ନେତା ଓ ନିର୍ବାଚନ
ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିଲାଣି । ଆଉ ତିନୋଟି ପର୍ଯ୍ୟାୟ ଅଛି । ପ୍ରାୟତଃ ସବୁବେଳେ ରାଜଧାନୀରେ ବାସ କରୁଥିବା ଆମ ନେତାମାନେ ଢ଼େର ଦିନ ଆଗରୁ ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ ଗାଁରେ ଡେରା ପକାଇଛନ୍ତି । କିଏ କାହା ଘରେ ଶାଗ ପଖାଳ ଖାଇଲାଣି ତ କିଏ ଛକ ମୁଣ୍ଡ ଚା ଦୋକାନରେ ଭଙ୍ଗା ବେଞ୍ଚରେ ବସି ଭାବ ଜମେଇ ନିଜକୁ ସେହି ଅଞ୍ଚଳର ମାଟିର ପୁଅ ବୋଲି ଚିକଣ କଥା ଗପିଲେଣି । କିଏ କହିଲେଣି ଆମ ପୂର୍ବଜମାନେ ଏହି ଅଞ୍ଚଳର, ଅମକ ଗାଁର, ଗାଁ ପ୍ରତି ମୋହ ଆଉ ରକ୍ତଗତ ସମ୍ପର୍କ ଆମକୁ ଏଠିକି ଟାଣି ଆଣିଛି ହେଲେ ସିନେମା ହଲରେ ସପ୍ତାହ କି ଦୁଇ ସପ୍ତାହ ସିନେମା ଚାଲିବା ପରେ ପରର ଦୃଶ୍ୟ ଆଉ ସିନେମାର ସ୍ଥିତି ଯାହା ସେ ସବୁ ଦର୍ଶକ ଆଉ ଆମ ଲେଖାର ବର୍ତ୍ତମାନର ପାଠକମାନେ ବେଶ ଭଲ ଭାବେ ବୁଝିପାରୁଥିବେ ।
ଗାଁ ପ୍ରତି ଏହିଭଳି ଭଲପାଇବା ନିର୍ବାଚନ ପରେ ପରେ ସାଧାରଣତଃ ଆଉ ନଥାଏ । ଠିକ ଶ୍ମଶାନ ବୈରାଗ୍ୟ ଭଳି । ନିର୍ବାଚନ ପରେ ନେତାଏ ପୁଣି ଫେରିଯିବେ ରାଜଧାନୀକୁ । ରାଜଧାନୀରେ ବି ସେମାନଙ୍କୁ ଖୋଜିବାକୁ ପଡ଼ିବ । ମୋବାଇଲରେ ଠାବ କରିହେବନି । ମୋବାଇଲ ସୁଇଚ ଅଫ ଦେଖେଇବ କିମ୍ବା ଅପହଞ୍ଚ ଦୂରତାରେ ଥିବା କିମ୍ବା ମନ୍ତ୍ରୀ ବିଧାୟକମାନେ ବାଥରୁମ୍ରେ ଥିବେ ଅଥବା ଯୋଗ କରୁଥିବେ ଦୀର୍ଘ ନିରାମୟ ଜୀବନ ପାଇବା ପାଇଁ । ଥରେ ନିର୍ବାଚନରେ ଜିତିଗଲେ ଆଉ କ'ଣ ଦରକାର? କେବଳ ସୁସ୍ଥ ଜୀବନ ଦରକାର ଅଏସ ଆରମ ପାଇଁ । ନେତାଙ୍କର ଏଭଳି ଆଚରଣ ସହିତ ଯେ ଲୋକେ ପୂର୍ବରୁ ପରିଚିତ ନୁହଁନ୍ତି ଏକଥା ନୁହେଁ ହେଲେ ମଣିଷକୁ ଭଗବାନ ଏମିତି ଉପାଦାନରେ ଗଢ଼ିଛନ୍ତି ଯିଏ ଆଶାରେ ଆଶାରେ ବେଶ ବଞ୍ଚôପାରେ, ସ୍ୱପ୍ନ ଦେଖି ଖୁସି ହୋଇପାରେ - ଏହାର ସୁଯୋଗ ସବୁବେଳେ ନିଅନ୍ତି ନେତାମାନେ ସାଧାରଣ ଲୋକଙ୍କୁ ସ୍ୱପ୍ନ ଦେଖାଇ । ଆମେ ଅନେକ ଥର ରାମାୟଣ ଶୁଣିଛେ । ରାମଲୀଳା ଏବଂ ରାମାୟଣ ସିନେମା ମଧ୍ୟ ଦେଖିଛେ । ରାବଣ ଛଦ୍ମବେଶରେ ଆସି ଭିକ ମାଗିବ ସୀତାଙ୍କୁ ଏବଂ ସୀତା ଲକ୍ଷ୍ମଣଙ୍କ ତିନି ଗାର ଟପି ବପାବାଜୀବେଶୀ ଛଦ୍ମ ରାବଣକୁ ଭିକ ଦେଲାବେଳକୁ ହିଁ ରାବଣ ସୀତାଙ୍କୁ ହରଣ କରିନେଇଯିବା ଏ ଦୃଶ୍ୟ ଆମେ ବାରମ୍ବାର ଦେଖିଛେ, ତଥାପି ଏ ଦୃଶ୍ୟଟିକୁ ଆଉଥରେ ଦେଖିଲେ ଆମ ମନରେ ଏମିତି ଏକ ସନେ୍ଦହ ମଧ୍ୟ ଆସେ ଯେ ସୀତାମାତା ବୋଧେ ତିନିଗାର ଟପି ଆସିବେନି ଆଉ ରାବଣ ତାଙ୍କୁ ହରଣ କରିପାରିବ ନାହିଁ । ଏଭଳି ଏକ ଦ୍ୱନ୍ଦ ମଧ୍ୟ ଥାଏ ଆମ ମନରେ ଏ ଦୃଶ୍ୟ ପୂର୍ବରୁ ବାରମ୍ବାର ଦେଖିଥିଲେ ମଧ୍ୟ । ଠିକ ସେମିତି ନେତାଏ ଲୋକଙ୍କୁ ବାରମ୍ବାର ଠକିଲେ ମଧ୍ୟ ଲୋକେ ସେମାନଙ୍କ ଉପରେ ପୁଣି ଆସ୍ଥା ରଖନ୍ତି ଏବଂ ଭାବନ୍ତି ଏଥର ବୋଧେ ନେତାଏ ଯାହା କହୁଛନ୍ତି ତାହା କରିବେ । ଦେଶ ବଦଳିଯିବ । ଭାରତ ସୁନାର ଦେଶ ପାଲଟିବ । ଆଉ କୌଣସି ସମସ୍ୟା ରହିବନି । ନେତାଏ ଆମ କଥା ବୁଝିବାକୁ ଆମ ଦୁଆରକୁ ଆସିବେ । ଗାଁ ମୁଣ୍ଡ ଚା ଦୋକାନରେ ଚା ପିଇବେ ଆଉ ପଖାଳ ଖାଇ ତୃପ୍ତିର ହାକୁଟି ମାରିବେ । ନିର୍ବାଚନ ଘୋ ଘା ସରିବା ପରେ ଉପରୋକ୍ତ ଦୃଶ୍ୟ ସବୁ ବଦଳିଯାଏ । ନେତାମାନେ ଯେ ବେଶ ନିଖୁଣ ଅଭିନେତା ଭାବେ ଅଭିନୟ କରିକି ଆମକୁ କିଛି ଦିନ ଭଳିକି ଭଳି ସେମାନଙ୍କ ଅଭିନୟ ଦେଖାଉଥିଲେ ଆମେ ଜାଣି ମଧ୍ୟ ପୁଣିଥରେ ସେମାନଙ୍କ ପାଖରେ ଭୁଲ କରୁ । ମଣିଷର ସରଳ ଆଉ ସଫା ହୃଦୟର ଭଲ ପଣିଆ ସହ ଉଦାର ପଣିଆର ଲାଭ ଉଠାନ୍ତି ଆମ ଦେଶର ନେତାମାନେ । ଯଦି ସତରେ ନେତାମାନେ ଆମ ପାଇଁ ବ୍ୟସ୍ତ ଭୋଟ ଏକ ମାଧ୍ୟମ ତାହାହେଲେ ରୋଡ଼ ଶୋ'କରି ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ କାହିଁକି ହେଉଛି? ଅନେକ ଆମ୍ବୁଲାନ୍ସରେ ଥିବା ମୁମୂର୍ଷୁମାନେ କାହିଁକି ଛଟପଟ ହୋଇଥାନ୍ତି? ନିକଟରେ ଗୋଟିଏ ଦଳର ସମର୍ଥକଙ୍କ ଆକ୍ରମଣରେ ବିପକ୍ଷ ଦଳର ଜଣେ ଯୁବ କର୍ମୀଙ୍କ ଅକାଳରେ ଜୀବନ ଦୀପ ଚାଲିଗଲା । ଏପରି ଅନେକ ଦୁଃଖଦ ଘଟଣା ଏହି ନିର୍ବାଚନ ସମୟରେ ହିଁ ଦେଖିବାକୁ ମିଳିଥାଏ । ନେତା ଚିହ୍ନିବାକୁ ଆମ୍ଭେମାନେ ବିଶେଷକରି ଦେଶର ଓ ସମାଜର ଭବିଷ୍ୟତ କୁହାଯାଉଥିବା ଯୁବ ବର୍ଗ ଯେଉଁ ପର୍ଯ୍ୟନ୍ତ ବିଳମ୍ବ କରିବେ ଏବଂ କ'ଣ ଗୋଟାଏ ମତଲବ ପୁରିଗଲେ ନେତାଙ୍କୁ ଭୋଟ ଆଉ ସମର୍ଥନ ଓଜାଡ଼ି ଦେଉ? ଧୂଆମୁଳା ଅଧୁଆମୂଳା ସବୁ ସମାନ ପରି କିଛି ଅଧୁଆ ମୂଳା ନେତାମାନେ ତଥାକଥିତ ରାଜନୀତି ବୈତରଣୀ ପାର ହୋଇ ଆମ ଭାଗ୍ୟ ବିଧାତା ସାଜନ୍ତି । ତେଣୁ ଦୁର୍ଭାଗ୍ୟ ଆମ ଭାଗ୍ୟରେ ଲେଖାଯିବ ନାହିଁ ତ କ'ଣ ଅନ୍ୟ ଗ୍ରହର ଲୋକମାନଙ୍କ ଭାଗ୍ୟରେ ଲେଖାଯିବ?
ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ
ବାଲିଗୁଡ଼ା, କନ୍ଧମାଳ, ମୋ: ୯୪୩୭୨୪୨୩୧୭