ଗୁରୁଦିବସର ଅନୁଚିନ୍ତା 

ଗୁରୁଦିବସର ଅନୁଚିନ୍ତା 


 ସାଧାରଣ ଅର୍ଥରେ ଆମେ ଜାଣୁ ଯିଏ ଆମକୁ ଅନ୍ଧକାରରୁ ଆଲୋକର ପଥ ଦେଖାଇଥାନ୍ତି ସେ ହିଁ ଗୁରୁ । ଯାହା ଆମର ଅଜ୍ଞତା ରହିଛି ତାଙ୍କ ଜ୍ଞାନରୂପୀ ଖଡ଼୍ଗରେ ନାଶ କରି ପରିପୂର୍ଣ୍ଣ କରିଥାନ୍ତି । ଦୈନନ୍ଦିନ ଜୀବନରେ ଆବଶ୍ୟକତା ପୂରଣ କରିବାକୁ ବିଭିନ୍ନ ପ୍ରକାର ଶିକ୍ଷା ପ୍ରଦାନ କରିଥାନ୍ତି । ଗୃହରେ ମାତା ପିତା, ବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଶିକ୍ଷକ ଓ ଶିକ୍ଷୟିତ୍ରୀ,ତଥା ଯିଏ ମଣିଷକୁ ନୂତନ ଶିକ୍ଷା ପ୍ରଦାନ କରିଥାଏ ତାଙ୍କୁ ଆମେ ଗୁରୁ ପଦବାଚ୍ୟ କରି ଯଥାମାନ୍ୟ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରିଥାଉ । ଗୁରୁ ସଂପର୍କରେ ଅନେକ ଶାସ୍ତ୍ରରେ ଆଲୋଚନା କରାଯାଇଛି । ଗୁରୁଗୀତାରେ କୁହାଯାଉଛି-"ଗୁରୁଃବ୍ରହ୍ମା ଗୁରୁଃବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀଗୁରବେ ନମଃ’ । ଗୁରୁ ସାକ୍ଷାତ ସଚ୍ଚÿିଦାନନ୍ଦ ପରଂବ୍ରହ୍ମ ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କ ସ୍ୱରୂପ ଅଟନ୍ତି ।ବ୍ରହ୍ମା ଯେମିତି ସୃଷ୍ଟି କରନ୍ତି; ଗୁରୁ ମଧ୍ୟ ଜ୍ଞାନ ବିତରଣ କରି ଶିଷ୍ୟ ସୃଷ୍ଟି କରନ୍ତି । ବିଷ୍ଣୁ ସୃଷ୍ଟି ପାଳନ କରନ୍ତି ଠିକ୍ ସେହିପରି ଗୁରୁ ମଧ୍ୟ ତାଙ୍କ ଜ୍ଞାନ ଦାନ କରି  ଶିଷ୍ୟମାନଙ୍କୁ ସଂସାରରେ ବଞ୍ଚିବାର ମାର୍ଗ ପ୍ରଦର୍ଶିତ କରନ୍ତି । ମହେଶ୍ୱର ସଂହାର କରନ୍ତି ଗୁରୁ ମଧ୍ୟ ଶିଷ୍ୟ ମାନଙ୍କର ଅହଙ୍କାର ଦମନ କରନ୍ତି । ତେଣୁ ଗୁରୁଙ୍କୁ ପରଂବ୍ରହ୍ମ କୁହାଯାଇଛି ।
