ବାଲିଘାଟକୁ ନେଇ ଉତ୍ତେଜନା:ଟ୍ରାକ୍ଟର ରଖି ଜାତୀୟ ରାଜପଥ ଅବରୋଧ
ବରଗଡ ଜୀରା ନଦୀ ସୟାଁ ବାଲିଘାଟକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଜଣେ ବ୍ୟକ୍ତି ବାଲିଘାଟରୁ ବେଆଇନ ଭାବେ ଜେସିବି ମେସିନ ଦ୍ୱାରା ବାଲି ଉତ୍ତୋଳନ କରି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଟ୍ରାକ୍ଟର ଚାଳକମାନେ ବାଲି ନେବାକୁ ଗଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁବାର ସକାଳୁ ଟ୍ରାକ୍ଟର ଚାଳକମାନେ ଯିବା ସମୟରେ ସଂପୃକ୍ତ ବ୍ୟକ୍ତି ରାସ୍ତାରେ ଜେସିବି ମେସିନ ରଖି ଦେଇଥିଲା । ଯଦ୍ୱାରା ଟ୍ରାକ୍ଟର ଯୋଗେ ବାଲି ଉଠାଣ ସମ୍ଭବ ହୋଇ ନ ଥିଲା । ଦୀର୍ଘ ସମୟ ଧରି ବାଲି ଉଠାଣ ସମ୍ଭବ ନ ହେବା ସହ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଚାଳକମାନେ ଟ୍ରାକ୍ଟର ଧରି ଜାତୀୟ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ସୟାଁ ଛକରେ ରାସ୍ତା ଅବରୋଧ ଯୋଗୁଁ ବରଗଡ-ସୋହେଲା ରାସ୍ତାରେ ଯାତାୟତ ଠପ ହୋଇପଡିଥିଲା । ସଂପୃକ୍ତ ବ୍ୟକ୍ତି ସୟାଁ ତଥା ଆଖପାଖ ଅଞ୍ଚଳରୁ ରାତିରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ସେହିପରି ପୋଲର ଅତି ନିକଟରୁ ବାଲି ଉଠାଇବା ସହ ନଦୀ ତଟବର୍ତ୍ତି କେତେକ ଚାଷୀଙ୍କ ଜମିରୁ ମଧ୍ୟ ବାଲି ଉଠାଣ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଏଏସପି ତପନ କୁମାର ମହାନ୍ତି , ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକେଲ, ସଦର ଥାନା ଅଧିକାରୀ ପ୍ରଣୟ ମୁର୍ମୁ ଘଟଣାସ୍ଥଳକୁ ପହଞ୍ଚି ଟ୍ରାକ୍ଟର ଚାଲକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିବା ସହ ଯାତାୟତ ସ୍ୱାଭାବିକ ହୋଇଥିଲା ।