ଜାନକୀ ବଲ୍ଲଭ (ଭରଦ୍ୱାଜ) 


ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ସଂପାଦିତ ନବ ଭାରତ ପତ୍ରିକାରେ ୧୯୪୯ ମାର୍ଚ୍ଚ - ଏପ୍ରିଲ ସଂଖ୍ୟାରେ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା । ସେଇଟିର ଆରମ୍ଭ ଓ ଶେଷ ଥିଲା ଏହିପରି "ହେ ଉପେନ୍ଦ୍ର! ତୁମ କାବ୍ୟ କବିତାର ଗୁରୁଭାର କେନ୍ଦ୍ର କିଛି ନୁହେ, ଥିଲା ତାହା ଏକମାତ୍ର ନାରୀ, ଆଉ ଏକ ଜଟିଳ ଦୁର୍ବୋଧ୍ୟ ଡିକ୍ସନାରୀ । ପଢ଼ୁ ପଢ଼ୁ ମନେହୁଏ ସତେ ଅବା କଷୁଛି ମୁଁ ଅଙ୍କ, ହେ ଉପେନ୍ଦ୍ର! ତୁମେ ମୋର ବିରାଟ ଆତଙ୍କ ।' ପ୍ରକାଶିତ କବିତାଟି ଓଡ଼ିଆ ପାଠକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । କେତେକ ପ୍ରଶଂସା କରି, ବଧେଇ ଜଣାଇଥିଲେ । ତେବେ, ଭଞ୍ଜ ପ୍ରେମୀମାନେ ଉତ୍କ୍ଷିପ୍ତ ହୋଇଥିଲେ । କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଏକ ସଭାରେ ନବ ଭାରତ ପତ୍ରିକାର ଉକତ ସଂଖ୍ୟା ପୋଡି ନିଜର ଚରମ ପ୍ରତିକ୍ରିୟା ସର୍ବସାଧାରଣରେ ପ୍ରକାଶ କରିଥିଲେ । ଆଉ ପ୍ରତିକ୍ରିୟାସମୂହ ପ୍ରସିଦ୍ଧ କରିଥିଲା, ସେଇଟିକୁ ରଚନା କରିଥିବା ସେତେବେଳେ ସ୍ନାତକୋତ୍ତର ଶେଷ କରିଥିବା ଛାତ୍ର ଜାନକୀ ବଲ୍ଲଭ ମହାନ୍ତିଙ୍କୁ । ଆଧୁନିକ ଓଡ଼ିଆ ସାହିତ୍ୟରେ ଡ. ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ) ଏକ ସୁପରିଚିତ ନାମ । ପୁରୀ ଜିଲ୍ଲା ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ବେଳେ ତାଙ୍କର କବି ଜୀବନ ଆରମ୍ଭ ହୋଇଥିଲା । ତାଙ୍କ ଲିଖିତ ପ୍ରଥମ କବିତା ଆମେ ଓଡ଼ିଆ ବିଦ୍ୟାଳୟର ମୁଖପତ୍ର ମହୋଦଧିରେ ପ୍ରକାଶିତ ହୋଇଥିଲା । ଉଚ୍ଚଶିକ୍ଷା ଲାଭ ପରେ ସେ ବୃତ୍ତିଗତ ଅଧ୍ୟାପନା ଆରମ୍ଭ କରିଥିଲେ । କବିତାରୁ ତାଙ୍କର ଲେଖକ ଜୀବନ ଆରମ୍ଭ ହୋଇଥିଲେ ହେଁ ଅଧ୍ୟାପକ ହେବାପରେ ସେ ସମାଲୋଚନା ସାହିତ୍ୟ, ଶିଶୁ ସାହିତ୍ୟ ଓ ଅନୁବାଦକୁ ଅଧିକ ସମୟ ଦେଇଥିଲେ । ଜାନକୀ ବଲ୍ଲଭ (ଭରଦ୍ୱାଜ) ଅଢ଼େଇ ହଜାରରୁ ଅଧିକ ଓଡ଼ିଆ ଗୀତି କବିତା ଓ ଚଉତିଶା ଲୋକ ଲୋଚନକୁ ଆଣିଥିଲେ । ତିନିଶହରୁ ଅଧିକ ଲୋକ ଗଳ୍ପ ଓଡ଼ିଆ ଭାଷାରେ ଅନୁଦିତ କରିଥିଲେ । ତାଙ୍କ ନାମ ପଛରେ ଭରଦ୍ୱାଜ ଯୋଡ଼ାଯିବାର ଉପାଖ୍ୟାନଟି ଏହିପରି । ତାଙ୍କ ସମୟରେ ଦୁଇଜଣ ଜାନକୀ ବଲ୍ଲଭ ମହାନ୍ତି ଥିଲେ । ଜଣେ କଳା, ଜଣେ ଗୋରା । ଦୁହେଁ ଅଧ୍ୟାପକ ପୁଣି, ଓଡ଼ିଆ ବିଭାଗର । ତେଣୁ କଳା ଜାନକୀ ଓ ଗୋରା ଜାନକୀ ଭାବେ ପରିଚିତ ଥିଲେ । ଏହା ବିରକ୍ତ ଲାଗିବାରୁ ଜାନକୀ ବଲ୍ଲଭ ନାମ ପଛରେ ନିଜର ଗୋତ୍ର ଭରଦ୍ୱାଜ ଯୋଡ଼ିଥିଲେ । ୧୯୯୯ ମସିହାରେ ଶତାଧିକ ଗ୍ରନ୍ଥର ଏହି ମହାନ ସ୍ରଷ୍ଟାଙ୍କର ପରଲୋକ ହୋଇଥିଲା । 
ବାଦଲ ଭୂୟାଁ,ମୋ : ୭୪୮୮୯୯୮୫୩୨