ପବିତ୍ର ମହାଳୟା 

ପବିତ୍ର ମହାଳୟା 

ଡ.ଅରୁନ୍ଧତୀ ଦେବୀ : 
ଆଶ୍ୱିନ୍ ମାସର ଅମାବାସ୍ୟା ହେଉଛି ମହାଳୟା ଅମାବାସ୍ୟା  । ଏହି ସମୟରେ ସୂର୍ଯ୍ୟ କନ୍ୟା ରାଶିରେ ଅବସ୍ଥାନ କରିଥାନ୍ତି  । ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ମହାଳୟା ଶ୍ରାଦ୍ଧ କରାଯାଏ  । ହିନ୍ଦୁ ସମାଜରେ ନିତ୍ୟ, ନୈମିତ୍ତିକ, କାମ୍ୟ, ବୁଦ୍ଧି ଓ ପାର୍ବଣ ଶ୍ରାଦ୍ଧ ନାମରେ ଯେଉଁ ପଞ୍ଚବିଧି ଶ୍ରାଦ୍ଧର ପ୍ରଚଳନ ଅଛି ତନ୍ମଧ୍ୟରେ ମହାଳୟା ଶ୍ରାଦ୍ଧର ଆଦର ଅଧିକ  । ଆଶ୍ୱିନ ମାସର କୃଷ୍ଣ ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ କହନ୍ତି ପିତୃପକ୍ଷ  । 
ଏହି ପିତୃପକ୍ଷରେ ତୀର୍ଥକ୍ଷେତ୍ର, ପୁଣ୍ୟତୋୟା ନଦୀ କିନ୍ତୁ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ତିଳତର୍ପଣ କରାଯାଏ  । ଦିବଂଗତ ଗୁରୁ, ସମ୍ପର୍କୀୟ, ପରିଚିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ତର୍ପଣ କରାଯାଏ  । ଚତୁର୍ଦଶୀ ପର୍ଯ୍ୟନ୍ତ ତର୍ପଣ ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ  । ଏହି ପନ୍ଦର ଦିନ ପିତୃପର୍ବ ପାଇଁ ଉଦ୍ଦିଷ୍ଟ  । ଦେବଦେବୀଙ୍କ ଉଦେ୍ଦଶ୍ୟରେ ଯେଉଁ ପୂଜା ଅର୍ଚ୍ଚନା କରାଯାଏ ତାହା ହେଉଛି ଦେବ ପର୍ବ  । ଶ୍ରାଦ୍ଧ ହିଁ ପିତୃପର୍ବ  । ଶ୍ରଦ୍ଧାରେ ଯେଉଁ ଅନ୍ନାଦି ଭୋଜ୍ୟ ଦ୍ରବ୍ୟ ପ୍ରଦାନ କରାଯାଏ ତାହା ଶ୍ରାଦ୍ଧ  । ଭୂଲୋକରେ ଆତ୍ମୀୟ ବା ସମ୍ପର୍କୀୟଙ୍କ ପ୍ରଦତ୍ତ ଭୋଜ୍ୟ ପିତୃଲୋକରେ ପିତୃଗଣଙ୍କ ଗ୍ରହଣୀୟ ଦ୍ରବ୍ୟରେ ପରିବର୍ତ୍ତିତ ହୋଇଯାଏ ବୋଲି ବିଶ୍ୱାସ ରହିଛି  । ମହାଳୟା ଶ୍ରାଦ୍ଧରେ ସ୍ୱୟଂ ବିଷ୍ଣୁ ବୈଶ୍ୱଦେବ ରୂପେ ଶ୍ରାଦ୍ଧସ୍ଥଳରେ ଉପସ୍ଥିତ ରହନ୍ତି  । ମହାଳୟା ଦିନ ଗୟାକ୍ଷେତ୍ରରେ ପିଣ୍ଡଦାନ କଲେ ପିତୃଲୋକ ପରିତୃପ୍ତ ହୁଅନ୍ତି  । ତେବେ ଭୁବନେଶ୍ୱର ଓ ବିରଜା କ୍ଷେତ୍ର ଯାଜପୁରରେ ମଧ୍ୟ ମହାଳୟା ଶ୍ରାଦ୍ଧ ଦାନ ପୁଣ୍ୟଦାୟକ  ।  ହିନ୍ଦୁ ମାନ୍ୟତା ଅନୁଯାୟୀ ପିଣ୍ଡଦାନ ମୋକ୍ଷ ପ୍ରାପ୍ତି ପାଇଁ ଏକ ସହଜ ଏବଂ ସରଳ ମାର୍ଗ  । ଏମିତି ଦେଶରେ ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ  । ତେବେ ବିହାରର ଗୟାରେ ପିଣ୍ଡଦାନ ଖୁବ୍ ମହତ୍ତ୍ୱପୂର୍ଣ୍ଣ  । ବିଶ୍ୱାସ କରାଯାଏ ଭଗବାନ ଶ୍ରୀରାମ ଏବଂ ମା'ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ  ଗୟାରେ ପିଣ୍ଡଦାନ କରିଥିଲେ  । ଗୟାକୁ ବିଷ୍ଣୁଙ୍କ ନଗର କୁହାଯାଏ  । ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ  । ବିଷ୍ଣୁ ପୁରାଣ ଏବଂ ବାୟୁ ପୁରାଣରେ ଏହାର ଉଲ୍ଲେଖ ଅଛି  । ବିଷ୍ଣୁ ପୁରାଣ ଅନୁଯାୟୀ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି କରେ ଏବଂ ସେମାନେ ସ୍ୱର୍ଗରେ ବାସ କରନ୍ତି  । ବିଶ୍ୱାସ କରାଯାଏ ସ୍ୱୟଂ ବିଷ୍ଣୁ ଏଠାରେ ପିତୃଦେବତା ଭାବରେ ଉପସ୍ଥିତ  । ତେଣୁ ଏହାକୁ ପିତୃତୀର୍ଥ ମଧ୍ୟ କୁହାଯାଏ  । ଗୟାରେ ଥିବା ପଣ୍ଡିତମାନେ କୁହନ୍ତି, ଫଲ୍ଗୁ ନଦୀର ତଟରେ ପିଣ୍ଡ ଦାନ ନକଲେ ଏହା ଅସଂପୂର୍ଣ୍ଣ ରହିଯାଏ  । କିମ୍ବଦନ୍ତୀ ଅନୁଯାୟୀ ଭଷ୍ମାସୁରର ବଂଶଜ ଗୟାସୁର କଠିନ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗିନେଇଥିଲେ ଯେ, ତାର ଶରୀର ଦେବତାମାନଙ୍କ ପରି ପବିତ୍ର ହୋଇଯିବ ଏବଂ ତାକୁ ଦର୍ଶନ କରିବା ମାତ୍ରେ ଲୋକମାନେ ପାପମୁକ୍ତ ହୋଇଯିବେ  । ଏହି ବର ମିଳିବା ପରେ ସ୍ୱର୍ଗର ଜନସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସବୁକିଛି ପ୍ରକୃତିର ନିୟମ ବିପରୀତରେ ଚାଲିଲା  । ଲୋକମାନେ ବିନା ଭୟରେ ପାପ କଲେ ଏବଂ ଗୟାସୁରକୁ ଦର୍ଶନ କରି ପାପମୁକ୍ତ ହେଲେ  । ଏଥିରୁ ରକ୍ଷା ପାଇବା ପାଇଁ ଦେବତାମାନେ ଗୟାସୁରଙ୍କୁ ଯଜ୍ଞ ପାଇଁ ପବିତ୍ର ଭୂମି ମାଗିଲେ  । ଗୟାସୁର ନିଜ ଶରୀର ଦେବତାମାନଙ୍କ ଯଜ୍ଞ ପାଇଁ ଦେଇଦେଲା  । ଯଜ୍ଞଭୂମି ଭାବରେ ବ୍ୟବହୃତ ହେବା ପାଇଁ ଗୟାସୁର ଭୂମିରେ ଶୋଇଲା ଏବଂ ତାର ଶରୀର ପାଞ୍ଚ କୋଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଗଲା  । ପରବର୍ତ୍ତୀ ସମୟରେ ଏହି ପାଞ୍ଚ କୋଶ ସ୍ଥାନକୁ କୁହାଗଲା ଗୟା  । ଯଜ୍ଞରେ ପୋଡ଼ିବା ପରେ ମଧ୍ୟ ଗୟାସୁର ମନରୁ ଲୋକମାନଙ୍କୁ ପାପମୁକ୍ତ କରିବାର ଇଛା ଲୋପ ପାଇଲା ନାହିଁ  । ସେ ଦେବତାମାନଙ୍କୁ ବର ମାଗିଲା ଯେ ସେ ଏହି ସ୍ଥାନରେ ଲୋକମାନଙ୍କୁ ମୋକ୍ଷ ଦେବ ଏବଂ ଯେଉଁ ବ୍ୟକ୍ତି ଏଠାରେ କାହାର ଶ୍ରାଦ୍ଧ ପାଇଁ ପିଣ୍ଡଦାନ କରିବେ ତାଙ୍କୁ ମୁକ୍ତି ମିଳିବ  । ଏହି କାରଣରୁ ଆଜିବି ଲୋକମାନେ ପିତୃପୁରୁଷଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ଗୟାରେ ପିଣ୍ଡଦାନ କରିନ୍ତି  ।     ଶାସ୍ତ୍ରରେ ପିତୃପୁରୁଷଙ୍କ ସ୍ଥାନ ଖୁବ୍ ଉଚ୍ଚରେ ବୋଲି ବର୍ଣ୍ଣନା କରାଯାଇଛି  । ସେ ଚନ୍ଦ୍ରମା ଠାରୁ ଦୂରରେ ଏବଂ ଦେବତାଙ୍କ ଠାରୁ ଉଚ୍ଚ ସ୍ଥାନରେ ରୁହନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି  । ପିତୃପୁରୁଷଙ୍କ ମଧ୍ୟରେ ମୃତ ପୂର୍ବଜ ଯଥା - ବାପା- ମା, ଜେଜେବାପା - ଜେଜେମା, ଅଜା-ଆଇଙ୍କ ସମେତ ସବୁ ପୂର୍ବଜ ସାମିଲ  । ପରଲୋକଗତ ଗୁରୁ ଏବଂ ଆଚାର୍ଯ୍ୟ ମଧ୍ୟ ପିତୃପୁରୁଷଙ୍କ ମଧ୍ୟରେ ସାମିଲ  । ଦେଶରେ ଶ୍ରାଦ୍ଧ ପାଇଁ ହରିଦ୍ୱାର, ଗଙ୍ଗାସାଗର, ପୁରୀ, କୁରୁକ୍ଷେତ୍ର, ଚିତ୍ରକୁଟ, ପୁଷ୍କର, ବଦ୍ରିନାଥ ସମେତ ୫୫ଟି ସ୍ଥାନର ବିଶେଷତ୍ୱ ମହତ୍ତ୍ୱ ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି  । ତେବେ ଗୟା ଏସବୁ ସ୍ଥାନର ଶୀର୍ଷରେ ରହିଛି  । ଗରୁଡ଼ ପୁରାଣରେ କୁହାଯାଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଘରୁ ବାହାରିବା ପରେ ଗୟାରେ ପହଞ୍ଚôବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ପିତୃପୁରୁଷଙ୍କ ସ୍ୱର୍ଗାରୋହଣ ପାଇଁ ଗୋଟିଏ ଗୋଟିଏ ସିଡ଼ି ସଦୃଶ  । ହିନ୍ଦୁ ପୁରାଣ ଅନୁଯାୟୀ ପିତୃପୁରୁଷଙ୍କ ତିନିପିଢ଼ି ପିତୃଲୋକରେ ରୁହନ୍ତି  । ଏହା ପୃଥ୍ୱୀଲୋକ ଓ ଦେବଲୋକ ମଧ୍ୟରେ ଅଛି  । ଏହି ଲୋକର ଅଧିଶ୍ୱର ମୃତୁ୍ୟଦେବତା ଯମ  । ତୃତୀୟ ପିଢ଼ି ପରେ ଚତୁର୍ଥ ପିଢ଼ିର ବଂଶଜ ପିତୃଲୋକରେ ପହଞ୍ଚôଲେ ପ୍ରଥମ ପିଢ଼ିର ପୂର୍ବଜ ସ୍ୱର୍ଗକୁ ଚାଲିଯାନ୍ତି  । ତେଣୁ ସେମାନଙ୍କ ପାଇଁ ପିଣ୍ଡ ଦେବା ଆବଶ୍ୟକ ହୁଏନି  । ତେଣୁ ପିତୃଲୋକରେ ଥିବା ଆମ ପୂର୍ବଜଙ୍କ ତିନିପିଢ଼ି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ  । ହିନ୍ଦୁପୁରାଣ ଅନୁଯାୟୀ ଆଶ୍ୱିନ ମାସରେ ପିତୃପକ୍ଷ ଆରମ୍ଭରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରନ୍ତି  । ଏହି ସମୟରେ ପିତୃପୁରୁଷଙ୍କ ଆତ୍ମାମାନେ ପିତୃଲୋକ ଛାଡ଼ି ନିଜ ବଂଶଜଙ୍କ ଘରକୁ ଯାଆନ୍ତି  । ସୂର୍ଯ୍ୟ ବିଛା ରାଶିକୁ ଆସିଲେ ସେମାନେ ପୁଣି ପିତୃଲୋକକୁ ଫେରନ୍ତି  । କିମ୍ବଦନ୍ତୀ କୁହେ ମହାଭାରତ ଯୁଦ୍ଧ ପରେ ଯେତେବେଳେ ମହାଦାନୀ କର୍ଣ୍ଣଙ୍କ ଆତ୍ମା ପିତୃଲୋକକୁ ଗଲା ସେଠାରେ ତାଙ୍କୁ ସୁନା ଗହଣା ଆଦି ଖାଇବାକୁ ଦିଆଗଲା  । ଖାଦ୍ୟ ନପାଇ କର୍ଣ୍ଣ ଏହାର ରହସ୍ୟ ଯମଙ୍କୁ ପଚାରିଲେ  । ଯମ କହିଲେ - ଆପଣ ଜୀବନଯାକ ଟଙ୍କା, ସୁନା, ରୂପା ଆଦି ଦାନ କରିଛନ୍ତି  । କିନ୍ତୁ ପୂର୍ବଜମାନଙ୍କ ପାଇଁ ଶ୍ରାଦ୍ଧ କରି ସେମାନଙ୍କ ଉଦେ୍ଦଶ୍ୟରେ ଖାଦ୍ୟ ଦାନ କରିନାହାନ୍ତି  । କର୍ଣ୍ଣ କହିଲେ - ମୁଁ ମୋ ପୂର୍ବଜଙ୍କ ବିଷୟରେ ଜାଣିନି ତେଣୁ ସେମାନଙ୍କ ସ୍ମୃତିରେ ଶ୍ରାଦ୍ଧ କରିପାରିିନି  । ଏହାପରେ ଯମ ତାଙ୍କୁ ପୃଥ୍ୱୀଲୋକକୁ ପନ୍ଦର ଦିନ ଫେରି ଶ୍ରାଦ୍ଧ କରିବାକୁ କହିଲେ  । ଏ ସମୟ ଥିଲା ପିତୃପକ୍ଷ  । ଦେବୀ ଆରାଧନା ଦୃଷ୍ଟିରୁ ମହାଳୟା ଏକ ପବିତ୍ର ଦିବସ  । ଦେବୀଙ୍କର ଷୋଳପୂଜାର ମଧ୍ୟ ଭାଗରେ ମହାଳୟା ପଡ଼ୁଥିବାରୁ ଏହା ଦେବୀଙ୍କର ପ୍ରିୟତମ ଦିବସ  । ତେଣୁ ମହାଳୟା ଅମାବାସ୍ୟାର ଦିନଟି ପିଣ୍ଡଦାନ ଲାଗି ଉକ୍ରୃଷ୍ଟ ଏବଂ ରାତ୍ରିଟି ସାଧନାରେ ସିଦ୍ଧି ଲାଭ ପାଇଁ ଅତ୍ୟନ୍ତ ଶୁଭ  । ଦେବୀଙ୍କର ପ୍ରଥମ ଅଷ୍ଟକଳାର ଶେଷ ଦିନ ହୋଇଥିବାରୁ ସାଧକମାନେ ବିଶେଷ ସିଦ୍ଧିଲାଭ ପାଇଁ ମହାଳୟାର ମହାନିଶାରେ ସାଧନାରତ ରହନ୍ତି  । ଓଡ଼ିଆ ଆଧ୍ୟାତ୍ମିକମ ଚେତନା ଓ ହିନ୍ଦୁ ବିଧାନ ଅନୁଯାୟୀ ମହାଳୟା ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ଦିବସ । 
ମୋ : ୯୯୩୭୧୭୨୮୧୦