‘ପୁରୁଷଙ୍କୁ ବି ଲିଙ୍ଗଗତ ସଚେତନତାର ଆବଶ୍ୟକତା’


 
ଭୁବନେଶ୍ୱର: ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିବସରେ ମହିଳା ସୁରକ୍ଷାରେ ବହୁ ବିଭାଗର ଏକକ ସମନ୍ୱୟ ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ଆଲୋଚନାରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ଆରକ୍ଷୀ ମହାନିରୀକ୍ଷକ ସାଇନି ଏସ, ମହିଳା ଶିଶୁବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିଦେ୍ର୍ଦଶିକା ମୋନିଶା ବାନାର୍ଜୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଅଂଶଗ୍ରହଣ କରିଥିଲେ । ଆରକ୍ଷୀ ମହାନିରୀକ୍ଷକ ସାଇନି ଏସ ଓଡିଶାର ମହିଳା ସୁରକ୍ଷାରେ ପୁଲିସର ଭୂମିକା ବିଷୟରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ । ଓଡିଶାର ବହୁ ମହିଳା ବିରୋଧୀ  ହିଂସା ସେମାନଙ୍କ ନିଜ ସମ୍ପର୍କୀୟ  ଲୋକଙ୍କ ଦ୍ୱାରା ହିଁ ହୋଇଥାଏ ବୋଲି ଏଥିରେ ଦର୍ଶାଯାଇଥିଲା । 
ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିଦେ୍ର୍ଦଶିକା ମୋନିଶା ବାନାର୍ଜୀ ମହିଳା ସୁରକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ହେଲ୍ପ ଲାଇନ ନମ୍ବର -୧୮୧, ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ, ସଖୀ ନିବାସ ଆଦି ବିଷୟରେ ବିସ୍ତୃତ  ଆଲୋଚନା କରିଥିଲେ । କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନକୁ ରୋକିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସକ୍ରିୟ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ମହିଳା ବିରୋଧୀ ହିଂସା ରୋକିବା ପାଇଁ ମହିଳାଙ୍କ ସହ ପୁରୁଷଙ୍କୁ ମଧ୍ୟ ଲିଙ୍ଗଗତ ସଚେତନତା ବିଷୟରେ ଶିକ୍ଷାଦେବାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ ।