ବ୍ରହ୍ମଗିରି ପୀଠ ଓ ଶ୍ରୀଜଗନ୍ନାଥ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଦେବସ୍ନାନ ପରେ ଶ୍ରୀଜୀଉମାନେ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଦୀର୍ଘ୧୫ଦିନ ଧରି ଶୋଇରହନ୍ତି । ସେଠାରେ ଦଇତା ସେବାୟତମାନେ ଦାରୁଦିଅଁଙ୍କ ଗୁପ୍ତ ଉପଚାର କରନ୍ତି । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଭକ୍ତମାନେ ବ୍ରହ୍ମଗିରି ନିକଟରେ ଥିବା ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଏଠାରେ ଧର୍ମୀୟ ବିଶ୍ୱାସ ରହିଛି ଯେ, ରନô ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ । ଏପରି ବିଶ୍ୱାସ ରଖି, ଭକ୍ତମାନେ ଅଲାରନାଥ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୁଅନ୍ତି, ଯେଉଁଥିପାଇଁ ଦୀର୍ଘ ୧୫ଦିନ ପାଇଁ ଶ୍ରୀକ୍ଷେତ୍ରର ଆକର୍ଷଣ ବ୍ରହ୍ମଗିରି ନେଇଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ ଭାବେ ବିଶ୍ୱରେ ପରିଚିତ । କିମ୍ବଦନ୍ତୀ ଅନୁଯାୟୀ, ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା । ଉକôଳୀୟ ଶାସ୍ତ୍ରାନୁସାରେ, ଶ୍ରୀଜଗନ୍ନାଥଙ୍କ ପରି ଶ୍ରୀଅଲାରନାଥଙ୍କ ପୀଠରେ ମଧ୍ୟ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୁଏ । ଋତୁଚକ୍ରନୁଯାୟୀ ବିଭିନ୍ନ ସମୟରେ ବିଭିନ୍ନ ବେଶରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ମିଳିଥାଏ, ଯେମିତି ଶ୍ରୀଜିଉଙ୍କ ଅନବସର ସମୟରେ ଅନବସର ବେଶ, ଚନ୍ଦନଯାତ୍ରା ସମୟରେ ଚନ୍ଦନବେଶ, କାର୍ତ୍ତିକ ମାସରେ ରାଧାଦାମୋଦର ବେଶ, ଦଶହରା ଦିନ ରାଜବେଶ, ବସନ୍ତ ପଞ୍ଚମୀ ଦିନ ଘୋଡ଼ାଲାଗି ବେଶ ଓ ଅନ୍ୟାନ୍ୟ ବେଶ, ଯାହା ଉକôଳୀୟ ପରମ୍ପରା ଓ ସଂସ୍କୃତିରେ ଉଲ୍ଲେଖ ହୋଇ ରହିଅଛି । ସେହିଭଳି ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣ୍ଣିମା, ବିଜୟା ଦଶମୀ, ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଙ୍କ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳ ପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି ଆଦି ନୀତିକାନ୍ତିରେ ସମ୍ପନ୍ନ କରାଯାଏ । କିମ୍ବଦନ୍ତୀ କୁହେ, ୧୫୧୦ରେ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର, ପୁରୀକୁ ଆସିଥିଲେ । ସେତେବେଳେ ମହାପ୍ରଭୁଙ୍କ ଅନବସର ସମୟ ଚାଲିଥିଲା । ଏହି ସମୟରେ ମହାପ୍ରଭୁ କୌଣସି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାଦ୍ୱାରା ଶ୍ରୀଚୈତନ୍ୟ ଅଶାନ୍ତ ହୋଇ ପ୍ରାଣତ୍ୟାଗ ଉଦ୍ୟମ କରିବା ସମୟରେ ଶୂନ୍ୟବାଣୀ ହେଲା ଯେ, ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନସମ ହେବ । ତେଣୁ ଶ୍ରୀଚୈତନ୍ୟ ବ୍ରହ୍ମଗିରି ପୀଠରେ ଶ୍ରୀନାରାୟଣ ପ୍ରତିମା ଦର୍ଶନ ପାଇ ଧନ୍ୟ ହୋଇଥିଲେ । ସେବେଠାରୁ ଏହି ବିଶ୍ୱାସ ରହିଆସିଛି ଯେ ଯଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଣସର ସମୟରେ ଦର୍ଶନ କରିପାରୁ ନାହାନ୍ତି ସେମାନେ ମହାପ୍ରଭୁ ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟପ୍ରାପ୍ତି କରିବା ସହ ଆଶୀର୍ବାଦ ଲାଭ କରିପାରିବେ । ତେବେ ଅନବସର ସମୟରେ ଦର୍ଶନାର୍ଥୀଙ୍କ ଅଲାରନାଥ ମନ୍ଦିର ଦର୍ଶନରେ ଆସି ଭଗବାନଙ୍କର ଆଶୀର୍ବାଦପ୍ରାପ୍ତ କରିବା ସହ କ୍ଷୀରି ଭୋଗକୁ ଲାଭ କରିଥାନ୍ତି । ଧର୍ମୀୟବିଶ୍ୱାସ, ପ୍ରଭୁ ଅଲାରନାଥ କ୍ଷୀରି ଖାଇବାକୁ ବେଶ୍ ଭଲ ପାଆନ୍ତି । ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରିହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ଭକ୍ତି ସହକାରେ ଆଖିବନ୍ଦ କରି ଠାକୁରଙ୍କୁ କ୍ଷୀରି ଖାଇବାକୁ ଅନୁରୋଧ କରିଥିଲେ । ପ୍ରଭୁ ବାଳକର ଅନୁରୋଧ ରକ୍ଷା କରି ପ୍ରକଟ ହୋଇ କ୍ଷୀରି ଖାଇଥିