ପ୍ରଣାମ 

ପ୍ରଣାମ 


ମାର୍ଚ୍ଚ ୧୭  । ହ୍ୱାଟସ୍ଆପରେ ମୋର ପ୍ରିୟ ବନ୍ଧୁ ତଥା ଅନୁଗୁଳର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକଙ୍କ ଠାରୁ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ମୃତୁ୍ୟ ଖବର ପାଇଲି  । ଜରୁରୀ କାମରେ ଭୁବନେଶ୍ୱର ବାହାରେ ଥିବାରୁ ତାଙ୍କର ଶେଷ ଦର୍ଶନରୁ ମୁଁ ବଞ୍ଚôତ ହେଲି ସତ, ହେଲେ ମୋ ମାନସପଟ୍ଟରେ ଦେବେନ୍ଦ୍ର ପ୍ରଧାନଙ୍କ ସହ ଥିବା ଅନେକ ସ୍ମୃତି ତାଜା ହୋଇଗଲା  । ମୋର ଛାତ୍ର ଜୀବନ ପ୍ରାୟତଃ ଅନୁଗୁଳରେ ହିଁ କଟିଥିଲା  । ମୋ ବାପା ଅନୁଗୁଳରେ କୃଷି ବିଭାଗରେ କାମ କରୁଥିଲେ  । ସେତେବେଳେ ବାପା କହୁଥିଲେ, ଦେବେନ୍ଦ୍ର ପ୍ରଧାନ ଆଜି ଫୋନ୍ କରି ଲୋକଙ୍କ କାମ ପାଇଁ କହିଛନ୍ତି  । ବହୁତ ଭଲ ଲୋକ  । ଅନ୍ୟ ନେତାଙ୍କ ଭଳି ସେ ଧମକ ଚମକ ଦେଇ ଅଫିସରଙ୍କୁ କୁହନ୍ତିନି  । ନମ୍ର ଭାବେ ନିବେଦନ କରନ୍ତି  ।  ତେଣୁ ତାଙ୍କ କାମ ଆମେ ଆଗ କରିଦେଉ, କାହିଁକିନା ସେ ନିଜ ପାଇଁ ନୁହେଁ, ସବୁବେଳେ ଲୋକଙ୍କ ପାଇଁ କାମ କରୁଥିଲେ  । କହିବାର ଶୈଳୀ ଓ କାମ କରାଇନେବାର କଳାରେ ସେ ଥିଲେ ମାହିର  । ସେତେବେଳେ ଅନୁଗୁଳର ହେଁସପଡ଼ା ଠାରେ ଆରଏଏସର ସଂଘ କାର୍ଯ୍ୟାଳୟ ଚାଲିଥିଲା  । ମୁଁ ବି ଅନ୍ୟମାନଙ୍କ ସହ ଅନେକ ବାର ସେଠାକୁ ଯାଇଛି  । କରୁଣାକର ଭାଇଙ୍କ ସହ ସେଠାରେ ବେଶ ଗପସପର ଆସର ଜମୁଥିଲା  । ହାଣ୍ଡିଧୁଆ ଛକରେ ଦେବେନ୍ଦ୍ର ବାବୁଙ୍କର ଗୋଟିଏ ଘରଟେ ଥିଲା  । ସେଠି ସବୁଦିନ ସଂଘ ପରିବାର ଓ ବିଜେପି ନେତାମାନେ ଠୁଳ ହେଉଥିଲେ  । ରାତିରେ ଶୋଇବା, ଖାଇବା ପିଇବାର ବି ବ୍ୟବସ୍ଥା ଥିଲା  । ଅନେକ ସମୟରେ କରୁଣାକର ଭାଇ ଓ ଅନ୍ୟ କେତେଜଣ ସହଯୋଗୀଙ୍କ ସହ ଆମେ ସେଠି ପଖାଳ ଓ ଆଳୁ ଚକଟା ଖାଇଛୁ  । ଆଜି ବି ସେ ସ୍ମୃତି ତାଜା ହୋଇଯାଏ  । ସେତେବେଳେ ଅନେକ ଥର ଆମେ ଦେବେନ୍ଦ୍ର ପ୍ରଧାନଙ୍କୁ ବହୁ ପାଖରୁ ଦେଖିଛୁ  । ଗୋରା ତକ ତକ ଚେହେରା, ହସ ହସ ମୁହଁ  । ଆମ ଭଳି ପିଲାଙ୍କୁ ଦେଖିଦେଲେ ଖାଇଛ କି ନାହିଁ ପଚାରିଦିଅନ୍ତି  । ପ୍ରତିଦିନ ମୁକୁ ଭାଇଙ୍କ ମା’ ଘରୁ ଧାନ କୁଟି ଟ୍ରେକରରେ ଚାଉଳ ଆଣି ଆସୁଥିଲେ  । ଏମିତି ଅନେକ ସ୍ମୃତି ବର୍ଣ୍ଣନା କଲେ କାଗଜ ସରିଯିବ ପଛେ ଲେଖା ସରିବନି  ।
