ଦୁର୍ନୀତି ପ୍ରସଙ୍ଗରେ ବିଶେଷାଧିକାର
ଦେଶର ସର୍ବୋଚ୍ଚ ଅଦାଲତ ଏଇ କିଛିଦିନ ମଧ୍ୟରେ ଏମିତି କିଛି ନିର୍ଣ୍ଣୟ ବା ରାୟ ଶୁଣାଇଛନ୍ତି ଯାହା ଅଦାଲତ ଏବଂ ଦେଶର ଗରିମା ବୃଦ୍ଧି କରିଛି । ଏହି ରାୟ ସବୁ ଉଦାହରଣ ପାଲଟି ଯାଇଛି । ମାନ୍ୟବର ଅଦାଲତଙ୍କ ରାୟ ଦେଶବାସୀଙ୍କୁ ନ୍ୟାୟପାଳିକା ପ୍ରତି ବିଶବାସକୁ ସୁଦୃଢ଼ କରିଛି । ଏଥିପାଇଁ ଦେଶବାସୀ ମଧ୍ୟ ଅଦାଲତକୁ ସାଧୁବାଦ ଜଣାଉଛନ୍ତି । ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି କରିଛି ଯେ, ଆମ ଦେଶରେ ନ୍ୟାୟ ବ୍ୟବସ୍ଥା କେବେ ଦୁର୍ବଳ ହୋଇପାରିବ ନାହିଁ । ବିଗତ କିଛିବର୍ଷ ହେବ ନ୍ୟାୟପାଳିକାକୁ ଦୁର୍ବଳ କରାଯିବା ପାଇଁ ଉଦ୍ୟମ ହେଉଛି ବୋଲି ବିଭିନ୍ନ ସ୍ତରରେ ଅଭିଯୋଗ ହେଉଥିଲା । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ଅନେକ ଯୁଗାନ୍ତକାରୀ ରାୟ ପରେ ଏକଥା ଭୁଲ୍ ପ୍ରମାଣିତ ହୋଇଛି । ଗତ ତାରିଖ ଦିନ ମାନ୍ୟବର ଅଦାଲତ ନୋଟ୍ ବଦଳରେ ଭୋଟ୍ ମାମଲାରେ ଐତିହାସିକ ରାୟ ଶୁଣାଇଥିଲେ । ଏବେ ଲାଞ୍ଚନେଇ ସଂସଦ/ବିଧାନସଭାରେ ଭୋଟ୍ ଦେବା, ପ୍ରଶ୍ନ ପଚାରିବା ପ୍ରସଙ୍ଗରେ ସାଂସଦ/ବିଧାୟକମାନଙ୍କୁ ବିଶେଷାଧିକାର ଅନୁସାରେ କୌଣସି ସୁରକ୍ଷା ମିଳିବ ନାହିଁ । ସର୍ବୋଚ୍ଚ ଅଦାଲତଙ୍କ ୭ ଜଣିଆ ପୀଠ ଏ ପ୍ରସଙ୍ଗରେ ଥିବା ୨୫ ବର୍ଷର ଏକ ରାୟକୁ ଠିକ୍ ନୁହେଁ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦଚୂଡ଼, ବିଚାରପତି ଏସ୍. ବୋପାନ୍ନା, ବିଚାରପତି ଜେ.ବି. ପାରଦିୱାଲା, ବିଚାରପତି ସଞ୍ଜୟ କୁମାର ଏବଂ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ କହିଛନ୍ତି ଯେ, ୧୯୯୮ରେ ଦିଆଯାଇଥିବା ରାୟ ଉପରେ ଆମର ସହମତି ନାହିଁ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ “ଆମେ ୧୯୯୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ମାମଲାରେ ବହୁମତରେ ଯେଉଁ ରାୟ ଦିଆଯାଇଥିଲା ସେଥିରେ ଏକମତ ନୋହୁଁ ।” ପି.