ଭିଏସ୍‌ଏସ୍‌ନଗର ସାର୍ବଜନୀନ ଦୁର୍ଗପୂଜା ସମିତି , ଢୋଲ ତୋରଣରେ ଶୋଭା ପାଇବେ ଜଗଜ୍ଜନନୀ

ଭିଏସ୍‌ଏସ୍‌ନଗର ସାର୍ବଜନୀନ ଦୁର୍ଗପୂଜା ସମିତି , ଢୋଲ ତୋରଣରେ ଶୋଭା ପାଇବେ ଜଗଜ୍ଜନନୀ


।। ପ୍ରଭାନ୍ୟୁଜ୍‌।। ଭିଏସ୍‌ଏସ୍‌ନଗର: ଉତ୍ସାହ ଉଦ୍ଦୀପନା ସହ ଫେରିଛି ପାର୍ବଣ । କାଶତଣ୍ଡୀ ଫୁଲର ସମ୍ଭାର ମା’ ଦଶଭୂଜାଙ୍କ ଧରାବତରଣର ସମୟ ପାଖେଇ ଆସୁଥିବାରୁ ସଙ୍କେତ ଦେଉଛି । ଜଗତଜନନୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବିଭିନ୍ନ ପୂଜାମଣ୍ଡପ ଚଳଚଞ୍ଚଳ ହୋଇଉଠିଛି । ସବୁଥର ପରି ଚଳିତ ବର୍ଷ ମଧ୍ୟ ସୁସଜ୍ଜିତ ତୋରଣ ସାଙ୍ଗକୁ ଆଖିଝଲସା ଆଲୋକ ସଜ୍ଜାରେ ସଜେଇ ହେବ ସାରା ସହର । ଏଥିପାଇଁ ପୂଜା ମଣ୍ଡପ ଗୁଡିକରେ କାମ ମଧ୍ୟ ଆରମ୍ଭ ହେଇଯାଇଛି । ରାଜଧାନୀର ପ୍ରମୁଖ ପୂଜା ମଣ୍ଡପକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ‘ବିରାଜିବେ ମା’ । ଚଳିତ ବର୍ଷ ଭିଏସ୍‌ଏସ୍‌ ନଗରରେ ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ୪୬ତମ ପୂଜା ପାଳନ କରାଯିବ । ରବିବାର ସୁନିଆ ତିଥିରେ ମାଟି ଅନୁକୂଳ ହେବାପରେ ନିର୍ମାଣ କାର୍ଯ୍ୟ ଆହୁରି ତ୍ୱାରାନ୍ୱିତ ହୋଇଛି । ଏଥର ୧୫ଲକ୍ଷ ଟଙ୍କାର ବଜେଟ୍‌ ଥିବାବେଳେ ଏକ ନୂଆ ଢଙ୍ଗରେ ତୋରଣ ଦେଖିବାକୁ ମିଳିବ । ଢେଲ ଆକୃତିର ତୋରଣରେ ଶୋଭାପାଇବେ ମା’ ଦଶଭୂଜା । ତୋରଣର ଉଚ୍ଚତା ୫୦ ଫୁଟ ରହିଥିବାବେଳେ ମା’ଙ୍କ ମୁଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ ରହିଛି । କୋଲକତାର କାରିଗର ମା’ଙ୍କ ମୂର୍ତ୍ତି ନିର୍ମାଣ ଦାୟିତ୍ୱ ନେଇଛନ୍ତି । ସେହିପରି ଫୁଲପୋଖରୀ ଅଞ୍ଚଳର କାରିଗର ମା’ଙ୍କ ମୁଖ ଗଙ୍ଗା ନଦୀକୂଳରୁ ଅଣାଯାଇଥିବା ମାଟିରୁ ତିଆରି ହୁଏ, ଯାହାକି ଏହି ପୂଜାର ସ୍ୱତନ୍ତ୍ର ବିଶେଷତ୍ୱ । ଷଷ୍ଠୀରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଶ୍ଲ୍‌ଧିବାସ ହୋଇ ମା’ଙ୍କ ଆବାହନ, ଘଟ ସ୍ଥାପନ, ଚକ୍ଷୁଦାନ କରାଯାଇ ସମସ୍ତ ରୀତିନୀତିରେ ପୂଜା କରାଯିବ । ଅଷ୍ଟମୀରେ ମା’ଙ୍କ ପାଖରେ ଖେଚୁଡି, ଡାଲମା ଓ ଦଶମୀରେ ଦଡି ପଖାଳ, ଶାଗଭଜା ଭୋଗ ଲାଗି କରାଯିବ । ସ୍ଥାନୀୟ ଭିଏସ୍‌ଏସ୍‌ ନଗର ଏବଂ ଇଡ୍‌କୋ କଲୋନୀରେ ପ୍ରତ୍ୟେକ ଘରେ ଭୋଗ ବଣ୍ଟନ କରାଯିବ । ଭିଏସ୍‌ଏସ୍‌ ନଗରର ଦଶହରା କଲୋନୀ ପୂଜା ହୋଇଥିବାରୁ ଏଠାରେ ପ୍ରତିବର୍ଷ ଅଧିକ ସଂଖ୍ୟକ ଭୋଗ ଡାଲା ଆସେ ଓ ଅଧିକ ଗାଡିପୂଜା ହୁଏ । ପ୍ରତିବର୍ଷର ଏଥିର ମଧ୍ୟ ନବମୀରେ ଭଜନ କାର୍ଯ୍ୟକ୍ରମ ହେବ । କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତୀ ସଙ୍ଗୀତ ପରିବେଷଣ କରିବେ । ଭସାଣି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ ।