ଆଧୁନିକ ଓଡ଼ିଶାର ଆଦ୍ୟ ନିର୍ମାତା 


କୁହାଯାଏ - ‘ଜାତସ୍ୟ ହି ଧ୍ରୁବୋ ମୃତୁ୍ୟଃ’ । ଅର୍ଥାତ୍ ଏ ଧରାପୃଷ୍ଠରେ ଯେ ଜନ୍ମ ନେଇଛି ତା’ର ମୃତୁ୍ୟ ଅନିର୍ବାର୍ଯ୍ୟ । କିନ୍ତୁ କେତେକ ପୁଣ୍ୟଶ୍ଳୋକଙ୍କ ଜୀବନ ପରିଧି ଓ ଜୀବନାଦର୍ଶକୁ ଲକ୍ଷ୍ୟ କଲେ ଏ କଥାଟି କେମିତି ଭୁଲ୍ ବୋଲି ପ୍ରମାଣିତ ହୋଇଯାଏ । ଅନ୍ୟ ଭାବରେ କହିଲେ, ସେହି ମହାନ୍ ଆତ୍ମାଙ୍କ ସ୍ଥୂଳ ଶରୀରର ବିଲୟ ସିନା ଘଟେ, ମାତ୍ର ତାଙ୍କ ଯଶ, କୀର୍ତ୍ତି ଓ ତ୍ୟାଗପୁତ ଜୀବନର ପ୍ରଭାବକୁ ମହାକାଳ ଆଦୌ ବିଲୟ କରିପାରେ ନାହିଁ । ଜନମାନସରେ ସେମାନେ ଜିଇଁ ରହନ୍ତି କାଳକାଳକୁ । ସେହିପରି ଏକ କାଳଜୟୀ ସତ୍ତାର ଅଧିକାରୀ ଥିଲେ ସ୍ୱର୍ଗୀୟ ନବକୃଷ୍ଣ ଚୌଧୁରୀ । ଗାନ୍ଧିବାଦୀ ଚିନ୍ତା ଓ ଚେତନାର ସେ ହିଁ ଥିଲେ ପ୍ରକୃତ ପୂଜାରୀ ଓ ତାଙ୍କ ପରି ଜନନାୟକ ଆଜିର ଦୁନିଆରେ ବିରଳ ଏଥିରେ ସନେ୍ଦହର ଅବକାଶ ନାହିଁ । ସେଥିପାଇଁ ତ ଏକ ଆଭିଜାତ୍ୟ ଓ ଜମିଦାର ପରିବାରରେ ଜନ୍ମ ହେଲେ ବି ଖଦଡର ନିରାଡମ୍ବର ପରିଚ୍ଛଦ ଓ ଉତ୍ସର୍ଗୀକୃତ ମନୋଭାବ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଭୂଷଣ । କୌଣସି ପରିସ୍ଥିତିରେ ସେ ନିଜ ନୀତି ଓ ଆଦର୍ଶରୁ ବିଚୁ୍ୟତ ହୋଇନଥିଲେ, ଏହା ହିଁ ଥିଲା ତାଙ୍କର ବିଶେଷତ୍ୱ ।
ନବକୃଷ୍ଣ ଚୌଧୁରୀ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଚିନ୍ତା ଓ ଚେତନାର ପୂଜାରୀ, କୃଷକ, ଖଟିଖିଆ ମେହନତି ମଣିଷର ସୁଖଦୁଃଖର ସାଥୀ, ସରଳ, ନିରାଡମ୍ବର ଓ ନିରହଙ୍କାରୀ ମଣିଷ ଏବଂ ସର୍ବୋପରି ଜଣେ ନୀତିନିଷ୍ଠ ଜନନାୟକ । ବାଲ୍ୟକାଳରୁ ଜାତିର ପିତା ମହାତ୍ମାଗାନ୍ଧି ଓ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଚିନ୍ତା ଓ ଚେତନା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସୌଭାଗ୍ୟକୁ ସେ ଏପରି ଏକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯେଉଁଠି ଦେଶଟାଯାକର ସ୍ୱପ୍ନ ସେଇ ଘର ଭିତରେ ଜମାଟ ବାନ୍ଧି ରହିଥିଲା । ଘରସାରା ପ୍ରବାହିତ ହେଉଥିଲା ସଂଗ୍ରାମର ଏକ ଆବହାୱା । ଏହି ପରିବାରର ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ,ଉକ୍ରଳର ମା’ ରମାଦେବୀ,ମହିୟସୀ ନାରୀ ନେତ୍ରୀ ମାଳତୀ ଚୌଧୁରୀ ଓ ଅଗ୍ନିକନ୍ୟା ଅନପୂର୍ଣ୍ଣା ମହାରଣାଙ୍କୁ ଅବା ନ ଜାଣେ କିଏ? ଏଭଳି ଉତ୍ସର୍ଗୀକୃୃତ ପରିବାର ଭାରତ ଇତିହାସରେ ବିରଳ  । ଏମାନଙ୍କ ପ୍ରେରଣା ହିଁ ତାଙ୍କୁ ଜଣେ ବିପ୍ଳବୀ ଓ ଜନନାୟକ ଭାବେ ଗଢିବା ନିମନ୍ତେ ଅନୁକୂଳ ପରିବେଶ ଯୋଗାଇଥିଲା ।  