ଭି. ନରସିଂହ ରାଓ ସରକାର ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ସେତେବେଳେ କେତେକ ସାଂସଦଙ୍କୁ ଲାଞ୍ଚ ଦେଇଥିଲେ ବୋଲି ଅଭିଯୋଗ ଉଠିଥିଲା । ଏ ମାମଲା ମଧ୍ୟ ସର୍ବୋଚ୍ଚ ଅଦାଲତକୁ ଯାଇଥିଲା । ସେତେବେଳେ ୫ ଜଣିଆ ପୀଠ ୩-୨ ମତରେ ସାଂସଦ/ବିଧାୟକଙ୍କ ବିଶେଷାଧିକାର କଥା ଦର୍ଶାଇ ଲାଞ୍ଚ ନେଲେ ମଧ୍ୟ ବିଶେଷାଧିକାର କାରଣରୁ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ହୋଇପାରିବ ନାହିଁ ବୋଲି କହିଥିଲେ ।
ପ୍ରଧାନ ବିଚାରପତିଙ୍କ ମତରେ “ଲାଞ୍ଚ ନେବା ଏକ ଅପରାଧ ଯାହା ସହ ସଂସଦୀୟ ବିଶେଷାଧିକାରର କୌଣସି ସମ୍ପର୍କ ନାହିଁ । ଲାଞ୍ଚ ଏବଂ ଭ୍ରଷ୍ଟାଚାର ସମ୍ବିଧାନର ଆକାଂକ୍ଷା ଏବଂ ଆଦର୍ଶ ପାଇଁ ବିନାଶକାରୀ ଅଟେ ଏବଂ ଏହା ଏମିିତି ଏକ ରାଜନୈତିକ ବ୍ୟବସ୍ଥାର ନିର୍ମାଣ କରାଯାଏ ଯାହା ନାଗରିକମାନଙ୍କୁ ଉତ୍ତରଦାୟୀ ଏବଂ ପ୍ରତିନିଧିକ ଗଣତନ୍ତ୍ରରୁ ବଞ୍ଚିତ କରିଥାଏ ।” ମାନ୍ୟବର ଅଦାଲତଙ୍କ ପୀଠ ସମ୍ବିଧାନର ଅନୁଛେଦ ୧୦୫ ଏବଂ ୧୯୪କୁ ମଧ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଏହି ଅନୁଛେଦ ସାଂସଦ/ବିଧାୟକମାନଙ୍କୁ ଭାଷଣର ବାକ୍ ସ୍ୱାଧୀନତାର ସୁରକ୍ଷା ଦେଉଥିଲେ ଏବଂ ସଂସଦ/ବିଧାନସଭାରେ କିଛି ବି କହିବା ଏପରିକି ଭୋଟ୍ଦାନ ସମ୍ପର୍କରେ ନ୍ୟାୟାଳୟର କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇ ଦେଉଥିଲା । ଅଦାଲତ କହିଛନ୍ତି ଯେ, ୧୯୯୮ର ରାୟ ଏକ ବିରୋଧାଭାସୀ ସ୍ଥିତି ସୃଷ୍ଟି କରିଦେଇଥିଲା, କିନ୍ତୁ ଏବେ ଲାଞ୍ଚ ମାମଲାରେ ସାଂସଦ/ବିଧାୟକଙ୍କ ନାମରେ ମୋକଦ୍ଦମା ଚାଲିପାରିବ । ସାମ୍ବିଧାନିକ ପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ, ଲାଞ୍ଚ ନେବା ଏକ ଅରାଧିକ କାର୍ଯ୍ୟ । ସାଂସଦ/ବିଧାୟକଙ୍କ ଭ୍ରଷ୍ଟାଚାର ଏବଂ ଲାଞ୍ଚ ନେବା ସାର୍ବଜନିକ ଜୀବନରେ ସାଧୁତାକୁ ନଷ୍ଟ କରିଦିଏ । ଏଣୁ ସଂସଦୀୟ ବିଶେଷାଧିକାର ଅନୁସାରେ ସଂରକ୍ଷଣ ଦିଆଯାଇପାରିବ ନାହିଁ ।
୧୯୯୮ ମସିହାର ଘଟଣା ପରେ ଏ ପ୍ରସଙ୍ଗ ଦ୍ୱିତୀୟବାର ଉଠିଥିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ୍ଙ୍କ ମାମଲା କାରଣରୁ । ୨୦୧୨ର ରାଜ୍ୟସଭା ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ସେ ଲାଞ୍ଚ ନେଇଥିଲେ ବୋଲି ଅଭିଯାଗ ହୋଇଥିଲା । ସୀତା ସୋରେନ୍ଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ଦର୍ଶାଯାଇଥିଲା ଯେ, ସଦନରେ କିଛି କହିବା ଓ ଭୋଟ୍ ଦେବାପାଇଁ ସମ୍ବିଧାନର ଅନୁଛେଦ ୧୯୪(୨)ରେ ତାଙ୍କୁ ସଂରକ୍ଷଣ ମିଳିଛି । ଏହି ପ୍ରସଙ୍ଗ ସର୍ବୋଚ୍ଚ ଅଦାଲତଙ୍କ ନିକଟକୁ ବିଚାର ପାଇଁ ଆସିଥିଲା । ମାମଲାର ବିଚାର କରି ମାନ୍ୟବରର ଅଦାଲତ ଅନୁଛେଦ ୧୦୫ ଓ ୧୯୪ର ବିଶେଷାଧିକରକୁ ରଦ୍ଦ କରିଦେଇଛନ୍ତି । ସୀତା ସୋରେନ୍ଙ୍କୁ ଏହି ମାମଲାରେ ୨୦୧୯ ମାର୍ଚ୍ଚରେ ମାନ୍ୟବର ସୁପ୍ରମ୍କୋର୍ଟ ମଧ୍ୟ ଲାଞ୍ଚ ମାମଲାକୁ ବିଶେଷାଧିକାର ଆଖ୍ୟା ଦେଇଥିଲେ । ସେତେବେଳର ପ୍ରଧାନବିଚାରପତି ରଞ୍ଜନ ଗୋଗେଇ, ବିଚାରପତି ଅବ୍ଦୁଲ ନଜିର ଏବଂ ବିଚାରପତି ସଞ୍ଜିବ ଖାନ୍ନାଙ୍କ ପୀଠ କହିଥିଲେ ଯେ, ସୀତା ସୋରେନ୍ଙ୍କ ପ୍ରସଙ୍ଗ ୧୯୯୮ର ପି.ଭି. ନରସିଂହ ରାଓଙ୍କ ଭଳି । କିନ୍ତୁ ୧୯୯୮ର ନିର୍ଣ୍ଣୟ ୩-୨ ବ୍ୟବଧାନରେ ଥିଲା । ଏଣୁ ୨୦୧୯ର ପୀଠ ଏହାକୁ ପର୍ଯ୍ୟାପ୍ତ ସାର୍ବଜନିକ ମହତ୍ୱ ଥିବା ପ୍ରସଙ୍ଗ କହି ୫ ଜଣିଆ ପୀଠଙ୍କ ନିକଟକୁ ବିଚାର ପାଇଁ ପଠାଯିବା ଉଚିତ୍ ବୋଲି କହିଥିଲେ । ପରେ ମାମଲାକୁ ବିଚାର କରିଥିଲେ ୫ ଜଣିଆ ପୀଠ । ୨୦୨୩ ସେପ୍ଟେମ୍ବର ମାସରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ପୀଠ ଏହି ମାମଲାର ପୁନଃବିଚାର କରିବାର ଆବଶ୍ୟକତା ଥିବା କଥା କହିବା ପରେ ୭ ଜଣିଆ ପୀଠ ଏହାର ବିଚାର କରିଥିଲେ ।
ଏବେ ଦେଶର ରାଜନୀତି କେଉଁ ଆଡ଼କୁ ଯାଉଛି? ରାଜ୍ୟରେ ନିର୍ବାଚନରେ ବହୁମତ ଥାଇ ମଧ୍ୟ ଦଳୀୟ ପ୍ରାର୍ଥୀ ହାରିଯାଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ଏହା ପଛରେ ରହିଛି ଅର୍ଥ କିମ୍ବା ପଦବୀର ନେଣ ଦେଣ । ସୁପ୍ରିମ୍କୋର୍ଟ ଠିକ୍ ଭାବରେ ହୃଦୟଙ୍ଗମ କରିଛନ୍ତି ଯେ, ନେତାମାନଙ୍କ ଦ୍ୱାରା କରାଯାଉଥିବା ଭ୍ରଷ୍ଟାଚାର ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ଦୁର୍ବଳ କରିଦେଉଛି । ସଂସଦ ହେଉଛି ଦେଶର ସବୁଠୁ ବଡ଼ ପଞ୍ଚାୟତ । କିନ୍ତୁ ଏଠାରେ ସାଂସଦ ଅର୍ଥ ନେଇ ପ୍ରଶ୍ନ ପଚାରି ଧରାପଡ଼ନ୍ତି । ଏହା କ’ଣ ଲଜ୍ଜାଜନକ ଘଟଣା ନୁହେଁ କି? ସମ୍ବିଧାନ ସାଂସଦ/ବିଧାୟକଙ୍କୁ ଅର୍ଥ ନେଇ ପ୍ରଶ୍ନ ପଚାରିବା ବା ଭୋଟ୍ ଦେବାର ଅଧିକାର କେମିତି ଦେଇପାରିବ? ତିନି-ଚାରି ଦଶନ୍ଧି ପୂର୍ବେ ସାର୍ବଜନିକ ଜୀବନରେ ଭ୍ରଷ୍ଟାଚାର ସାମଲା ଆସିଲେ ତୋଫାନ ଆସିଯାଉଥିଲା । ବୋଫର୍ସ ତୋପ କ୍ରୟ ଘଟଣାରେ ଲାଞ୍ଚ କାରବାର ଘଟଣାକୁ ନେଇ ଦେଶ ଉଠୁଥିଲା ପଡୁଥିଲା । ଏହି ଘଟଣାରେ ସରକାର ବଦଳିଯାଇଥିଲା । କିନ୍ତୁ ଆଜିର ସମୟରେ ଏଭଳି ଘଟଣା ଗୁରୁତ୍ୱହୀନ । ଝାଡ଼ଖଣ୍ଡର ବିଧାୟକ ସୀତା ସୋରେନ୍ଙ୍କ ଘଟଣାରେ ମାନ୍ୟବର ଅଦାଲତଙ୍କ ରାୟ ପରେ ଏଭଳି ଘଟଣା ଆଉ ଘଟିବ ନାହିଁ ତ? ଏଇ କିଛିଦିନ ତଳେ ହିମାଚଳ ପ୍ରଦେଶରେ ସେଇ ଏକାପରି ଘଟଣା ଘଟିଛି । କଂଗ୍ରେସ ବିଧାୟକ ବିଜେପି ପକ୍ଷରେ ଭୋଟ୍ ଦେଇଛନ୍ତି । ଏ ଘଟଣା ତଦନ୍ତ ସାପେକ୍ଷ ।
ବସ୍ତୁତଃ, ଆମ ରାଜନୀତି ଏବେ ଏମିତି ହୋଇଯାଇଛି ଯେ, କୌଣସି ପ୍ରକାରେ ଜିତିବାର ଲକ୍ଷ୍ୟ ରହିଛି । ସାମ୍ବିଧାନିକ ନୈତିକତା କଥାକୁ କେହି ଦେଖୁନାହାନ୍ତି । ମାନନୀୟମାନେ ଅନେକ କଥା କହୁଛନ୍ତି କିନ୍ତୁ ପ୍ରଶ୍ନ ଉଠେ ଯେ, ତାଙ୍କ ଆଚରଣ ଓ ଉଚ୍ଚାରଣରେ ସମାନତା ରହୁଛି କି? ୧୯୯୬ ଏବଂ ୨୦୧୧ରୁ ୧୫ ଭିତରେ ଏହି ବିକୃତିକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି କି? କୌଣସି ପଦକ୍ଷେପ ନିଆଯାଇନାହିଁ କାରଣ ରାଜନୀତି ଏକ ଅର୍ଥର ଖେଳ ପାଲଟିଯାଇଛି । ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କ’ଣ ଆମ ମାନନୀୟମାନେ ଅର୍ଥ ପାଇଁ ନିଜର ଗରିମା ଓ ସମ୍ମାନ ବିକି୍ର କରିପାରିବେ? ଏ ପ୍ରସଙ୍ଗରେ କାହାରି ପଶ୍ଚାତାପ ନାହିଁ । ଯାହାବି ହେଉ ସର୍ବୋଚ୍ଚ ଅଦାଲତ ଏବେ ଆଇନା ଦେଖାଇ ଦେଇଛନ୍ତି । ଆମ ମାନନୀୟମାନେ ମନେରଖିବା ଉଚିତ୍ ଯେ, ଏକ ଅଗଣତାନ୍ତ୍ରିକ ବ୍ୟବସ୍ଥାରେ ଗାଦି (ଶାସନ) ସହ ଉତ୍ତରଦାୟିତ୍ୱ ମଧ୍ୟ ଯୋଡ଼ି ହୋଇ ରହିଛି । ସର୍ବୋଚ୍ଚ ଅଦାଲତ ପ୍ରତ୍ୟକ୍ଷ ଭାାବେ ମାନନୀୟମାନଙ୍କୁ ଏକ ଚେତାବନୀ ଏହି ରାୟ ମାଧ୍ୟମରେ ଦେଇଛନ୍ତି ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