ଜାତୀୟତାର ମହାନ କବି ବୀରକିଶୋର ଜାତୀୟତାର ମହାନ କବି ବୀରକିଶୋର
ଦେଶର ସ୍ୱାଧୀନତା ସଂଗ୍ରାମ କାଳରେ ଯାହାଙ୍କର ଅଗ୍ନିବର୍ଷୀ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଟି ଓଡ଼ିଆ ପ୍ରାଣରେ ଜାତୀୟତାର ଉନ୍ମାଦନା ସୃଷ୍ଟି କରିଥିଲା ସେ ହେଉଛନ୍ତି ବର୍ଷୀୟାନ ସଂଗ୍ରାମୀ ବୀରକିଶୋର ଦାସ । ତାଙ୍କ ଲିଖିତ ଉନ୍ମାଦନାଭରା ଜାତୀୟ ସଙ୍ଗୀତ ଗାଇ ବହୁ ମୁକ୍ତି ସଂଗ୍ରାମୀ ବ୍ରିଟିଶ ସରକାରର ଅକଥନୀୟ ନିର୍ଯାତନା ଭୋଗ କରିଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ବହୁ ନିର୍ଯାତନା ଭୋଗ କରିବା ସଙ୍ଗେ ଦଶ ବଷ ପାଇଁ କାରାବରଣ କରିବାକୁ ପଡିଥିଲା । ସେ ଥିଲେ ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଜାତୀୟ କବି, ବିପ୍ଲବୀ, ଶିଶୁ ସାହିତି୍ୟକ, ସଂପାଦକ , ସଙ୍ଗଠକ, ରାଜନୀତିଜ୍ଞ ଓ ମିଷ୍ଟଭାଷୀ ତଥା କଷ୍ଟସହିଷ୍ଣୁ ଭାବେ ସବୁରିପ୍ରିୟ ଓ ପରିଚିତ ।
ପରାଧୀନତାର ଅନ୍ଧକାର ମଧ୍ୟରେ ଥିବା ଉକ୍ରଳୀୟ ମାନବକୁ ଜାତୀୟତାର ଭାବରେ ଉଜ୍ଜୀବିତ କରିବା ପାଇଁ ସେ ଲେଖନୀ ଧାରଣ କରିଥିଲେ । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ବେଳେ ସେ ‘ରଣ ଦୁନ୍ଦୁଭି’ ଓ ‘ରଣଭେରୀ’ ରଚନା କରି ଦୁଇବର୍ଷ କାରାବରଣ କରିଥିଲେ ଏବଂ ‘ବିଦ୍ରୋହୀ ବୀଣା’ ପାଇଁ ଏକ ବର୍ଷ କାରାବରଣ କରିଥିଲେ । କଟକ ଜେଲରୁ ହଜାରିବାଗ ଜେଲକୁ ତାଙ୍କୁ ବଦଳି କରାଯାଇଥିଲା ବେଳେ ଅସାବଧାନତା ଯୋଗୁ ତାଙ୍କ ବାଆଁ ହାତଟି ପୋଡି ଯାଇଥିଲା । ସେ ଅକର୍ମଣ୍ୟ ହୋଇ ମାସାଧିକ କାଳ ଶଯ୍ୟାଶାୟୀ ହୋଇ ରହିଥିଲେ । ଏଠି ଥିଲାବେଳେ ରାଜେନ୍ଦ୍ର ପ୍ରସାଦ, ସୀମାନ୍ତ ଗାନ୍ଧି, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୋ÷ଧୁରୀ, ନନ୍ଦକିଶୋର ଦାସ ଆଦି ନେତାମାନଙ୍କ ସହ ବନ୍ଦୀ ଜୀବନ ଯାପନ କରୁଥିଲେ । ତାଙ୍କ ବିପ୍ଲବୀ କବିତାରେ ଉଦ୍ବୁଦ୍ଧ ହୋଇ ବାନର ସେନାମାନେ ବ୍ରିଟିଶ ଅତ୍ୟାଚାରକୁ ଭ୍ରୁକ୍ଷେପ କରୁନଥିଲେ । ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନରେ ଯୋଗଦେଇ ସେ ବ୍ରହ୍ମପୁର ଜେଲରେ ତିନିବର୍ଷ ବନ୍ଦୀ ଜୀବନ ଯାପନ କରିଥିଲେ । ଏହିପରି ସେ ସାତଥର ଜେଲ ଯାଇଥିଲେ । ମୁକ୍ତି ସଂଗ୍ରାମ ବେଳେ ସେ ଲେଖିଥିଲେ- ‘ତମେ କେତେ ଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି ?
