ଜୈବିକ ଚାଷ ଓ ସ୍ୱାସ୍ଥ୍ୟ
ଏବେ ଚାରିଆଡ଼େ ବର୍ଷା, ବର୍ଷାର ଆବାହନ । ଏଇ ସମୟରେ ତଳିପକା, ଧାନରୁଆ ବେଳ । ଓଡ଼ିଶାରେ ଅଗଷ୍ଟ ମାସର ଶେଷ ପର୍ଯ୍ୟନ୍ତ ଚାଲେ ଚାଷ କାମର ଆରମ୍ଭ, ଧାନ ତଳି ରୁଆ ହେବାର ପର୍ଯ୍ୟାୟ । ଏହି ସମୟରେ ସରକାରଙ୍କ ତରଫରୁ ରିହାତି ଦରରେ ମିଳେ ଚାଷୀଙ୍କ ପାଇଁ ବିହନ, ସାର ଓ ପୋକମରା ଔଷଧ ।
ଆଗେ ଦେଶି ବିହନ, ଖତ ଗୋବର ବା କମ୍ପୋଷ୍ଟ ପୋକମରା ଔଷଧ ପାଇଁ ଲିମ୍ବ ତେଲ ବ୍ୟବହାର ହୋଇ ଧାନ କଟା ହୋଇ ଖଳା ଓ ଅମାର ପୁରି ଯାଉଥିଲା । କୃଷକର ବର୍ଷଯାକର ଖର୍ଚ୍ଚ ଯାଇ ଆଗାମୀ ବର୍ଷକ ପାଇଁ ରହି ଯାଉଥିଲା ଚୁଡ଼ା, ଚାଉଳ । ଏବେକାର ଚୁଡ଼ା, ଚାଉଳରେ ସେ ମହକ ଓ ସୁଆଦ କାଇଁ? ସାର, ଉର୍ବରକ ଓ ପୋକମରା ଷ୍ପ୍ରେର ଅତ୍ୟଧିକ ବ୍ୟବହାର ହେବା ଫଳରେ ଧାନ, ଚାଉଳ ସେମାନଙ୍କ ସ୍ୱାଦ ହରାଉଛନ୍ତି । ତାକୁ ଖାଇଲେ ନାନା ପ୍ରକାରର ରୋଗ ବ୍ୟାଧିର ଶିକାର ହେଉଥିବାର ନଜିର ଆଖି ସାମ୍ନାକୁ ଅନାୟାସେ ଆସିଯାଉଅଛି । ଏବେ ଦେଖନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଛତୁ ଫୁଟିଲା ପରି ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ । ଜନସଂଖ୍ୟା ବଢ଼ିଛି ସତ କିନ୍ତୁ ରୋଗ ବେମାରୀ ବହୁଳ ଭାବରେ ଆମ ରାଜ୍ୟର ଲୋକଙ୍କ ଜୀବନକୁ କବଳିତ କରିବାରେ ଲାଗିଛି । ଅବଶ୍ୟ ସରକାରଙ୍କ ସ୍ୱାସ୍ଥ୍ୟକାର୍ଡ଼ ବି ବହୁଳ ଭାବରେ ହୋଇ ଲୋକଙ୍କୁ ଡାକ୍ତରଖାନା ଖର୍ଚ୍ଚରୁ କିଛିଟା ବଞ୍ଚାଉଛି ।
ଆଜିକାଲି ପ୍ରାୟତଃ ସବୁ ଲୋକଙ୍କ ଘରେ ରୋଗ ବେମାରି ଯେମିତି ଚିର ସହଚର ପରି ଘର କରି ଯାଇଛି । ସବୁ ଘରେ ପ୍ରାୟତଃ ସୁଗାର, ଗ୍ୟାସ, କୋଲେଷ୍ଟ୍ରୋଲ, ହାର୍ଟ ବା ହୃଦୟ ରୋଗ, କିଡ଼ନୀ ରୋଗ, କ୍ୟାନସର ପରି ରୋଗ ବିସ୍ତାର କରିଛି । ରୋଗର କରାଳ ଛାୟାରେ ମଣିଷ ସମାଜ ଆଜି କବଳିତ । ଆମ ଖାଦ୍ୟପେୟ ଯାହା ସବୁ ଚାଷ ହେଉଛି ଧାନଠୁ ଗହମ, ପନିପରିବା, ଶାଗ, ଫଳମୂଳ, ବାଜରା, ମାଣ୍ଡିଆ, ବାଜରା ସବୁଥିରେ ସାର ବିଷ ପ୍ରକ୍ରିୟା ଆମ ଦେହରେ ପ୍ରବେଶ କରୁଛି । ଯାହା ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଧୀରେ ଧୀରେ ତା'କବଳରେ ନେଇ ଆମକୁ ରୋଗାକ୍ରାନ୍ତ କରି ଦେଉଛି । ଯାହା ବି ଫଳମୂଳ ବଜାରରେ ମିଳୁଛି ସବୁଥିରେ କାରବାଇଡ ଓ ଅନ୍ୟାନ୍ୟ କେମିକାଲର ପ୍ରୟୋଗ ଏଥିରେ ସୁଫଳ ଯାଗାରେ ବିଷ ଭରୁଛି । ଏବେ ଏବେ ଆମ୍ବ ବଜାରରେ ମିଳୁଥିଲା ତାକୁ କାରବାଇଡ ଦ୍ୱାରା ପଚାଯାଇ ବଜାରକୁ ଛଡ଼ା ଯାଉଥିଲା । ଠିକ ସେଇ ପରି ଅନ୍ୟାନ୍ୟ ଫଳ ଓ ପରିବା । ମୋ ପିଲାବେଳେ ଶଗଡ଼ରେ ଓଦର ସାହାଯ୍ୟରେ ଖତ ବୁହା ହୋଇ ବିଲରେ ପଡ଼ିବା, ବଳଦଙ୍କ ଦ୍ୱାରା ହଳ, ମଇ ଚଳାଇବାର କାମ ପ୍ରଚୁର ମାତ୍ରାରେ ହେଉଥିଲା । ଦେଶୀ ଧାନ ବିହନରୁ ତଳିପକାଯାଇ ରୁଆ ହେଉଥିଲା । କିଛି ଦିନ ପରେ ଗର୍ଭଣା ସଂକ୍ରାନ୍ତି ବେଳକୁ ଯେତେବେଳେ ଧାନ ଗଛରେ ଫୁଲ ଧରେ ପ୍ରଚୁର ମାତ୍ରାରେ ବିଲରେ କଙ୍କଡ଼ା ଓ ଚୁନା ମାଛ ମିଳୁଥିବାର ବହୁଳତା ଦେଖିଛି ଏ ଲେଖକ । ଲୋକେ ସେଇ ଅମଳ ଧାନରୁ ଚାଉଳ, ଚୁଡ଼ା, ମୁଢ଼ି, ହୁଡ଼ୁମ, ବନ୍ଧୁବାନ୍ଧବ, ଯାନିଯାତ୍ରା ପାଇଁ ଖର୍ଚ୍ଚ ସବୁ ସେଇଥିରୁ ବାହାର କରି ଆସନ୍ତା ବର୍ଷ ପାଇଁ ପୁରୁଣା ଚାଉଳ ସାଇତି ରଖୁଥିଲେ । ଏବେ କ୍ୟାନସର, ହୃଦରୋଗ, କିଡ଼ନୀ ରୋଗ ପରି ରୋଗ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଉଛି । ରୋଗ ନହେବା ପାଇଁ ଖତ, ପୋକ ନହେବା ପାଇଁ ଲିମ୍ବ ତେଲ, ଭଲ ଫସଲ ବା ଧାନ ହେବା ପାଇଁ ଦେଶୀ ଧାନମଞ୍ଜିର ଆବଶ୍ୟକତା ଥାଏ । ଆମ ରାଜ୍ୟରେ ପଦ୍ମଶ୍ରୀ କମଳା ପୂଜାରୀ, ପଦ୍ମଶ୍ରୀ ରାଧାମୋହନ, ପଦ୍ମଶ୍ରୀ ସାବରମତୀଙ୍କ ପ୍ରଚେଷ୍ଟାରେ ଧାନ ମଞ୍ଜି ବା ବିହନ ମହଜୁତ କରାଯାଇ କୃଷକ ମାନଙ୍କୁ ସୁଲଭ ଦରରେ ଯୋଗାଇ ଦିଆଯାଉଛି । କୃଷକ ମାନଙ୍କୁ ଟ୍ରାକ୍ଟର କିଣିବାକୁ ସବସିଡ଼ ମିଳୁଛି କିନ୍ତୁ ଶଗଡ଼ ପାଇଁ କି ଖତ ପାଇଁ ନୁହେଁ, ସାର ପାଇଁ ସବସିଡିÿ ମିଳୁଛି କିନ୍ତୁ ଲିମ୍ବ ତେଲ ପାଇଁ ନୁହେଁ । ସବୁ ବିଲକୁ ପାଣି, ଖତ, ଗୋବର, ଲିମ୍ବତେଲ ଏହି ସବୁ ଉପାୟ ଅବଲମ୍ବନରେ ଚାଷ ହେଲେ ରୋଗ ହେବନାହିଁ । ଡାକ୍ତରଖାନା ଯିବାକୁ ପଡ଼ିବ ନାହିଁ । ଲୋକେ ବେମାର ପଡ଼ିବେ ନାହିଁ । ସରକାରଙ୍କର କୋଟି କୋଟି ଟଙ୍କା ରୋଗ ବାବଦରେ ଖର୍ଚ୍ଚ ନହୋଇ ଅନ୍ୟବାଟରେ ଖର୍ଚ୍ଚ ହେଲେ ଆମ ରାଜ୍ୟ ବିକଶିତ ରାଜ୍ୟ ହୋଇ ଆଗକୁ ଆଗକୁ ବଢ଼ିବ । ଜୈବିକ ଉପାୟରେ ଚାଷ ହେଲେ ତାହା ବଜାରରେ ଉଚ୍ଚମୂଲ୍ୟ ବିକ୍ରି ହୋଇପାରିବ ଫଳରେ କୃଷକ ଓ ଏଥିରେ ଜଡ଼ିତ ଲୋକେ ଭଲ ମାତ୍ରାରେ ଲାଭ ପାଇପାରିବେ ।
ବାଦଲ ଭୂୟାଁ
ମୋ: ୭୪୮୮୯୯୮୫୩୨