ବିଦଗ୍ଧକବି ଅଭିମନୁ୍ୟ ସାମନ୍ତସିଂହାର
ଓଡ଼ିଆ ସାହିତ୍ୟର ରୀତି ଯୁଗୀୟ କବିମାନଙ୍କ ମଧ୍ୟରେ ବିଦଗ୍ଧକବି ଅଭିମନୁ୍ୟ ସାମନ୍ତ ସିଂହାର ଅନ୍ୟତମ । ତାଙ୍କ ପିତା ଥିଲେ ବାଲିଆର ଜମିଦାର । ତେଣୁ ସ୍ୱାଭାବିକ ଭାବେ ଅଭିମନୁ୍ୟଙ୍କ ବାଲ୍ୟ କାଳରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ସେ କାଳର ପ୍ରଥା ଅନୁଯାୟୀ ଅଭିମନୁ୍ୟ ସଂସ୍କୃତରେ ଅଳଙ୍କାର ବ୍ୟାକରଣ, ଅମରକୋଷ, ମେଦିନୀକୋଷ, ଗଣିତ, ଜ୍ୟୋତିଃଶାସ୍ତ୍ର, ବେଦ, ଉପନିଷଦ, ବ୍ରାହ୍ମଣ ସଂହିତା ଆଦି ଅଧ୍ୟୟନ କରିଥିଲେ । କୈଶୋରରେ ତାଙ୍କ ଗୁରୁ ଥିଲେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା । ସେ ଥିଲେ ବୈଷ୍ଣବ । ତେଣୁ ଅଭିମନୁ୍ୟଙ୍କୁ ଏହି ଧର୍ମରେ ଦୀକ୍ଷିତ କରାଇଥିଲେ । ଜମିଦାର ପୁତ୍ର ହୋଇଥିବାରୁ ବିଭିନ୍ନ ଶସ୍ତ୍ର ଚାଳନା, ଅଶ୍ୱାରୋହଣ ଆଦିରେ ସେ ତାଲିମ ପାଇଥିଲେ । ନିୟମିତ ଶିକାରକୁ ଯାଉଥିଲେ । ଥରେ ତାଙ୍କ ହାତରେ ଏକ ଚକ୍ରବାକର ପ୍ରାଣ ଯାଇଥିଲା । ଆଉ ଚକ୍ରବାକର କ୍ରନ୍ଦନ, ତାଙ୍କ ହୃଦୟକୁ ବିଗଳିତ କରିଥିଲା । ସେହି ଦିନ ଠାରୁ ସେ ଶିକାର ପରିହାର କରିଥିଲେ । ପୁଣି, ସେ ଥିଲେ ରସିକ ଚିତ୍ରକର । ଚଉଦ ବର୍ଷ ବୟସରେ ବିମଳା ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିମଳା ଦେବୀ ହିଁ ଥିଲେ କବିଙ୍କର ମୁଖ୍ୟ ପ୍ରେରଣାଦାୟିନୀ । ଜମିଦାରୀର ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ କବି-ପତ୍ନୀ ଏବଂ କବି କାବ୍ୟ-ଚର୍ଚ୍ଚାକୁ ପ୍ରାଧାନ୍ୟ ଦେଇଥିଲେ । କୈଶୋରରେ ଅଭିମନୁ୍ୟଙ୍କର କବି ପ୍ରତିଭାର ପରିଚୟ ମିଳିଥିଲା । ବାଘଗୀତ, ଚଢ଼େଈଗୀତ, ଆଦି ତାଙ୍କର କୈଶୋରର ସୃଷ୍ଟି । ଚଢ଼େଇଗୀତରେ ଚଢ଼େଇଙ୍କ ବର୍ଣ୍ଣନା ଅତୀବ ମନୋରମ । ଚକା ଚକା ପକ୍ଷୀ କାଇଆ ଜାତି, ବଳିତା ବେଲଣା କାଠ ଅକୃତି, ମୟୂର କଣ୍ଠିଆ ବଣି ମୁଣ୍ଡିଆ, ବୟସ ସହ ତାଙ୍କର ପାଣ୍ଡିତ୍ୟର ପୂର୍ଣ୍ଣ ପ୍ରକାଶ ଘଟିଥିଲା । ଯୌବନରେ ସେ ରଚନା କରିଥିଲେ ନିଜର ପ୍ରଥମ କାବ୍ୟ ରସକଳା । ତାହା ପରେ ରସବତୀ, ସୁଲକ୍ଷଣା, ପ୍ରେମ ଚିନ୍ତାମଣି, ବିଦ୍ଗଧ ଚିନ୍ତାମଣି ଆଦି । ୧୭୫୭ ମସିହା ଫେବୃଆରୀ ୨୩ ତାରିଖରେ ଏହି ରୀତିଯୁଗୀୟ କବିଙ୍କ ଜନ୍ମ ଗ୍ରହଣ ହୋଇଥିଲା ।
ବାଦଲ ଭୂୟାଁ
ମୋ: ୯୨୦୪୬୫୨୦୬୫