"ବିଜନ ପଲ୍ଲୀ'ର କବି
ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଇଂରେଜୀ ଲେଖକଙ୍କ ମଧ୍ୟରେ ଅଲିଭର୍ ଗୋଲ୍ଡ଼ସ୍ମିଥ୍ ଅନ୍ୟତମ । ସେ ଥିଲେ ଏକାଧାରରେ କବି, ଔପନ୍ୟାସିକ, ନାଟ୍ୟକାର, ଐତିହାସିକ, ସ୍ତମ୍ଭକାର ଓ ସାମ୍ବାଦିକ । ତାଙ୍କ ଜାତୀୟତା ଥିଲା ଆଇରିସ୍ । ତବ୍ଲିନ୍ର ଟି୍ରନ୍ଟି କଲେଜରେ ପଢ଼ିବା ପରେ ସେ ଭେଷଜ ବିଜ୍ଞାନ ପଢ଼ିବା ନିମନ୍ତେ ଏଡ଼ିନ୍ବରା ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ । ହେଲେ ପାଠ୍ୟକ୍ରମ ଶେଷ କରିପାରି ନଥିଲେ । ଡାକ୍ତରୀ ଉତ୍ତୀର୍ଣ୍ଣ ନ ହୋଇ ମଧ୍ୟ ସେ ନିଜକୁ ଡାକ୍ତର କହୁଥିଲେ ଏବଂ ଅବୈଧ ଭାବେ ରୋଗୀଙ୍କ ଚିକିତ୍ସା କରି ଏକାଧିକବାର ନିନ୍ଦିତ ହୋଇଥିଲେ । ତାଙ୍କର ସର୍ବଶ୍ରେଷ୍ଠ କୃତି ମଧ୍ୟରେ "ଦ ଭାଇକାର୍ ଅଫ୍ ୱେକ୍ଫିଲଡ଼', "ସି ଷ୍ଟୁପସ୍ ଟୁ କଙ୍କର', ସିଟିଜେନ୍ ଅଫ୍ ଦ ୱାର୍ଲଡ଼' ଓ "ଡେଜର୍ଟେଡ଼୍ ଭିଲେଜ୍' (ଚନ୍ଦ୍ରମଣି ଦାଶଙ୍କ ଦ୍ୱାରା ଓଡ଼ିଆରେ "ବିଜନ୍ ପଲ୍ଲୀ' ଭାବେ ଅନୁଦିତ) ଅନ୍ୟତମ । ଗୋଲ୍ଡ଼ସ୍ମିଥ୍ ଆଜୀବନ ଅବିବାହିତ ଥିଲେ । ସେ ଥିଲେ ପୃଥୁଳ ଓ ଖର୍ବକାୟ ।
ଶୈଶବରେ ବସନ୍ତ ପୀଡ଼ିତ ହୋଇ ତାଙ୍କ ମୁଖମଣ୍ଡଳ ବିକୃତ ହୋଇଯାଇଥିଲା । ନିଜର କୁରୂପକୁ ଲୁଚାଇବା ପାଇଁ ସେ ସର୍ବଦା ମୂଲ୍ୟବାନ ପୋଷାକରେ ସଜ୍ଜିତ ହେବାକୁ ଭଲପାଉଥିଲେ । ସେ ଜୁଆଡ଼ି ଓ ମଦ୍ୟପ ଥିଲେ ତେଣୁ ଯଥେଷ୍ଟ ରୋଜଗାର କରୁଥିଲେ ହେଁ ତାଙ୍କୁ ଅଣ୍ଟୁ ନଥିଲା । ପୁଣି ସେ ଥିଲେ ମହାଦାନୀ । "ସି ଷ୍ଟୁପ୍ସ ଟୁ କଙ୍କର' ତାଙ୍କ ବ୍ୟକ୍ତିଗତ ଜୀବନର ଏକ ସତ୍ୟ ଘଟନା ଉପରେ ଆଧାରିତ । ଥରେ ଭ୍ରମଣ କରୁଥିବା ବେଳେ ଭୁଲବଶତଃ ଜଣେ ସଂଭ୍ରାନ୍ତଙ୍କ ପ୍ରାସାଦକୁ ଯାଇ ତାହାକୁ ସରାଇ ଭାବି ରାତ୍ରିଯାପନ କରିଥିଲେ । ସଂଭ୍ରାନ୍ତଙ୍କ ପରିବାରର ସଦସ୍ୟମାନେ ମଜା କରିବା ପାଇଁ ତାଙ୍କ ସହ ବେଶ ଅଭିନୟ କରିଥିଲେ । ସକାଳୁ ବିଲ୍ ପୈଠ କରିବା ବେଳେ ଗୋଲଡ଼ସ୍ମିଥ୍ ସତ୍ୟ ଜାଣି ଲଜ୍ଜିତ ହୋଇଥିଲେ । ଡକ୍ଟର ଜନ୍ସନ୍ଙ୍କ ଭାଷାରେ ସେ ଥିଲେ- ‘କୌଣସି ରଚନା ଶୈଳୀକୁ ଛାଡ଼ି ନଥିବା ଏବଂ ଅନାଦରଣୀୟ ବିଷୟବସ୍ତୁକୁ କେବେ ଛୁଇଁ ନଥିବା ମହାନ୍ ଲେଖକ’ । ମାତ୍ର ପଇଁଚାଳିଶ ବର୍ଷ ବୟସରେ ରୋଗାକ୍ରାନ୍ତ ହୋଇ, ନିଜେ ନିଜର ଚିକିତ୍ସା ଜାରି ରଖି ୧୭୭୪ ଏପ୍ରିଲ ୪ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।
କବି ବାଦଲ ଭୂୟାଁ
ମୋ : ୭୪୮୮୯୯୮୫୩୨