ଏହି ଭାରତରେ 

ଥରେ ଦୁଇବନ୍ଧୁ ଭାରତ ଭ୍ରମଣରେ ବାହାରିଲେ । ଜଣକର ନାମ ବିଭୁଦତ୍ତ ଓ ଅନ୍ୟ ଜଣଙ୍କର ନାମ ଦେବୀଦତ୍ତ । ସେମାନେ ସ୍ଥିର କଲେ ଯେ ଭାରତ ଭ୍ରମଣ ସାରି ପୁରୀରେ ଏକାଠି ହେବେ ଏବଂ ଦିଅଁଙ୍କ ଦର୍ଶନ ସରିବା ପରେ ଲକ୍ଷ୍ମୀ ମନ୍ଦିରରେ ବିଶ୍ରାମ ନେବା ସମୟରେ ଦୁଇ ଜଣଙ୍କର ଅଭିବତା ପରସ୍ପର ସହିତ ବାଣ୍ଟିବେ । 
    ଉଭୟ ବହୁଦିନ ପରେ ମିଳିତ ହୋଇଥିବାରୁ କୋଳାକୋଳି ହେଇ ଲକ୍ଷ୍ମୀ ମନ୍ଦିର ପାହାଚର ଏକ କୋଣରେ ବସିପଡ଼ିଲେ ଯେପରି ଅନ୍ୟ ଯାତ୍ରୀମାନଙ୍କର ଯିବା ଆସିବାରେ କୌଣସି ଅସୁବିଧା ନହୁଏ । ପ୍ରଭୁଦତ୍ତ କହିଲା ଭାରତ ଭ୍ରମଣରେ ଏକ ଆଶ୍ଚର୍ଯ୍ୟ ଜିନିଷ ଦେଖିଲି । ଯୋଗୀଋଷି ଓ ଈଶ୍ୱର କୋଟି ପୁରୁଷମାନଙ୍କର ଜୀବନୀ ରାସ୍ତାରେ ପଢ଼ିଲି । ଅନେକଙ୍କ ସହ ଆଲୋଚନା ମଧ୍ୟ କଲି । ସମସ୍ତେ କହିଲେ ପିତୃଭକ୍ତିକୁ ଯଦି ତୁଳନା କରାଯାଏ ଭୀଷ୍ମ ରାମଚନ୍ଦ୍ରଙ୍କ ଠାରୁ ନିଶ୍ଚିତ ଭାବେ ଅଧିକ ହେବେ । ସମସ୍ତେ ମତ ଦେଲେ ଭୀଷ୍ମ ଏକ ପ୍ରେରଣାର ଉତ୍ସବ ଭାବେ ମହାଭାରତରେ ବର୍ଣ୍ଣିତ ହୋଇଛନ୍ତି ତେଣୁ ସେ ଗୃହୀତ ଓ ପୂଜିତ ହେବା ଉଚିତ । ବୃଦ୍ଧ ପିତାଙ୍କର କାମ ଭାବକୁ ତୃପ୍ତ କରିବାକୁ ଯାଇ ଖୁବ ଆନନ୍ଦ ଓ ଉତ୍ସାହର ସହିତ ସ୍ୱତସ୍ଫୁର୍ତ୍ତ ଭାବେ ବିନା ଆପତ୍ତିରେ ସାରା ଜୀବନ ପାଇଁ ନିଜର ଦାମ୍ପତ୍ୟ ଜୀବନ ତଥା ରାଜପଦରୁ ସେ ନିଜକୁ ବଞ୍ଚôତ କରିଥିଲେ । ସେ ନିଜର ପିତାଙ୍କର କାମଭାବକୁ ଅସଙ୍ଗତ କହି ନିଶ୍ଚିତ ଭାବରେ ଏଡ଼ାଇ ଦେଇପାରିଥାନ୍ତେ ଓ ଏଥିପାଇଁ ଇତିହାସ କେବେ ବି ତାଙ୍କୁ ଦୋଷ ଦେଇ ପାରିନଥାନ୍ତା । କିନ୍ତୁ ଏ କ'ଣ? ସେ ବେଦବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଓ ସେ ଦେବ ବାଣୀଟି ଥିଲା "ପିତୃ ଦେବୋ ଭବ' । 
    ଆଶ୍ଚର୍ଯ୍ୟର କଥା ଆମ ଓଡ଼ିଶାରେ କିମ୍ବା ଅଯୋଧ୍ୟାରେ ବା ଅନ୍ୟାନ୍ୟ ସ୍ଥାନରେ ମୁଁ ଯେଉଁ ସ୍ଥାନକୁ ବୁଲିଗଲି କୌଣସି ଠାରେ ଭୀଷ୍ମଙ୍କର ମନ୍ଦିର ଦେଖିଲି ନାହିଁ । ଚାରିଆଡ଼େ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କର ମନ୍ଦିର ଦେଖିଲି । ଏହା ସତ୍ୟ ଯେ ରାମ ଜଣେ ପିତୃଭକ୍ତ ଥିଲେ ଓ ଲଙ୍କା ବିଜୟ ପରେ ଲକ୍ଷ୍ମଣ ଯେତେବେଳେ ସ୍ୱର୍ଣ୍ଣଲଙ୍କା ତ୍ୟାଗ କରିବାକୁ ରାଜି ହୋଇନଥିଲେ ସେ ତାଙ୍କୁ ବୁଝାଇ କହିଥିଲେ "ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି' ଓ "ପିତରି ପ୍ରିତୀମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା' । ରାମ ସଦଗୁଣର ଆଧାର ଥିଲେ ଓ ଅଭ୍ୟାସ ବଳରେ ଜଣେ ଆଦର୍ଶ ପ୍ରଭୁ, ସ୍ୱାମୀ, ଭ୍ରାତା, ବନ୍ଧୁ ଏପରି କି ଜଣେ ଆଦର୍ଶ ଶତ୍ରୁ ହୋଇ ପାରିଥିଲେ । ଏଥର ବିଭୁଦତ୍ତ କହିଲା ଆନନ୍ଦ ପାଇବା ପାଇଁ ସମସ୍ତଙ୍କର ଇଛା ସମସ୍ତେ ଫମ୍ପା ଆମୋଦ ପ୍ରମୋଦରେ ମାତିଛନ୍ତି । ଆନନ୍ଦ ନିଜ ଭିତରେ ନଖୋଜି ବାହାରେ ଖୋଜୁଛନ୍ତି । ମୁଁ ବି ତୁମପରି ଭ୍ରମଣ ସମୟରେ ଶାସ୍ତ୍ରଗୁଡ଼ିକର ଜୀବନ ଶିକ୍ଷାକୁ ଅଧ୍ୟୟନ କରୁଥିଲି ଓ ଲୋକଙ୍କ ସହ ଆଲୋଚନା କରୁଥିଲି । ସମସ୍ତଙ୍କର ମତ ଏକ ଥିଲା ଯେ ତିତିକ୍ଷା, ଅସୀମତା, ବନ୍ଧନରୁ ମୁକ୍ତି, ପରମ ଓ ବିଶ୍ୱାତ୍ମକକୁ ଉପଲବ୍ଧି କଲେ ହିଁ କାମନାର ସନ୍ତୁଷ୍ଟି ହୋଇଥାଏ । ଦେଖିଲି ନୂତନ ବର୍ଷ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି । ଆଲୋଚନା କରି ଜାଣିଲି ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ସମୟର ଦୈର୍ଘ୍ୟକୁ ବୁଝାଯାଏ । ସେକେଣ୍ଡ କହିଲେ ତାର ମୌଳିକ ପରିମାପକକୁ ବୁଝାଯାଏ । ଷାଠିଏଟି ସେକେଣ୍ଡରେ ଗୋଟିଏ ମିନିଟ ହୁଏ । ମିନିଟରୁ ଷାଠିଏ ମିଶିଲେ ଗୋଟିଏ ଘଣ୍ଟା ହୁଏ । ଚବିଶ ଘଣ୍ଟା ମିଶି ଗୋଟିଏ ଦିନ ଓ ତିରିଶଟି ଦିନରେ ଗୋଟିଏ ମାସ ଓ ମାସ ମାସ ହୋଇ ବାରମାସ ଚାଲିଗଲେ ମନୁଷ୍ୟ ବର୍ଷ ଚାଲିଗଲା ବୋଲି କୁହେ । ବାରମାସ ସରିଗଲେ ଆମେ ନୂତନ ବର୍ଷର ପ୍ରଥମ ମାସର ପ୍ରଥମ ଦିନକୁ ଆସୁ ଓ ଏହାକୁ ଅବସର ଦିବସ ଭାବେ ପାଳନ କରୁ । ପ୍ରକୃତରେ ନୂତନ ବର୍ଷରେ, କିଛି ନୂଆ ହୁଏ ନାହିଁ । ଯଦି ଗୋଟିଏ ନୂତନ ସମୟ ପାଳନ କରିବା କଥା ତେବେ ମିନିଟ, ଘଣ୍ଟା, ଦିନ ମାସ ଓ ବର୍ଷକୁ ଅପେକ୍ଷା କରିବା କଣ ଦରକାର । ପ୍ରତି ସେକେଣ୍ଡକୁ କେହି ଆନନ୍ଦ ଲାଭ ପାଇଁ ପାଳନ କରୁନାହିଁ । 
