କବି ସଚ୍ଚି ରାଉତରାୟ 


ଓଡ଼ିଆ କବି, ଗାଳ୍ପିକ ତଥା ଔପନ୍ୟାସିକ ଭାବେ ସଚ୍ଚିଦାନନ୍ଦ ରାଉତରାୟ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କ ରଚନାଗୁଡ଼ିକ ପ୍ରାୟତଃ ସାମ୍ୟବାଦ, ଫାସୀବାଦ ଓ ବିଶ୍ୱଯୁଦ୍ଧ ବିରୋଧୀ । ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପରିବର୍ତ୍ତନର ଶ୍ରେୟ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଦିଆଯାଏ । ସେ ପ୍ରାୟ ୭୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସାହିତ୍ୟ ଜଗତ ସହ ଜଡ଼ିତ ଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ, ମାଟି ଓ ମେହନତି ମଣିଷର କବି ପଦ୍ମଶ୍ରୀ ଡ.ସଚ୍ଚିଦାନନ୍ଦ ରାଉତରାୟ ଛୋଟ ମୋର ଗାାଁଟି ଓ ବାଜି ରାଉତ ପରି ଲୋକପ୍ରିୟ କବିତାର କାଳଜୟୀ ସ୍ରଷ୍ଟା । ସେ ହିଁ ପ୍ରଗତିବାଦୀ କାବ୍ୟ ଆନେ୍ଦାଳନର ପ୍ରାଣ ପ୍ରତିଷ୍ଠାତା ଓ କାବ୍ୟ ସାହିତ୍ୟର ନୂତନତାର ଅଗ୍ରଦୂତ । ସଚ୍ଚି ରାଉତରାୟ ଏକାଧାରରେ ଜଣେ ବଳିଷ୍ଠ ସମାଲୋଚକ, ପ୍ରାବନ୍ଧିକ, ବିଶିଷ୍ଟ କଥାକାର ତଥା ଉପନ୍ୟାସକାର ଥିଲେ । ଦୀର୍ଘ ସାତ ଦଶନ୍ଧିର ନିରବଚ୍ଛିନ୍ନ ଲେଖନୀ ଚାଳନା ଦ୍ୱାରା ଓଡ଼ିଆ ସାହିତ୍ୟର ସମସ୍ତ ବିଭାଗ ରଦ୍ଧିମନ୍ତ ହୋଇଛି । ପାଥେୟ, ପୂର୍ଣ୍ଣିମା, ପଲ୍ଲିଶ୍ରୀ, ରକ୍ତଶିଖା, ଅଭିଯାନ, ଆଦି ତାଙ୍କର ଅନନ୍ୟ କାବ୍ୟକୃତି । ତାଙ୍କ ରଚିତ ପ୍ରସିଦ୍ଧ ଗଳ୍ପ ଗ୍ରନ୍ଥ ମଧ୍ୟରୁ ମଶାଣିର ଫୁଲ, ମାଟିର ଡାକ, ଛାଇ, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ, ନୂତନ ଗଳ୍ପ ଅନ୍ୟତମ । ଚିତ୍ରଗ୍ରୀବ ଉପନ୍ୟାସ ସଚ୍ଚିଦାନନ୍ଦଙ୍କ ଏକ ଉଲ୍ଲେଖନୀୟ କୃତି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୁରୁଜଙ୍ଗ ଗାଁରେ ଜନ୍ମିତ ସଚ୍ଚିଦାନନ୍ଦଙ୍କ କବିତା ଲେଖା, ସ୍କୁଲ ପଢ଼ା ବୟସରୁ ଆରମ୍ଭ ହୋଇଥିଲା । କଟକ ଟ୍ରେଡିଂ କମ୍ପାନୀ ଦ୍ୱାରା ପ୍ରକାଶିତ ମାସିକ ଶିଶୁ ପତ୍ରିକା ପଞ୍ଚାମୃତରେ ତାଙ୍କର ଏକ ଗଦ୍ୟ କବିତା ୧୯୨୭ରେ ପ୍ରକାଶିତ ହୋଇଥିଲା । କବିତା ଦେଖି ବିଶିଷ୍ଟ ଜନସେବକ ଲକ୍ଷ୍ମୀନାରାୟଣ ସାହୁ ସ୍କୁଲକୁ ଆସି ତାଙ୍କୁ ଭେଟିଥିଲେ । ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମ, ଗଡ଼ଜାତ ପ୍ରଜା ଆନେ୍ଦାଳନ ଓ ଛାତ୍ର-କୃଷକ ଆନେ୍ଦାଳନରେ ଅଂଶଗ୍ରହଣ କରିଥିଲେ । ତାଙ୍କୁ ଦୁଇ ଥର କାରାବରଣ କରିବାକୁ ପଡ଼ିଥିଲା । ଭାରତୀୟ କଥା ସାହିତ୍ୟକୁ ସାମଗ୍ରିକ ଅବଦାନ ନିମନ୍ତେ ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ସୋଭିଏତ୍ ଦେଶ ନେହରୁ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ । ୨୦୦୪ ଅଗଷ୍ଟ ୨୧ ତାରିଖ ଦିନ ମହାକବି ସଚ୍ଚି ରାଉତରାୟଙ୍କ ପରଲୋକ ହୋଇଥିଲା ।  
ବିପିନ ବିହାରୀ ରାଉତ,ମୋ : ୯୪୩୭୬୬୬୪୫୩