ପାଣି ପିଇବ ଛାଣି
କଥାରେ ଅଛି "ପଇସା ନେବ ଗଣି, ପାଣି ପିଇବ ଛାଣି ।'ଏହାର ଅର୍ଥ ହେଲା ଦେଣନେଣବେଳେ ଭଲ କରିଗଣତିକରିବ । ଏହା ଦ୍ୱାରା କୌଣସ ିକ୍ଷତିର ସମ୍ଭାବନା ନଥାଏ । ଠିକ୍ ସେହିପରି ପାଣିକୁ ଛାଣି ପିଇଲେ ଶରୀର ପ୍ରତି କୌଣସି ବିପଦ ନଥାଏ । ହେଲେ ବର୍ତ୍ତମାନ ସମୟବହୁତ ବଦଳିଯାଇଛି । ପାଣିକୁ ଛାଣି ଦେଲେ ଆଉ ପାନୀୟ ଉପଯୋଗୀ ହେବ ବୋଲି ଭାବି ନେବାଟା ଭୁଲ୍ । କାରଣ ବର୍ତ୍ତମାନ ପାଣିରେ କେତେ ପ୍ରକାରର ରାସାୟନିକ ବିଷାକ୍ତ ପଦାର୍ଥ ଓ ଭାସମାନ ଦୂଷିତ ପଦାର୍ଥ ରହୁଛି ଯେ ତାକୁ ବୈଜ୍ଞାନିକ ପଦ୍ଧତିର ଛଣା ଆବଶ୍ୟକ ପଡ଼ିଲାଣି । ପାନୀୟ ଜଳର ମାନକୁ ନେଇ ଅନେକ ସନେ୍ଦହ ଉପୁଜିଥିବାରୁ ଆଜିର ଦିନରେ ପ୍ରାୟ ସବୁଲୋକ ନିଜଘରେ ପାଣିକୁ ବିଶୋଧନ କରିବାର ଛୋଟଛୋଟ ଯନ୍ତ୍ର ଲଗେଇ ଦେଲେଣି । ଆଉ କିଛି ଲୋକ ବିଭିନ୍ନ ନାମୀଦାମୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏବଂ ବୋତଲ କିମ୍ବା ଜାର୍ରେ ପ୍ୟାକିଂ ହୋଇ ବିକ୍ରି ହେଉଥିବା ପାଣି ପିଉଛନ୍ତି ।
ବର୍ତ୍ତମାନ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ବିଭିନ୍ନ ଦୋକାନ ଗୁଡ଼ିକରେ ପାନୀୟ ଉପଯୋଗୀ ପାଣି ବୋତଲ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ସାଧାରଣ ଭାବରେ ମିନେରାଲ୍ ୱାଟର୍ ବୋଲି କୁହାଯାଉଛି । କିନ୍ତୁ ବୋତଲରେ ବିକ୍ରି ହେଉଥିବା ସବୁ ପାଣି ମିନେରାଲ୍ ୱାଟର୍ ନୁହେଁ । ଏଥିରେ ଏକ ବିଆଇଏସ୍ ପ୍ରମାଣପତ୍ର ରହିବା ନିହାତି ଆବଶ୍ୟକ । ହେଲେ ସମଗ୍ର ରାଜ୍ୟରେ ବର୍ତ୍ତମାନ ପ୍ୟାକିଂହୋଇ ବିକ୍ରି ହେଉଥିବା ପାଣିର ଅଧାରୁ ଅଧିକ ହେଉଛି ବିଆଇଏସ ପ୍ରମାଣପତ୍ର ନଥିବା ପାଣି ବୋତଲ । ରାଜଧାନୀ ଭୁବନେଶ୍ୱରରେ ବିଏବେ ଅନେକ ବେନାମୀ କମ୍ପାନୀ ପାଣି ବ୍ୟବସାୟ କ୍ଷେତ୍ରକୁ ଚାଲି ଆସିଛନ୍ତି । ବଡ଼ ୨୦ ଲିଟିରି ଆଜାର୍ରେ କୌଣସି ବି କମ୍ପାନୀର ନାମ ନଥାଇ ପାଣି ବିକ୍ରି ହେଉଛି । ଆଉ କିଛି କମ୍ପାନୀ ଆଇଏସ୍ଆଇ ଲୋଗୋ ବ୍ୟବହାର ନକରି ଏବଂ ବିଆଇଏସ୍ ପ୍ରମାଣପତ୍ର ନଥାଇ ପାଣି