ଖାଦ୍ୟ ଓ ସ୍ୱାସ୍ଥ୍ୟ
ଶରୀର ଓ ମନ ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି । ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟବାନ ବ୍ୟକ୍ତି ପରିବାର, ସମାଜ, ରାଜ୍ୟ, ଦେଶ ଓ ଜାତିର ମୁଖ ଉଜ୍ଜ୍ୱଳ କରିଥାନ୍ତି । ତେଣୁ ଯଥାର୍ଥରେ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ କିଣାବିକା ହୋଇପାରିବା ଜିନିଷ ନୁହେଁ । ପିତାମାତାଙ୍କ ଜୀବନର ସଂଯମତା ଓ ନିଷ୍ଠାପରତା ଉପରେ ମଧ୍ୟ ଭବିଷ୍ୟତ ବଂଶଧରମାନଙ୍କ ଶାରୀରିକ, ମାନସିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ପରିଷ୍କାର ପାନୀୟ, ଶୁଦ୍ଧ ପରିବେଶ, ଗୃହ ତଥା ଶଯ୍ୟା ଓ ବସ୍ତ୍ର ପ୍ରଭୃତିର ପରିଚ୍ଛନ୍ନତା ନିତାନ୍ତ ପ୍ରୟୋଜନ । ନିୟମିତ ଜୀବନଚର୍ଯ୍ୟା ଆଉ ଏକ ବଡ଼ କଥା । ଖାଦ୍ୟ, ପାନୀୟ ଦୃଷ୍ଟିରୁ ତିନୋଟି ଶୁଦ୍ଧତା ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ । ଖାଦ୍ୟର ପ୍ରକାର ପରିମାଣ ଆଉ ଏକ ବିଚାର୍ଯ୍ୟ ବିଷୟ । ଖାଦ୍ୟ ସାତ୍ତ୍ୱିକ ହେବା ବିଧେୟ । ରାଜସିକ ଓ ତାମସିକ ପ୍ରକାରର ଖାଦ୍ୟ ଦେହ ତଥା ମନ କାହା ପ୍ରତି ଭଲ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଲାଣି ଯେ, ନିରାମିଶ ଭୋଜନ ଗ୍ରହଣ କରୁଥିବା ଲୋକମାନେ ନିରୋଗୀ ଓ ଦୀର୍ଘାୟୁ । ଏଠାରେ ପରିମାଣ କଥା ଭୁଲିଗଲେ ହେବ ନାହିଁ । ସାତ୍ତ୍ୱିକ ଖାଦ୍ୟ ହେଲେ ବି ଯଦି ଅଧିକ ପରିମାଣରେ ଗ୍ରହଣ କରାଯାଏ; ତେବେ ତାହା ତାମସିକତା ବା ଆଳସ୍ୟ ଭାବ ସୃଷ୍ଟି କରିଥାଏ । ତେଣୁ ମିତାହାର ଭୋଜନ କରିବା ସବୁବେଳେ ଭଲ । ମିତାହାରକୁ ଭଲ ଭାବେ ବୁଝାଇ କୁହାଯାଇଛିି ଯେ, ପାକସ୍ଥଳୀର ଶତକଡ଼ା ପଚାଶ ଭାଗ ଖାଦ୍ୟରେ ପୂରଣ କରିବା ଉଚିତ୍, ଶତକଡ଼ା ପଚିଶ ଭାଗ ଜଳ ପାଇଁ ଓ ଶତକଡ଼ା ପଚିଶ ଭାଗ ପବନ ପାଇଁ ରଖାଯିବା ଉଚିତ । ଯେତେବେଳେ ଖାଇବ ଅଧାପେଟ ତାହା ମଣିଷକୁ କାର୍ଯ୍ୟକ୍ଷମ ରଖେ । ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଖାଦ୍ୟ ଗ୍ରହଣ କରାଗଲେ ସର୍ବୋତ୍ତମ ଫଳ ମିଳିଥାଏ ।
ଖାଦ୍ୟ ଗ୍ରହଣ କରିବା ଭଳି ଏକ କର୍ମକୁ ଉପାସନାରେ ପରିଣତ କରାଯାଇପାରିବ । ଏଥିପାଇଁ ଦରକାର ଏକ ଉପଯୁକ୍ତ ଭାବ । ଆମ ପାକସ୍ଥଳୀରେ ଏକ ପ୍ରକାର ଅଗ୍ନି ଅଛି ବୋଲି ଆଧ୍ୟାତ୍ମିକବାଦୀମାନେ କହିଥାନ୍ତି । ସେହି ଅଗ୍ନି, କ୍ଷୁଧା ସୃଷ୍ଟି କରେ ଓ ସେ କ୍ଷୁଧାକୁ ସନ୍ତୁଷ୍ଟ କରିବା ପାଇଁ ଆମେ ସେ ଅଗ୍ନି କୁଣ୍ଡରେ ଖାଦ୍ୟ ଅର୍ପଣ କରିଥାଉ । ଏହି ଅଗ୍ନି ଆମ ଠାରେ ସମ୍ଭବ ହୋଇଛି କେବଳ ପରଂବ୍ରହ୍ମ ପରମାତ୍ମାଙ୍କ ଅଂଶ ଆତ୍ମାର ସ୍ଥିତି ଯୋଗୁ । ଆତ୍ମା ବାହାରି ଯାଇଥିବା ଦେହ, ଶବଠାରେ କ୍ଷୁଧା ସୃଷ୍ଟି ହୋଇପାରେ ନାହିଁ । ଏହି କ୍ଷୁଧାକୁ ତୁଷ୍ଟ କରିବା ଅର୍ଥ ବୈଶ୍ୱାନରଙ୍କୁ ସନ୍ତୁଷ୍ଟ କରିବା । ଭାଗବତ ଗୀତାରେ ଉଲ୍ଲେଖ ଅଛି “ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାମ୍ ଦେହ ମାଶ୍ରିତଃ, ପ୍ରାଣପାନ ସମାଯୁକ୍ତପଚାମ୍ୟନ୍ମକମ୍ ଚତୁର୍ବିଧମ୍ ।’ ଏ ଦୃଷ୍ଟିରୁ କ୍ଷୁଧାକୁ ସନ୍ତୁଷ୍ଟ କରିବା ଅର୍ଥ ଭଗବାନଙ୍କୁ ସନ୍ତୁଷ୍ଟ କରିବା, ଯାହାର ପ୍ରକୃତ ଅର୍ଥ ହେଉଛି “ଏକ ଉପାସନା’ । ଭୋଜନ କରିବା କେବଳ ଜିହ୍ୱା ଲାଳସାର ସନ୍ତୁଷ୍ଟି ନୁହେଁ ବା ସେ ଉଦେ୍ଦଶ୍ୟରେ ହେବା ଉଚିତ ନୁହେଁ । ଖାଦ୍ୟ ଗ୍ରହଣ କରିବା ଏକ ଯଜ୍ଞ ସହ ତୁଳନୀୟ । ଯଜ୍ଞାଗ୍ନିକୁ ଯେଭଳି, ନାନା ବିଧ ଦ୍ରବ୍ୟ ଅର୍ପଣ କରାଯାଉଥାଏ, ଖାଦ୍ୟ ଗ୍ରହଣ କରିବା ସେ ଭଳି ଏକ ଯଜ୍ଞକର୍ମ, ଦେବକର୍ମ ଓ ଉତ୍ତମ ଉପାସନା । ବେଳେ ବେଳେ ନାନା କାରଣବଶତଃ ମଣିଷ ଅଭିମାନ ଅଜ୍ଞତା ଓ କ୍ରୋଧର ବଶବର୍ତ୍ତୀ ହୋଇ ବା ଅନ୍ୟ କାହା ଉପରେ ଦାଉ ସାଧିବାକୁ ଯାଇ, ନଖାଇ ନପିଇ ନିଜ ଦେହକୁ କଷ୍ଟ ଦେଇଥାଏ । ବେଳେ ବେଳେ ଓଳିଏ ପାଇଁ ପାକସ୍ଥଳୀକୁ ପରିଷ୍କାର କରିବା ପାଇଁ ଖାଦ୍ୟ ଗ୍ରହଣ କରିବାରେ ବିରତି ଦିଆଯାଇପାରେ । ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଓ ସର୍ବୋପରି ଆଧ୍ୟାତ୍ମିକ ପରିତୃପ୍ତି ପାଇଁ ସଠିକ୍ ପ୍ରକାରର, ସଠିକ୍ ଭାବର ସହ ଖାଦ୍ୟ ଗ୍ରହଣ କରିବା କେତେ ବେଶୀ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ସମସ୍ତଙ୍କର ଅନୁଧ୍ୟାନର ବିଷୟ । ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ନିଜେ ସଚେତନ ହୋଇ ସମସ୍ତେ ଯଦି ସ୍ୱାସ୍ଥ୍ୟ ନୀତି ଓ ନିୟମ ପାଳନ ପୂର୍ବକ ସୁସ୍ଥ ଜୀବନଯାପନ କରନ୍ତେ ତାହା ନିଜ ପ୍ରତି, ନିଜ ପରିବାର ପ୍ରତି ସର୍ବୋପରି ସମାଜ ତଥା ଦେଶ ପ୍ରତି ଆଶୀର୍ବାଦ ହୋଇଯାଆନ୍ତା । ସୁସ୍ଥ ଶରୀର, ସୁସ୍ଥ ମନର ଜନକ । ସୁସ୍ଥ ମନ ଉନ୍ନତ୍ତ ବିଚାରର ଜନକ, ଉନ୍ନତ ବିଚାର ବିବେକର ସମର୍ଥକ । ବିବେକାନୁମୋଦିତ ଜୀବନ ହିଁ ସର୍ବୋତ୍ତମ ଫଳଦାୟୀ ଜୀବନ । ଆଜି ଲୋକମାନଙ୍କ ଶାରୀରିକ ସୁସ୍ଥତା କ୍ଷେତ୍ର ପାଇଁ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମି ରଖିଛନ୍ତି । କେବଳ ଚିକିତ୍ସା ନୁହେଁ ରୋଗୀଟିର ଆର୍ଥିକ ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ସହ ନିରାମୟ ସ୍ୱାସ୍ଥ୍ୟ ଗଠନ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି । ତେବେ ଅନେକକ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜର ସ୍ୱାସ୍ଥ୍ୟହାନିର କାରଣ ହୋଇଥାନ୍ତି । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ସମସ୍ତଙ୍କ ଐକାନ୍ତିକ ନିଃସ୍ୱାର୍ଥପର ଦାୟିତ୍ୱ ସମ୍ପନ୍ନ ଦ୍ୱାରା ସମାଜ ଓ ରାଷ୍ଟ୍ରର ବିକାଶ ସମ୍ଭବ ।
ଡା.ଉମେଶ ଚନ୍ଦ୍ର ପାତ୍ର
ମୋ: ୯୪୩୭୦୫୧୯୫୭