ଓଡ଼ିଆ ଭାଷା ଓ ଭକ୍ତକବିଙ୍କ "ବର୍ଣ୍ଣବୋଧ'

"ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ', "ରାତି ପାହିଲାଣି ରାବଇ କାଉ, ଉଠ ଉଠ ଆଉ ମଠ ନକର ଆଉ', "ପଶ୍ଚିମ ଦିଗରେ ବୁଡ଼ଇ ରବି, ଆହାକି ସୁନ୍ଦର ଲୋହିତ ଛବି', "ବଂଶୀ ବାଜୁଛି ନଦୀ ତୀରେ, ହଂସ ଖେଳୁଛି ନଦୀ ନୀରେ' - ଏହିପରି ଚମକ୍ରାର ଜୀବନ ଆବେଗର ଅତ୍ୟନ୍ତ ବିଲକ୍ଷଣ ପଂକ୍ତି ଗୁଡ଼ିକର ଧାଡ଼ି ଅଗଣିତ କୋଟି କୋଟି ଓଡ଼ିଆଙ୍କ ଜିଭ ଆଗରେ ଏବେ ବି ପ୍ରତିଦିନ ଝଙ୍କୃତ ହେଉଥାଏ । ସମସ୍ତଙ୍କୁ ଏହା ଜଣା ଯେ ଏହି କାଳଜୟୀ ଓ ଶିକ୍ଷା ପ୍ରଦାୟକ ନୈତିକ ଶିକ୍ଷାର ବାର୍ତ୍ତାବହ ତଥା ଜୀବନତତ୍ତ୍ୱର ନୀତିବାଣୀର ମର୍ମସ୍ପର୍ଶୀ ଲେଖନୀ ହେଉଛି ଭକ୍ତକବି ମଧୁସୂଦନ ରାଓଙ୍କ ଅଦ୍ୱିତୀୟ ସୃଷ୍ଟି "ବର୍ଣ୍ଣବୋଧ' । ଇତିମଧ୍ୟରେ ଏହାର ପୁନଃପ୍ରକାଶନ ହେବାକୁ ଯାଉଛି । ପାଖାପାଖି ୧୧୦ ଦଶ ବର୍ଷ ପରେ କୋଟି କୋଟି ଓଡ଼ିଆ ଏହି ହୃଦୟସ୍ପର୍ଶୀ ପୁସ୍ତକକୁ ପୁଣିଥରେ ନୂଆ ରୂପରେ ପଢ଼ିବା ପାଇଁ ଯାଉଛନ୍ତି । ୧୯୦୧ ମସିହାରେ ଏହି ବର୍ଣ୍ଣବୋଧକୁ ଲେଖିଥିଲେ ଭକ୍ତକବି ମଧୁସୂଦନ ରାଓ । ଓଡ଼ିଆ ବର୍ଣ୍ଣବୋଧ ଆମ କେବଳ ସମସାମୟିକ ଜୀବନକୁ ନୁହେଁ ଏପରି କ୍ୱଚିତ ଓଡ଼ିଆ ରହିଥିଲେ ଯେଉଁମାନେ କି ଏହାକୁ କେବଳ ଯେ ନପଢ଼ିଥିବେ ବରଂ ଏହାକୁ ବୁଝି ନଥିବେ । ଓଡ଼ିଆ ମାଟି, ପାଣି, ପବନ, ଓଡ଼ିଆ ଭାବନା, ଜୀବନ ଚେତନା, ପ୍ରାକୃତିକ ନୈସର୍ଗିକ ସୌନ୍ଦର୍ଯ୍ୟ, ଜୀବନ ନୈତିକ ଶିକ୍ଷା, ନୀତିବାଣୀର ଭାବନା ଏପରି ଅନେକ ଚେତନାରେ ସମ୍ପୂର୍ଣ୍ଣ ଭରପୁର ହୋଇଛି ଏହି ଭକ୍ତକବିଙ୍କ ମଧୁବର୍ଣ୍ଣବୋଧ ।
କୋଟି କୋଟି ଓଡ଼ିଆଙ୍କ ଦେଢ଼ଶହ ବର୍ଷ ଧରି ସେମାନଙ୍କ ଜୀବନ ପ୍ରାଣର ଏକ ପ୍ରକାର ଆବାହନୀ ଓ ସାମଗ୍ରିକ ଶିକ୍ଷାର ଅମାପ ବାର୍ତ୍ତା ଭରି ରହିଥିବା ଏହି ବର୍ଣ୍ଣବୋଧ ପୁନର୍ବାର ଓଡ଼ିଆରେ ପ୍ରକାଶିତ ହୋଇ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି । ଅନେକ ହୁଏତ ଜାଣିନଥିବେ ବଙ୍ଗଳା ସାହିତ୍ୟର ସାରସ୍ୱତ ନାୟକ ଓ ପ୍ରସିଦ୍ଧ ଲେଖକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବଙ୍ଗଳା