ଦେବେନ୍ଦ୍ର ବାବୁ ତାଙ୍କ ଜୀବନରେ ଅନେକ ନେତା ତିଆରି କରିଛନ୍ତି  । ଦଳ ଛାଡ଼ି ରୁଷିଥିବା ନେତାଙ୍କୁ ବୁଝାଇ ପୁଣି ଦଳ ମନସ୍କ କରିଛନ୍ତି  । କରୁଣା ଭାଇ କହୁଥିଲେ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପ୍ରଥମେ ରାଜନୀତିକୁ ଆସିବାକୁ ଅମଙ୍ଗ ଥିଲେ  । ବଣାଇରୁ ଲଢ଼ିବାକୁ ଚାହୁଁନଥିଲେ  । ସେତେବେଳେ ସେ ଭେଲ୍ରେ ଚାକିରୀ କରୁଥା’ନ୍ତି  । ଚାକିରୀ ଛାଡ଼ିଲେ କେମିତି ଚଳିବି, ଏଇକଥା ଭାବି ସେ ଦୋଛକିରେ ଥିଲେ  । ହେଲେ ଦେବେନ୍ଦ୍ର ବାବୁ ବୁଝାଇଶୁଝାଇ ତାଙ୍କୁ ଦଳକୁ ଆଣିଲେ  । ଆଡ଼ଭାନୀଜୀଙ୍କୁ ଅନୁରୋଧ କରି ବଣାଇ ଟିକେଟ୍ ବି ଦେଳେ  । ଏମିତିକି ବଣାଇରେ ତାଙ୍କୁ ଜିତାଇବା ପାଇଁ ରାତିରେ ଚାଞ୍ଚ ପକାଇ ଦେବେନ୍ଦ୍ର ବାବୁ ବି ଶୋଉଥିଲେ  । ଆଜି ବି ବିଜେପି ଇତିହାସରେ ଅରବିନ୍ଦ ଢାଲିଙ୍କ ଉପ ନିର୍ବାଚନ ବେଶ୍ ମହତ୍ତ୍ୱ ରଖେ  । ସେତେବେଳେ ଜନତା ଦଳର ସରକାର  । ବିଜୁବାବୁଙ୍କର ବହୁ ଲୋକପ୍ରିୟତା  । ସେଭଳି ସମୟରେ ମାଲକାନାଗିରିରେ ଉପନିର୍ବାଚନ ଜିଣିବା ବିଜେପି ପାଇଁ ବହୁତ ବଡ଼ ଉପଲବ୍ଧ ଥିଲା  । ସେତେବେଳେ ଦେବେନ୍ଦ୍ରଙ୍କ ପରିଶ୍ରମ ଓ ଅବଦାନକୁ ଅନେକ ନେତା ଏବେବି ମନେ ପକାଉଛନ୍ତି  । ବିଶ୍ୱଭୂଷଣ ବାବୁ ବି ବେଶ୍ କିଛିଦିନ ରୁଷି ଦଳ ଛାଡ଼ି ଦେଇଥିଲେ  । ତାଙ୍କୁ ଦେବେନ୍ଦ୍ର ବାବୁ ବୁଝାଇ ପୁଣି ଦଳକୁ ଆଣିଲେ  । ସେହି ସମୟରେ ଭୁବନେଶ୍ୱରରେ ବଡ଼ ବ୍ୟବଧାନରେ ବିଶ୍ୱଭୂଷଣ ବାବୁ ଜିତିଥିଲେ  । ଯେଉଁ ସମୟରେ ବିଜେପିକୁ ବିଜୁ ଜାନକୀ ପାର୍ଟି କୁହାଯାଉଥିଲା ସେ ସମୟରେ ଦଳର ମୂଳଦୁଆକୁ ମଜବୁତ କରିବା ପାଇଁ ସେ ଦିନରାତି ଏକ କରିଦେଇଥିଲେ  । ଆଜି କିନ୍ତୁ ବିଜେପିର ବିନ୍ଧାଣୀ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଛନ୍ତି  । 
ସବୁବେଳେ ହସ ହସ ମୁହଁ  । ଉଚ୍ଚ ନୀଚ, ଧନୀ ଗରିବ, କିଛି ବି ଭେଦଭାବ ନଥିଲା  । ମନଖୋଲା ହସରେ ସେ ସଭିଙ୍କ ମନ ଜିଣି ନେଉଥିଲେ  । ପାଠ ପଢ଼ିବା ବେଳେ ଜଣେ ମେଧାବୀ ଛାତ୍ର ଭାବେ ସେ ସୁନାମ ଅର୍ଜନ କରିଥିଲେ  । ଡାକ୍ତର ହୋଇ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇଥିଲେ  । କିନ୍ତୁ ରାଜ୍ୟର ବିକାଶ ଓ ମାଟି ମା’ର ସେବା କରିବା ପାଇଁ ସେ ଆସିଥିଲେ ରାଜନୀତିକୁ  । ଯେଉଁ ସମୟରେ ବିଜେପି ଥିଲା ସାଇନ୍ ବୋର୍ଡ଼ ପାର୍ଟି  । ହେଲେ ସେ ମଣ୍ଡଳ ସଭାପତିରୁ କ୍ୟାରିୟର ଆରମ୍ଭ କରି ରାଷ୍ଟ୍ରୀୟ ବିଜେପି ଉପସଭାପତି ହେବାର ଗୌରବ ଅର୍ଜନ କରିଥିଲେ  ।  ତାଙ୍କର ଦକ୍ଷତା ଓ ସମର୍ପିତ ମନୋଭାବ ପାଇଁ ଅଟଳଜୀ ଓ ଆଡ଼ଭାନଜୀ ତାଙ୍କୁ ତିନି ତିନି ଥର ରାଜ୍ୟ ବିଜେପିର ମଙ୍ଗ ଧରାଇଥିଲେ  । ସାଂସଦ ହେବା ସହ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇ ଆରମ୍ଭ କରିଥିଲେ ସଡ଼କ କ୍ରାନ୍ତି  । 
 ଆଜକୁ ଚାଳିଶ ବର୍ଷ ତଳେ ଡାକ୍ତର ପ୍ରଧାନ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହାର ସୁଫଳ ଆଜି ବିଜେପି ପାଇବା ସହ ପ୍ରଥମ ଥର ଏକାକୀ ସରକାର ଗଢ଼ିବାରେ ସମର୍ଥ ହୋଇଛି  । ଦେବଗଡ଼ର ସାଂସଦ ଭାବେ ଜିଣିବା ପରେ ସେ ବାଜପେୟୀଙ୍କ ସରକାରରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ  । ସେତେବେଳେ ଓଡ଼ିଶାରେ ୧୬ ଶହ କିଲୋମିଟରର ରାଜପଥ ଥିଲା  । କିନ୍ତୁ ଗୋଟିଏ ନିଷ୍ପତ୍ତିରେ ସେ ରାଜ୍ୟର ରାଜପଥ ୩୨ ଶହ କିଲୋମିଟର ବଢ଼ାଇ ଦେଇଥିଲେ  । ବାଜପେୟୀଜୀଙ୍କ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ସଫଳତାରେ ଦେବେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ଆଜି ସେହି ମହାନ ଆତ୍ମା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶାହରେ ଭକ୍ତିପୂତ ପ୍ରଣାମ  ।  
ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରତିଦିନ ରାଜ୍ୟକୁ ବଡ଼ ବଡ଼ କେନ୍ଦ୍ରୀୟ ନେତା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କର ସୁଅ ଛୁଟୁଛି  ।  ଏହାହିଁ ଡାକ୍ତର ପ୍ରଧାନଙ୍କର ଲୋକପ୍ରିୟତା ପ୍ରତିପାଦିତ କରୁଛି  । ଏଭଳି ଅସମୟରେ ତାଙ୍କର ସୁପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାର ବର୍ଗଙ୍କୁ ଈଶ୍ୱର ଧୈର୍ଯ୍ୟ ଦିଅନ୍ତୁ  ।  
ବିକାଶ ସ୍ୱାଇଁ
ପରିଚାଳନା ନିଦେ୍ର୍ଦଶକ
"ସୂର୍ଯ୍ୟପ୍ରଭା'