ଚାଖି ଖୁଣ୍ଟିଆ 


ସିପାହୀ ବିଦ୍ରୋହ କାଳରେ ଝାଁସୀର ଦେଶପ୍ରେମୀ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଅନ୍ୟତମ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ ଓଡ଼ିଶାର ଚନ୍ଦନ ହଜୁରୀ । ତାଙ୍କର ଅନ୍ୟ ନାମ ଚାଖି ଖୁଣ୍ଟିଆ । ଚାଖିଙ୍କ ଜନ୍ମ ଦିନକୁ ନେଇ ଏକାଧିକ ମତ ରହିଛି । ସେ ଶାମ୍ବ ଦଶମୀରେ ଜନ୍ମ ହୋଇଥିଲେ ବୋଲି କେତେକ ବିଶ୍ୱାସ କରନ୍ତି । ଆଉ ଏକ ମତ ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ବେଳେ ସେ ଜନ୍ମ ହୋଇଥିଲେ । ଏହି କାରଣରୁ ପିତା, ପୁରୀହରଚଣ୍ଡୀ ସାହିର ବାସିନ୍ଦା ଭୀମସେନ ହଜୁରୀ (ଅନ୍ୟ ନାମ ରଘୁନାଥ ଖୁଣ୍ଟିଆ) ଓ ମାତା କମଳାବତୀ ଦେବୀ ତାଙ୍କ ନାମ ଚନ୍ଦନ ରଖିଥିଲେ । ପିଲାଦିନେ ସେ ସବୁ ଜିନିଷ ଚାଖୁଥିବାରୁ ଗେହ୍ଲା ନାଁ ରଖାଯାଇଥିଲା ଚାଖି । ଅନ୍ୟ ଏକ ମତ ଅନୁଯାୟୀ ମହାପ୍ରସାଦ ବିକାଳିଙ୍କଠାରୁ ପ୍ରସାଦ ଝାମ୍ପିନେଉଥିବାରୁ, ଲୋକେ ଡାକୁଥିଲେ ଚାଖି । ସେ ଯାହା ହେଉ ଚନ୍ଦନ ହଜୁରୀ ଓ ଚାଖି ଖୁଣ୍ଟିଆ ଯେ ଜଣଙ୍କର ନାମ ଏଥିରେ ସମସ୍ତେ ଏକମତ । ଭୀମସେନ ଥିଲେ ତୀର୍ଥ ଯାତ୍ରୀ ପଣ୍ଡା ସଙ୍ଗକୁ ଖୁଣ୍ଟିଆ ସେବକ । ରାଜ୍ୟ ବାହାରେ ତାଙ୍କର ଅନେକ ଯଜମାନ ଥିଲେ । ସେମାନଙ୍କ ସହ ବାର୍ତ୍ତାଳାପ ପାଇଁ ସେ ଚାଖିଙ୍କୁ ପିଲାଦିନେ ହିନ୍ଦୀ ଲେଖା ପଢ଼ା ଶିଖାଇଥିଲେ । ଲକ୍ଷ୍ମୀବାଈଙ୍କ ପିତା ମୋରୋପନ୍ତ ତାମ୍ବେ ଥିଲେ ଭୀମସେନଙ୍କ ଯଜମାନ । ଲକ୍ଷ୍ମୀବାଈଙ୍କ ଜନ୍ମ ପୂର୍ବରୁ ଖୁଣ୍ଟିଆ ଓ ତାମ୍ବେ ପରିବାର ମଧ୍ୟରେ ସଂପର୍କ ଥିଲା । କାଶୀରେ ରହୁଥିବା ବେଳେ ତାମ୍ବେଙ୍କୁ ଭେଟିଥିଲେ ଚାଖି । ସେତେବେଳେ ତାମ୍ବେଙ୍କ ପତ୍ନୀ ଗର୍ଭବତୀ ଥିଲେ । ପୁତ୍ର ସନ୍ତାନ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଥିଲେ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜକ । ତେବେ କନ୍ୟା ଜାତ ହେବ ବୋଲି କହିଥିଲେ ଚାଖି ଏବଂ ତାଙ୍କ କଥା ସତ ହୋଇଥିଲା । ମଣିକର୍ଣ୍ଣିକା (ଲକ୍ଷ୍ମୀବାଈଙ୍କ ବାଲ୍ୟ ନାମ) ଦୁଇବର୍ଷର ହୋଇଥିବାବେଳେ ତାମ୍ବେ ପରିବାର ପୁରୀ ଆସି ଖୁଣ୍ଟିଆ ପରିବାରର ଆତିଥ୍ୟ ଗ୍ରହଣ କରିଥିଲେ । ପୁରୀରେ ମଣିକର୍ଣ୍ଣିକାଙ୍କ ବାଳ ପଡ଼ିଥିଲା । ଯୁଦ୍ଧରେ ଲକ୍ଷ୍ମୀବାଈଙ୍କ ମୃତୁ୍ୟ ପରେ ଚାଖି ବହୁ କାଳ ଓଡ଼ିଶା ବାହାରେ ଆତ୍ମଗୋପନ କରିଥିଲେ । ଶେଷର ପୁରୀ ଫେରିଥିଲେ । ସିପାହୀ ବିଦ୍ରୋହ ସହ ସଂପୃକ୍ତି ଯୋଗୁଁ ବି୍ରଟିଶ ପ୍ରଶାସନ ତାଙ୍କ ଗତିବିଧି ଉପରେ ଅନେକ ଦିନ ପର୍ଯ୍ୟନ୍ତ ସତର୍କ ଦୃଷ୍ଟି ରଖିଥିଲା । ତାଙ୍କୁ ପ୍ରଥମେ ମହାପ୍ରଭୁଙ୍କ ସେବା ବିଧି ତୁଲାଇବା ପାଇଁ ଅନୁମତି ଦିଆଯାଇ ନଥିଲା । ତାଙ୍କର ସଂପତ୍ତି ବାଜ୍ୟାପ୍ତି କରାଯାଇଥିଲା । ତେବେ ପରେ ସେ ନିଜର ସେବା ଅଧିକାର ଓ ସଂପତ୍ତି ଫେରିପାଇଥିଲେ । ଜୀବନର ଶେଷ ଭାଗରେ ସେ ପୂଜା ଆରାଧନା ଓ ଭଜନ ଜଣାଣ ରଚନାରେ ନିଜକୁ ନିୟୋଜିତ ରଖିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଜାନୁଆରୀ ୨୦ରେ ତାଙ୍କର ଜୟନ୍ତୀ ପାଳନ କରାଯାଏ ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