ବିଶ୍ୱଗୁରୁ ରବୀନ୍ଦ୍ରନାଥ 


ଏହି ସୃଷ୍ଟିର ଅଣୁପରମାଣୁରେ ନିକ୍ୱଣିତ ହୁଏ ଏକ ଶାଶ୍ୱତ ସଙ୍ଗୀତର ମୂର୍ଚ୍ଛନା । ଅବନୀ ଅନ୍ତରୀକ୍ଷରେ ପ୍ରତି ମୁହୂର୍ତ୍ତରେ ଅଭିବ୍ୟକ୍ତି ଲାଭ କରେ ଅନିର୍ବଚନୀୟ ସୁଷମାର ନିତ୍ୟ ନୂତନ ବୈଚିତ୍ର୍ୟ । ଆକାଶର ଭାସମାନ ଶୁଭ ଶୀର୍ଣ୍ଣ ମେଘଖଣ୍ଡ କେବେ କାହାଣୀ କହେ ବା କେବେ ତା'ର ସ୍ୱଗତୋକ୍ତିରେ ତଲ୍ଲୀନତା ଲାଭ କରେ । ଇନ୍ଦ୍ରଧନୁର ରୂପୋତ୍ସବରେ ନିତ୍ୟ ରୂପାତୁରା ଦିଗ୍ବଧୂରକାନ୍ତ କମନୀୟ କପୋଳ ବର୍ଣ୍ଣାଭ ହୋଇଉଠେ । ଆଶ୍ୱିନ ଜ୍ୟୋତ୍ସ୍ନାର ସ୍ପର୍ଶରେ ଶ୍ୟାମା, ସ୍ନିଗ୍ଧା, ତନ୍ଦ୍ରାଳସା ଧରିତ୍ରୀର ଚକ୍ଷୁରେ ସଂଖ୍ୟାହୀନ ସ୍ୱପ୍ନର ସୁଷମା ଭରିଉଠେ । ଲାସ୍ୟମୟୀ, ତନ୍ୱୀ, ତରୁଣୀର ଲୀଳାୟିତ ଚପଳ ପଦପାତରେ ପ୍ରୀତିର ପାରିଜାତ ପରିସ୍ଫୁଟ ହୁଏ । ମୁକୁଳିତା ହାସ୍ୟମୟୀ କଳିକା, ସୌରଭର ନୈବେଦ୍ୟ ବାଢ଼ି ସୌନ୍ଦର୍ଯ୍ୟର ବର୍ଣ୍ଣନା ଗାନ କରେ । ନିତ୍ୟ ପରିବର୍ତ୍ତନଶୀଳା, ମାନମୟୀ ବସୁମତୀର ଦୃଶ୍ୟସକାଳ ସଂସାରୀ - ସନ୍ନ୍ୟାସୀ ନିର୍ବିଶେଷରେ ସମସ୍ତଙ୍କୁ ଅଭିଭୂତ କରେ । ବିଶ୍ୱସୃଷ୍ଟିର ଏହି ନିତ୍ୟ ନୂତନ ରୂପୋତ୍ସବ ଆଶୈଶବ ରବୀନ୍ଦ୍ରନାଥଙ୍କର ସମ୍ବେଦନଶୀଳ ପ୍ରାଣକୁ ଅଭିନବ ବ୍ୟଞ୍ଜନା ବିଭୂତି ସ୍ପର୍ଶରେ ମହୀୟାନ କରିଥିଲା । ସେହି ମହାନ କବିଙ୍କର ସୌନ୍ଦର୍ଯ୍ୟାନୁଭୂତିକୁ ସୂକ୍ଷ୍ମ ଓ ଶାଣିତ କରି ଏହା ତାଙ୍କର ପ୍ରାଣକୁ ଏକ ଅନୁପମ ଅନ୍ତର୍ଦୃଷ୍ଟିରେ ଅଭିବ୍ୟଞ୍ଜିତ କଲା ଏବଂ ସମାଧିସ୍ଥ କରି ଚିତ୍ତର ଉଚ୍ଛ୍ୱାସ ଓ ସୌନ୍ଦର୍ଯେ୍ୟାପାସନା ସତ୍ୟାନ୍ୱେଷୀ ଉପନିଷଦ୍କାରର ସମର୍ପଣାତ୍ମକ ପ୍ରବଣତା ନେଇ କବିତା ମାଧ୍ୟମରେ ଆତ୍ମପ୍ରକାଶ ଲାଭକଲା । ରବୀନ୍ଦ୍ରନାଥଙ୍କ କବିତା ସେଥିପାଇଁ ଏକାଧାରାରେ ସତ୍ୟର ବାହକ, ସୌନ୍ଦର୍ଯ୍ୟର ପରିପ୍ରକାଶକ ବା ମାନବାତ୍ମାର ଆତ୍ମ ପ୍ରକାଶନର ସହାୟକ । ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପୁଣ୍ୟ ଜନ୍ମଭୂମି ସନ୍ନିକଟରେ ବିଶ୍ୱଗୁରୁଙ୍କ ବାସସ୍ଥାନ ଥିବାରୁ ପିଲାବେଳୁ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ସାନ୍ନିଧ୍ୟ ପ୍ରାପ୍ତ ହେବା ସହ ସେ ପ୍ରତ୍ୟେହ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଅମୃତବାଣୀ "ସତ୍ୟାନୁସରଣ' ପାଠ କରୁଥିଲେ ।  ପରବର୍ତ୍ତୀ ସମୟରେ ଏହା ତାଙ୍କ ଆଧ୍ୟାତ୍ମିକ ଜୀବନକୁ ଦିବ୍ୟମୟ କରିପାରିଥିଲା । 
୧୮୬୧ ମସିହା ମେ ୭ ତାରିଖରେ ଘୋଡ଼ାଶଙ୍ଖରେ ପିତା ଦେବେନ୍ଦ୍ରନାଥଙ୍କର ଚର୍ତୁଦ୍ଦଶ ସନ୍ତାନ ଭାବରେ ରବୀନ୍ଦ୍ରନାଥଙ୍କର ଜନ୍ମୋତ୍ସବ ସଂଗଠିତ ହୋଇଥିଲା । ବାଲ୍ୟ ବିଦ୍ୟାଳୟ ଶିକ୍ଷା ପରେ ୧୮୭୮ ମସିହା ସେପ୍ଟେମ୍ବର ୨୦ ତାରିଖରେ ସେ ପ୍ରଥମଥର ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ । ରବୀନ୍ଦ୍ରନାଥଙ୍କୁ ୧୮ବର୍ଷ ହେଲାବେଳକୁ ସେ ସାତହଜାର ଧାଡ଼ିର କବିତା ଲେଖି ସାରିଥିଲେ । ୧୮୮୩ ମସିହାରେ ତାଙ୍କର ବିବାହ ହୋଇଥିଲା ମୃଣାଳିନୀ ଦେବୀଙ୍କ ସହ । ୧୮୮୩ରୁ ୧୮୯୦ ପର୍ଯ୍ୟନ୍ତ ନିଜ ରଚନାରେ ଗଭୀର ଭାବେ ସେ ମନୋନିବେଶ କରିଥିଲେ । ଆରଣ୍ୟ ଶ୍ରୀଚର୍ଚ୍ଚିତ ଗୁରୁକୁଳାଶ୍ରମର ଚିତ୍ର ସେ ତାଙ୍କର "ନୈବେଦ୍ୟ କବିତା' ମାଧ୍ୟମରେ ପ୍ରକାଶ କରିଥିଲେ । ' ୧୯୧୩ରେ ପ୍ରଥମଥର ପାଇଁ ରବୀନ୍ଦ୍ର ନାଥ ଏସିଆର ଲେଖକ ଭାବେ ନୋବେଲ ପୁରସ୍କାର ପାଇଥିଲେ । ଏହାର ସମସ୍ତ ଅର୍ଥରାଶି ସେ ଶାନ୍ତିନିକେତନକୁ ଦାନ କରିଦେଇଥିଲେ । ରବୀନ୍ଦ୍ରନାଥ ଏକାଧାରାରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, କ୍ଷୁଦ୍ରଗଳ୍ପକାର, ସଂଗୀତଜ୍ଞ, ଚିତ୍ରକର, ସଂସ୍କାରକ, ଦାର୍ଶନିକ, ଦେଶପ୍ରେମୀ, ମାନବହିତୈଷୀ ଓ ଉପନିଷଦର ସତ୍ୟ ସକଳର ପ୍ରବକ୍ତା । ମାତ୍ର ତାଙ୍କର ଜୀବନରେ ଯେଉଁ ମହାନତା ପ୍ରକାଶିତ ହୋଇଥିଲା ତାହା ତାଙ୍କର ସକଳ କୃତି ଠାରୁ ମହତର ଥିଲା । ଗୀତାଞ୍ଜଳି ମନୁଷ୍ୟ ନିକଟରେ ଗୋଟିଏ ସତ୍ୟ ପ୍ରତିପାଦନ କରେ ଯେ ଏକ ସଂଞ୍ଜୀବିତ ତଥା ପ୍ରୀତୁ୍ୟଫୁଲ୍ଲ ମାନବାତ୍ମାର ପରିପ୍ରକାଶ ଓ ଆତ୍ମନିବେଦନ କେବଳ କବିତା ମାଧ୍ୟମରେ ହିଁ ସମ୍ଭବ । ଉତ୍ୁଙ୍ଗ ଭାବୋଚ୍ଛ୍ୱାସର ଭାଷାୟନ, ବିକ୍ଷେପ ଓ ବିକରଣ ନିମିତ୍ତ କବିତାର ଶବ୍ଦ ସଂଯୋଜନା ହିଁ ଯଥାର୍ଥ ବାହକ । ତାଙ୍କର ଲୋକପ୍ରିୟ ଓ ଶ୍ରେଷ୍ଠକୃତି "ଗୋରା' ଉପନ୍ୟାସ ଟଲଷ୍ଟୟଙ୍କ "ଯୁଦ୍ଧ ଓ ଶାନ୍ତି' ଉପନ୍ୟାସ ସହିତ ତୁଳନୀୟ ଯାହାକି ୧୯୧୦ରେ ପ୍ରକାଶିତ ହୋଇଥିଲା । ଜୀବନର ଜାହ୍ନବୀରେ କବି ଉପନିଷଦୀୟ ଚିନ୍ତା ଚେତନା ଚର୍ଚ୍ଚିତ ଯେଉଁ କବିତା ତର୍ପଣ କରିଛନ୍ତି ତାହା କାଳ କାଳ ଧରି ବହୁ ପାଠକ ଆତ୍ମାର ପରିତୃପ୍ତି ବିଧାନ କରିବ ।୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କ ଆତ୍ମା ମୃଣ୍ମୟ ଶରୀର ପରିତ୍ୟାଗ କଲା । ତାଙ୍କ ଶ୍ରେଷ୍ଠକୃତି "ଗୀତାଞ୍ଜଳି'ର ସେହି ବିଲକ୍ଷଣ ଧାଡ଼ି ମଧ୍ୟରେ ଧାଡିଟି ମନେପଡ଼ିଯାଉଛି - 
                         “ବୈରାଗ୍ୟସାଧନେ
ମୁକ୍ତି  ସେ ଆମାର ନୟ,
ଅସଂଖ୍ୟ ବନ୍ଧନ ମାଝେ ମହାନନ୍ଦମୟ
 ଲଭିବ ମୁକ୍ତିର ସ୍ୱାଦ । ଏହି ବସୁଧାର
  ମୃତ୍ତିକାର ପାତ୍ରଖାନି କରି ବାରମ୍ବାର 
 ତୋମାର ଅମୃତ ଟାଲି ଦିବେ ଅବିରତ 
ନାନା ବର୍ଣ୍ଣ ଗନ୍ଧମୟ । ପ୍ରଦୀପେର ମତୋ 
  ସମସ୍ତ ସଂସାର ମୋର ଲକ୍ଷ ବର୍ତ୍ତିକାୟ
ଜ୍ୱାଲାଏ ତୁଲିବେ ଆଲୋ ତୋମାରି ଶିଖାୟ  । 
    ତୋମାର ମନ୍ଦିର ମାଝେ  ।
 ଇନ୍ଦ୍ରିୟେର ଦ୍ୱାର ରୁଦ୍ଧକରି ଯୋଗାସନ
    ସେ ନୟ ଆମାର ।”
ମୋ : ୯୪୩୭୦୫୧୯୫୭