ଚେଇଁ ଶୋଇଛି ବିଭାଗ, ବର୍ଷା ଦିନେ ବଢୁଛି ବାଲି ଡିପୋ

ଚେଇଁ ଶୋଇଛି ବିଭାଗ, ବର୍ଷା ଦିନେ ବଢୁଛି ବାଲି ଡିପୋ


 ହରଭଙ୍ଗା: ମହାନଦୀ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି । ହରଭଙ୍ଗା ତହସିଲ ଅଞ୍ଚଳରେ ଚାଲିଛି ଲଘୁ ଖଣିଜ ଲୁଣ୍ଠନ । ମହାନଦୀ କୂଳେ କୂଳେ ଗଢି ଉଠୁଛି ବେଆଇନ ବାଲି ଡ଼ିପୋ । ସବୁ ଜାଣି ଚୁପ ବସିଛି ଲଘୁଖଣିଜ ବିଭାଗ । ସରକାର ସବୁବେଳେ ଲଘୁ ଖଣିଜ ଉପରେ କୋଟିକୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଲଘୁ ଖଣିଜ ବା ମାଇନ୍ସ କାର୍ଯ୍ୟଳୟ ଖୋଲା ରହିଛି । କିନ୍ତୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାଫିଆଙ୍କ ମଧ୍ୟରେ ରାଧେ ରାଧେ ନୀତି ଯୋଗୁଁ  ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ନେଇ ସାଧରଣରେ ଅଭିଯୋଗ ହେଉଥିବା ବେଳେ କିଛି ବାଲି ମାଫିଆ ସରକାରୀ ଦଳର ବିଧାୟକଙ୍କୁ ହାତ କରି ପ୍ରଶାସନ ଆଖିରେ ଧୂଳି ଦେଇ କୋଟିକୋଟି ଟଙ୍କାର ରାଜସ୍ୱ ହାନି କରି ଆସୁଥିଲେ । ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଦେଇ ୧୦୦ରୁ ଊଦ୍ଧ୍ୱର୍ କିଲୋମିଟର ମାନମୁଣ୍ଡା ଠାରୁ ଅତଲସରା ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଛି । ମହାନଦୀ ଘାଟରୁ ରାଜସ୍ୱ ପାଇଁ ସରକାର ବାଲି ଉତ୍ତୋଳନ କରିବା ପାଇଁ ଲିଜଧାରୀମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।

କିନ୍ତୁ ଏବେ କିଛି ବାଲିମାଫିଆ ଓ ଲିଜଧାରୀ ଚତୁରତାର ସହ ନୂତନ ପନ୍ଥା ଆପଣେଇଛନ୍ତି । ସାଧାରଣତଃ ବର୍ଷାଦିନରେ ମହାନଦୀରୁ ବାଲି ଉତ୍ତୋଳନ କରିବା ସମ୍ଭବପର ହେଉ ନଥିବା ବେଳେ ଦର ମଧ୍ୟ ଅଧିକା ରହିଥାଏ । ତେଣୁ ବାଲି ମାଫିଆମାନେ ମହାନଦୀରେ ଜଳସ୍ତର କମିବା ସମୟରେ ବାଲିଘାଟରୁ ନିୟମ ଠାରୁ ଅଧିକ ହଜାର ହଜାର ଟ୍ରିପ ବାଲି ଜେସିବି ସାହାଯ୍ୟ ଉତ୍ତୋଳନ କରିଥାନ୍ତି । ପରେ ନଦୀକୂଳ କିମ୍ବା କୌଣସି ଗାଁ ମୁଣ୍ଡରେ ଥିବା ଏକ ସରକାରୀ ଜମିରେ ବେଆଇନ ଭାବେ ପାହାଡ଼ ପରି ଟ୍ରିପ୍ଟ୍ରିପ୍ ବାଲି ଡ଼ିପୋ କରେ ଗଦେଇ ରଖିଥାନ୍ତି ଓ ପରେ ବର୍ଷାଦିନ ଆସିଲେ ବାଲିକୁ ଚଢାଦରରେ ବିକ୍ରି କରିଥାନ୍ତି । ଏଭଳି ଦୃଶ୍ୟ ଏବେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତ ସକୁସିଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି । ଗାଁ ମୁଣ୍ଡର ଏକ ସରକାରୀ ଜମିରେ ପାହାଡ଼ ଭଳି ବାଲି ଗଦା ହୋଇ ରହିଥିବା ଏବେ ଦେଖିବାକୁ ମିଳିଛି । ବାଲି ଗଦା ହେବା ଯୋଗୁଁ ଗାଁର ଚାଷ ଜମିକୁ ମାଡୁଥିବା ପାହାଡି ବର୍ଷା ପାଣି ମଧ୍ୟ ଚାଷ ଜମିରେ ମାଡି ପାରୁନାହିଁ । ଜମିକୁ ପାଣି ମାଡିବାରେ ବାଧା ସୃଷ୍ଟି କରୁଛି ଏହି ବେଆଇନ ବାଲିଗଦା ।

ବିଗତ ବର୍ଷ ଗୁଡିକରେ ମଧ୍ୟ ସେହି ଜାଗାରେ ହଜାର ହଜାର ଟ୍ରିପ ବେଆଇନ ଭାବେ ବାଲି ଗଦା କରି ମାଫିଆ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ନାଲି ପତାକା ପୋତି ବାଲି ବିକ୍ରି ଉପରେ ରୋକ ଲଗାଇ ଜରିମାନା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ନିୟମକୁ ବାଲି ମାଫିଆ ଭ୍ରୁକ୍ଷେପ ନକରି ରାତିଅଧିଆ ବାଲି ଚୋରାଚାଲାଣ କରିଥିବା ଘଟଣା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏନେଇ ବୌଦ୍ଧ ଜିଲ୍ଲା ଲଘୁଖଣିଜ ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ମୋ ପାଖରେ ଏଭଳି କୌଣସି ସୂଚନା ନାହିଁ । ଯଦି ଏଭଳି କିଛି ଅଭିଯୋଗ ରହିଛି ଘଟଣାର ତଦନ୍ତ କଲା ପରେ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ସମ୍ପୃକ୍ତ ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ବେଳେ ଅଧିକାରୀ ଜଣକ କାର୍ଯ୍ୟାନୁଷ୍ଠାନ ନେବେ ନା ସଲାସୁତୁରାରେ ତଦନ୍ତ ସରିଯିବ ବୋଲି ସାଧାରଣରେ  ପ୍ରଶ୍ନ ଉଠୁଛି ।