ବିକ୍ରି କରୁଛନ୍ତି । କରୋନା ପୂର୍ବରୁ ସମଗ୍ର ରାଜ୍ୟରେ କୌଣସି ପ୍ରକାରର କମ୍ପାନୀର ନାମ ନଥିବା ପ୍ଲାଷ୍ଟିକ୍ ପାଉଚ୍ରେ ୨୦୦ ମିଲି ଲିଟର ପାଣି ବିକ୍ରି ହେଉଥିଲା ଏବଂ ଏହି ପାଣି ପାଉଚ୍ର ବିକ୍ରିକୁ ବର୍ତ୍ତମାନ ସମଗ୍ର ରାଜ୍ୟରେ ବନ୍ଦ କରାଯାଇଛି । ପାଉଚ୍ ଆକାରରେ ପାଣିବିକ୍ରି ଆଉ ଦେଖିବାକୁ ମିଳୁନଥିଲେ ମଧ୍ୟ ୨୦୦ ମିଲି ଲିଟରରୁ ଆରମ୍ଭ କରି ୧ ଲିଟରର ପ୍ଲାଷ୍ଟିକ୍ ବୋତଲରେ ପାଣି ବୋତଲ ବକ୍ରି ହେଉଛି । କେତେକ ନାମୀଦାମୀ କମ୍ପାନୀର ନାମ ଏବଂ ବନାନକୁ ସାମାନ୍ୟ ଟିକିଏ ଅଦଳ ବଦଳ କରି ଅନେକ ପ୍ରକାରର କମ୍ପାନୀ ପାଣି ବିକ୍ରି କରୁଛନ୍ତି । ଏହି ପାଣିର ଶୁଦ୍ଧତା ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଲାଣି ।
ଏଭଳି କୌଣସି ଏକ ପରିସ୍ଥିତି ନ ଉପୁଜୁ ଯେତେବେଳେ କି ବିଶୁଦ୍ଧ ପାଣି ନାଁରେ ଦୂଷିତ ପାଣି ମଧ୍ୟ ବଜାରରେ ବିକ୍ରି ହେବ । କେବଳ ଆଖିକୁ ସ୍ୱଚ୍ଛ ଦେଖାଗଲେ ପାଣି ପିଇବା ଯୋଗ୍ୟ ହୋଇଯାଏ ନାହିଁ । ପାଣିରେ ଆଇରନ୍, ଫ୍ଲୋରାଇଡ୍ ଆଦି କେତେ ପରିମାଣରେ ରହୁଛି ତାକୁ ମାପି ବିକ୍ରି କରାଯିବାର ଆବଶ୍ୟକତା ଅଛି । ପାଣିକୁ କିଣି ବ୍ୟବହାର କରୁଥିବା ଲୋକମାନେ ମଧ୍ୟ ପାଣିର ମାନ ଉପରେ ଗୁରୁତ୍ୱ ଦେବା ଉଚିତ୍ । ତେବେ କେବଳ ବୋତଲ ଭିତରେ ଅଛି ବୋଲି ଯେ କୌଣସି ପାଣି ପିଇବାଯୋଗ୍ୟ ନୁହେଁ ।
ପ୍ୟାକିଂ କରି ପାଣିକୁ ବିକ୍ରି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପରିକ୍ଷା ନୀରିକ୍ଷା କରାଯାଇଥାଏ । ବିଶୋଧନ ଏବଂ ଜୀବାଣୁମୁକ୍ତ କରାଯାଏ । ୟୁଭି, ରାଓଏବଂ ଅସମୋସିସ୍ ପ୍ରକ୍ରିୟାରେ ପାଣିକୁ ବିଶୋଧନ କରାଯିବା ପରେ ବିକ୍ରି ପାଇଁ ବଜାରକୁ ଛଡ଼ାଯାଏ । ଅଥଚ ଆଜିକାଲି ଅନେକ କମ୍ପାନୀ କାମ ନଥାଇ ଗଭୀର ନଳକୂପରୁ ଜଳଉତ୍ତୋଳନ କରି ପ୍ଲାଷ୍ଟିକ୍ ଜାର୍ରେ ପ୍ୟାକିଂ କରି ବଜାରକୁ ଛାଡ଼ିଦେଉଛନ୍ତି । ବର୍ତ୍ତମାନ ବଜାରରେ ମିଳୁଥିବା ସମସ୍ତ ବ୍ରାଣ୍ଡ୍ର ପାଣିର ନମୂନା ପରୀକ୍ଷା କରାଯାଇ ନିମ୍ନମାନର ଉତ୍ପାଦନ ଉପରେ କଠୋର ଦଣ୍ଡ ବ୍ୟବସ୍ଥା କରିବା ଉଚିତ୍ ।