ବିଶ୍ୱ ଐତିହ୍ୟ ଦିବସ
ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ‘ବିଶ୍ୱ ଐତିହ୍ୟ ଦିବସ’ ପାଳନ କରାଯାଏ । ଏ ବର୍ଷ ୨୦୨୫ର ବିଷୟବସ୍ତୁ ରହିଛି ‘ବିପର୍ଯ୍ୟୟ ଓ ସଙ୍ଘର୍ଷ ମଧ୍ୟରେ ଐତିହ୍ୟରାଜିଗୁଡ଼ିକର ସୁରକ୍ଷା’ । ଆମ ପୂର୍ବଜ ଦେଇଥିବା ଧରୋହର, ପରମ୍ପରା, ପୁରୁଣା ଦିନର ଅମୂଲ୍ୟ ସ୍ମୃତିକୁ ସାଇତି ରଖିବା ଉଦେ୍ଦଶ୍ୟରେ ୟୁନେସ୍କୋ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବିଶ୍ୱ ଐତିହ୍ୟ ଦିବସ ଏପ୍ରିଲ ୧୮, ୧୯୮୨ରେ ଟୁ୍ୟନିସିୟାରେ ପାଳନ କରାଗଲା । ପ୍ରତ୍ୟେକ ଦେଶର ଇତିହାସ, ତାର ବର୍ତ୍ତମାନ ଓ ଭବିଷ୍ୟତର ମୂଳଦୁଆ ଥାଏ । ଯେଉଁ ଦେଶର ଇତିହାସ ଯେତେ ଗୌରବମୟ, ବିଶ୍ୱ ସ୍ତରରେ ତା’ର ସ୍ଥାନ ସେତିକି ଉଚ୍ଚରେ । ବିତି ଯାଇଥିବା ଅତୀତ କେବେ ଫେରିଆସେନା, କିନ୍ତୁ ସେ କାଳର ପ୍ରାକୃତିକ ଓ ଐତିହାସିକ ସମ୍ପଦ, ଅଟ୍ଟାଳିକା, ସାହିତ୍ୟ ଆଦି ସର୍ବଦା ସଜୀବ ଥାଏ । ବିଶ୍ୱ ଐତିହ୍ୟ ସ୍ଥାନ ପ୍ରତ୍ୟେକ ଦେଶର ସଭ୍ୟତା ଓ ପ୍ରାଚୀନ ସଂସ୍କୃତିର ମହତ୍ୱପୂର୍ଣ୍ଣ ପରିଚାୟକ ବୋଲି ମନେ କରାଯାଏ । ୧୯୮୩ରେ ଭାରତର ୪ଟି ଐତିହାସିକ ସ୍ଥଳକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ୟୁନେସ୍କୋ ଚିହ୍ନଟ କରିଥିଲା । ସେଗୁଡ଼ିକ ହେଉଛି ତାଜମହଲ, ଆଗ୍ରା ଦୁର୍ଗ, ଅଜନ୍ତା ଓ ଏଲୋରା ଗୁମ୍ଫା । ପରେ ପରେ ଭାରତର ଅନେକ ଐତିହାସିକ ସ୍ଥଳକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ତାଲିକାରେ ସ୍ଥାନ ଦେଇଛି । ୨୦୧୧ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ସମୁଦାୟ ୯୧୧ଟି ବିଶ୍ୱ ଐତିହ୍ୟ ସ୍ଥଳୀ ଥିଲା । ତନ୍ମଧ୍ୟରୁ ୭୦୪ଟି ଐତିହାସିକ ଓ ସାଂସ୍କୃତିକ, ୧୮୦ଟି ପ୍ରାକୃତିକ ଏବଂ ୨୭ଟି ମିଶ୍ରିତ ସ୍ଥଳୀ ଅଛି ।