ଦଧୀଚିର ହାଡ଼ ଉଜାଡି ନଦେଲେ (ଯବନିକା) ଏ ଜାତିର ଭାଗ୍ୟ ଫେରିବକି ? ଅତ୍ୟନ୍ତ ପ୍ରଭାବ ପକାଇଥିଲା । ସେତିକିବେଳେ ତାଙ୍କ ସହିତ ସହବନ୍ଦୀ ଭାବରେ ଥିଲେ- ଗୋପବନ୍ଧୁ ଚୋ÷ଧୁରୀ, ନବକୃଷ୍ଣ ଚୋ÷ଧୁରୀ, ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ରାଧାକୃଷ୍ଣ ବିଶ୍ୱାସ ରାୟ, ରାଧାମୋହନ ସାହୁ, ବିଶ୍ୱନାଥ ଦାସ, ସଦାଶିବ ତି୍ରପାଠୀ, ମନମୋହନ ମିଶ୍ର ଓ ଦୋଳଗୋବିନ୍ଦ ପ୍ରଧାନ । ସେ ବ୍ରହ୍ମପୁରର କେନ୍ଦ୍ରୀୟ ଜେଲରେ ବନ୍ଦୀଥିବା ସମୟରେ ବୀର ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ପୂର୍ବଦିନ ଅନ୍ୟାନ୍ୟ ସହବନ୍ଦୀମାନଙ୍କ ସହ ସେ ଶେଷ ଦର୍ଶନ କରିବାକୁ ଯାଇଥିଲେ ଓ ସେଠାରୁ ଫେରି ଆସି ଦୁଃଖରେ ମର୍ମାହତ ହୋଇ କବିତାଟିଏ ଲେଖିଥିଲେ, ଯାହାକୁ ସଂଗ୍ରାମୀ ଦୋଳଗୋବିନ୍ଦ ଜେଲ ସଭାରେ ସମସ୍ତଙ୍କ ସମ୍ମୁଖରେ ବୋଲିଥିଲେ । ଗୀତଟି ହୋଇଛି-
“ମୋର ଯିବାର ବେଳତ ଆସି ହେଲାଣି ଭାଇ
ହସି ହସି ମୋତେ ଦିଅ ମେଲାଣି । (ଘୋଷା)
ମନରେ ରହିଲା ମନର ଯା କଥା
କି କହିବି ଭାଇ ମୋ ମରମ ବ୍ୟଥା ।
ମୁଁ ସ୍ୱାଧୀନ ଭାରତ ଦେଖି ନପାରିଲେ
ଯା ଲାଗି ବାନ୍ଧିଲି ମୋର ଆଶା ନିଶୁଣି ।” (୧)
ଯେଉଁଦିନ ହେଲେ ଯାଆନ୍ତି ତ ଦିନେ
ସେଥିକି ଶୋଚନା ନାହିଁ ମୋର ମନେ
ମୋ ପିଲାଙ୍କୁ କହିବ ଏତିକି
ମୁଁ ସ୍ୱାଧୀନ ଭାରତେ ନିଶ୍ଚେ ଫେରିବି ପୁଣି (୨)
(ଲକ୍ଷ୍ମଣ ନାୟକଙ୍କ ଅନ୍ତିମ ବାଣୀ- ମୋର ଯିବାର ବେଳତ)
ତାଙ୍କ କବିତାରେ ଗାନ୍ଧି ଦର୍ଶନ, ଅସହଯୋଗ ଆନେ୍ଦାଳନ, ସ୍ୱଦେଶୀ ଆନେ୍ଦାଳନ, ଲବଣ ସତ୍ୟାଗ୍ରହ, ପ୍ରଜାମେଳି, ଭାରତ ଛାଡ ଆନେ୍ଦାଳନ, ଭାଷା ଆନେ୍ଦାଳନ ଓ ଧର୍ମ ନିରପେକ୍ଷବାଦର ସ୍ପଷ୍ଟ ଚିତ୍ର ରୂପାୟିତ ହୋଇଥିବା ଜଣାଯାଏ । ୧୯୪୫ ମସିହାରେ ବୀରକିଶୋର ବ୍ରହ୍ମପୁର ସେଣ୍ଟ୍ରାଲ ଜେଲରୁ ଖଲାସ ହୋଇ ଫେରିଲା ବେଳକୁ ତାଙ୍କର ସମସ୍ତ ଭୂସଂପତ୍ତି ଓ ଜମିଦାରୀ ବ୍ରିଟିଶ ସରକାର ବ୍ୟାଜାପ୍ତି କରି ନେଇଥିଲେ ।