ମନ, ବୁଦ୍ଧି, ସ୍ମୃତିଶକ୍ତି, ବାକଶକ୍ତି, ସାହାସ ଓ ବିବେକର ସହ ସଜ୍ଜିତ ହୋଇ ଆସିଥିବା ମଣିଷ କ୍ଷଣିକ ସୁଖ ପଛରେ ଧାଉଁଛି । ସୂର୍ଯ୍ୟ, ଚନ୍ଦ୍ରର ଉଜ୍ଜ୍ୱଳତାକୁ ଲୁଚାଇ ଦେଇ ଯେପରି ଅସ୍ଥାୟୀ ଛାୟା ସୃଷ୍ଟି କରନ୍ତି ମନୁଷ୍ୟ ମଧ୍ୟ କ୍ଷଣିକ ସୁଖ ପଛରେ ଧାଇଁ ବୁଲୁଛି । ମୁଁ ମଧ୍ୟ ଦେଖିଲି ପୁଅମାନେ ବାପ ସମ୍ପତ୍ତିରୁ ଭାଗ ଚାହୁଁଛନ୍ତି ଓ ତାଙ୍କ ଦୁଃଖରେ ଭାଗୀ ହେବାକୁ ଚାହୁଁ ନାହାଁନ୍ତି । ବାପା ମାଆଙ୍କର ଯାହା ଆବଶ୍ୟକ ସେହି ଉପଦେଶକୁ ମାନୁ ନାହାଁନ୍ତି । ଯେଉଁ ପିତାମାତା ଆମକୁ ଶରୀର ପ୍ରଦାନ କରିଛନ୍ତି କଥା, କର୍ମ ଓ ବ୍ୟବହାର ଦ୍ୱାରା ଆମେ ତାଙ୍କୁ ସମ୍ମାନିତ କରିବା ଉଚିତ । ଆମେ ଯେତେବେଳେ ଜାଗତିକ ପିତାଙ୍କ କଥା ଶୁଣୁ ନାହୁଁ ପରମପିତା ଆମର ପ୍ରାର୍ଥନା ଶୁଣିବେ କେମିତି?
ଆଉ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଭାରତ ଭ୍ରମଣ ସମୟରେ ଦେଖିଲି ମୃତୁ୍ୟକୁ ଭୟଙ୍କର ଦେବତା ଭାବେ ଚିତ୍ରଣ କରାଯାଇଛି । ଗୋଟିଏ ଅସୁର ମଇଁଷି ଚଢ଼ି ଫାଶ ଧରି ହଠାତ ମଣିଷ ପାଖରେ ପହଞ୍ଚô ଯାଆନ୍ତି । ଆଲୋଚନାରୁ ଜାଣିଲି ଏ ଫାଶ ମଣିଷର କୃତକର୍ମ । ସେ ହଠାତ୍ ପହଞ୍ଚô ନଥାଏ । ପୂର୍ବରୁ ସୂଚନା ଦିଅନ୍ତି ଯଥା ବାଳ ପାଚିବା, ଦାନ୍ତ ପଡ଼ିବା, ନ ଦିଶିବା, ଶୁଣା ନଯିବା, ଚର୍ମ ଲୋଳିତ ହେବା ଇତ୍ୟାଦି । ସେ କୌଣସି ପଶୁ ବାହନ ରୂପେ ବ୍ୟବହାର କରନ୍ତି ନାହିଁ । ତାଙ୍କର ଅନ୍ୟ ନାମ କାଳ । କାଳ ସ୍ଥିର ଗତିରେ ଆମ ଆଡ଼କୁ ମାଡ଼ି ଆସୁଛି । ଜୀବନର ସୂତ୍ରକୁ କାଟୁଛି । କାଳରୁ ମୁକ୍ତି ପାଇଁ ଶକ୍ତିକୁ ବ୍ୟବହାର କରି କର୍ମ କରିବା ଉଚିତ । କର୍ମର ନିୟମ ତୁମ ପାଇଁ ଆଶାର ବର୍ତ୍ତିକା ହେବା ଉଚିତ । କର୍ମନୁଯାୟୀ ଫଳ । ସେ ଫଳକୁ ପାଇବା ପାଇଁ ନିଜକୁ ଅଧିକ ବନ୍ଧନରେ ବାନ୍ଧିବା ଉଚିତ ନୁହେଁ । ଈଶ୍ୱରଙ୍କ ପାଦପଦ୍ମରେ ସମର୍ପଣ କଲେ ଯଥେଷ୍ଟ । ହେଲେ ଭାଇ ଶନି ମନ୍ଦିର ଦେଖିଲି ସିନା ଯମ ମନ୍ଦିର କେଉଁଠାରେ ଦେଖିଲି ନାହିଁ । ଏଥର ଦୁଇ ବନ୍ଧୁ ଉଠି ଆନନ୍ଦ ବଜାରକୁ ଗଲେ ପ୍ରସାଦ ସେବନ କରିବା ପାଇଁ ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