ବାଲି ଚାଲାଣକୁ କେନ୍ଦ୍ର କରି ରାସ୍ତାରୋକ
ଆସିକା: ଆସିକା ଥାନା ଇଲାକାର ମଙ୍ଗଳପୁର ଘାଟ ନିକଟରେ ଥିବା ଋଷିକୂଲ୍ୟା ନଦୀ ପଠାରୁ ବାଲି ଉତ୍ତୋଳନ କରି ପଂଚାୟତର ବିଭିନ୍ନ ଗ୍ରାମ ମଧ୍ୟ ଦେଇ ଶହ ଶହ ଗାଡି ଯାତାୟାତକୁ ବିରୋଧ କରିଛନ୍ତି ଚଢିଆପଲ୍ଲୀ ପଞ୍ଚାୟତ ଲୋକମାନେ । ପଂଚାୟତର ଶତାଧିକ ଲୋକ ଚଢିଆପଲ୍ଲୀ ଚାରିଛକ ଠାରେ ମହିଳା, ପୁରୁଷ, ଜନ ପ୍ରତିନିଧି ଏକତ୍ରିତ ହୋଇ ବାଲି ଗାଡି ଯିବା ଆସିବା ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ । ଗ୍ରାମବାସୀ କହିବା କଥା ଗାଡି ଯାତାୟାତ କରୁଥିବା ରାସ୍ତା ଚଉଡା ନାହିଁ । ଗ୍ରାମବାସୀ ଏସମ୍ପର୍କରେ ବହୁଥର ଲିଖିତ ଅଭିଯୋଗ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ କୌଣସି ସଫଳ ମିଳୁ ନଥିବାରୁ ଆଜି ଏହି ରାସ୍ତା ରୋକ କରି ବାଲି ଗାଡି ଅଟକାଇଥିଲେ । ପଂଚାୟତ ଲୋକ କହିବା କଥା ଯେ ଚଢିଆଆପଲ୍ଲୀ ପଞ୍ଚାୟତର ଶହ ଶହ ସ୍କୁଲ, କଲେଜ, ବ୍ୟବସାୟୀ ଓ ସାଧାରଣ ଲୋକମାନେ ଦୈନଦିନ ଆସିକାକୁ ଆସୁଛନ୍ତି । ଯିବା ଆସିବା କରିବା ରାସ୍ତା ଅତି ସଂକୀର୍ଣ୍ଣ ହୋଇ ଥିବାରୁ ଏହି ରାସ୍ତାଦେଇ ହାଇୱାରେ ବାଲି ଚାଲାଣ ହେଲେ ଯାତାୟାତରେ ବିପଦ ରହିଛି । ସରକାରଙ୍କ ରାଜସ୍ୱ ଦୃଷ୍ଟିରୁ ବାଲି ଘାଟକୁ ପଂଚାୟତ ବାସି ବିରୋଧ କରନ୍ତି ନାହିଁ । କିନ୍ତୁ ଏହି ରାସ୍ତା କୁ ଓସାରିଆ କରିବାକୁ ତହସିଲଦାରଙ୍କ ପାଖରେ ଦାବି ଜଣାଇଛନ୍ତି । ଖବର ପାଇ ଆସିକା ପୁଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ଏହାର ସମାଧାନ ନହେଲା ପର୍ଯ୍ୟନ୍ତ ଏହି ରାସ୍ତାରେ ବାଲି ଗାଡି ଚଳା ଚଳ ହେବ ନାହିଁ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିଲା ।