ବିଳମ୍ବରେ ଶୀତ
ଚଳିତବର୍ଷ ଠିକ୍ ସମୟରେ ସ୍ୱାଭାବିକ ଭାବରେ ମୌସୁମୀର ଆଗମନ ହୋଇଥିଲା । ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ଭାବରେ କିଛି କମ୍ ହେଲେ ମଧ୍ୟ ବର୍ଷା ହୋଇଥିଲା । ତେବେ ମୌସୁମୀ ବାୟୁର ପ୍ରବାହ ବନ୍ଦ ହେବା କ୍ଷେତ୍ରରେ କିଛିଟା ବିଳମ୍ବ ଘଟିଛି । ଜୁନ୍ ୧୫ରୁ ସରକାରୀ ଭାବରେ ମୌସୁମୀ ପ୍ରବାହ ଆରମ୍ଭର ତାରିଖ ଘୋଷଣା କରାଯାଏ । ଏହି ତାରିଖକୁ ନେଇ ପବ୍ଲିକ୍ ୱାର୍କ୍ସ ବିଭାଗ ଭଳି କିଛି ବିଭାଗର ସଡ଼କ, ପୋଲ ଆଦିର ବ୍ୟବହାର ସମ୍ପର୍କିତ ସ୍ଥାୟୀ ନୀତିନିୟମ ରହିଛି । ଫେୟାର୍ ୱେଦର୍ ରୋଡ୍, ଫେୟାର୍ ୱେଦର୍ ବି୍ରଜ୍ ଭଳି କିଛି ଶବ୍ଦ ଜୁନ୍ ୧୫ ତାରିଖର କ୍ୟାଲେଣ୍ଡର ଚିହ୍ନିତ ଦିବସକୁ ନେଇ ହୁଏ । ଜୁନ୍ ୧୫ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚି ବର୍ଷା ଆରମ୍ଭ ହୁଏ । କି"ୁ ମୌସୁମୀ ବାୟୁର ପ୍ରବାହ କ୍ୟାଲେଣ୍ଡର ଦେଖି ଆସେ ନାହିଁ । ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିକୁ ନେଇ ମୌସୁମୀ ପ୍ରବାହ ଓଡ଼ିଶାରେ ପହଞ୍ଚେ । ସାଧାରଣତଃ ମୌସୁମୀ ପ୍ରବାହ ୩ରୁ ୪ ମାସ ପର୍ଯ୍ୟନ୍ତ ଲାଗି ରହେ ଏବଂ ଏହି ସମୟରେ ସ୍ୱାଭାବିକ ବର୍ଷା ହେଉଥିବାରୁ ଏହା ବର୍ଷା ଋତୁ ନାମରେ ପରିଚିତ । ଦି' ମାସ ଅର୍ଥାତ୍ ଅଗଷ୍ଟ ୧୫ ସୁଦ୍ଧା ପ୍ରଚୁର ବର୍ଷା ହେବା କଥା । ଏହା ପରେ ଭାରତୀୟ ଋତୁଗଣନା ହିସାବରେ ଶରତ ଋତୁ ଆରମ୍ଭ ହୁଏ । ମୌସୁମୀ ପ୍ରବାହ ଏହା ପରେ କମିଯିବା କଥା । ଅଥଚ ସବୁବେଳେ ତାହା ମଧ୍ୟ ଘଟେ ନାହିଁ । ଚଳିତବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯାଇଥିଲା । ସାଧାରଣତଃ ବର୍ଷା ଋତୁରେ ବାତ୍ୟା ହୁଏ । ତେଣୁ ଦେଖାଯାଉଛି ଯେ ଚିରାଚରିତ ଭାବରେ ପାଣିପାଗର ଯେଉଁସବୁ ପରିବର୍ତ୍ତନ ବିଭିନ୍ନ ପୁସ୍ତକରେ ଲିଖିତ ହୋଇ ରହିଛି ସେସବୁ ବାସ୍ତବରେ ଆଉ ଘଟୁନାହିଁ । ପାଣିପାଗ ବିଶେଷଜ୍ଞମାନଙ୍କର ମତ ହେଲା ଏଭଳି ହେବାର କାରଣ, ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ । ସମଗ୍ର ବିଶ୍ୱରେ ଏ ପ୍ରକାରର ସ୍ଥିତି ଲକ୍ଷ୍ୟ କରାଯାଉଛି । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ବିଶ୍ୱରେ ଜଳବାୟ ସମ୍ପର୍କିତ ଲିଖିତ ପରିବର୍ତ୍ତନ ଗୁଡ଼ିକ ସେହି ଅନୁଯାୟୀ ଘଟୁନାହିଁ । ତେଣୁ ବର୍ଷା ଋତୁ ପରବର୍ତ୍ତୀ ଅନ୍ୟାନ୍ୟ ଋତୁ ଗୁଡ଼ିକ ମଧ୍ୟ ଠିକ୍ ସମୟରେ ଅନୁଭୂତ ହେଉନାହିଁ । ଏହି ଜଳବାୟୁ ପରିବର୍ତ୍ତନଜନିତ କାରଣକୁ ନେଇ ଚଳିତବର୍ଷ ଶୀତ ମଧ୍ୟ ଠିକ୍ ସମୟରେ ଆସିନାହିଁ । ନଭେମ୍ବର ଶେଷ ହେବାକୁ ଯାଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଯେଭଳି ଶୀତ ହେବା କଥା ସେଭଳି ଶୀତ ଅନୁଭୂତ ହୋଇନାହିଁ । ଏ ପ୍ରକାରର ପରିସ୍ଥିତି ସାମଗ୍ରିକ ଭାବରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ଯେଉଁ ସମୟରେ ଯେଉଁ ଘଟଣା ଘଟିବା କଥା ବର୍ଷା, ଖରା, ଶୀତ ଆଦି ଯେଭଳି ହେବା କଥା ଯଦି ସେପରି ନ ହୁଏ ନିଶ୍ଚିତ ରୂପେ ଏହା ପାଣିପାଗର ପରିବର୍ତ୍ତନଜନିତ ଏକ ସମସ୍ୟା ଏବଂ ଏ ପ୍ରକାରର ସମସ୍ୟା ଗୁଡ଼ିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ଭାବରେ ଅନୁଭୂତ ହେବ । କେବଳ ସେତିକି ନୁହେଁ ପର୍ଯ୍ୟଟନ, କୃଷି ଭଳି ଅନେକ କ୍ଷେତ୍ରକୁ ମଧ୍ୟ ଏହା ପ୍ରଭାବିତ କରିବ । ଏ ଦୃଷ୍ଟିରୁ ସାମଗ୍ରିକ ଭାବରେ ପାଣିପାଗ ବଦଳୁଥିବାର ମୁଖ୍ୟ କାରଣ ଶିଳ୍ପାୟନ ଭଳି କ୍ଷେତ୍ରକୁ ଅତ୍ୟାଧୁନିକ କରାନଗଲେ ଏବଂ ଜଳବାୟୁ ଉପରେ ସେସବୁର କୁପ୍ରଭାବ ନପଡ଼ିବା ଭଳି ଆଧୁନିକୀକରଣ କରାନଗଲେ ଭବିଷ୍ୟତରେ ଚିରାଚରିତ ଜଳବାୟୁ ଏବଂ ପାଣିପାଗ ବଦଳିଯାଇ ବିଶ୍ୱରେ ଅନେକ ପ୍ରକାରର ଅପ୍ରତ୍ୟାଶିତ ଅତିବୃଷ୍ଟି କିମ୍ବା ବୃଷ୍ଟିହୀନଜନିତ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରିବା ଅସମ୍ଭବ ନୁହେଁ । ଇିଶ୍ୱାୟନରେ ଶିଳ୍ପ ପ୍ରଗତିକୁ ଅଟକାଇ ଦେଇ ହେବ ନାହିଁ । କିନ୍ତୁ ଆଧୁନିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଆଦିର ପ୍ରୟୋଗ ପାଣିପାଗଜନିତ ଅପ୍ରତ୍ୟାଶିତ ପରିବର୍ତ୍ତନକୁ ରୋକିପାରିବ ।