ତାଙ୍କର ତ୍ୟାଗ, ସେବା ଓ ଦେଶର ଜାତିର ମୁକ୍ତି ଥିଲା ସ୍ୱପ୍ନ, ଆଦର୍ଶ ଓ ଜୀବନର ବଡ ଲକ୍ଷ୍ୟ । ତେଣୁ କାହାରି ସହିତ ସେ ସାଲିସ କରୁନଥିଲେ । ମନରେ ବେଶୀ ଦୁଃଖ ଆସିଲାବେଳେ ଏଇ କଲମ ହିଁ ମତେ ସାନ୍ତ୍ୱନା ଦିଏ ବୋଲି କହୁଥିଲେ । ସେ ସରଳ ତରଳ ଓ ସାବାଲୀଳ ଭାଷାରେ ଗୀତ ସବୁ ରଚନା କରିଥିଲେ । ସେଥିପାଇଁ ସମସ୍ତଙ୍କ ମନକୁ ଛୁଇଁବା ସଙ୍ଗେ ଆଦୃତ ହେଉଥିଲା । ତାଙ୍କ ଭାଷା ବିଷୟରେ ସେ କହନ୍ତି- ମୋ ଭାଷା ମୋ ମା’ ଖୁଡିଙ୍କ ଭାଷା । ଏହା ବ୍ୟତୀତ ମୁଁ ଅନ୍ୟ କୋ÷ଣସି ଭାଷା ଜାଣେ ନାହିଁ । ବେଶ ହୃଦୟସ୍ପର୍ଶୀ ମନେ ହୁଏ । ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ସ୍ୱରୂପ ସାହିତି୍ୟକ କୃତି ଗୁଡିକ ହେଉଛି ମୋହନ ବଂଶୀ, ବିଦ୍ରୋହୀ ବୀଣା, ରଣ ଦୁନ୍ଦୁଭି, ରଣଭେରୀ, ମହାତ୍ମାଙ୍କ ବିଲାତି ଯାତ୍ରା, ବିଜୟୀ ବୀଣା, ମୋହନ ବେଣୁ, ଫୁଲଚନ୍ଦନ, ସବୁଜସାଥୀ, ସ୍ମୃତିକଣିକା, ସମର ଯୁଗର ଅମର ସଙ୍ଗୀତ ବୀର ଗୀତିକା, ଭକ୍ତି ଗୀତିକା ଓ ନୀତିବାଣୀ ପ୍ରଭୃତି ପ୍ରଧାନ ।
ଏହି ବହୁମୁଖୀ ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ କଟକ ଜିଲ୍ଲାର ଜଗତସିଂହପୁର ସବଡିଭିଜନର ପୁବଙ୍ଗ ଗ୍ରାମରେ , ୧୮୯୬ ମସିହା ନଭେମ୍ବର ମାସ ୨୩ ତାରିଖରେ ଏକ ମଧ୍ୟବିତ୍ତ ଜମିଦାର ପରିବାରରେ । ତାଙ୍କ ପିତାଙ୍କ ନାମ ଗୋପାଳ ଚନ୍ଦ୍ର ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ମାତ୍ର ଅଢେଇ ବର୍ଷ ବୟସରେ ତାଙ୍କ ମା’ଙ୍କ ବିୟୋଗ ହେତୁ ଗୋସମା’ଙ୍କ ଦ୍ୱାରା ତାଙ୍କ ଜୀବନ କୁସୁମ ବିକଶିତ ହୋଇଥିଲା । ଗୋସମା’ ଥିଲେ ଅତ୍ୟନ୍ତ ଧର୍ମ ପରାୟଣା ଓ ସ୍ନେହଶୀଳା । ତାଙ୍କର ଆଦର୍ଶ, ନିଷ୍ଠା ବୀର କିଶୋରଙ୍କୁ ବାଲ୍ୟକାଳରେ ଖୁବ୍ ପ୍ରଭାବିତ କରିଥିଲା । ସେତେବେଳେ ଗାଁ ଗହଳରେ ଶିକ୍ଷାଦାନର ବିଶେଷ ସୁବିଧା ନଥିବାରୁ କଟକର ଭିକ୍ଟୋରିଆ ସ୍କୁଲରେ (ଆଧୁନିକ ଭକ୍ତ ମଧୁ ବିଦ୍ୟାପୀଠ)ରେ ଶିକ୍ଷା ଲାଭ କରି ସେ ମାଟ୍ରିକ ପାଶ କରିଥିଲେ । ସେତେବେଳେ ସେହି ସ୍କୁଲର ପ୍ରତିଷ୍ଠାତା ସଂପାଦକ ଥାଆନ୍ତି ଭକ୍ତ କବି ମଧୁସୂଦନ ରାଓ । ବୀର କିଶୋରଙ୍କର ଶାନ୍ତ, ସରଳ, ନମ୍ର ସ୍ୱଭାବ ଭକ୍ତକବିଙ୍କୁ ଆକୃଷ୍ଟ କରିଥିଲା । ତାଙ୍କର ପ୍ରେରଣା ଓ ଆଶୀର୍ବାଦ ବୀର କିଶୋରଙ୍କୁ ଦେଇପାରିଥିଲା ସଫଳ କବି ଜୀବନର ଗୋ÷ରବ । ଭକ୍ତକବିଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ପ୍ରଥମେ ସେ ଏକ ଇଂରାଜୀ କବିତାର ଅନୁବାଦ କରିଥିଲେ । କବିତାର ଶୀର୍ଷକ ଥିଲା ‘ଏକତାର ବଳ’ । ବିନ୍ଦୁ ବିନ୍ଦୁ ଜଳ ମିଶି ସାଗର ଓ ଟିକି ଟିକି ବାଲୁକା ରାଶିରେ ବିଶାଳ ଭୂଧର ସୃଷ୍ଟି ହେଲା ପରି ସଭିଏଁ ମିଶି ଏକତାର ରକ୍ଷା କରିପାରିଲେ ଜଗତ ମଧୁମୟ ହେବା ସାଙ୍ଗକୁ ଜୀବନ ଚିର ସୁନ୍ଦର ହୁଏ । କବିତାଟିରେ ପ୍ରଥମ ପଂକ୍ତିର ଅନୁବାଦ ଥିଲା-
“ଟୋପି ଟୋପି ପାଣି ମିଶି ସାଗର
ଟିକି ଟିକି ବାଲି ମିଶି ଭୂଧର ।” (ଏକତାର ବଳ)
ଏହା ତତ୍କାଳୀନ ‘ମୁକୁର’ ପତ୍ରିକାରେ ପ୍ରକାଶିତ ହେବା ପରେ ତାଙ୍କ ମନରେ ଅପୂର୍ବ ଉତ୍ସାହ କେଳି ଯାଇଥିଲା । କବିତା ଲେଖାରେ ବୀର କିଶୋରଙ୍କର ଏପରି ଆଗ୍ରହ ଦେଖି ତାଙ୍କର ଶିକ୍ଷା ଗୁରୁ ନାରାୟଣ ମୋହନ ଦେ ମଧ୍ୟ ତାଙ୍କୁ ଯଥେଷ୍ଟ ପ୍ରେରଣା ଦେଇଥିଲେ । ଏଥିରେ ବୀର କିଶୋରଙ୍କର ମନର ଆବେଗ ଏତେ ବଢି ଯାଇଥିଲା ଯେ ଦିନେ କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ଦୁବଘାସ ଉପରେ ପଡିଥିବା ଶିଶିର ବିନ୍ଦୁକୁ ଦେଖି ଭାବ ବିହ୍ୱଳ ହୋଇ ଲେଖିଥିଲେ-
“କେଉଁ ଦୂରଦେଶେ ବାଟୋଇ ଭାଇରେ
କେଣେ ଯିବୁ ମତେ କହ
ରାତିତ ପାହୁଛି ତରବର କିଆଁ
ସାଥୀ ହୋଇଯିବା ରହ ।”
(ଶିଶିର ବିନ୍ଦୁ)
ଏଇଟି ହେଉଛି ତାଙ୍କର ପ୍ରଥମ କବିତା । କବିତାଟିରେ ଏତେ ସରସତା ଭରପୁର ରହିଛି ଯେକେହି ପାଠ କରିବ ତାକୁ ଚମକ୍ରୃତ କରିବ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ କୈଶୋର ଜୀବନରୁ ହିଁ ଭବିଷ୍ୟତରେ ଜଣେ କବି ହେବେ ବୋଲି ସୂଚନା ମିଳିଥିଲା । ଉକ୍ତ ମଧୁସୂଦନ ବିଦ୍ୟାପୀଠରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ଅବସ୍ଥାରେ ପୂର୍ତ୍ତ ବିଭାଗରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ।(କ୍ରମଶଃ)
ଏମ୍.ଆଇ.ଜି.ୱାନ ୪୨ ।୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର, ମୋ-୯୧୭୮୯୦୮୭୬୨