ଆଜି ଦିନରେ ସାରା ବିଶ୍ୱ ପାଳନ କରୁଛି ଐତିହ୍ୟ ଦିବସ । ଆମେ ବି ପାଳୁଛୁ - ଦେଶରେ, ରାଜ୍ୟରେ । ପତ୍ରପତ୍ରିକାରେ ବଡ଼ ବଡ଼ ଲେଖା ଛାପୁଛୁ । ଐତିହ୍ୟ ବୋଲି ଯାହାକୁ ବୁଝୁ ସେଗୁଡ଼ିକର ବିଭିନ୍ନ ଅବସ୍ଥାର ଫଟୋଚିତ୍ର ପ୍ରକାଶ କରୁଛୁ । ଆଲୋଚ୍ୟ ସମ୍ପାନ ଆଦି ଆୟୋଜନ କରି ଐତିହ୍ୟର ସୁରକ୍ଷା ସମ୍ପର୍କରେ ଅର୍ଥହୀନ ଉଚ୍ଚାରଣଗୁଡ଼ାଏ କରୁଛୁ । କିନ୍ତୁ କ'ଣ ଏ ଐତିହ୍ୟ ? ଏହା କେଉଁ ଅବସ୍ଥାରେ ରହିଛି ? ସଂରକ୍ଷଣର ବାଟ କ'ଣ ଏବଂ ସମ୍ଭାବନା କେତେ - କିଛି ଚିନ୍ତା କରିଛୁ ? ଐତିହ୍ୟ କେବଳ ସ୍ଥାପତ୍ୟ କି କୀର୍ତ୍ତିରାଜି ନୁହେଁ । ଅଥବା ଇତିହାସର ନୁହେଁ । ଐତିହ୍ୟ ହେଉଛି ଗୋଟିଏ ଜାତିର ଜୀବନର ସୂଚୀପତ୍ର । ତାର ପ୍ରାଣ ସ୍ପନ୍ଦନ । ଗୋଟିଏ ଦେଶର ସଭ୍ୟତାର ପରିଭାଷା ହେଉଛି ଏହି ଐତିହ୍ୟ । ଯେଉଁଜାତିର ଐତିହ୍ୟ ଯେତେ ଉନ୍ନତ ସେ ଜାତି ସଭ୍ୟତାର ପରିଭାଷା ହେଉଛି ଏହି ଐତିହ୍ୟ । ଯେଉଁଜାତିର ଐତିହ୍ୟ ଯେତେ ଉନ୍ନତ ସେ ଜାତି ସେତେ ଆଭିଜାତ୍ୟ ସମ୍ପନ୍ନ ବୋଲି କୁହାଯାଏ । ଐତିହ୍ୟର ସୁରକ୍ଷା କୌଣସି ନିର୍ଦ୍ଦିଷ୍ଟ ଦେଶ ବା ଜାତିର ଦାୟିତ୍ୱ ନୁହେଁ, ଏହା ସାରା ବିଶ୍ୱର ମାନବସମାଜର ଦାୟିତ୍ୱ । ଇକୋମ୍ସ ଇଣ୍ଟରନ୍ୟାସନାଲ କାଉନସିଲ ଫର୍ ମନୁ୍ୟମେଣ୍ଟ୍ସ ଆଣ୍ଡ ସାଇଟସ୍ ନାମରେ ଏକ ଆନ୍ତର୍ଜାତିକ ସଂସ୍ଥା ରହିଛି । ଏହି ସଂସ୍ଥା ତରଫରୁ ୧୯୮୨ ମସିହା ଏପ୍ରିଲ ୧୮ ତାରିଖରେ ଟୁ୍ୟନିସିଆଠାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ସେହି ଆଲୋଚନାଚକ୍ରରେ ନିଷ୍ପତ୍ତି ନିଆଗଲା, ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଆବଶ୍ୟକତା ଉପରେ ବିଶ୍ୱ ଜନସମୁଦାୟ ସଚେତନ ହେବା ପାଇଁ ଅବସର ସୃଷ୍ଟି କରାଯିବ । ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରାଗଲା । ସେହି ଦିନଟି ହେଉଛି ଏପି୍ରଲ ୧୮,୧୯୮୨ । ତାହା ପରଠାରୁ ଏହି ଦିନଟିକୁ ସାରା ବିଶ୍ୱରେ ଐତିହ୍ୟ ଦିବସ ଭାବେ ପାଳନ କରାଯାଇ ଆସୁଛି । ତେବେ ଏହା କେବଳ ଆନୁଷ୍ଠାନିକତା ଭିତରେ ଛନ୍ଦି ହୋଇ ରହିଯାଇଛି ନା ସତରେ ଐତିହ୍ୟର ସଂରକ୍ଷଣ ସହିତ ତାର ଗାରିମାକୁ ଆହୁରି ଉଜାଗର କରୁଛି, ତାହା ଏକ ବଡ଼ ପ୍ରଶ୍ନ । ଗବେଷକମାନଙ୍କ ମତରେ ଐତିହ୍ୟ ଦୁଇ ପ୍ରକାର । ଦୃଶ୍ୟମାନ ଓ ଅନୁଭବ୍ୟ । ସ୍ଥାପତ୍ୟ କଳା, ମନ୍ଦିର, ମୂର୍ତ୍ତି ଆଦି ହେଉଛି ଦୃଶ୍ୟମାନ ଐତିହ୍ୟ । ଆମ ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଚିଲିକା, ଅଂଶୁପା, ଭଳି ହ୍ରଦ ଗନ୍ଧମାର୍ଦ୍ଦନ ଭଳି ପର୍ବତ ମଧ୍ୟ ପ୍ରାକୃତିକ ଦୃଶ୍ୟମାନ ଐତିହ୍ୟ । ଭାଷା, ପରମ୍ପରା, ନୃତ୍ୟ, ସଂଗୀତ ଆଦି ହେଉଛି ଅଦୃଶ୍ୟ ବା ଅନୁଭବ୍ୟ । ଏହା ଦେଖିହୁଏ ନାହିଁ, କିନ୍ତୁ ଅନୁଭବ କରିହୁଏ । ତେବେ, ଉଭୟ ଦୃଶ୍ୟମାନ ଓ ଅନୁଭବ୍ୟ ଐତିହ୍ୟ ଆଜି ଅସୁରକ୍ଷିତ ଏବଂ ବିପନ୍ନ ସ୍ଥିତିରେ । କେନ୍ଦୁଝର ଜିଲ୍ଲାର ସୀତାବିଂଜ ପ୍ରସ୍ତର କଳା, ଗଞ୍ଜାମ ଜିଲ୍ଲା ବୁଗୁଡ଼ାର କାଠ ତିଆରି ପ୍ରାଚୀନ ବରିଞ୍ଚô ନାରାୟଣ ମନ୍ଦିର - ଯାହାକୁ କାଠର କୋଣାର୍କ କୁହାଯାଏ । କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦିକୁ ଦେଶରେ ଜଣାପଡ଼େ କେହି ଏମାନଙ୍କର ଅସ୍ତିତ୍ୱ ସମ୍ପର୍କରେ ଆଦୌ ଚିନ୍ତିତ ନୁହନ୍ତି । ସୀତାବିଂଜର ପ୍ରସ୍ତର ଗାତ୍ରରେ ଚିତ୍ର ନାହିଁ ଖାଲି ପଥର ରହିଛି । କୋଣାର୍କର କାରୁକାର୍ଯ୍ୟ ଘୋରି ହୋଇ କ୍ଷୟପ୍ରାପ୍ତ ହୋଇସାରିଲାଣି । କୋଣାର୍କ ମନ୍ଦିର ୪୦ ଭାଗ ବର୍ତ୍ତମାନ ସିମେଣ୍ଟ ଲେପ ଭିତରେ ଲୁଚି ରହିଲାଣି । ବାକି ଅଂଶକୁ ଆଚ୍ଛାଦିତ କରି ରଖିଛି ମହଣ ମହଣ ଓଜନର ଲୁହାଭରା ।
