ଡକ୍ଟର ନଟବର ସାମନ୍ତରାୟ 

ଓଡ଼ିଆ ସାହିତ୍ୟର ଧର୍ମ ଧାରାରେ ପ୍ରଚଳିତ ପଞ୍ଚସଖାର ପରିକଳ୍ପନା ଏକ କାଳ୍ପନିକ ଆବେଗ ବୋଲି ମତ ଦେଇ ଏକଦା ଚହଳ ସୃଷ୍ଟି କରିଥିଲେ ଜଣେ ସୁପ୍ରସିଦ୍ଧ ଗବେଷକ ନିବନ୍ଧକାର । ଏହି ପ୍ରସଙ୍ଗରେ ତାଙ୍କ ଦ୍ୱାରା ଲିଖିତ ଗବେଷଣାତ୍ମକ ପୁସ୍ତକ ସଖାହୀନ ପଞ୍ଚସଖା ୧୯୭୫ରେ ପ୍ରକାଶିତ ହୋଇଥିଲା । ଅନେକ ତାଙ୍କ ମତକୁ ଖଣ୍ଡନ କରିବା ପାଇଁ ଉଦ୍ୟମ କରିଥିଲେ ହେଁ, ଶେଷରେ ବିଜୟ ହୋଇଥିଲା ତାଙ୍କର । ସେ ହେଉଛନ୍ତି ଡକ୍ଟର ନଟବର ସାମନ୍ତରାୟ । ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ତାଙ୍କ ଅବଦାନ ଯୁଗ ପରେ ଯୁଗ, ତାଙ୍କୁ ଅବିସ୍ମରଣୀୟ କରିରଖିବ । 
ନିଜ ଲେଖକ ଜୀବନରେ ସେ ସରଳ ତଥା ରସାଳ ଭାଷାରେ ବହୁ ପ୍ରବନ୍ଧ ରଚନା କରିଥିଲେ । ବ୍ୟାସକବି ଫକୀରମୋହନଙ୍କ ରଚନା ଆଧାରରେ ତାଙ୍କ ଦ୍ୱାରା ଲିଖିତ ପାଗଳ ଭଗିଆର ଜବାନବନ୍ଦି, ନେତ୍ରମଣିର ଡାଏରି, ମୁଁ ଚଷା ପୁଅ, ଦାରୋଗାବାବୁଙ୍କ ରିପୋର୍ଟ, ନଟବରଙ୍କ ନିକଟକୁ ଗୋକୁଳି ପଟ୍ଟନାୟକଙ୍କ ପତ୍ର ଆଦି ପ୍ରବନ୍ଧ ଉଲ୍ଲେଖଯୋଗ୍ୟ । ଓଡ଼ିଶା ସାହିତ୍ୟରେ ଡକ୍ଟରେଟ୍ ଲାଭ କରିଥିବା ନଟବରଙ୍କ କର୍ମମୟ ଜୀବନ ହାଇସ୍କୁଲ ଶିକ୍ଷକ ଭାବେ ଆରମ୍ଭ ହୋଇଥିଲା । ସ୍କୁଲ ଶିକ୍ଷକ ଜୀବନରେ ସେ ପିଲାଙ୍କୁ ଗଣିତ, ଭୂଗୋଳ ଆଦି ପଢ଼ାଉଥିଲେ । କୈଶୋରରେ ପରିବାରର ଆର୍ଥିକ ସଙ୍କଟ, ତାଙ୍କ ଛାତ୍ର ଜୀବନକୁ ବ୍ୟତିବ୍ୟସ୍ତ କରି ରଖିଥିଲା । ଜଣେ ବାଲ୍ୟବନ୍ଧୁଙ୍କ ପିତା ତାଙ୍କର ଶିକ୍ଷା ଖର୍ଚ୍ଚ ବହନ କରିଥିଲେ । ଏକଦା ଉଚ୍ଚ ଶିକ୍ଷା ଲାଭ ଲକ୍ଷ୍ୟରେ ନଟବର ଘର ଛାଡ଼ି ଟାଟାନଗର ପଳାଇଥିଲେ । ପରେ ସେ ଯାଇଥିଲେ ବାରଣାସୀରେ କିଛି କାଳ ରହି ଘରୋଇ ଭାବେ ଆଇଏ ପଢ଼ିଥିଲେ । ତାହା ପରେ ଓଡ଼ିଶା ଫେରି ରେଭେନ୍ସାରୁ ସ୍ନାତକ ଏବଂ ପରେ ଘରୋଇ ଭାବେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ବାରିପଦାର ଏମ୍ପିସି କଲେଜରୁ ତାଙ୍କର ଅଧ୍ୟାପକ ଜୀବନର ପ୍ରାରମ୍ଭ । ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାର ଲାଭ କରିଥିବା ନଟବରଙ୍କର ୨୦୦୦ ଅଗଷ୍ଟ ୧୭ ତାରିଖ ଦିନ ପରଲୋକ ହୋଇଥିଲା । 
ବାଦଲ ଭୂୟାଁ
ମୋ: ୭୪୮୮୯୯୮୫୩୨