ଭାଷା ପାଇଁ "ବର୍ଣ୍ଣ ପରିଚୟ' ପୁସ୍ତକଟି ଲେଖିଥିଲେ । ବର୍ଣ୍ଣବୋଧ ହେଉଛି ଓଡ଼ିଆ ଭାଷା ସାହିତ୍ୟ, ଜୀବନବୋଧର ଏପରି ଏକ ଜୀବନଦସ୍ତାବିଜ ଯାହାର ପ୍ରତିଟି ଧାଡ଼ି ଅମୃତସ୍ପର୍ଶୀ ଓ କାଳଜୟୀ । ଭକ୍ତକବି ମଧୁସୂଦନ ଏହି ପୁସ୍ତକଟି ମାତ୍ର ଗୋଟିଏ ରାତି ଭିତରେ ପ୍ରସ୍ତୁତ କରିପାରିଥିଲେ ମଧ୍ୟ ଏହାକୁ ସମୃଦ୍ଧ ଓ ତଥ୍ୟଭିତ୍ତିକ କରିବା ପାଇଁ ତାଙ୍କର ଦୀର୍ଘ ସମୟର ପରିଶ୍ରମ କିନ୍ତୁ ରହିଥିଲା । ୧୮୮୫ ମସିହାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୁସ୍ତକ ପ୍ରକାଶନୀ ସଂସ୍ଥା ମ୍ୟାକମିଲନ ଆଣ୍ଡ କମ୍ପାନୀ ଏହାର ପ୍ରକାଶନ ଦାୟିତ୍ୱ ନେଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ରୂପରେ ଏହି ବହିଟି ଅନେକବାର ବିଭିନ୍ନ ସଂସ୍କରଣ ମାଧ୍ୟମରେ ପ୍ରକାଶିତ ହୋଇଛି । ଆପଣ ଯେ କୌଣସି ବଡ଼ ବହି ଦୋକାନ, ଛୋଟ ବହିଦୋକାନ କିମ୍ବା ରାସ୍ତାକଡ଼ର ବହି ଓ ମାଗାଜିନ ପସରା ମେଲାଇଥିବା ବହି ସପ୍ରେ ଭକ୍ତକବିଙ୍କ ମଧୁବର୍ଣ୍ଣବୋଧ କିନ୍ତୁ ନିଶ୍ଚିନ୍ତ ପାଇବେ । ଏହା ହିଁ ହେଉଛି କୋଟି କୋଟି ଓଡ଼ିଆଙ୍କ ଏହି ଶୀର୍ଣ୍ଣକାୟ ଚଟିବହିଟି ପ୍ରତି ଆବେଗ ଓ ଆକର୍ଷଣର ଡ଼ୋରି । ବର୍ଣ୍ଣବୋଧ ପୁସ୍ତକର ସମସାମୟିକ ଏହି ଭାଷା ବର୍ଣ୍ଣାଳୀର ଅନେକ ସୃଷ୍ଟି ମଧ୍ୟ କୃତବିଦ୍ୟ ଓଡ଼ିଆ ସାହିତ୍ୟ ସ୍ରଷ୍ଟାଙ୍କ ଦ୍ୱାରା ମଧ୍ୟ ସମ୍ଭବ ହୋଇଥିଲା ।
ତକ୍ରାଳୀନ ଓଡ଼ିଆ ଭାଷା ଓ ତତ୍ଜନିତ ସାହିତ୍ୟର ଅଭାବକୁ ଲକ୍ଷ୍ୟ ରଖି ଯେଉଁକିଛି ପୁସ୍ତକ ପ୍ରକାଶ ହୋଇଥିଲା ସେ ଗୁଡ଼ିକ ହେଉଛି "ବର୍ଣ୍ଣଶିକ୍ଷା', "ବର୍ଣ୍ଣବୋଧକ', "ବର୍ଣ୍ଣ ନିୟମ', "ବର୍ଣ୍ଣ ପରିଚୟ', "ଶିକ୍ଷା ମଞ୍ଜରୀ', "ବାଳବୋଧିନୀ', "ପ୍ରଥମ ପାଠ', "ବର୍ଣ୍ଣ ବିଜ୍ଞାନ' ପ୍ରମୁଖ । ତେବେ ଏ ସବୁ ଭିତରେ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ସ୍ୱତନ୍ତ୍ରତା ରହିଥିଲା କାରଣ ଏଥିରେ ଭରି ରହିଥିଲା କେବଳ ଶିଶୁ ମାନଙ୍କ ପାଇଁ ନୁହେଁ ସବୁ ବୟସର ଲୋକମାନଙ୍କ ପାଇଁ ଜୀବନ ଶିକ୍ଷା ହେଉ ବା ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ହେଉ ବା ଭାବଗତ ଶିକ୍ଷା । ଏସବୁ ପରିପୁଷ୍ଟ ହୋଇଥିଲା ବର୍ଣ୍ଣବୋଧରେ । ଭକ୍ତକବି ଭାବେ ମଧୁସୂଦନ ରାଓ କୋଟି କୋଟି ଓଡିଆଙ୍କ ପାଖରେ ଏକ ପ୍ରାତଃ ସ୍ମରଣୀୟ ପରିଚିତ ବ୍ୟକ୍ତିତ୍ୱ । ବୃତ୍ତିଗତ କ୍ଷେତ୍ରରେ ସେ ଥିଲେ ଜଣେ ଶିକ୍ଷକ ଓ ଭାଷାବିତ । ଓଡ଼ିଆ ଭାଷା ପ୍ରତି ତାଙ୍କର ରହିଥିଲା ଅମାପ ଆବେଗ, ଦୁର୍ବଳତା ଓ ଭଲପାଇବା । ବର୍ଣ୍ଣବୋଧ ଏକ ଏପରି ସରଳ ବୋଧଗମ୍ୟ ଓ ଭାଷା ଆବେଗ ତଥା ନୈତିକ ଶିକ୍ଷା ପ୍ରଦାୟକ ପୁସ୍ତିକା ଯାହାକି ବାସ୍ତବିକ ପ୍ରତିଟି ଓଡ଼ିଆଙ୍କ ଘରେ ଏକ ସଂଗ୍ରହଣୀୟ ଭାଷା ଦସ୍ତାବିଜ ଭାବେ ରହିବା କଥା । ଯେତେବେଳେ ଓଡ଼ିଆ ଭାଷାକୁ ବିଶେଷକରି ବଙ୍ଗଳାର ଆହ୍ୱାନକୁ ସାମ୍ନା କରିବାକୁ ପଡ଼ୁଥିଲା "ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନଏ ।' ସେହି ଭାଷା ଆହ୍ୱାନକୁ ନିଜ ଭିତରେ ଶାଣିତ ଓ ତୀବ୍ର କରିଥିଲେ ଭକ୍ତକବି । ଓଡ଼ିଆ ଭାଷା, ବନାନ, ବର୍ଣ୍ଣ, ଶବ୍ଦ, ଯୁକ୍ତାକ୍ଷର ସବୁକିଛିକୁ ତଉଲି ଓ ଏହାର ସାମଞ୍ଜସ୍ୟ ରଖି ପ୍ରସ୍ତୁତ ହୋଇଥିବା ସେ ଦିନର ଭକ୍ତକବିଙ୍କ ଏହି ମହାର୍ଘ ବର୍ଣ୍ଣବୋଧ ଏ ଯାବତ୍ ତାହାର ଆଗ୍ରହ ଓ ଆବେଗକୁ ଅତୁଟ ରଖିଛି ।
ଏହା କେବଳ ଓଡ଼ିଆ ଭାଷା, ଶିକ୍ଷା ବା ବର୍ଣ୍ଣମାଳା କିମ୍ବା ଯୁକ୍ତାକ୍ଷର ପ୍ରସ୍ତୁତିର ଏକ ଶିକ୍ଷା ପୁସ୍ତିକା ନୁହେଁ ଏହା ହେଉଛି ଭାବପୂର୍ଣ୍ଣ ପ୍ରକୃତି ହେଉ ବା ଜୀବନଚର୍ଯ୍ୟା, ଆଧ୍ୟାତ୍ମକ ହେଉ ବା ଅମୃତ ନିର୍ଝର । ସବୁକିଛିକୁ ଏହା ଆକର୍ଷଣୀୟ ଭାବରେ ଏପରି ମର୍ମସ୍ପର୍ଶୀ ପ୍ରେରଣା ଦେଇଛି ଯାହାକି ସମ୍ଭବତଃ ଆଉ ଏକ ବର୍ଣ୍ଣବୋଧ ସୃଷ୍ଟି ହୋଇନପାରେ । ନିତିଦିନିଆ ଜୀବନରେ ମାମୁଁଘରର ସ୍ମୃତି ରହିଛି ଏହି ବର୍ଣ୍ଣବୋଧରେ - "ଚକା ଚକା ଭଉଁରୀ, ମାମୁଁଘର ଚଉଁରୀ' । କାଳ ଅନ୍ଧାରର ରାତି ପାହିବା ପରେ ଜଣଙ୍କ ଜୀବନ ଆରମ୍ଭ ହୋଇଥାଏ ସୂର୍ଯେ୍ୟାଦୟରୁ ଆଉ ଏହାକୁ ଆମ ସମସ୍ତଙ୍କ ପାଖରେ କାଉର ରାବ ଦ୍ୱାରା ହିଁ ଜଣାଯାଇଥାଏ ଭକ୍ତକବି ବର୍ଣ୍ଣବୋଧରେ ଲେଖିଛନ୍ତି - "ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ' । ଏବେ ତ ପ୍ରଚଣ୍ଡ ଖରାର ନିଦାଘ ରୌଦ୍ରତାପ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଜାଣିଛନ୍ତି ବର୍ଣ୍ଣବୋଧରେ ଏହା ବେଶ ସୁସ୍ପଷ୍ଟ ହୋଇଛି - "ବୈଶାଖ ମାସେ ବଡ଼ ଖରା, ଅତି ତପତ ହୁଏ ଧରା' । ଜୀବନ ଯାତ୍ରା ପଥରେ ଆମ ମାନଙ୍କ ଉଚିତ କର୍ତ୍ତବ୍ୟର ଶିକ୍ଷଣୀୟ ବାର୍ତ୍ତା ରହିଛି ଏଥିରେ ତାହା ହେଉଛି - "ବଂଶୀ ବାଜୁଛି ନଦୀ ତୀରେ, ହଂସ ଖେଳୁଛି ନଦୀ ନୀରେ' । କେବଳ ସେତିକି ନୁହେଁ ପିଲାମାନଙ୍କୁ ଜୀବନ ପ୍ରାରମ୍ଭକୁ ନୈତିକ ଶିକ୍ଷା ଦେଇ ଭକ୍ତକବି ଏଥିରେ ଲେଖିଛନ୍ତି - "କୁବାକ୍ୟ କେବେ ନକହିବ, ଆଳସ୍ୟ କେବେ ନକରିବ । ମିଥ୍ୟାକୁ ପାପ ବୋଲି ଜାଣି, କହିବ ସଦା ସତ୍ୟବାଣୀ' । ପ୍ରତିଟି ମୁହୂର୍ତ୍ତ ଭଗବାନଙ୍କ ପାଇଁ ସମର୍ପିତ କରି ଜୀବନରେ ଆଧ୍ୟାତ୍ମିକ ତତ୍ତ୍ୱ ଓ ଭାବଧାରାକୁ ଶିଶୁମନରେ ଉଦ୍ରେକ କରିବା ପାଇଁ କବି ରଚନା କରିଛନ୍ତି - "ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ' ।
ଜାତିର ଆତ୍ମା ଭାବେ ଏକ ମାତୃଭାଷା ହେଉଛି ଜାତି ପାଇଁ ସମ୍ମାନ । ଭାଷା ଏକ ଶାସ୍ତ୍ରୀୟ ସ୍ୱୀକୃତି ଯେ ପାଇଥାଏ ଏହା ପଛରେ ରହିଛି ଓଡ଼ିଆ ଭାଷାର ଗୌରବମୟ ଇତିହାସ । ଭକ୍ତକବି ମଧୁସୂଦନଙ୍କ କାଳଜୟୀ ଅମୃତ ସୃଷ୍ଟି ବର୍ଣ୍ଣବୋଧ ଏ ଜାତିର, ଏ ଜାତିର ଅସ୍ମିତାର ସର୍ବୋପରି ଭାଷାର ମୂଳପିଣ୍ଡ କହିଲେ ଭୁଲ ହେବନାହିଁ । ଏହି ଶୀର୍ଣ୍ଣକାୟ ଚଟି ବହିଟି କେବଳ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ନାମ ବାଚକ ପୁସ୍ତିକା ନୁହେଁ ଏହା ଯେଉଁ ଆବେଗ, ଉନ୍ମେଷ, ଜାତି ଓ ଭାଷା ପ୍ରତି ସମର୍ପଣ ଭାବ ସୃଷ୍ଟି କରେ ତାହା କମ ବଡ଼କଥା ନୁହେଁ । ଓଡ଼ିଆ ଭାଷାର ଶ୍ରେଷ୍ଠ ଓ ଗୌରବମୟ କୃତି ଓ ସ୍ୱୀକୃତି ହେଉଛି ଭକ୍ତକବି ମଧୁସୂଦନ ରାଓଙ୍କ ଏହି ବର୍ଣ୍ଣବୋଧ । ଓଡ଼ିଆ ଭାଷା ସାହିତ୍ୟ ଶିକ୍ଷାରେ ଧÿାଇମାର ଭୂମିକା ନେଇଥିବା ଭକ୍ତକବିଙ୍କ "ବର୍ଣ୍ଣବୋଧ' ପ୍ରତିଟି ଓଡ଼ିଆଙ୍କ ଭାଷା ସାହିତ୍ୟର ଜୀବନ ସ୍ପନ୍ଦନ କହିଲେ ଅତୁ୍ୟକ୍ତି ହେବନାହିଁ ।
ଶ୍ରୀବିହାର କଲୋନୀ, କଟକ
ମୋ : ୯୪୩୭୬୬୬୪୫୩