ପ୍ରାଥମିକ ଶିକ୍ଷା ପରେ ନବକୃଷ୍ଣ ଚୌଧୁରୀଙ୍କ ହାଇସ୍କୁଲ ଶିକ୍ଷା ସମାପ୍ତ ହୋଇଥିଲା କଟକର ପ୍ୟାରିମୋହନ ଏକାଡେମୀରୁ । ଉଚ୍ଚ ଶିକ୍ଷା ନିମନ୍ତେ ସେ ୧୯୧୮ ମସିହାରେ ରେଭେନ୍ସା କଲେଜରେ ନାମ ଲେଖାଇଲେ । ୧୯୨୧ ମସିହାର କଥା । ସେତେବେଳେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନେ୍ଦାଳନ ଆରମ୍ଭ ହୋଇଥାଏ ସମଗ୍ର ଦେଶରେ । ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ କଲେଜ ଛାତ୍ରମାନେ ପାଠପଢା ଛାଡି ଅସହଯୋଗ ଆନେ୍ଦାଳନରେ ଯୋଗଦେଲେ ସେମାନଙ୍କ ଭିତରୁ ଜଣେ ଥିଲେ ନବକୃଷ୍ଣ ଚୌଧୁରୀ । ତାଙ୍କ ଆଗରେ ଥିଲା ସୁନେଲି ଭବିଷ୍ୟତ । ସେ ଚାହିଁଥିଲେ ଉଚ୍ଚ ଶିକ୍ଷା ଲାଭ କରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଥାନ୍ତେ । ମାତ୍ର ସେସବୁକୁ ପଛରେ ପକାଇ ପାଠରେ ଡୋରି ବାନ୍ଧି ସେ ଝାସ ଦେଲେ ଅସହଯୋଗ ଆନେ୍ଦାଳନରେ । ଆଉ ତା’ ପରଠାରୁ ସେ ହୋଇଗଲେ ସଚ୍ଚା ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ । ସେହି ସମୟରେ ମହାତ୍ମାଗାନ୍ଧିଙ୍କ ଦ୍ୱାରା ପ୍ରତିଷ୍ଠିତ ସାବରମତୀ ଆଶ୍ରମ ସାରା ଦେଶରେ ରଚନାତ୍ମକ କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ତାଲିମ କେନ୍ଦ୍ର ଥିଲା । ୧୯୨୩ ମସିହାରେ ନବକୃଷ୍ଣ ସାବରମତୀ ଯାତ୍ରା କଲେ ଓ ସେଠାରେ କିଛିଦିନ ରହିଲେ । ଏହି ଆଶ୍ରମର ରହଣି ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା ।
ସାବରମତୀ ଆଶ୍ରମରୁ ଫେରି ନବକୃଷ୍ଣ ଚୌଧୁରୀ ତାରକାନାଥ ଦାସଙ୍କ ଭାଷଣ ଶୁଣିବା ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଶାନ୍ତି ନିକେତନ ଜାତୀୟ ଅନୁଷ୍ଠାନକୁ ଯାଇଥିଲେ । ମଣିକାଞ୍ଚନ ସଂଯୋଗ ଭଳି ସେହି ସମୟରେ ମାଳତି ସେନ୍ଙ୍କ ସାକ୍ଷାତ ହୋଇଥିଲେ ନବକୃଷ୍ଣଙ୍କ ସହିତ । ତାଙ୍କ ସହିତ ନବକୃଷ୍ଣଙ୍କ ସମ୍ପର୍କ କ୍ରମଶଃ ଘନିଷ୍ଠ ହେଲା । ପରେ ୧୯୨୭ ମସିହା ଜୁଲାଇ ୨୭ ତାରିଖରେ ବଙ୍ଗୀୟ କନ୍ୟା ମାଳତୀ ସେନ୍ ନବକୃଷ୍ଣଙ୍କ ଧର୍ମପନôୀ ହୋଇ ମାଳତୀ ସେନ୍ରୁ ମାଳତୀ ଚୌଧୁରୀରେ ରୂପାନ୍ତରିତ ହୋଇ ମହାନ୍ ବିପ୍ଳବିଣୀ ମହିଳା ହୋଇପାରିଥିଲେ । ବିବାହର କିଛିଦିନ ପରେ ନବକୃଷ୍ଣ ସ୍ତ୍ରୀ ମାଳତୀଙ୍କୁ ଧରି ଜଗତସିଂହପୁର ଠାରୁ ପ୍ରାୟ ୮ କି.