ଯାଜପୁର ବିଜେପି କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି
ଯାଜପୁର : ରାଜ୍ୟରେ ବିଜେପି ସରକାର । ସରକାର ଗଠନରେ ଯାଜପୁର ଜିଲା ୩ଜଣ ଦଳୀୟ ଏବଂ ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କ ସହଭାଗିତା ରହିଛି । ବିଜେଡ଼ିର ଗଡ଼ ଯାଜପୁରରେ ପଦ୍ମ ଫୁଟିଥିବାରୁ ଦଳ ପୁରସ୍କାର ସଦୃଶ ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛି ।
ରାଜ୍ୟ ଶାସନଭାର ବିଜେପି ହାତକୁ ଯିବା ପରେ ବର୍ଷବର୍ଷ ଧରି ପଡ଼ିରହିଥିବା କର୍ମୀ ଏବଂ କାର୍ଯ୍ୟକର୍ତ୍ତା ଉସôାହ ବଢିଯାଇଥିଲେ ହେଁ ଯାଜପୁର ବିଧାନସଭା ଆସନରୁ ଲଢି ହାରିଯାଇଥିବା ଜିଲା ସଭାପତି ଗୌତମ ରାୟ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ସଂଗ୍ରାମ କେଶରୀ ମହାପାତ୍ରଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ନିର୍ବାଚନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଟିକେଟ ପାଇବାକୁ ନେଇ ଲାଗିରହିଥିବା କନ୍ଦଳ ଆକ୍ରମଣ ପର୍ଯ୍ୟନ୍ତ ଯାଇ ପହଞ୍ଚିଲାଣି । ହେଲେ ଏବାବଦରେ ଦଳର କୌଣସି ରାଜ୍ୟସ୍ତରୀୟ ନେତା ତୁଣ୍ଡ ଖୋଲୁ ନାହାନ୍ତି । ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ଯାଜପୁରରୁ ୩ ଗୋଟି ଆସନ ଅକ୍ତିଆର କରିଥିଲେ ହେଁ ସମସ୍ତଙ୍କ ନଜରରେ ଥିବା ଯାଜପୁର ବିଧାନସଭା ଆସନରୁ ଜିଲା ସଭାପତି ଗୌତମଙ୍କୁ ପରାଜୟ ମୁହଁ ଦେଖିବାକୁ ମିଳିଥିଲା । ବିଜେଡ଼ିର ଜଣେ ଦୁର୍ବଳ ପ୍ରାର୍ଥୀ ସୁଜାତା ସାହୁଙ୍କ ଠାରୁ ହାରିଯିବା ପରେ ଗୌତମଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପ୍ରାର୍ଥୀ ହେବାକୁ ଲବିରେ ରହି ନିରାଶ ହୋଇଥିବା ସଂଗ୍ରାମଙ୍କ ଉପରେ ଆକ୍ରମଣ ଯାଜପୁର ବିଜେପିରେ କନ୍ଦଳ ଉଗ୍ର ରୂପ ଧାରଣ କରିଥିବା କୁହାଯାଉଛି । ସଂଗ୍ରାମ ନିର୍ବାଚନ ବହୁ ପୂର୍ବରୁ ଯାଜପୁର ବିଧାନସଭା ଆସନରୁ ଲଢିବାକୁ ମନସ୍ତ କରି ସମର୍ଥନ ଯୋଗାଡ଼ରେ ପଞ୍ଚାୟତରୁ ପଞ୍ଚାୟତକୁ ଘୁରି ବୁଲୁଥିଲେ । ହେଲେ ଦଳ ଗୌତମଙ୍କ ଉପରେ ହିଁ ଭରସା କରିଥିଲା । ମାତ୍ର ଦଳର ଭରସାକୁ ରଖିପାରିଲେନି ଗୌତମ । ବିଜେଡ଼ିର ଦୁର୍ବଳ ପ୍ରାର୍ଥୀଙ୍କ ଠାରୁ ହାରିଗଲେ ଗୌତମ । ଗୌତମଙ୍କ ପରାଜୟ ପଛର କାରଣ ଯାହାବି ଥାଉକି ନା କାହିଁକି, ସଂଗ୍ରାମ କିନ୍ତୁ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଗୌତମଙ୍କ ହାତଥିବା କଥା କହି ଯାଜପୁର ବିଜେପିରେ ସବୁ ଠିକ ଠାକ ଚାଲିନି ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଗୌତମ ହେଉଛନ୍ତି ଜିଲା ମଙ୍ଗୁଆଳ ବା ଜିଲା ସଭାପତି, ସଂଗ୍ରାମ ହେଉଛନ୍ତି ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି । ଉଭୟ ନିଜସ୍ତରରେ କ୍ଷମତାଧାରୀ । ସଂଗ୍ରାମଙ୍କୁ ଆକ୍ରମଣ ପଛରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଗୌତମ ସ୍ପଷ୍ଟ କରିଛନ୍ତି । ହେଲେ ସଂଗ୍ରାମ ଗୌତମଙ୍କୁ ନିଶାନା କରିଛନ୍ତି । ସଂଗ୍ରାମଙ୍କ କହିବା କଥା ହେଲା ଗୌତମ ହାରିବା ପଛର କାରଣ ନଖୋଜି ହାରିବାର ଦୋଷ ମୋ ମୁଣ୍ଡରେ ଲଦି ଲୋକ ଲଗାଇ ଆକ୍ରମଣ କରାଇଛନ୍ତି । ସେ ଏନେଇ ରାଜ୍ୟ କର୍ମକର୍ତ୍ତାଙ୍କୁ ଅବଗତ କରିଥିବା କଥା କହିଥିଲେ ହେଁ ଗୌତମ-ସଂଗ୍ରାମ ବିବାଦ ଉପରେ କେହି କିଛି ସଫେଇ ରଖି ନାହାନ୍ତି ।
ଗୌତମଙ୍କ ସଫେଇ ହେଲା ୩୦ ବର୍ଷ ରାଜନୈତିକ ଜୀବନରେ କେବେ ସେ କାହାକୁ ଗାଳି କରିନଥିବା ବେଳେ ଆକ୍ରମଣ କଥା ଡାହା ମିଛ ଛଡ଼ା ଆଉ କିଛି ନୁହେଁ । ନିର୍ବାଚନ ସମୟରେ ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ସେମାନଙ୍କୁ ଦଳୀୟ କର୍ମକର୍ତ୍ତା ଚିହ୍ନିଛନ୍ତି ଏବଂ ସଂଗ୍ରାମ ବିରୋଧୀ ଦଳ ପ୍ରରୋଚନାରେ ତାଙ୍କ ନାଁକୁ ଯୋଡ଼ୁଛନ୍ତି । ଯଦି ଗୌତମଙ୍କ କଥାକୁ ସତ ବୋଲି ଧରାଯାଏ, ତେବେ କ’ଣ ସଂଗ୍ରାମ କରୁଥିବା ଅଭିଯୋଗ ମିଛ? ସଂଗ୍ରାମ-ଗୌତମ ବିବାଦ ବିଜେପିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ବେଳେ ରାଜ୍ୟ ନେତୃତ୍ୱ ନିରବ ରହିବା ସନେ୍ଦହ ସୃଷ୍ଟି କରିଛି ।