ବିିଲ ମଝିରେ ଭୂତ ପୋଖରୀ; ଫଳକ ମାରି ୨ଲକ୍ଷ ଚଳୁ
ଟମକା: ଜନତାଙ୍କ ହିତ ପାଇଁ ଆସୁଥିବା ସରକାରୀ ଟଙ୍କା ଆତ୍ମସାତ୍ କରିବା ଘଟଣା ନୁଆ ନୁହେଁ । ହେଲେ ଆମେ ଏଠି ଏଭଳି ଘଟଣା ସାମ୍ନାରେ ରଖୁଛୁ ଯେଉଁଠି ବିଲ ମଝିରେ ଭୂତ ପୋଖରୀ ଫଳକ ମାରି ୨ଲକ୍ଷଟଙ୍କା ଚଳୁ ହୋଇଛି । ଜଳ ବିଭାଜିକା ବିଭାଗ ଯାଜପୁର ଅଧିନରେ ଏହି ଲୁଟ୍ ହୋଇଥିବା ବେଳେ ଏହି ଅର୍ଥ ଚଳୁ ପଛରେ କାହାକାହା ହାତ ରହିଛି ତାହା ଏବେ ତଦନ୍ତ ସାପେକ୍ଷ ପାଲଟିଛି । ସୂଚନା ମୁତାବକ ଦାନଗଦୀ ବ୍ଲକ୍ ଅଧିନସ୍ଥ ଦେଉଳକଣ ପଞ୍ଚାୟତରେ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଛି । ଲଗା ଯାଇଥିବା ଫଳକ ଅନୁଯାୟୀ ମହାତ୍ମଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କ୍ଷେତ୍ରପୋଖରୀ ଖନନ ପାଇଁ ୨୨/୨୩ ଆର୍ଥିକ ବର୍ଷ ରେ ୧ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ବାବୁଲି ନାୟକ ନାମକ ଜୈନକ ହିତାଧିକାରୀଙ୍କ ନାମରେ ନାମରେ କାର୍ଯ୍ୟକୋଡ ୨୪୨୦୦୫/ଆଇଏ /୧୧୦୦୮୬୪୩ ରେ ଏହି ପୋଖରୀ ଖନନ କରାଯାଇଥିବା ଦର୍ଶାଯାଇଛି । କିନ୍ତୁ ବାସ୍ତବ ଚିତ୍ର ହେଉଛି ୨୦୨୩ ମସିହା ଜୁନ୍ ୧୦ ତାରିଖରୁ ଏହି ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ଦର୍ଶା ଯାଇଥିବା ବେଳେ ଏହି ପୋଖରୀର ନା ଗନ୍ଧ ଦେଖିବାକୁ ମିଳିନାହିଁ । ବିଲରେ ଏହି ପୋଖରୀ ଫଳକ ଲଗାଯାଇ ବ୍ୟୟବରାଦ ଅର୍ଥକୁ ଚଳୁ କରିଥିବା ଅଭିଯୋଗ ହୋଇଛି । ଯଦି ପୋଖରୀ ଖନନ ହୋଇନାହିଁ ତେବେ ଏହି ଅର୍ଥ ଉକ୍ତ ହିତାଧିକାରୀଙ୍କୁ ମଞ୍ଜୁର ହେଲା କେମିତି? ବିଭାଗୀୟ ଅଧିକାରୀ କାର୍ଯ୍ୟର ପ୍ରକୃତ ତଦାରଖ କରିଛନ୍ତି ନା ନାହିଁ? ନା ମିଶଇ କରି ଏହି ଭୂତ ପୋଖରୀ ଖନନ କରି ଏହି ଅର୍ଥକୁ ଚଳୁ କରିଛନ୍ତି? ଏଭଳି ଅନେକ ପ୍ରଶ୍ନ ଆଜି ତଦନ୍ତ ସାପେକ୍ଷ ହୋଇଥିବା ବେଳେ ଦାନଗଦୀ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ବିଭାଗ ଦ୍ୱାରା ଏଭଳି ଭୂତ ପୋଖରୀ ଖନନ କରି ଅର୍ଥ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।