କବିଗୁରୁ ରବୀନ୍ଦ୍ରନାଥ 


୧୯୧୩ରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କୁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା  । ସେ ନୋବେଲ୍ ପାଇଥିବା ପ୍ରଥମ ଅଣ-ୟୁରୋପୀୟ  । ୨୫ ମାର୍ଚ୍ଚ ୨୦୦୪ରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଏକ ସିନ୍ଦୁକ ଭିତରେ ସୁରକ୍ଷିତ ଥିବା ଗୁରୁଦେବଙ୍କ ନୋବେଲ ପଦକ ଏବଂ କେତେକ ବ୍ୟକ୍ତିଗତ ସାମଗ୍ରୀ ଚୋରି ହୋଇଯାଇଥିଲା  । ସେହି ବର୍ଷ ୭ ଡିସେମ୍ବରରେ ସୁଇସ୍ ଆକଡ଼େମି ତାଙ୍କ ନୋବେଲ ପଦକର ଦୁଇ ଦୁଇଟି ଅବିକଳ ନକଲ (ଗୋଟିଏ ସୁବର୍ଣ୍ଣ ଓ ଅନ୍ୟଟି ବ୍ରୋଞ୍ଜ) ବିଶ୍ୱ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ  । ବଙ୍ଗଳା ଭାଷାଭାଷୀ ଅଞ୍ଚଳର ସାହିତ୍ୟ ଓ ସଂଗୀତକୁ ସେ ଏକ ନୂତନ ରୂପ ଦେଇଥିଲେ ତଥା ଗଭୀର ଭାବେ ପ୍ରଭାବିତ କରିଥିଲେ  । ସେ କଥିତ ବଙ୍ଗଳାରେ ଲେଖାଲେଖି କରି ଏକ ନୂତନ ଧାରା ପ୍ରଚଳନ କରିଥିଲେ  । ମାତ୍ର ଆଠ ବର୍ଷ ବୟସରେ ସେ କବିତା ଲେଖା ଆରମ୍ଭ କରିଥିଲେ  । ଷୋହଳ ବର୍ଷ ବୟସରେ ଭାନୁସିଂହ ଛଦ୍ମନାମରେ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶିତ ହୋଇଥିଲା  । ତାହାପରେ ପରେ ସେ ଗଳ୍ପ ଓ ନାଟକ ଲେଖାରେ ମନ ଦେଇଥିଲେ  । ସେ ବ୍ରିଟିଶ ସାମ୍ରାଜ୍ୟବାଦର ତୀବ୍ର ବିରୋଧୀ ଏବଂ ଭାରତୀୟ ଜାତୀୟତାବାଦର ସମର୍ଥକ ଥିଲେ  । ବ୍ରିଟିଶ ଶାସନ ବ୍ୟବସ୍ଥାକୁ ସେ ଭାରତୀୟ ସାମାଜିକ ବ୍ୟାଧିର ରାଜନୈତିକ ଲକ୍ଷଣ ଭାବେ ଅଭିହିତ କରିଥିଲେ  । ଶିକ୍ଷାକୁ ସେ ଆଜୀବନ ପ୍ରାଧାନ୍ୟ ଦେଇଥିଲେ  । ଉପଯୁକ୍ତ ଶିକ୍ଷା ବିନା ସମସ୍ତ ପ୍ରକାରର ବିପ୍ଳବ ଅର୍ଥହୀନ ବୋଲି ସେ କହୁଥିଲେ  । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ସେ ପଞ୍ଜୁରି ଭିତରେ ବନ୍ଦୀ ଶୁଆକୁ ତାଲିମ ସହ ତୁଳନା କରିଥିଲେ  । ଶିକ୍ଷାକୁ ପାଠ୍ୟକ୍ରମ ଓ ପୁସ୍ତକ ବାହାରକୁ ନେବା ପାଇଁ ସେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ  ।
ବୈପ୍ଲବିକ ଚିନ୍ତାଧାରା ଯୋଗୁଁ ସେ ଶ୍ରେଣୀ ବିଦ୍ୱେଷର ଶିକାର ମଧ୍ୟ ହୋଇଥିଲେ  । ୧୯୧୬ରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଏକ ହୋଟେଲ୍ରେ ଅବସ୍ଥାନ କାଳରେ ଗୁରୁଦେବଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା ତେବେ ଷଡ଼ଯନ୍ତ୍ରକାରୀମାନେ ସଫଳ ହୋଇପାରିନଥିଲେ  । ସେ ବ୍ରିଟିଶ ବିରୋଧୀ ଥିଲେ ଏବଂ ଜର୍ମାନୀ ଓ ଜାପାନ ପରି ରାଷ୍ଟ୍ର ଆଡ଼ୁ ରାଜନୈତିକ ସହାୟତା ସପକ୍ଷରେ ଥିଲେ  । ଏହା ସତ୍ତ୍ୱେ ବ୍ରିଟିଶ ସରକାର ୧୯୧୫ରେ ତାଙ୍କୁ ନାଇଟ୍ ଉପାଧି ପ୍ରଦାନ କରିଥିଲେ  । ଜଲିୟାଁୱାଲାବାଗ ଗଣହତ୍ୟା ଦ୍ୱାରା ବ୍ୟଥିତ ହୋଇ, ପ୍ରତିବାଦ ସ୍ୱରୂପ ୧୯୧୯ରେ ସେ ନାଇଟ୍ ଉପାଧି ଫେରାଇ ଦେଇଥିଲେ  । ଗୁରୁଦେବଙ୍କ ଦୁଇଟି କବିତା ଜନଗଣ ମନ.... ଓ ଆମାରା ସୋନାର ବାଙ୍ଗଲା...' କୁ ଯଥାକ୍ରମେ ଭାରତ ଏବଂ ବାଙ୍ଗଲାଦେଶର ଜାତୀୟ ସଂଗୀତ ଭାବେ ମନୋନୀତ କରାଯାଇଥିଲା  । ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସେ ରଚନା କରିଥିଲେ, ଚିଣ୍ଟୋ ଜେଠା ଭୟଶୂନ୍ୟୋ ଯେଉଁଠାରେ ମନ ଭୟମୁକ୍ତ ଏବଂ ଏକଲା ଚଲୋ ରେ ଯଦି ତୁମ ଡାକର ଉତ୍ତର ମିଳୁନାହିଁ ଏକା ଆଗେଇ ଚାଲ  । ମହତ୍ମା ଗାନ୍ଧୀଙ୍କୁ ଏହି ଦ୍ୱିତୀୟ ପଦ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା  । ଗୁରୁଦେବ ଜାତିପ୍ରଥାର ଘୋର ବିରୋଧୀ ଥିଲେ  । ତାଙ୍କର ରଚନାରେ ଏହାର ସ୍ପଷ୍ଟ ଝଲକ ଦେଖିବାକୁ ମିଳେ  । କେରଳର ଗୁରୁବାୟୁର ମନ୍ଦିରରେ ଦଳିତଙ୍କ ପ୍ରବେଶ ପାଇଁ ସେ ସଂଗ୍ରାମ କରି ଜିଣିଥିଲେ  । ୧୮୬୧ ମେ ୭ ତାରିଖରେ କାଲକାତାସ୍ଥିତ ଜୋଡ଼ାସାଁକୋ ଠାକୁରବାଡ଼ିରେ ଗୁରୁଦେବ ଜନ୍ମ ହୋଇଥିଲେ  । 
ଡ.ଅରୁନ୍ଧତୀ ଦେବୀ
ମୋ: ୯୯୩୭୧୭୨୮୧୦