"ଗୁରୁ ଗୋବିନ୍ଦ ଦୋଉ ଖଡେ କାକେ ଲାଗୁଁ ପାୟ,ବଲିହାରୀ ଗୁରୁ ଆପନୋ, ଜିନ ଗୋବିନ୍ଦ ଦିୟୋ ବତାୟ’ ।ଗୁରୁ କେତେ ଗରୀୟାନ କବିରଙ୍କ ଏହି ଦୋହାରୁ ସ୍ପଷ୍ଟ ସଂକେତ ମିଳେ । ଯିଏ ଗୋବିନ୍ଦଙ୍କ ଠିକଣା କହିଦେଇଛନ୍ତି,ଗୋବିନ୍ଦଙ୍କୁ ପ୍ରାପ୍ତିର ମାର୍ଗ ଦର୍ଶନ କରିଦେଇଛନ୍ତି ସେହି ଗୁରୁ ପ୍ରଥମେ ବନ୍ଦନୀୟ । ଗୁରୁ ବିନା କଣ ଗୋବିନ୍ଦଙ୍କ ଦର୍ଶନ ସମ୍ଭବ ?  ରାମ ଚରିତ ମାନସରେ ଗୋସ୍ୱାମୀ ତୁଳସୀ ଦାସଜୀ କହିଲେ-"ଗୁରୁ ବିନୁ ଭବନିଧି ତରଇ ନ କୋଇ,ଜୋ ବିରଞ୍ଚି ଶଙ୍କର ସମ ହୋଇ’ । ଶାସ୍ତ୍ର କହେ ସମସ୍ତଙ୍କ ଗୁରୁଥିଲେ ସେ ରାମ ହୁଅନ୍ତୁ କି କୃଷ୍ଣ  । ବିନା ଗୁରୁରେ ଭବ ସାଗର ପାରିହୋଇ ହେବ ନାହିଁ ।
   ପୁଣି ମାନସରେ ତୁଳସୀ ଦାସଜୀ କଲମ କରିଛନ୍ତି-"ବଳଉଁ ଗୁରୁପଦ କଂଜ କୃପାସିନ୍ଧୁ ନରରୂପ ହରି,ମହା ମୋହ ତମ ପୁଂଜ ଜାସୁ ବଚନ ରବିକର ନିକର’ । ଗୁରୁ ନର ରୂପରେ ନାରାୟଣ ଅଟନ୍ତି । ସୂର୍ଯ୍ୟ ଉଦୟ ହେଲେ ଯେମିତି ଅନ୍ଧକାର ଚାଲିଯାଏ,ଗୁରୁଙ୍କ ଜ୍ଞାନ ବିତରଣରେ ଶିଷ୍ୟମାନଙ୍କର ମୋହରୂପୀ ତମ ବିନାଶ ହୋଇଥାଏ । ବାଲ୍ଲୀକୀ ରାମାୟଣରେ ଉଲ୍ଲେଖ ଅଛି-"ସ୍ୱର୍ଗ,ଧନଂ ୱା ଧ୍ୟାନଂ ବିଦ୍ୟା ପୁତ୍ରାଃ ସୁଖାନି ଚ,ଗୁରୁ ବସୁନୁରୋଧେନ ନ ବିଂଚିତଦପି ଦୁର୍ଲଭମ୍" । ଗୁରୁଙ୍କ କୃପା ହେଲେ ଧନ,ଧାନ୍ୟ,ପୁତ୍ର ସୁଖ ଆପେ ଆପେ ପ୍ରାପ୍ତି ହୋଇଥାଏ । ଏହାବ୍ୟତୀତ ଯେଉଁ ଦୁର୍ଲଭ ବସ୍ତୁ,ଅପ୍ରାପ୍ୟ ବସ୍ତୁ ମଧ୍ୟ ତାଙ୍କ କୃପା ପରବଶରେ କ୍ଷଣକରେ ପ୍ରାପ୍ତି ହୋଇଥାଏ ।  ଯେଉଁଠି ଅସମ୍ଭବ ତାହା ଗୁରୁଙ୍କ ଦିବ୍ୟତାରୁ, ମହାନତାରୁ ଶିଷ୍ୟମାନଙ୍କୁ ମିଳିଥାଏ । ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ କହିଲେ-"ଗୁରୁ ଏକ ଅଟନ୍ତି,ଗୁରୁ ଗୁରୁ ମଧ୍ୟରେ ଭିନ୍ନତା ନଥାଏ । ତୋର ଗୁରୁ ମୋର ଗୁରୁ ଭାବ ନିଜଗୁରୁଙ୍କ ଠାରୁ ଦୂରେଇ ଦେଇଥାଏ । ଅନ୍ୟଗୁରୁଙ୍କ ଠାରେ ନିଜ ଗୁରୁଙ୍କ ଦର୍ଶନରେ ହିଁ ପୂର୍ଣ୍ଣତା