କୋଡିଙ୍ଗା ଲ୍ୟାମ୍ପସ୍ରେ ବ୍ୟାପକ ଦୁର୍ନୀତି : ନିଦେ୍ର୍ଦଶକଙ୍କୁ ହଟାଇ କମିଟି ଭାଙ୍ଗିବାକୁ ଦାବି

 ନବରଙ୍ଗପୁର : କୋଷାଗୁମଡା ବ୍ଲକ କୋଡିଙ୍ଗା ଲ୍ୟାମ୍ପସ୍ରେ ବ୍ୟାପକ ଦୁର୍ନୀତି ଚାଲିଛି । ଲ୍ୟାମ୍ପସ ଏମ୍ଡିଙ୍କ ହାତମୁଠାରେ ପରିଚାଳନା କମିଟି ପରିଚାଳିତ ହେଉଛି । ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା ଏମଡିିଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ନିର୍ବାଚନ ନ କରି ପରିଚାଳନା କମିଟି ସଦସ୍ୟଙ୍କୁ ଏମ୍ଡି ନିଜେ ଚୟନ କରୁଛନ୍ତି । ଏଭଳି ପ୍ରତିବାଦ କରି ଚାଷୀମାନେ ଜିଲ୍ଲା ସମବାୟ ସମୂହ ନିବନ୍ଧ ଅଧିକରୀ ସଦାନନ୍ଦ ବେହେରାଙ୍କୁ ଭେଟିଛନ୍ତି । ତୁରନ୍ତ ପରିଚାଳନା କମିଟିକୁ ଭଙ୍ଗ କରିବା ସହିତ ଏମ୍ଡିଙ୍କୁ ହଟାଇବାକୁ ସେମାନେ ଦାବି କରିଛନ୍ତି । ଅଞ୍ଚଳର ଚାଷୀ ସୁବ୍ରତ ମହାପାତ୍ର, ଅର୍ଜୁନ ବିଷୋୟୀ, ରାଧାମାଧବ ପାତ୍ର, ପର୍ଶୁ ନାୟକଙ୍କ ସମେତ ବହୁ ଚାଷୀ ଲ୍ୟାମ୍ପ୍ ନିଦେ୍ର୍ଦଶକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ମଧ୍ୟ ବହୁବାର ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । କିନ୍ତୁ ସୁଫଳ ମିଳିନି । ଏଭଳିକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ମାସେ ତଳେ ଅଭିଯୋଗ କରାଯାଇଥିଲା । ଏଥର ଏମ୍ଡିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଲ୍ୟାମ୍ପକୁ ଅଚଳ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି, ଏମଡି ଓ ପରିଚାଳନା କମିଟି ସଦସ୍ୟମାନେ ମିଳିତ ଭାବେ ବ୍ୟାପକ ଦୁର୍ନୀତି କରୁଛନ୍ତି । ଚାଷୀଙ୍କୁ ଋଣ ଦେବାକୁ ହଇରାଣ କରାଯାଉଛି । ଲ୍ୟାମ୍ପସ୍ ପକ୍ଷରୁ ସାର ମିଳୁନି । ଚାଷୀଙ୍କୁ ବାହାର ବଜାରରୁ ଚଢା ଦରରେ ସାର କିଣିବାକୁ ପଡୁଛି । ଲ୍ୟାମ୍ପସ୍ ପରିଚାଳନା କମିଟିର କୌଣସି ନିର୍ବାଚନ କରାଯାଉ ନାହିଁ । କମିଟିର ଡାଇରେକ୍ଟରମାନଙ୍କୁ ଖୋଦ୍ ଏମ୍ଡି ଚୟନ କରୁଛନ୍ତି । ଚାଷୀଙ୍କ ଦୁଃଖ ଓ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କମିଟି ସଦସ୍ୟମାନେ ଭାରତ ଭ୍ରମଣରେ ମାତିଛନ୍ତି  । ଧାନମଣ୍ଡିରେ ଚାଷୀଙ୍କ ଧାନ ଉଠୁ ନଥିବା ବେଳେ କମିଟି ସଦସ୍ୟଙ୍କ ଘରୁ ଧାନ ଉଠୁଛି  । ମଣ୍ଡିରେ ଆଇ ସ୍କାନର ବଦଳରେ କମିଟି ସଦସ୍ୟଙ୍କ ଘରେ ପହଞ୍ଚି ଲ୍ୟାମ୍ପ୍ କର୍ମଚାରୀମାନେ ଆଇ ସ୍କାନ କରୁଛନ୍ତି । ଏ ସମ୍ପର୍କରେ ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ବେହେରାଙ୍କୁ ପଚାରିବାରେ ଚାଷୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।