ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ “ଉତ୍ସାହ”(କ୍ରୀଡା ପ୍ରତିଯୋଗିତା) କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ୟୁନିସେଫ ଓଡ଼ିଶା ମୁଖ୍ୟ ୱିଲିୟମ ହାନଲେନ ଜୁନିଅର, ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, ଧାବକ ଅନିମେଶ କୁଜୁର ଓ ପ୍ରତିଷ୍ଠିତ ପ୍ରଚ୍ଛଦପଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ରାଜ୍ୟସ୍ତରୀୟ କ୍ରୀଡା ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଶିଶୁ ଯତ୍ନ ପ୍ରତିଷ୍ଠାନର ଅନ୍ତେବାସୀମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ ନିମନ୍ତେ ମହକ ଓ ଉତ୍ସାହ ଏକ ପ୍ରକୃଷ୍ଟ ମଞ୍ଚ ବୋଲି ଭାରତୀୟ ଧାବିକା ମିସ ଶ୍ରାବଣୀ ନନ୍ଦ ଉଲ୍ଲେଖ କରିଥିଲେ । ପରିଶ୍ରମ ହିଁ ସଫଳତାର ଚାବି କାଠି ବୋଲି କହି ସେ ପିଲାମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ସେହି ଭାବରେ ଧାବକ ଅନିମେଶ କୁଜୁର ଆତ୍ମବିଶ୍ୱାସ ସହ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ପିଲାମାନଙ୍କୁ ଉପଦେଶ ଦେଇଥିଲେ । କ୍ରୀଡା କ୍ଷେତ୍ରରେ ଖେଳୁଆଡ ମନୋଭାବ ଉପରେ ଜୋର ଦେଇ ୟୁନିସେଫ ଓଡ଼ିଶା ମୁଖ୍ୟ ଶ୍ରୀ ୱିଲିୟମ ହାନଲେନ ଜୁନିଅର ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ନିଜ ସଙ୍ଗୀତର ତାଳେ ତାଳେ ପିଲାମାନଙ୍କର ମନୋରଞ୍ଜନ କରିଥିଲେ । ସୂଚନାଯୋଗ୍ୟ କି ଏହି ଉତ୍ସବରେ ୩୦ ଜିଲ୍ଲାରେ ୫୦୦ ପ୍ରତିଯୋଗୀମାନେ ୧୦୦ମିଟର ଦୌଡ, ୨୦୦ ମିଟର ଦୌଡ, କ୍ୟାରମ, ଚେସ, ରିଲେ ରେସ୍, ଫୁଟବଲ, ଲମ୍ବଡିଆଁ, ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୧୦୦ ମିଟର ବାଳକ ଦୌଡ ପ୍ରତିଯୋଗିତାରେ ବରିଷ୍ଠରେ କେଉଁଝରର ମୁକୁନ୍ଦ ମହାକୁଣ୍ଡ, ମୟୂରଭଞ୍ଜର ମାନସିଂ ସୋରେନ ଅନୁଗୁଳର ବିକାଶ ନାୟକ ଓ ବାଳିକା ଦୌଡ ପ୍ରତିଯୋଗିତାରେ ବରିଷ୍ଠରେ କନ୍ଧମାଳର ସୁମିତ୍ରା ଶବର, ଦେଓଗଡର ପ୍ରିୟା ମାଝୀ ଓ ସମ୍ବଲପୁରର ଜହ୍ନ ଗୌଡ ପୁରସ୍କୃତ ହୋଇଛନ୍ତି । ୨୦୦ ମିଟର ବାଳକ ଦୌଡ ପ୍ରତିଯୋଗିତାରେ କେଉଁଝରର ଗୋବିନ୍ଦ ହଂସଦା, ଯାଜପୁରର ରାମ ଜନିକ, ଭଦ୍ରକର ରଞ୍ଜିତ ମୁଣ୍ଡାରୀ ବାଳିକା ଦୌଡରେ କନ୍ଧମାଳର ସୁମିତ୍ରା ଶବର, ଦେଓଗଡ ପ୍ରିୟା ମାଝୀ, ଖୋର୍ଦ୍ଧା ଲକ୍ଷ୍ମୀ ଶବର ପୁରସ୍କୃତ ହୋଇଛନ୍ତି । ବାଳକ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଗଜପତିର ପର୍ଶୁରାମ ରାଇତା, ଯାଜପୁରର ମାନସିଂ ହାଇବୁରୁ, ମାଲକାନଗିରିର ମୁନା କବସି ଓ ବାଳିକା ପ୍ରତିଯୋଗିତାରେ ମୟୂରଭଞ୍ଜର ତୁଳସୀ ମାରାଣ୍ଡି, କନ୍ଧମାଳର ରୁନୁ ବଳ ସିଂ ରାୟ, ବାଲେଶ୍ଵରର ପୂଜାରିଣୀ ଗିରି, ବଲାଙ୍ଗୀରର ହେମଲତା ଭୋଇ ଓ କଳାହାଣ୍ଡିର ପୂଜା ମାଝୀ ପୁରସ୍କୃତ ହୋଇଛନ୍ତି । ବାଳକ ଲମ୍ବ ଡିଆଁ ପ୍ରତିଯୋଗିତାରେ ମୁକୁନ୍ଦ ମହାକୁଣ୍ଡ, ଗଜପତିର ପର୍ଶୁରାମ ରାଇତା, ବାଲେଶ୍ଵରର ଶମ୍ଭୁ ହୂ ଓ ବାଳିକା ପ୍ରତିଯୋଗୀତରେ କେଉଁଝରର ସୁଶିଲା ମୁଣ୍ଡା, ବାଲେଶ୍ଵରର ମିଲି ସିଂ ଓ ସୁବର୍ଣ୍ଣପୁରର ଜହ୍ନ ଗୌଡ ପୁରସ୍କୃତ ହୋଇଛନ୍ତି । ବାଳକ ଚେସ ପ୍ରତିଯୋଗିତାରେ ଅନୁଗୁଳର ଶକ୍ତି ଚାମ୍ପିଆ ଢେଙ୍କାନାଳର ରାଇମୋହନ ପୂର୍ତ୍ତି, କୋରାପୁଟର ଚିଣ୍ଟୁ କାରିଙ୍ଗି ବାଳିକା ପ୍ରତିଯୋଗିତାରେ ନବରଙ୍ଗପୁରର ରୀତିକା ସୁନା, ବାଲେଶ୍ବରର ବାସନ୍ତୀ ହଂସଦା ଓ ମାଲକାନଗିରି ପ୍ରିୟା ବିଶ୍ଵାସ ପୁରସ୍କୃତ ହୋଇଛନ୍ତି । ବାଳକ କ୍ୟାରେମ ପ୍ରତିଯୋଗିତାରେ ଦେଓଗଡର ଶକ୍ତି ହେମ୍ବ୍ରମ, ଝାରସୁଗୁଡାର ଅରବିନ୍ଦ ସୋନି ଓ ଅନୁଗୁଳର ବାବୁଶାନ ପ୍ରଧାନ ଏବଂ ବାଳିକା ପ୍ରତିଯୋଗିତାରେ ଗଞ୍ଜାମର ଅର୍ଚିତା ପ୍ରଧାନ, ବାଲେଶ୍ଵରର ଅସ୍ମାନି ସିଂ, ବୌଦ୍ଧର ସୁଜ୍ଞାନୀ ନାୟକ ପୁରସ୍କୃତ ହୋଇଛନ୍ତି । ରିଲେ ରେସ୍ ବାଳକରେ କେଉଁଝର, ଭଦ୍ରକ ଓ ବାଲେଶ୍ଵର ଓ ବାଳିକାରେ କନ୍ଧମାଳ, ଭଦ୍ରକ ଓ ନବରଙ୍ଗପୁର ପୁରସ୍କୃତ ହୋଇଛନ୍ତି । ରୋମାଞ୍ଚକର ବାଳକ ଫୁଟବଲ ଖେଳରେ ଚାମ୍ପିୟନ ହେଲେ ଭଦ୍ରକ ଓ ରନର ଅପ୍ ହେଇଛନ୍ତି ସମ୍ବଲପୁର । ବାଳିକା ଫୁଟବଲ ଖେଳରେ କଳାହାଣ୍ଡି ଚାମ୍ପିୟନ ଓ କନ୍ଧମାଳ ରନର ଅପ ଭାବେ ପୁରସ୍କୃତ ହୋଇଛନ୍ତି । ସମଗ୍ର ରାଜ୍ୟରେ କନ୍ଧମାଳ ରନର ଅପ୍ ଜିଲ୍ଲା ଭାବେ ଓ କେଉଁଝର ଚାମ୍ପିୟନ ଜିଲ୍ଲା ଭାବେ ପୁରସ୍କୃତ ହୋଇଛନ୍ତି । ଶିଶୁ ଯତ୍ନ ଅନୁଷ୍ଠାନରୁ ପାଠ ପଢି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରମାଣିତ କରିପାରିଥିବା ଜଗତସିଂହପୁରର ସାବିତ୍ରୀ ପ୍ରଧାନ, ନବରଙ୍ଗପୁରର କଳ୍ପନା ମଣ୍ଡିଗି, କଟକର ଜୟନ୍ତ ଭୋଇ ଓ କଟକର ରଜ ଡିଗି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଅତିରିକ୍ତ ନିର୍ଦ୍ଦେଶକ ତଥା ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ସମ୍ବିତ ନାୟକ ପରିଚାଳନା କରିଥିଲେ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ସଂଯୋଜନା କରିଥିଲେ ।