୫ ଦଫା ଦାବିରେ ଗଣଧାରଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆର୍ନୂଆଁ ଗାଁ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ବାଲିଶୁଗ୍ରି ଗ୍ରାମର ରସାନନ୍ଦ ମଲ୍ଲିକଙ୍କ ସାନ ପୁଅ ଆନନ୍ଦେଶ୍ୱର ମଲ୍ଲିକ (୧୬) ହଷ୍ଟେଲରେ ରହି ଦଶମ ଶ୍ରେଣୀ ରେ ପାଠ ପଡୁଥିଲା । ମଙ୍ଗଳବାର ରାତିରେ ହଷ୍ଟେଲ ପାଇଖାନାରେ ଅନନ୍ଦେଶ୍ୱର୍ ଆତ୍ମହତ୍ୟା କରିଥିବା ନେଇ ବୁଧବାର ସ୍କୁଲ କର୍ତ୍ତୃପକ୍ଷ ତରଫରୁ ଥାନାରେ ଅଭିଯୋଗ ଦିଆ ଯାଇଛି । କିନ୍ତୁ ମୃତକଙ୍କ ବଡ଼ ଭାଇ ଅରୂପା ନନ୍ଦ ମଲ୍ଲିକଙ୍କ ଅଭିଯୋଗ ଯେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି । ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନା ଧିରେ ଧିରେ ବଢିବାରେ ଲାଗିଛି । ଅନ୍ୟପକ୍ଷେ ଅଭିଯୋଗ ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅତିରିକ୍ତ ତହସିଲଦାରଙ୍କ, ଉପସ୍ଥିତିରେ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରି ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏନେଇ ଥାନାରେ ୨୭/୨୪ ଅପମୃତ୍ୟୁ ମାମଲା ରୁଜୁ କରି ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଛାତ୍ର ସନ୍ଦେହ ଜନକ ମୃତ୍ୟୁ ଘଟଣା ପରଦା ହଟେଇବା ପାଇଁ ହଷ୍ଟେଲକୁ ଯାଇ ତଦନ୍ତ ତନାଘନା କରୁଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସକାଳ ୧୧ଘଣ୍ଟିକା ବେଳେ କୁଇ ସମାଜ ଯୁବ ପରିଷଦ ଏବଂ କୁଇ ସମାଜ ସେବା ସମିତି କନ୍ଧମାଳ ପକ୍ଷରୁ ମୃତ ଛାତ୍ରଙ୍କ ପରିବାରଙ୍କୁ କ୍ଷତି ପୁରଣ ସହିତ ନ୍ୟାୟ ଯୋଗାଇବା ପାଇଁ ୫ ଦଫା ଦାବି କରି ଖଜୁରୀପଡ଼ା ସଙ୍କରଖୋଲ ମୁଖ୍ୟ ରାସ୍ତାର ମଧ୍ୟ ଭାଗ ଆର୍ନୂଆଗାଁ ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣରେ ବସିଥିଲେ । ଧାରଣାରେ ଶତାଧିକ କୁଇ ସମାଜ କର୍ମୀ ସଦସ୍ୟ ସହିତ କୁଇ ସମାଜ ସେବା ସମିତି ଫୁଲବାଣୀ ସଭାପତି ସୁଦର୍ଶନ କହଁର, ରମାକାନ୍ତ ମଲ୍ଲିକ, ଆଲୋକ କହଁର, ଭାବିନ୍ଦ୍ର କହଁର, ଅଚ୍ୟୁତ ଯାନୀ, ସୁଜିତ କୁମାର ମଲ୍ଲିକ, ଗୌତମ ମଳିକ, ରଞ୍ଜନ କୁମାର କହଁର, ଗୌତମ ପ୍ରଧାନ, ଶ୍ୟାମଳ କହଁର, ଶରତ କୁମାର କହଁର, ଅଗସ୍ତି କୁମାର ମଲ୍ଲିକ, ଚନ୍ଦ୍ର କିଶୋର ପ୍ରଧାନ, ଉମେଶ କୁମାର ଝାଙ୍କର, ଅନୁପମ କହଁର, ଅରୂପାନନ୍ଦ ମଲିକ ସମେତ ଆସ୍ତିକ ମଲ୍ଲିକ, ଅଜୟ ମଲିକ, ଗୋଲକ ମଲିକ, ବିରଞ୍ଚି ମଲ୍ଲିକ, ସସ୍ମିତା ମଲ୍ଲିକ, ସୁଶୀଳା ଯାନୀ ପ୍ରମୁଖ ଉପସ୍ଥିତ ରହି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ରାଜସ୍ୱ ନୀରିକ୍ଷକ ଅଧିକାରୀ ପ୍ରଜ୍ଞା ପରମିତା ପ୍ରଧାନ ଏବଂ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ, ସମେତ ପୁଲିସ ବାହିନୀ ପହଞ୍ଚି ରାସ୍ତା ଉପରେ ଗଣଧାରଣା ରେ ବସିଥିବା ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନେ ନ ବୁଝିବାରୁ ଏସ୍ଡିପିଓ ସୁପ୍ରସ୍ନ ମଲ୍ଲିକ ଏବଂ ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର ପହଞ୍ଚି ୫ ଦଫା ଦାବି ଗ୍ରହଣ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ । ସରକାରଙ୍କ ତରଫରୁ ମୃତ ଛାତ୍ରଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବ । ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ୍ ଖାତାରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଏହାର ତଦନ୍ତ କରି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ହଟିଲା । ଗଣଧାରଣା ଯୋଗୁଁ ଦୀର୍ଘ ୪ଘଣ୍ଟା ଧରି ରାସ୍ତା ଅବରୋଧ ହେବା ଯୋଗୁଁ ଯାତାୟାତ ବାଧପ୍ରାପ୍ତ ହୋଇଥିଲା ।