ରହିଛି । ଅନ୍ୟଗୁରୁଙ୍କୁ ନିନ୍ଦା କରିବା ଯାହା ନିଜ ଗୁରୁଙ୍କୁ ନିନ୍ଦା କରିବା ତାହା । ପୁଣି ସେ ଉଦାର କଣ୍ଠରେ କହିଛନ୍ତି "ଯିଏ ମୋର ନିନ୍ଦାକାରୀ ସିଏ ମୋ ପରମ ବନ୍ଧୁ,ଯିଏ ମୋତେ ଗାଳି ଦିଏ ସିଏ ମୋତେ ମଲ୍ଲୀ ହାର ପିନ୍ଧାଏ’ ।
ଗୁରୁ ସତ୍ତା ହିଁ ଏକ,ଏହି ଭେଦଭାବ ଶିଷ୍ୟମାନଙ୍କୁ ପରିପୂର୍ଣ୍ଣ ଜ୍ଞାନ ପାଇବାରୁ ବଞ୍ଚିତ ରଖିଥାଏ । ସେ ଶିକ୍ଷାଗୁରୁ ହୁଅନ୍ତୁ କି ଦୀକ୍ଷା ଗୁରୁ କିମ୍ବା ଆଦ୍ୟଗୁରୁ ପିତାମାତା ଯାହାଙ୍କ ଠାରୁ ଆମେ କିଛି ଶିକ୍ଷା ଲାଭ କରୁ ସେ ହିଁ ଗୁରୁ । ଆଉ ଜୀବନ ଚକ୍ରରୁ ନିର୍ବାଣ ପାଇଁ ଯିଏ ଦିବ୍ୟ ଜ୍ଞାନ ପ୍ରଦାନ କରନ୍ତି ସେହିଁ ସଦଗୁରୁ ପଦବାଚ୍ୟ । ଗୁରୁଙ୍କ ଆସନ ସହସ୍ରାର ଚକ୍ରରେ । ସେହି ପାଦାମୃତ ପାନ କଲେ ମନୁଷ୍ୟ ଧନ୍ୟ ହୋଇଥାଏ । ଏତେ ଜ୍ଞାନ ଅଛି ଅନେକ ଥର ଜନ୍ମ ନେଲାପରେ ମଧ୍ୟ ଶିଖିହେବ ନାହିଁ ।କିନ୍ତୁ ସଦଗୁରୁଦେବଙ୍କ କୃପା ହେଲେ ଏମିତି କିଛି ଜ୍ଞାନାମୃତ ଜୀବନ କାଳରେ ଆହରଣ କରିହୋଇଥାଏ ।
 ଭାରତରନô ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏମିତି ଏକ ଲେଖକ,ଶିକ୍ଷକ, ଦାର୍ଶନିକ, ରାଷ୍ଟ୍ର ନିର୍ମାତା,ରାଜନୀତିଜ୍ଞ ଓ ପରମ ତ୍ୟାଗୀ ଥିଲେ ଯିଏ କହିଥିଲେ ମୋ  ଜନ୍ମ ଦିନ ପାଳନ କରିବାର ଆବଶ୍ୟକତା ନାହଁ । ମୋ ଜନ୍ମ ଦିନକୁ ଗୁରୁଦିବସ ଭାବରେ ପାଳନ କଲେ ମୁଁ ଅତ୍ୟନ୍ତ ଆନନ୍ଦିତ ହେବି । ଗୁରୁମାନଙ୍କର ପ୍ରତି ତାଙ୍କର ସହର୍ଷ ଶ୍ରଦ୍ଧା ପାଇଁ ତାଙ୍କର ୭୭ତମ ଜନ୍ମ ଦିନ ସେପ୍ଟେମ୍ବର ୫ ତାରିଖ ୧୯୬୨ ମସିହା ଠାରୁ ଗୁରୁଦିବସ ଭାବରେ ପାଳନ ହେଉଅଛି ।
