ ଚଳିତବର୍ଷ ମଇମାସରେ ୧୫୩.୯୬ ମିମି ବର୍ଷା ହୋଇଛି । ଫଳରେ ଅଦିନିଆ ବର୍ଷା ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତ ଅଦିନିଆ ବର୍ଷାରେ ଜିଲ୍ଲାର କୃଷି ଓ ଉଦ୍ୟାନକୃଷି ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିଦେ୍ର୍ଦଶକ୍ରମେ ରାଜସ୍ୱ, କୃଷି ଓ ଉଦ୍ୟାନ ବିଭାଗ ତରଫରୁ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରାଯାଇଛି । ଏଥିରେ ଜିଲ୍ଲାର ଅଣଧାନ ଜାତୀୟ ୩୭୧୨.୨୭ ହେକ୍ଟର ଧାନ ଓ ଅଣ ଫସଲ ପ୍ରଭାବିତ ହୋଇଛି । ସେଥିରୁ ନୂଆପଡ଼ା ବ୍ଲକରେ ୩୬୯.୪୨ ହେକ୍ଟର, କୋମନା ବ୍ଳକରେ ୮୭.୪୬ ହେକ୍ଟର, ଖଡ଼ିଆଳ ବ୍ଲକରେ ୩୧୫୯.୨୩ ହେକ୍ଟର, ବୋଡ଼ନ ବ୍ଲକରେ ୩୭.୧୬ ହେକ୍ଟର ଓ ସିନାପାଲି ବ୍ଳକରେ ୬୦ ହେକ୍ଟର ଚାଷ ପ୍ରଭାବିତ ହୋଇଛି । ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ବିଭାଗରେ ୧୯୩୨.୯୬ ହେକ୍ଟର ଚାଷ ହୋଇଥିବା ବେଳେ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ନୂଆପଡ଼ା ବ୍ଲକରେ ୩୬୯.୪୨ ହେକ୍ଟର, କୋମନା ବ୍ଲକରେ ୮୭.୪୬ ହେକ୍ଟର, ଖଡ଼ିଆଳ ବ୍ଳକରେ ୧୩୨୧ ହେକ୍ଟର, ବୋଡ଼ନ ବ୍ଲକରେ ୩୦.୦୮ ହେକ୍ଟର ଓ ସିନାପାଲି ବ୍ଲକରେ ହୋଇଛି । ଏବେ ୨୪.୮୫ ହେକ୍ଟର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ପତୋରା, ସାହିପଲା, ତିଖାଲି, ସୁନ୍ଦର ଡ୍ୟାମ ସହ ଉଠାଜଳ ସେଚନ ଓ ଗଭୀର ନଳ କୂଅରେ ରବିଚାଷ କରିଥିବା ଶତାଧିକ ଚାଷୀଙ୍କୁ ଅଦିନିଆ ଧାନ ବର୍ଷା ଦୁଃଖ ଦେଇଛି । ଆଗାମୀ ଦିନରେ ଗଜାଧାନ ମଣ୍ଡିରେ ବିକ୍ରି ହେବ ନାହିଁ ବୋଲି ଚାଷୀଙ୍କ ମଧ୍ୟରେ ଭାଲେଣି ପଡ଼ିଛି । କେମିତି ବ୍ୟାଙ୍କ ଋଣ, ଧାରକରଜ ସୁଝିବେ କି ପିଲାଙ୍କୁ ପାଠ ପଢାଇବେ, ସେହି ଚିନ୍ତାରେ ଚାଷୀକୂଳ ଘାରି ହେଉଛନ୍ତି । ଏଣୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳର ଚାଷୀ ଦାବି କରିଛନ୍ତି । କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁସାରେ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା କରିବୁ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ସୂଚନା ଦେଇଛନ୍ତି ।