ଗୋପେ ବିହରେ ନରହରି 

କିଶୋର କୁମାର ଜେନା : 
ଓଡ଼ିଶାର ଆଧ୍ୟାତ୍ମିକ ଇତିହାସ ବହୁ ଧର୍ମ, ଧାରଣା, ମତବାଦ, ସମ୍ପ୍ରଦାୟକୁ ଅଙ୍ଗୀଭୂତ କରିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୀର୍ଷ ସ୍ଥାନରେ ସ୍ଥାପନ କରି ଉକ୍ରଳୀୟ ଧର୍ମ ପରମ୍ପରାର ମହତ୍ୱ ଓ ମହାନତା ପ୍ରଖ୍ୟାପନ କରିଛନ୍ତି । ଉଳକ୍ରୀୟ ବୈଷ୍ଣବ ସମ୍ପ୍ରଦାୟର କବିମାନେ ସେମାନଙ୍କ ଗ୍ରନ୍ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅବତାରୀ ରୂପେ ଚିତ୍ରଣ କରି ଶ୍ରୀଜନ୍ନାଥଙ୍କର ମହିମା ଓ ମହାନତା ପ୍ରତିପାଦନ କରିଛନ୍ତି । ସେଥିପାଇଁ ଭକ୍ତ ଦିବାକର ଦାସ "ଜଗନ୍ନାଥ ଚରିତାମୃତ'ର ୧୮ ଅଧ୍ୟାୟରେ ଘୋଷଣା କରିଛନ୍ତି -
"ଜଗନ୍ନାଥ ଯେ ଷୋଳକଳା ।
ତହୁଁ କଳାଏ ନନ୍ଦବାଳା । 
କଳାକେ ଷୋଳ କଳା କରି ।
ଗୋପେ ବିହରେ ନରହରି ।'
ପୁରୀ ନୀଳାଚଳ ଧାମର ମହତ୍ୱ ବର୍ଣ୍ଣନା କରି ଏହାକୁ ନିତ୍ୟସ୍ଥଳୀ ଗୋଲକ ରୂପେ ଅଭିହିତ କରିଛନ୍ତି । ସେ ଉପରୋକ୍ତ ଅଧ୍ୟାୟରେ କହିଛନ୍ତି - "ସେହୁ ଗୋଲକ ନିତ୍ୟସ୍ଥଳ । ସେଇଟି ଗିରି ନୀଳାଚଳ । । କୋଟିଏ ଯୁଗ ଯେବେ ଯାଇ । ଏଥିରେ ଲୀଳା ନ ସରଇ । ।' ପରମ ସାଧକ ଅଚୁ୍ୟତାନନ୍ଦ ପ୍ରସିଦ୍ଧ "ଶୂନ୍ୟସଂହିତା'ରେ କହିଛନ୍ତି - "ଅବତାର ଦଶ ଏହି ଦାରୁରୂପ, ଏହି ଦାରୁରେ ସେ ଲୀନ, ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ, ବିଜେ ରତ୍ନ ସିଂହାସନ ।' ଭକ୍ତ ଦିବାକର ଦାସ "ଶ୍ରୀଜଗନ୍ନାଥ' ଏହି ଶବ୍ଦର ପାଞ୍ଚୋଟି ବର୍ଣ୍ଣର ଯେଉଁ ଅର୍ଥ ବୟାନ କରିଛନ୍ତି ସେଥିରୁ ପ୍ରତିପନ୍ନ ହୁଏ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଶକ୍ତିମାନ, ସର୍ବବ୍ୟାପୀ, ଅର୍ଥଲକ୍ଷ୍ମୀ, ଭକ୍ତି-ପ୍ରୀତି-ଶୋଭା