ଗଣତନ୍ତ୍ରର ସ୍ଥିତି ଓ ଗତି 

 ହିମାଂଶୁ ଶେଖର ଆଚାର୍ଯ୍ୟ : ମିଳିତ ଜାତିସଂଘ ବିଶ୍ୱ ଶାନ୍ତିରେ ବିଶ୍ୱାସ କରେ । ମାନବିକ ଅଧିକାର ଓ ଆଇନର ଶାସନ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସୁରକ୍ଷିତ ରହିଥାଏ । ଖାଲି ସେତିକି ନୁହେଁ, ଲୋକମାନଙ୍କର ଶକ୍ତ ଇଛା ଓ ସ୍ୱତଃସ୍ଫୁର୍ତ୍ତ ଆଗ୍ରହ ଉପରେ ଏହା ନିର୍ଭର କରେ ।  ସମ୍ପ୍ରତି ବିଶ୍ୱର ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି ୧୫ରୁ୨୫ବର୍ଷ ବୟସର । ଅନେକ ବିକାଶମୁଖୀ ରାଷ୍ଟ୍ରରେ ଏହି ଯୁବକ ମାନଙ୍କ ସଂଖ୍ୟା ଆହୁରି ଅଧିକ । ବିଭିନ୍ନ ସର୍ବେକ୍ଷଣରୁ ଜଣାପଡିଛି ଯେ କେତେକ କାରଣରୁ ଯୁବକମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବୀତସ୍ଫୃହ ହେବାସହ ଅଣପାରମ୍ପରିକ ଶୈଳୀରେ ଗଣତନ୍ତ୍ରକୁ ଆଦରି ନେବାକୁ ଚାହୁଁଛନ୍ତି । ଫଳରେ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧର ଅବକ୍ଷୟ ଘଟୁଛି । ଏତଦ୍ବ୍ୟତୀତ ରାଜନୀତିରୁ ସହନଶୀଳତା, ଶାଳୀନତା, ସଂଞ୍ଜମତା ଅପସରି ଯାଉଛି । ଅନୀତିକୁ ନୀତି କରିବାର କୈାଶଳକୁ ନିର୍ବାଚିତ ପ୍ରତିନିଧିମାନେ ଗ୍ରହଣ କରୁଛନ୍ତି । ଗଣ ସ୍ୱାର୍ଥ  ବ୍ୟକ୍ତି ସ୍ୱାର୍ଥ ନିକଟରେ ବଳିପଡୁଛି । ଫଳରେ ଗଣତନ୍ତ୍ର ଶାସନର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରୁନାହିଁ ଏହାହିଁ ବିଡମ୍ବନା ।  ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ର ସର୍ବଜନାଦୃତ ଓ ଲୋକପ୍ରିୟ ହୋଇପାରିଛି । ୧୯୫୨ମସିହା ମେ ୧୩ ତାରିଖରେ ଆମ ଲୋକସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଂପ୍ରତି ପୃଥିବୀର କେତକ ଦେଶରେ ସାମରିକ ଶାସନ ବା ଏକଛତ୍ରବାଦୀ ଶାସନ ଯୋଗୁଁ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ବହୁ ଘାତପ୍ରତିଘାତ ମଧ୍ୟରେ ପୃଥିବୀର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର  ଭାରତ ଆଜି ତାର ସୁସ୍ଥ ଓ ଦୃଢ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବେଶ୍ ପ୍ରଶଂସିତ ହୋଇପାରିଛି । ଏସବୁ ସଫଳତା ସତ୍ତ୍ୱେ ବର୍ତ୍ତମାନ ସବୁଠାରୁ ବଡସମସ୍ୟା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରକୁ ପଶି ଆସୁଛନ୍ତି ଅପରାଧ ପୃଷ୍ଠଭୂମିର ଲୋକମାନେ । ଶସ୍ତା ରାଜନୀତି ଦେଶ ପାଇଁକାଳ । ଜର୍ଜ ବର୍ଣ୍ଣାଡ ସ ଙ୍କ ମତରେ ବୁଦ୍ଧିଜୀବୀମାନେ ରାଜନୀତିକୁ “ସୈତାନର ଆଶ୍ରୟ ସ୍ଥଳୀ” ବୋଲି ଭାବୁଛନ୍ତି । ତେଣୁ ସେମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତି ବିଶେଷ ସଂସଦ ଓ ବିଧାନ ସଭାକୁ ନିର୍ବାଚିତ ହୋଇଆସୁଛନ୍ତି  । ଏହି ପରମ୍ପରା କ୍ରମଶଃ ବଢିବାରେ ଲାଗିଛି । ଗତନିର୍ବାଚନରେ ବିଧାନସଭାକୁ ନିର୍ବାଚିତ  ବିଧାୟକ ମାନଙ୍କ ମଧ୍ୟରୁ ୩୫ପ୍ରତିଶତ  ଜଣଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ସେଥିମଧ୍ୟରୁ ୭୬ ଜଣ କୋଟିପତି ତାଲିକାରେ ଅଛନ୍ତି । ସେହିପରି ୩୪ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧ ମାମଲା ଥିବା ବେଳେ ୮୨ ପ୍ରତିଶତ ସାଂସଦ କୋଟିପତି ତାଲିକାରେ ଅଛନ୍ତି । ଚଳିତ ନିର୍ବାଚନରେ ଏହି ସଂଖ୍ୟା ଆହୁରି ବଢିଛି । ଏପରି ହେଲେ ଗଣତନ୍ତ୍ର କିପରି ଗୁଣାତ୍ମକ ହେବ ତାହା ଏବେ ଚିନ୍ତା କରିବାର ସମୟ ଆସିଛି । ଗଣତନ୍ତ୍ର ଶାସନରେ ସଂସଦ ଓ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏଠାରେ ଦେଶ ଓ ରାଜ୍ୟ ପାଇଁ ଶାସନ ଖସଡା ତିଆରି ହୁଏ । ଏବେ ଦିନକୁ ଦିନ ଆମ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଘୋର ଅବକ୍ଷୟ ଦେଖାଗଲାଣି । ଅଧିବେଶନ ଗୁଡିକର କାର୍ଯ୍ୟଦିବସ ଦିନକ ୁଦିନ କମିବାରେ ଲାଗିଛି । ପରିସଂଖ୍ୟାନ କୁହେ ୧୯୯୮ ପରଠାରୁ ସଂସଦର କାର୍ଯ୍ୟଦିବସ ଯଥେଷ୍ଟ ହ୍ରାସପାଇଛି । ଏବେ ଗୃହ କାର୍ଯ୍ୟ ୫୦ ରୁ ୬୦ଦିନ ଭିତରେ ସୀମିତ ରହୁଛି ।  ସୂଚନା ଯୋଗ୍ୟ ଯେ୧୯୫୨ମସିହାରେ ୧୫୦ଟି ଅଧିବେଶନ ବସିଥିଲା । ଅପରପକ୍ଷରେ ଅଧିବେଶନ ମାନଙ୍କରେ ସଭ୍ୟ ମାନଙ୍କର ଉପସ୍ଥିତି ମଧ୍ୟ ଆଶାନୁରୂପ ହେଉନାହିଁ । ଏପରିକି କେତକ ସଦସ୍ୟ ଦୀର୍ଘ ଦିନଧରି ଅନୁପସ୍ଥିତ ରହିବାର ଘଟଣା ଦେଖିବାକୁ ମିଳୁଛି । ସେହିପରି ଗୋଟିଏ ନିର୍ଦ୍ଧିଷ୍ଟ  ପ୍ରସଙ୍ଗକୁ  ଆଳକରି ହୋ-ହାଲ୍ଲା କରିବା ସହ ଅଧିବେଶନକୁ ଜୋର ଜବରଦସ୍ତ ମୁଲତବୀ କରାଇବା ଏକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଘଟଣା ମଧ୍ୟ ରାଜ୍ୟ ବିଧାନସଭାକୁ ବ୍ୟାପିଲାଣି । ସବୁଠୁ ବଡ କଥା ହେଉଛି ରାଜନୀତିକୁ ପରିବାରବାଦ ଗ୍ରାସ କରିଛି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।  ସମଗ୍ର ବିଶ୍ୱରେ ଗଣତନ୍ତ୍ର ଏକ ଅପ୍ରୀତିକର ସ୍ଥିତିରେ ଗତିକରୁଛି ।  ଭାରତରେ ମଧ୍ୟ ୫ଜଣଙ୍କୁ ମୁକ୍ତମତ ପ୍ରକାଶ କରିଥିବାରୁ ହତ୍ୟା କରାଯାଇଛି । ଉଲ୍ଲେଖେଯୋଗ୍ୟଯେ,ଗଣତନ୍ତ୍ରର ସୁପରିଚାଳନାପାଇଁ ବ୍ୟବସ୍ଥାପିକା,କାର୍ଯ୍ୟପାଳିକା ଓ ବିଚାର ବିଭାଗର ଯେତିକି ଦାୟିତ୍ୱ ରହିଛି ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ମଧ୍ୟ ସେତିକି ଗୁରୁତ୍ୱ ରହିଛି ।  ଇଣ୍ଟରନେଟ୍ ଓ ବୈଦୁ୍ୟତିକ ଗଣମାଧ୍ୟମର ବହୁଳ ପ୍ରସାର-ପ୍ରଚାର ଗଣତନ୍ତ୍ରର ସୁରକ୍ଷାକୁ ଆହୁରି ଶକ୍ତ ଓ ଦୃଢ କରିପାରିଛି । କିନ୍ତୁ ବେଳେ ବେଳେ ବେଳେ  ସମ୍ବାଦପତ୍ର ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିପାରେ ନାହିଁ । ଫଳରେ ଗଣମାଧ୍ୟମର ସ୍ୱର ସଙ୍କୁଚିତ ହୋଇଯାଏ । ଏଥିପ୍ରତି ସମସ୍ତେ ସଜାଗ ରହିଲେ ଗଣତନ୍ତ୍ରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ । 
                             ଜଗତସିଂହପୁର,ମୋ - ୯୯୩୭୧୫୧୦୫୨