ଗୋବତ୍ସା ଦ୍ୱାଦଶୀ


ଭାରତୀୟ ସଂସ୍କୃତିରେ ଗୋମାତାଙ୍କୁ ଅନ୍ୟ ଦେବାଦେବୀଙ୍କ ଭଳି ପୂଜା କରାଯାଇଥାଏ । ଗୋମାତାଙ୍କୁ ପୂଜା କରାଯିବା ପାଇଁ କୌଣସି  ତିଥିବାରର ଆବଶ୍ୟକତା ନାହିଁ । ପ୍ରତିଦିନ ଗୋମାତାଙ୍କୁ ପୂଜା କରାଯାଇପାରିବ । ତେବେ କେତେକ ବିଶେଷ ତିଥିରେ ଗୋମାତାଙ୍କର ବିଶେଷ ବିଧି ଅନୁଯାୟୀ ପୂଜା କରାଯାଏ । ଏଭଳି ଏକ ବିଶେଷ ତିଥି ହେଉଛି ଗୋବତ୍ସ ଦ୍ୱାଦଶୀ । ପୁରାଣରେ ଗୋବତ୍ସା ଦ୍ୱାଦଶୀର ମହିମା ବର୍ଣ୍ଣିତ । ଏହି ଦିନରେ ଗୋମାତାଙ୍କ ପୂଜା ଅଶେଷ ପୁଣ୍ୟ ପ୍ରଦାନ କରିଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଗୋବତ୍ସ ଦ୍ୱାଦଶୀ ଉତ୍ସବ ପାଳନ କରାଯାଇଥାଏ । ଏହି ଦିନ ଗାଈ ଓ ବାଛୁରୀଙ୍କ ପୂଜା କରାଯାଇଥାଏ । ଏହି ବ୍ରତରେ ପ୍ରଦୋଷବ୍ୟାପିନୀ ତିଥି ଗ୍ରହଣ କରାଯାଇଥାଏ । ଘରେ ଗାଈ କିମ୍ବା ବାଛୁରୀ ନଥିଲେ ଏହି ଦିନ ଓଦା ମାଟିରେ ଗାଈ ଏବଂ ବାଛୁରୀର ପ୍ରତିମା ଗଢ଼ି ପୂଜା କରିବାର ବିଧି ରହିଛି । ଏହି ଦିନ ଗୋଦୁଗ୍ଧରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସେବନ ବର୍ଜିତ ।
ଗୋବତ୍ସ ଦ୍ୱାଦଶୀ ବିଷୟରେ ଅନେକ ପୌରାଣିକ ଆଖ୍ୟାନ ରହିଛି । ଗୋଟିଏ କଥା ଅନୁସାରେ ରାଜା ଉତ୍ଥାନପାଦ ପୃଥିବୀରେ ପ୍ରଥମେ ଗୋବତ୍ସ ଦ୍ୱାଦଶୀ ବ୍ରତ ଆରମ୍ଭ କରିଥିଲେ । ତାଙ୍କ ପତ୍ନୀ ସୁନୀତି ଏହି ବ୍ରତ କରିଥିଲେ । ଏହି ବ୍ରତ ପ୍ରଭାବରୁ ତାଙ୍କ କୋଳରୁ ଧ୍ରୁବ ଜନ୍ମ ନେଇଥିଲେ । ନିଃସନ୍ତାନ ଦମ୍ପତି ଏହି ବ୍ରତ କରିବା ଉଚିତ । ଏହାଦ୍ୱାରା ସନ୍ତାନ ସୁଖ ମିଳିଥାଏ । ଏହି ଦିନ ଗୋମାତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରି ତାଙ୍କର ପୂଜା କରାଯାଇଥାଏ । ଏହି ତିଥିରେ ଗୋପୂଜା କରୁଥିବା ବ୍ୟକ୍ତି ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ କରିଥାଏ । ଏହି ଦିନ ଗାଈ ଓ ବାଛୁରୀକୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇ ଦିଅନ୍ତୁ । ଏହାପରେ ଫୁଲ, ଧୂପ, ଦୀପ ଏବଂ ଚନ୍ଦନ ଆଦିର ତିଳକ ଦେଇ ଗୋମାତାଙ୍କ ପୂଜା କରନ୍ତୁ । ଗୋମାତାଙ୍କ ଆରତୀ କରିବା ପରେ ତାଙ୍କୁ ଉତ୍ତମ ଭୋଜନ କରାନ୍ତୁ । ଦିନରେ ଉପଚାର ରହିବା ପରେ ରାତ୍ରିରେ ବ୍ରତ ସମ୍ପନ୍ନ କରି ଭୋଜନ କରନ୍ତୁ । 
ଡକ୍ଟର ତପନ କୁମାର ପାଳ
କଟକ