ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ପୂର୍ବାହ୍ନରେ ଲକ୍ଷ୍ମୀସାଗରଠାରେ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନବୀକୃତ ସମ୍ମିଳନୀ ଗୃହକୁ ଉଦ୍ଘାଟନ କରିଛନ୍ତି । ଏହି ଗୃହ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀ, ସହାୟକ ତଥା ଉଦ୍ୟୋଗୀମାନଙ୍କ ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି ଏବଂ ତାଲିମ କାର୍ଯ୍ୟକ୍ରମ ସଂପ୍ରସାରଣରେ ଯଥେଷ୍ଟ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି । ଏଲ୍ଇଡି ସ୍କି୍ରନ୍, ଡିଜିଟାଲ ପୋଡିୟମ୍ ଓ ପ୍ରାୟ ୧୦୦ ଅଂଶଗ୍ରହକାରୀଙ୍କ ଆରାମଦାୟକ ଆସନ ଏବଂ ଆଧୁନିକ ସାଜସରଞ୍ଜାମବିଶିଷ୍ଟ ଏହି ସମ୍ମିଳନୀ କକ୍ଷ ଉଦ୍ଘାଟନ କରି ମନ୍ତ୍ରୀ କହିଛନ୍ତି ଯେ ନୂତନ ଯୋଜନା ପ୍ରଣୟନ ଏବଂ ଆର୍ଥିକ ସହାୟତା ଯୋଗାଣ ମାଧ୍ୟମରେ ପ୍ରାଣୀପାଳକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହାକୁ ଦୃଷ୍ଟିରେ ରଖି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦିତ ହୋଇଛି । ଏହି ଯୋଜନା ଫଳରେ ରାଜ୍ୟରେ ଦୁU ଉତ୍ପାଦନ ବୃଦ୍ଧି, ଗୋ-ବିକାଶ ଓ ଗୋପାଳକଙ୍କ ଆର୍ଥିକ ଉନ୍ନତି ହୋଇପାରିବ ଏବଂ ପ୍ରାୟ ୧୫ ଲକ୍ଷ ଗୋପାଳକ ଏହି ଯୋଜନାରେ ଉପକୃତ ହେବେ । ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ତାଲିମ ଓ ପ୍ରଶିକ୍ଷଣକୁ ଅଗ୍ରାଧିକାର ଦିଆଯିବ । ନୂତନ ସମ୍ମିଳନୀ ଗୃହ ଏହି କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏହି ସମ୍ମିଳନୀ ଗୃହ ଅଧିକ ସଂଖ୍ୟକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପ୍ରକ୍ରିୟାକୁ ସହଜ କରିବ ବୋଲି ପ୍ରକାଶ କରିଥିଲେ । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହଜାରା ଧନ୍ୟବାଦ ଅର୍ପଣ କରିଥିବାବେଳେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।