ସଂରକ୍ଷଣ ପାଇଁ ଅର୍ଥର ଅଭାବ ନାହିଁ । ବିଶ୍ୱବ୍ୟାଙ୍କ ପଇସା ଦେଉଛି, କେନ୍ଦ୍ର ସରକାର ପଇସା ଦେଉଛନ୍ତି । କିନ୍ତୁ ସଂରକ୍ଷଣ ଦାୟିତ୍ୱରେ ଥିବା ଏଏସ୍ଆଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଇନଟାକ୍ କେହି ହେଲେ ସଂରକ୍ଷଣ ଦାୟିତ୍ୱ ତୁଲାଇ ପାରୁନାହାନ୍ତି । ଏଏସ୍ଆଇ ଅଧୀନରେ ଓଡ଼ିଶାର ୮୦ଟି ପ୍ରାଚୀନ ମନ୍ଦିର ସ୍ଥାପତ୍ୟର ସଂରକ୍ଷଣ ଦାୟିତ୍ୱ ନ୍ୟସ୍ତ ରହିଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ଅଛି ୩୦୦ଟିର ଦାୟିତ୍ୱ । ଏଏସ୍ଆଇ କେନ୍ଦ୍ର ବଜେଟ ଅର୍ଥରେ କାମ କରୁଛି, ରାଜ୍ୟ ଉପରେ ନିର୍ଭର କରୁନି । ଦ୍ୱାଦଶ ଅର୍ଥ କମିଶନଙ୍କ ପରେ ତ୍ରୟୋଦଶ ଅର୍ଥ କମିଶନ ବି ରାଜ୍ୟର ଐତିହ୍ୟ ସଂରକ୍ଷଣ ପାଇଁ ହାତ ଖୋଲା କରିଦେଇଛନ୍ତି । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୮୦ କୋଟି ଟଙ୍କା ଦେଇଛନ୍ତି ମନ୍ଦିର ଗୁଡ଼ିକର ପୁନରୁଦ୍ଧାର ପାଇଁ । ଇନ୍ଟାକକୁ ମଧ୍ୟ ୧୦ କୋଟି ମିଳିଛି । କିନ୍ତୁ ଏତେ ଅର୍ଥ ହେଉଛି କ'ଣ ? ଜାତିର ବହୁମୂଲ୍ୟ ଐତିହ୍ୟ ସଂରକ୍ଷଣ କରାଯାଉଛି କେମିିତି ? ଏହାକୁ ଯାଞ୍ଚ କରୁଛି କିଏ ? ପ୍ରାଚୀନ ଐତହ୍ୟ ଭିତରେ ଆସୁଛି ଆଗ ଓଡ଼ିଆଭାଷା । ରାଜ୍ୟ ସାରା ଇଂରାଜୀ ମାଧ୍ୟମ ବିଛେଇ ହୋଇସାରିଛି କେଉଁକାଳୁ । ପିଲା ଓଡ଼ିଆ ଭୁଲି ସାରିଲେଣି । କୌଣସି ସରକାରୀ ଅଫିସରେ ଓଡ଼ିଆଭାଷାରେ ଚିଠିଟିଏ ବି ଲେଖା ହେଉନି । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ବୋଲି ଆମେ ସମସ୍ତେ ଗଦ୍ଗଦ୍ ହେଲୁ, ଅଥଚ ସାଇନ୍ ବୋର୍ଡ଼ଟିଏ ବି ଇଂରାଜୀରୁ ଓଡ଼ିଆକୁ ପରିବର୍ତ୍ତିତ ହେଲା ନାହିଁ । କ'ଣ ହେବ ସଂରକ୍ଷଣ ଏବଂ କାହାପାଇଁ । ଯଦି ଆମେ ନିଜେ ନ ଚାହିଁବା, ଆମକୁ ଜଗିବ କିଏ ?
ମୋ : ୯୯୩୭୧୭୨୮୧୦