ପ୍ରଦାୟିନୀ ଶକ୍ତି । "ଜ'ର ଅର୍ଥର ହେଉଛି ସୃଷ୍ଟିର ସ୍ଥଳ ଜଗନ୍ମୟ, ଜ୍ୟୋତି ସ୍ୱରୂପ, ସର୍ବଦେବତା, ବେଦମନ୍ତ୍ର-ଯୋଗ-ଜ୍ଞାନ ପ୍ରଭୃତିର ଜନ୍ମସ୍ଥଳ । "ଗ'ର ଅର୍ଥ ହେଉଛି ଗୁହ୍ୟ, ଅନନ୍ତ, ଗୋଲକ, କଷ୍ଟ ନିବାରକ । "ନ୍ନା' ବା "ନ'ର ଅର୍ଥ ହେଉଛି ନିର୍ବିକଳ୍ପ, ନିରାକାର, ମହାନିତ୍ୟ, ଅବିନାଶୀ, ନାମରୂପୀ ଇତ୍ୟାଦି । "ଥ'ର ଅର୍ଥ ସର୍ବଭୂତ ଆତ୍ମ, ସୁଦର୍ଶନ, ସ୍ଥିରବୁଦ୍ଧି, ଧର୍ମ-ଅର୍ଥ-କାମ-ମୋକ୍ଷର ଜନ୍ମସ୍ଥଳ ଏବଂ ସର୍ବପ୍ରାଣୀ-ହିତକାରୀ ।
ଶ୍ରୀଜଗନ୍ନାଥ ଧର୍ମର ମହତ୍ତ୍ୱ ପ୍ରଖ୍ୟାପନ କରି କୁହାଯାଇଛି ଏହି ଧର୍ମ ହେଉଛି ସନାତନଧର୍ମ, ଏହାର ପୁଣ୍ୟକ୍ଷେତ୍ର ହେଉଛି ଶ୍ରୀପୁରୁଷୋତ୍ତମ, ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ, ମାଳା ହରିନାମ, ତୀର୍ଥ ତୀର୍ଥରାଜ ସମୁଦ୍ର, ଧ୍ୟାନ ପରମବ୍ରହ୍ମ, ଜ୍ଞାନ ଆତ୍ମଜ୍ଞାନ, ଭକ୍ତି ନାମ ସ୍ମରଣ, ମଣୋହୀ ନିର୍ମାଲ୍ୟ, ବିହାର ହେଉଛି ବୈକୁଣ୍ଠ । ଏହି ଧର୍ମର ସମଦର୍ଶୀ ବ୍ରହ୍ମ-ଭାବରୁ ପ୍ରତୀୟମାନ ହୁଏ ଯେ ଏହା ସନାତନ ବିଶ୍ୱଧର୍ମ । 
ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଧର୍ମ ଦର୍ଶନର କେନ୍ଦ୍ରବିନ୍ଦୁ । ସେ ଦ୍ୱାରିକାନାଥ, ବଦ୍ରିନାଥ ଓ ରାମନାଥଙ୍କ ସଦୃଶ କୌଣସି ସ୍ଥାନ ବିଶେଷର ନାଥ ନୁହଁନ୍ତି । ଶ୍ରୀଜଗନ୍ନାଥ ନାମ ତାଙ୍କର ବିଶ୍ୱପ୍ରଭୁତ୍ୱର ଦ୍ୟୋତନା ସୃଷ୍ଟି କରିଥାଏ । ଶ୍ରୀଜଗନ୍ନାଥ ସ୍ୱୟଂ ଚତୁର୍ଦ୍ଧା ବିଭକ୍ତ ହୋଇ ରତ୍ନସିଂହାସନରେ ଆସୀନ । ଯଥା "ଜ କାର ସ୍ତୁ ଜଗନ୍ନାଥଃ ବଳଭଦ୍ର ଗ କାରକଃ - ଭଦ୍ରା ନ କାର ରୂପା ଚ ଥ କରୋପି ସୁଦର୍ଶନଃ' । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ସମସ୍ତେ ସମ୍ମିଳତ ଭାବେ ଏକ ଓ ଅଭିନ୍ନ  । ସେମାନଙ୍କ ନାମକରଣ ମଧ୍ୟ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ଜଗତର ନାଥ ଶ୍ରୀଜଗନ୍ନାଥ । ବଳଯୁକ୍ତ ଭଦ୍ରତାର ପ୍ରତିଭୂ ଶ୍ରୀବଳଭଦ୍ର । ଉତ୍ତମ ଓ ଭଦ୍ରଦେବୀ ସୁଭଦ୍ରା । ଉତ୍ତମ ଦର୍ଶନର ପ୍ରତୀକ ଶ୍ରୀସୁଦର୍ଶନ । ଶ୍ରୀ ସୁଦର୍ଶନ, ଶ୍ରୀସୁଭଦ୍ରା, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମୂର୍ତ୍ତି ପରିକଳ୍ପନା ମାନବ ସୃଷ୍ଟିର କ୍ରମ ବିବର୍ତ୍ତନ ପ୍ରକ୍ରିୟା ଉପରେ ପର୍ଯ୍ୟବସିତ । ଏହି ମୂର୍ତ୍ତି ପରିକଳ୍ପନାରେ ଏକ ସାର୍ବଜନୀନ ଆବେଦନ ପରିସ୍ଫୁଟ ।   ଶ୍ରୀଜଗନ୍ନାଥ ସଂସ୍କୃତି ଏକ ବିରାଟ ବଟବୃକ୍ଷ ହେଲେ, ଅନ୍ୟ ସଂସ୍କୃତି ସମୂହ ଏହାର ଏକ ଏକ ଓହଳ ସଦୃଶ ପ୍ରତୀୟମାନ ହେବେ । ଏହି ସଂସ୍କୃତିର ନିର୍ଯ୍ୟାସ ଆଜି ବିଭିନ୍ନ ଧର୍ମ ସଂସ୍କୃତିର ଧମନୀରେ ଜୀବନୀଶକ୍ତି ରୂପେ ପ୍ରବାହିତ । ଶ୍ରୀଜଗନ୍ନାଥ ସଂସ୍କୃତି ଏକାଧାରରେ ମାନବ-ସମାଜର ଶ୍ରୀ ସମୃଦ୍ଧି ଓ ସୁରକ୍ଷା ସାଧନ କରିଥାଏ । ଏହି ସଂସ୍କୃତି ମାନବ ହୃଦୟରୁ ପଶୁ ପ୍ରବୃତ୍ତିକୁ ଅପସାରିତ କରି ନୈତିକ ତଥା ଆଦର୍ଶ ଜୀବନଯାପନ ପାଇଁ ଯୁଗ ଯୁଗ ଧରି ପ୍ରେରଣା ପ୍ରଦାନ କରି ଆସିଛି । ଅତଏବ, ପରମାଣୁ ତଥା ତାରକା ଯୁଦ୍ଧ ଆତଙ୍କିତ ମାନବ ସଭ୍ୟତାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଯେ, ଭଗୀରଥ ତୁଲ୍ୟ ଧ୍ୱଂସ ମୁଖରୁ ରକ୍ଷା କରିପାରିବ, ଏହା ଏକ ଅବିସମ୍ବାଦିତ ସତ୍ୟ । ଶ୍ରୀଜଗନ୍ନାଥ ସଂସ୍କୃତିର ବହୁମୁଖୀ ପ୍ରଗତିଶୀଳ ବିଭାବ ଏକ ନୂତନ "ବାଦ' ସୃଷ୍ଟି କରିଅଛି, ଯାହାକୁ କି "ଶ୍ରୀଜଗନ୍ନାଥବାଦ' କହିଲେ ଅତୁ୍ୟକ୍ତି ହେବନାହିଁ । 
ମୋ : ୭୩୨୫୯୦୪୯୨୭