ଯାତାୟାତରେ ବାଧକ ସାଜୁଛି ରେଳ ଫାଟକ


 ଲୋକଙ୍କ ଯାତାୟତରେ ଘୋର ବାଧକ ସାଜୁଛି ରେଳ ଫାଟକ । ତାଳଚେର ଶିଳ୍ପାଞ୍ଚଳକୁ ଚାରିପଟୁ ଘେରି ରହିଛି ରେଲ୍ୱେ ଲେବଲ୍ କ୍ରସିଂ । ଫଳରେ ଏଠାରୁ ଯେଉଁ ଦିଗକୁ ଗମନାଗମନ କରିବାକୁ ଚାହିଁବ ରେଲ୍ୱେ ଲେବଲ୍ କ୍ରସିଂରେ କୋଇଲା ବୋଝେଇ ଟ୍ରେନ୍ ଅଜଗର ହୋଇ ବାଟ ଓଗାଳୁଛି ଜନସାଧାରଣଙ୍କ ଯାତାୟାତକୁ । ତାଳଚେରର ମୁଖ୍ୟରାସ୍ତା, ଜାତୀୟ ରାଜପଥ, ଗ୍ରାମ୍ୟରାସ୍ତା ଆଦି ସବୁଠି ଏହି ସମସ୍ୟା ଦେଖାଦେଇଛି । ଯଦ୍ୱାରା ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଅଧିକାରୀ, ଯନ୍ତ୍ରୀ ଏବଂ ରୋଗୀସେବାରେ ଥିବା ଆମ୍ବୁଲାନ୍ସ ଏହି ସମସ୍ୟାରୁ ବାଦ୍ ପଡୁନାହିଁ । ଏଠାରେ ଥିବା ଏମସିଏଲ୍, ଏନ୍ଟିପିସି, ନାଲୋକ୍ ସମେତ ପୂର୍ବତଟ ରେଳବାରର କୋଇଲା ପାଇଁ ପରିବହନ ମୁଖ୍ୟରାସ୍ତା ଗୁଡ଼ିକରେ ରେଳଲାଇନ୍ ବିଛାଇ ଦେଇ ଏହି ସମସ୍ୟା ସୃଷ୍ଟି କରାଯାଇଛି । ଜାତୀୟ ରାଜପଥରେ ହସ୍ ନିର୍ମାଣକୁ ବାରଣ କରାଯିବା ପାଇଁ ନିୟମ ଥିବାବେଳେ ଏହି ରାସ୍ତା ଗୁଡ଼ିକରେ ରେଳଧାରଣା ବିଛାଇ ମାଲବାହୀ ଟ୍ରେନ୍ ଗୁଡ଼ିକ ପ୍ରତି ଅଧଘଣ୍ଟାକୁ ଯାତାୟାତ କରି ରେଳଫାଟକକୁ ଦୀର୍ଘ ସମୟ ପକାର ଲୋକଙ୍କ ଗମନାଗମନରେ ବ୍ୟାଘାତ ସୃଷ୍ଟି କରୁଛି । ଫଳରେ ଜାତୀୟ ରାଜପଥର ଆଇନ୍ କିପରି ଏଠାରେ କାମ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଳଚରେ ସହରର ମୁଖ୍ୟରାସ୍ତାରେ ଥିବା ହାଟତୋଟା ରୋଡ୍ ଲେବଲ୍ କ୍ରସିଂ, ଥର୍ମାଲ୍ ଲେବୁଲ୍ କ୍ରସିଂ, ଦାସନାଳୀ ଲେବଲ୍ କ୍ରସିଂ ସେହିପରି ଅନୁଗୋଳ ଯିବାକୁ ହେଲେ ହାଣ୍ଡିଧୂଆ ଲେବୁଲ୍ କ୍ରସିଂ, ଘଣ୍ଟପଡ଼ା ଲେବୁଲ୍ କ୍ରସିଂ, ବାଘମରା ଲେବଲ୍ କ୍ରସିଂ, କୁକୁଡାଙ୍ଗ ଲେବଲ୍ କ୍ରସିଂ, ବଡ଼ଯୋରଡ଼ା ଲେବଲ୍ କ୍ରସିଂ, ଜଗନ୍ନାଥ ଜିଏମ୍ ଅଫିସ୍ ଲେବଲ୍ କ୍ରସିଂ, ଥମାଲ୍କୁ ଯିବାକୁ ହେଲେ ବନ୍ତୋଲ ଲେବଲ୍ କ୍ରସିଂ ଏନ୍ଟିପିସି, କଣିହାଁ ତଥା ସମଲକୁ ଯିବାକୁ ହେଲେ ବାଙ୍କଧରା ଲେବଲ୍ କ୍ରସିଂ, ରେମୁଆଁ ଲେବଲ୍ କ୍ରସିଂ, ଯଦୁନାଥପୁର ଓ ବଲାଙ୍ଗୀ ଲେବଲ୍ କ୍ରସିଂ ଏବଂ ଲିଙ୍ଗରାଜ ଲେବଲ୍ କ୍ରସିଂ ଆଦି ଅନନ୍ତ କଲେ ସ୍ଥାନରେ ଏଭଳି ଭାବରେ ରେଲ୍ୱେ ଲେବଲ୍ କ୍ରସିଂ ରହିଥିବାରୁ ଲୋକମାନେ ଘରୁ ଜରୁରୀ କାର୍ଯ୍ୟ ପାଇଁ ବାହାରିଲା ବେଳକୁ ରେଳ ଫାଟକ ସେମାନଙ୍କ ପାଇଁ ବାଧକ ସାଜୁଛି । ରୋଗୀଙ୍କୁ ନେଇଯାଉଥିବା ଆମ୍ବୁଲାନ୍ସଗୁଡ଼ିକ ଏହି ରେଳ ଫାଟକ ବାଧକ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଦୀପ ମଧ୍ୟ ରାସ୍ତା ମଝିରେ ଲିଭିଯାଉଥିବା ଅଭିଯୋଗ ହେଉଛି । ସିଗ୍ନାଲ ନ ମିଳିଲେ ଅନେକ ମାଲବାହୀ ଟ୍ରେନ୍ ଲୋକଙ୍କ ଯିବା ଆସିବା ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରି ପକାଉଛି । ଛାତ୍ରଛାତ୍ରୀ ପରୀକ୍ଷା ସମୟରେ ରେଳଫାଟକ ପଡ଼ିଯିବା ଭୟରେ ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ବାହାରୁଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ସଠିକ୍ ସମୟରେ ପହଞ୍ଚôପାରୁ ନ ଥିବାରୁ ପରୀକ୍ଷାର୍ଥୀ ତଥା ଅଭିଭାବକ ମାନସିକ ଚାପରେ ରହୁଛନ୍ତି । ହାଣ୍ଡିଧୂଆ-ଘଣ୍ଟପଡ଼ା ଠାରେ ରେଲ୍ୱେ ଓଭରବ୍ରିଜ୍ ନିର୍ମାଣ କରାଯିବା କାର୍ଯ୍ୟ ମନ୍ଥର ଗତିରେ ଚାଲୁ ରହିଛି । ଗମନାଗମନ ନିମନ୍ତେ ବିଭିନ୍ନ ଦିଗକୁ ଯିବା ପାଇଁ ସାଧାରଣ ଲୋକଙ୍କର ଆବଶ୍ୟକତା ଥାଏ ଭଲ ରାସ୍ତା ଏବଂ ନିଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚôବା ବ୍ୟତିକ୍ରମ ଦେଖାଦେଉଛି । ତେବେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିଦେଇ ସରକାର ଏଥିପ୍ରତି ଉଚିତ୍ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।