ମି ଦୂର ତରିକୁନ୍ଦ ଠାରେ ଥିବା ତାଙ୍କ କୃଷି ଫାର୍ମରେ ଯାଇ ରହିଲେ । ସେଠାରେ ନବକୃଷ୍ଣ ଚାଷ କାମରେ ଲାଗିପଡିଲେ ଓ ଜଣେ ଚାଷୀର ପୁଅ-ବୋହୂ ଭଳି ସେମାନେ ଜୀବନ ଅତିବାହିତ କରିବାକୁ ଲାଗିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ତାହା ରୂପାନ୍ତରିତ ହୋଇଥିଲା ‘ତରି ଆଶ୍ରମ’ ରୂପେ । ସେଇ ଆଶ୍ରମରୁ ସେ ସାମିଲ ହୋଇଥିଲେ ଲବଣ ସତ୍ୟାଗ୍ରହରେ । ବାଲେଶ୍ୱରର ‘ଇଞ୍ଚୁଡି’ ଠାରେ ଲବଣ ମାରି ବନ୍ଦୀ ହେଲେ ନବକୃଷ୍ଣ । ଜେଲରୁ ଫେରି ସେ ତରି ଆଶ୍ରମରେ ଏକଜୁଟ କଲେ ଖଟିଖିଆ, ମେହନତି ମଣିଷ ଓ ଚାଷୀମାନଙ୍କୁ । ସେମାନଙ୍କୁ ସଚେତନ କରିବା ପାଇଁ ନିଜ ସ୍ତ୍ରୀର ଗହଣା ବିକି ୧୯୩୩ ମସିହାରେ ‘ସାରଥୀ’ ନାମକ ଏକ ମୁଖପତ୍ର ପ୍ରକାଶ କଲେ । ଏହି ପତ୍ରିକାର ମୁଖବନ୍ଧରେ  ଲେଖାଥିଲା - ‘ଦୁନିଆର ସବୁ ଶ୍ରମିକ ଏକ ହୁଅ’ ।
୧୯୪୬ ମସିହା ଏପ୍ରିଲ ମାସରେ ଓଡ଼ିଶା ବିଧାନସଭା ପାଇଁ ସାଧାରଣ ନିର୍ବାଚନ ହେଲା । ନିର୍ବାଚନ ପରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସର ଯେଉଁ ମନ୍ତ୍ରିମଣ୍ଡଳ ଗଢାହେଲା ସେଥିରେ ନବକୃଷ୍ଣ ଚୌଧୁରୀ ହେଲେ ରାଜସ୍ୱ, ଯୋଗାଣ ଓ ପରିବହନ ବିଭାଗ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାର ଐତିହାସିକ ଚିତ୍ର ବଦଳିଗଲା । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା - ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ଓଡ଼ିଶା ଗଡଜାତ ଗୁଡିକର ମିଶ୍ରଣ । ଏହି ମିଶ୍ରଣରେ ନବକୃଷ୍ଣ ଚୌଧୁରୀଙ୍କ ଯଥେଷ୍ଟ ଅବଦାନ ଥିଲା । ୧୯୫୦ ମେ’ ମାସରୁ ୧୯୫୬ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରାୟ ସାଢେଛଅ ବର୍ଷ ପର୍ଯ୍ୟନ୍ତ ସେ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏହି ସମୟ ଭିତରେ ଆଧୁନିକ ଓଡ଼ିଶାର ନିର୍ମାଣଭିତ୍ତି ସ୍ଥାପନ ହୋଇଥିଲା । ଭାଗଚାଷୀ ଆଇନ, ଜମିଦାରୀ ଉଚ୍ଛେଦ, ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଆଇନ, ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରଣୟନ ଭଳିି ସେ ବହୁ ବଳିଷ୍ଠ ଓ ଜନହିତକର ପଦକ୍ଷେପ ନେଇଥିଲେ । ସେହିପରି ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇ ସେ ନେଇଥିଲେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିସହିତ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ହୀରାକୁଦ ବହୁମୁଖୀ ଯୋଜନା ତଥା ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ ଶିଳ୍ପ ଯୋଜନା ରାଉରକେଲା ଇସ୍ପାତ କାରଖାନାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।
ଜଣେ ସଫଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବକୃଷ୍ଣ ଚୌଧୁରୀ କାର୍ଯ୍ୟ କରି ୧୯୫୬ ମସିହା ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ଓଡ଼ିଶାର ଜନସାଧାରଣ ତଥା ବିଧାନସଭାର ସଦସ୍ୟମାନଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ଥିଲା । ତଥାପି ନବକୃଷ୍ଣ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହିଁଲେ ନାହିଁ । ତାଙ୍କ ପାଇଁ ପଦବୀ ବଡ ନଥିଲା । ବଡ ଥିଲା ଦୀନ, ଦରିଦ୍ର ଓ ଅବହେଳିତ ଜନତାଙ୍କ ସେବା । ଆଜିର ରାଜନେତାମାନେ କ୍ଷମତାକୁ ଜାବୁଡି ଧରି ରଖିବା ପାଇଁ ବ୍ୟାକୁଳ ହେଉଥିଲା ବେଳେ ଜଣେ ମୁଖ୍ୟମନ୍ତ୍ରୀ ଭଳି ଉଚ୍ଚ ପଦବୀରୁ ସ୍ୱଇଚ୍ଛାରେ ଓହରିଯିବା ଦେଶର ଇତିହାସରେ ଏକ ବିରଳ ଦୃଷ୍ଟାନ୍ତ କହିଲେ ଅତୁ୍ୟକ୍ତି ହେବ ନାହିଁ । ନବକୃଷ୍ଣଙ୍କ ଏଭଳି ନିଷ୍ପତ୍ତିକୁ ସେତେବେଳେ ଭୂଦାନ ଆନେ୍ଦାଳନର ନେତା ବିନୋବା ଭାବେ ରାଜପୁତ୍ର ବୁଦ୍ଧଦେବଙ୍କ ସିଂହାସନ ତ୍ୟାଗ ସହିତ ତୁଳନା କରିଥିଲେ । ଏହାପରେ ସେ ମାନବ ସେବାକୁ ମାଧବ ସେବା ରୂପେ ଗ୍ରହଣ କରି ନିଜ ସହଧର୍ମିଣୀ ମାଳତୀ ଚୌଧୁରୀଙ୍କ ସହ ନିଜକୁ ଶେଷ ଜୀବନ ପର୍ଯ୍ୟନ୍ତ ନିୟୋଜିତ କରିଥିଲେ ଅନୁଗୁଳ ଠାରେ ଥିବା ବାଜିରାଉତ ଛାତ୍ରାବାସରେ ଯାହାକୁ ସେ ମୁକ୍ତି ସଂଗ୍ରାମର ଶହୀଦ ବୀର ବାଜି ରାଉତଙ୍କ ସ୍ମୃତି ଉଦେ୍ଦଶ୍ୟରେ ପ୍ରତିଷ୍ଠା କରିଥିଲେ ୧୯୪୬ ମସିହାରେ । ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ୧୯୦୧ ମସିହା ନଭେମ୍ବର ୨୩ ତାରିଖ ଓ ମୃତୁ୍ୟ ୧୯୮୪ ମସିହା ଜୁନ୍ ୨୪ ତାରିଖ । ଦୀର୍ଘ ୮୩ ବର୍ଷର ସମର୍ପିତ ଜୀବନ । ଯେଉଁ ଜୀବନ ‘ଖେରସ’ ଗ୍ରାମରୁ ଆରମ୍ଭ ହୋଇ ‘ତରିଆଶ୍ରମ’ ଶେଷରେ ‘ବାଜିରାଉତ ଛାତ୍ରାବାସ’ରେ ଅନ୍ତ ଘଟିଲା । ଆଜି ତାଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଝୁରୁଛି ଏ ମାଟି ନବକୃଷ୍ଣଙ୍କୁ ..... ଆଉ ଝୁରୁଥିବ କାଳକାଳକୁ । 
ମୋ - ୯୩୩୭୨୨୧୯୨୪