ଏହିପରି ଏକ ମହାନୁଭବ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିଲେ । ତଥାପି ତାଙ୍କୁ କୈାଣସି ପଦପଦବୀ ଉଦାରମନା ହେବାରୁ ବଞ୍ଚିତ କରିନଥିଲା । ରାଧାକ୍ରିଷ୍ଣନ୍ ଭାରତୀୟ ଶାସ୍ତ୍ର ଅଧ୍ୟୟନ କରି ଗୁରୁଙ୍କ ମହାନତା ସଂପର୍କରେ ବିଶେଷ ଜ୍ଞାନର ଅଧିକାରୀ ଥିଲେ । ଗୁରୁଙ୍କର ସ୍ୱରୂପ,ଗୁରୁଙ୍କର ମହିମା, ଗୁରୁଙ୍କର ସାଧନା, ଗୁରୁଙ୍କର ତ୍ୟାଗ ଉପରେ ଜ୍ଞାତ ଥିଲେ । ତେଣୁ ସେ  ନିଜ ଜନ୍ମ ଦିନକୁ  ଗୁରୁଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରି ସମଗ୍ର ଶିକ୍ଷକ ସମାଜର  ନିଷ୍ଠା,ତ୍ୟାଗ ଓ ଶିଷ୍ୟବସôଳତାକୁ ସମ୍ମାନିତ କରିଛନ୍ତି ।
ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣ୍ନନ ଏହି ଗୁରୁ ପରଂପରାକୁ ଉଜ୍ଜୀବିତ କରିଥିଲେ । ଶିକ୍ଷକତା ଏମିତି ଏକ ବୃତ୍ତି ନିଜେ ପରିମାର୍ଜିତ ହୋଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ପଡିଥାଏ ।ନିଜ ମୁଣ୍ଡରେ ତେଲ ଲଗାଇଲା ପରେ ହିଁ ତେଲର ଗୁଣ ଜଣାପଡେ । ଠିକ୍ ସେହିପରି ନିଜେ ଅନେକ ପରୀକ୍ଷାର ସମ୍ମୁଖୀନ ହୋଇ ଉତ୍ତୀର୍ଣ୍ଣ ହେଲାପରେ ହିଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରେ ଶିକ୍ଷକ । କମାର ଯେମିତି ଅଗ୍ନିକୁ ଲୁହାରେ ପୋଡି ଉତ୍ତପ୍ତ କରେ ଆଉ ଲୁହା ଉପରେ ପାହାର ପକାଇ ନିର୍ଦ୍ଧିଷ୍ଟ ରୂପ ଦିଏ,ଗୁରୁ ମଧ୍ୟ ଶିଷ୍ୟଶିଷ୍ୟାଙ୍କୁ ଅନୁରୂପ  ଭାବେ ପ୍ରସ୍ତୁତ ହେବା ପାଇଁ ଆଦେଶ ଦିଅନ୍ତି । ଡ. ରାଧାକ୍ରିଷ୍ଣ୍ନନ୍ ରାଷ୍ଟ୍ରପତି ପରି ଗରିମାମୟ ପଦବୀରେ ଥାଇ ମଧ୍ୟ ଶିକ୍ଷା,ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ ଭାବରେ ଚିନ୍ତା କରୁଥିଲେ ।  ତାଙ୍କ ଅବଦାନରୁ ଶିକ୍ଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ଦିବସ “ଗୁରୁଦିବସ” ସୃଷ୍ଟି ହୋଇଛି । 
ଗଡରାମାଲ, କୋକସରା
କଳାହାଣ୍ଡି
ମୋ-୯୭୭୭୪୬୮୮୪୧