ବୋଇତ ବନ୍ଦାଣ ଉତ୍ସବ ପାଳିତ

 ବୁଗୁଡ଼ା: ଧର୍ମ ମାସ କାର୍ତ୍ତିକର ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର ଦର୍ଶନ ପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସର ଶେଷ ସୋମବାର ଦିନ ହିଁ ପୂର୍ଣ୍ଣିମା ହେତୁ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳାରେ ଦର୍ଶନ ପାଇଁ  ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବୁଦ୍ଧଖୋଲ ଗେଟଠାରୁ ମନ୍ଦିର ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ସ୍ୱେଚ୍ଛାସେବୀ ଓ ପୁଲିସ ନିୟୋଜିତ ଥିଲେ ।  ଘାଟି ରାସ୍ତାରେ ବାଇକ ଗୁଡିକର ରହଣି ବ୍ୟବସ୍ଥା କରାଯାଇ ଥିବାରୁ ଭକ୍ତମାନେ ଗାଡି ରଖି ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି କିମ୍ବା ପାହାଚ ଚଢି ପଞ୍ଚ ମହାଦେବଙ୍କୁ ଦର୍ଶନ କରିଥିଲେ । ବୁଦ୍ଧଖୋଲ ଉନ୍ନୟନ କମିଟିର ସଦସ୍ୟଗଣ ଏବଂ ସ୍ୱେଚ୍ଛାସେବୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ବୁଦ୍ଧଖୋଲ ସମେତ କୁବେରେଶ୍ୱର ଓ ଆମ୍ବିଳିଝରର ଲୋକନାଥେଶ୍ୱର, ବାଲିପଦରସ୍ଥ ନୀଳକଣ୍ଠେଶ୍ୱର, ବେତାରସିଂର ସପ୍ନେଶ୍ୱର ମନ୍ଦିର, ଉଦିପୁରର କପିଳେଶ୍ୱର ଆଦି ଶୈବପୀଠ ସାଙ୍ଗକୁ ବୁଗୁଡାର ବଳଦେବ ମନ୍ଦିର , ବିରଞ୍ଚି ନାରାୟଣ ମନ୍ଦିର, ସୋମନାଥ ମନ୍ଦିର, ଗୋପୀନାଥ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର ଓ ରଘୁନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଅନ୍ୟପକ୍ଷରେ ବୁଗୁଡ଼ା ସମେତ ବିରଞ୍ଚିପୁର, ପଙ୍କଳସାହି, ଗୋଲିଆ, ଆଦିପୁର ଆଦି ଗ୍ରାମରେ ଆୟୋଜିତ ନାମଯଜ୍ଞ ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।