ନିଷିଦ୍ଧ ନିଶାଦ୍ରବ୍ୟ ବ୍ୟବସାୟ 

ଜୁନ ୨୬ ତାରିଖକୁ ସଂଯୁକ୍ତ ଜାତିସଂଘ ନିଷିଦ୍ଧ ନିଶାର ଅପବ୍ୟବହାର ଓ ତାର ବ୍ୟବସ୍ଥାର ସଚେତନତା ଦିବସ ରୂପେ ପାଳନ କରୁଅଛି । ମାନବ ସଭ୍ୟତା ଆରମ୍ଭରୁ ସମାଜ ବହୁ ପ୍ରକାର ନିଶା ଦ୍ରବ୍ୟକୁ ଆଦରି ଆସିଛି । ଏହି ନିଶା ଦ୍ରବ୍ୟ ଲୋକମାନଙ୍କର ଚିନ୍ତା, ଭାବନା, ଆବେଗ, ଭୋକ, ନିଦ୍ରା, ଯୌନ, ଇଛା, ବ୍ୟଥା ଉପଶମ ଓ ବ୍ୟବହାରରେ ନିୟନ୍ତ୍ରଣ ଆଣିବା ପାଇଁ ବ୍ୟବହାର କରାଯାଇଥାଏ, କିନ୍ତୁ ଦିନକୁ ଦିନ ନିଶା ବ୍ୟବହାର କରୁଥିବା ଲୋକମାନଙ୍କର ବର୍ଦ୍ଧିତ ଓ କ୍ରମବର୍ଦ୍ଧିଷ୍ଣୁ ମାତ୍ରା ସମାଜ ପାଇଁ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏହାର ନିରାକରଣ ପାଇଁ ଜରୁରୀକାଳୀନ ପଦକ୍ଷେପ ନିଆ ନଗଲେ ସମାଜ ଧ୍ୱଂସାଭିମୁଖୀ ହେବ, ଏହା ନିଃସନେ୍ଦହ । ଏଥିପାଇଁ ଆଜିର ଦିନ (ଜୁନ ୨୬ ତାରିଖ)କୁ ସଂଯୁକ୍ତ ଜାତିସଂଘ ନିଷିଦ୍ଧ ନିଶାର ଅପବ୍ୟବହାର ଓ ତାର ବ୍ୟବସ୍ଥାର ସଚେତନତା ଦିବସ ରୂପେ ପାଳନ କରୁଅଛି । ଏହି ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ଏହା ବିଭିନ୍ନ ଅସାମାଜିକ ବ୍ୟକ୍ତି, ଅନୁଷ୍ଠାନକୁ ଆକୃଷ୍ଟ କରିଛି ଯାହାକି ବିଶ୍ୱବାସୀଙ୍କ ଚିନ୍ତାର ବିଷୟ ପାଲଟି ଗଲାଣି । ସାଧାରଣତଃ ପ୍ରଚଳିତ ନିଶାଦ୍ରବ୍ୟ ଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଆଇନ ସମ୍ମତ - ଦେଶର ଆଇନ ବ୍ୟବସ୍ଥା ଯେଉଁ ନିଶାର ବ୍ୟବହାର ଓ ଉତ୍ପାଦନ ଆଦିକୁ ଅନୁମତି ଦେଇଥାଏ, ଯେମିତିକି ଭାରତରେ ମଦ, ପାନ, ବିଡ଼ି, ସିଗାରେଟ, ଗୁଟଖା, ଭାଙ୍ଗ ଇତ୍ୟାଦି । ଆଇନ ଅସମ୍ମତ - ଯେମିତିକି ହିରୋଇନ, ଗଞ୍ଜେଇ, ଅଫିମ, ଆମଫିଟାମିନ, ବ୍ରାଉନସୁଗାର, ଚରସ ଓ ହାସିସ୍ ଇତ୍ୟାଦି । ମୁଖ୍ୟତଃ ବିଶ୍ୱର ୭୫% ଅଫିମ ଆଫଗାନିସ୍ଥାନରୁ ଓ କୋକେନ୍ ହଣ୍ଡୁରାସରୁ ଉତ୍ପାଦନ ହୁଏ । ଏହି ନିଶା କାରବାର ଉପରୋକ୍ତ ଦୁଇ ଦେଶରୁ ଆରମ୍ଭ ହୋଇ ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପିଛି, ଯଥା ଆରବ ଦେଶ, ଋଷିଆ, ୟୁରୋପ, ଆମେରିକା, ଭାରତ ଓ ଅନ୍ୟ ଛୋଟବଡ଼ ଦେଶ । ଏକ ରିପୋର୍ଟରୁ ଜଣାଯାଇଛି ଯେ ଯେଉଁ ପଥ ଦେଇ ଏହି ନିଶାଦ୍ରବ୍ୟର ପରିବହନ ହୋଇଥାଏ ସେହି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଅଧିକ ହୋଇଥାଏ । ଏହାର ବ୍ୟବସାୟ ବହୁପ୍ରକାର ଅସାମାଜିକ ବ୍ୟକ୍ତି ଓ ଅନୁଷ୍ଠାନକୁ ଆକୃଷ୍ଟ କରିଥାଏ । କାରଣ ଅନ୍ୟ ଯେକୌଣସି ବ୍ୟବସାୟ ତୁଳନାରେ ଏହା ଅଧିକ ଲାଭଜନକ । ଅଲକାଇଦା, ଆଇଏସଆଇଏସ ଭଳି ଆନ୍ତର୍ଜାତିକ ଆତଙ୍କବାଦୀ ସଙ୍ଗଠନମାନଙ୍କର ଏହା ମୁଖ୍ୟ ଆୟର ମାର୍ଗ । ଏହି ନିଶା ବ୍ୟବସାୟ ସମଗ୍ର ବିଶ୍ୱବାଣିଜ୍ୟର ୧% ଅର୍ଥ । 
          ନିୟମିତ ନିଶା ସେବନ ଦ୍ୱାରା ମଣିଷର ସ୍ୱାସ୍ଥ୍ୟ, ଚାଲିଚଳନ, ପାରିବାରିକ, ସାମାଜିକ ସମ୍ପର୍କ କାର୍ଯ୍ୟଦକ୍ଷତା, ଅର୍ଥାଭାବ ଓ ଥଇଥାନ ସମସ୍ୟା ଇତ୍ୟାଦି ଦେଖାଯାଏ । ଏହା ଜନିତ ମୁଖ୍ୟ ଶାରୀରିକ ସମସ୍ୟା ହେଲା ଜଣ୍ଡିସ ବା କାମଳରୋଗ, ପେପ୍ଟିକ ଅଲସର, ନିଉରାଇଟିସ୍ ପାରାଲିସିସ୍, ହୃଦ୍ଘାତ, ଯକୃତ ଜନିତ ରୋଗ, ଅପସ୍ମାର ବାତ ଇତ୍ୟାଦି ।  ନିଶା ବ୍ୟବହାର ଦ୍ୱାରା କେତେକ ସୁପ୍ତ ମାନସିକ ରୋଗ ପୂର୍ଣ୍ଣ ମାନସିକ ରୋଗ ହିସାବରେ ମଧ୍ୟ ଉଭା ହୋଇଥାଏ: ଯେପରିକି ଡିପ୍ରେସନ, ସିଜୋଫ୍ରେନିଆ, ସାଇକୋସିସ୍ ଇତ୍ୟାଦି । ନିୟମିତ ନିଶାଦ୍ରବ୍ୟ ବ୍ୟବହାର ଦ୍ୱାରା ଅନେକ ମାନସିକ ରୋଗର ସମ୍ମୁଖୀନ ହୋଇଥାନ୍ତି । ଯେପରିକି ନିଦ୍ରାହୀନତା, ଆବେଗଜନିତ ସମସ୍ୟା, ସ୍ମରଣଶକ୍ତି କମିଯିବା, ସନେ୍ଦହ କରିବା ଦ୍ୱାରା ବିବାହ ବିଚ୍ଛେଦ ହେବା, ଆତ୍ମହତ୍ୟା ପ୍ରବଣତା ବଢ଼ିଯିବା, ଶୂନ୍ୟରୁ କଥା ଶୁଣିବା, ଅବାନ୍ତର କଥା ହେବା, ନିଶା ନଖାଇଲେ ନିଦ ନହେବା ଏବଂ ନିଶା ଛାଡ଼ିବାର ଇଛା ସତ୍ତ୍ୱେ ଛାଡ଼ି ନପାରିବା ।  ଭାରତରେ ନିଶା ଦ୍ରବ୍ୟର ବ୍ୟବହାର ବହୁଳ ଭାବେ ପଞ୍ଜାବରେ ଦେଖାଯାଏ ଏବଂ ଭାରତ ବର୍ଷରେ ପଞ୍ଜାବ ନିଶା ଜର୍ଜରିତ ରାଜ୍ୟ ଭାବେ ପରିଚିତ । ଏଠି ସୂଚନାଯୋଗ୍ୟ ହିନ୍ଦୀ ସିନେମା ‘ଉଡତା ପଞ୍ଜାବ’ ଏହି ନିଶା କାରବାର ଓ ବ୍ୟବହାରକୁ ବିଷୟକୁ ନେଇ ଆଧାରିତ । ଏହି ରାଜ୍ୟ ଅନ୍ତର୍ଭୁକ୍ତ ସୀମା ପାଶ୍ୱର୍ବର୍ତ୍ତୀ ଗ୍ରାମାଞ୍ଚଳମାନଙ୍କରେ ନିଶା କାରବାର ଏକ କୌଳିକ ବୃତ୍ତି ଭାବରେ ଆଦିର ନେଲେଣି । ଯେଉଁ ବ୍ରାଉନ ସୁଗାରର ଦର ସୀମାପାଶ୍ୱର୍ରେ ୧ଲକ୍ଷ ସେହି ଦ୍ରବ୍ୟ ଦିଲ୍ଲୀରେ ୧କୋଟି ଟଙ୍କା ହୋଇଯାଏ । ଏହି ରାଜ୍ୟର ୭୫%ରୁ ଅଧିକ ଯୁବକ/ଯୁବତୀ ନିଶାଗ୍ରସ୍ତ ଅଟନ୍ତି । ଆମ ଓଡ଼ିଶାରେ ମଧ୍ୟ ଏହି ନିଶା ଦ୍ରବ୍ୟର ବ୍ୟବହାର କମ୍ ନୁହେଁ । ସାଧାରଣତଃ ଓଡ଼ିଶାର ଦକ୍ଷିଣ ଭାଗ ଯଥା ମାଓବାଦୀ ପ୍ରବଣ ଜିଲ୍ଳାମାନଙ୍କରେ ନିଶାଦ୍ରବ୍ୟର ଉତ୍ପାଦନ ଅଧିକ ହୋଇଥାଏ । ନିଶାମୁକ୍ତ ସମାଜ ଗଠନ କରିବା ଯଦିଓ ଅସମ୍ଭବ, କିନ୍ତୁ ସଚେତନତା ଓ ସରକାରଙ୍କ ଉଚିତ ପଦକ୍ଷେପ ଦ୍ୱାରା ଏହାର ବ୍ୟବହାର ଓ ଉତ୍ପାଦନକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିହେବ । ନିଶାଗ୍ରସ୍ତ ରୋଗୀଙ୍କ ଚିକିତ୍ସା ବନେ୍ଦାବସ୍ତ କରିବା ସରକାରୀ ଓ ବେସରକାରୀ ସ୍ତରରେ ନିତାନ୍ତ ଆବଶ୍ୟକ । ବର୍ତ୍ତମାନ ଆମ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ହେବାକୁ ଯାଉଥିବା ୮ଟି ନିଶା ନିବାରଣ କେନ୍ଦ୍ର ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ଆଧାର ହେବ । ଆଇନଜ୍ଞ, ଶିକ୍ଷାବିତ୍, ପୁଲିସ୍, ସମ୍ବାଦପତ୍ର, ସାମାଜିକ ସ୍ୱେଚ୍ଛାସେବୀମାନଙ୍କର ସଚେତନତା, ମନସ୍ତତ୍ତ୍ୱବିତ୍, ଯଥା ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞ ଏବଂ ସମାଜଅଭିମୁଖୀ ଚେଷ୍ଟା ଦ୍ୱାରା ଏହି ସମସ୍ୟାକୁ ଆମେ ଏଡ଼େଇ ପାରିବା ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ: ୯୪୩୭୦୫୧୯୫୭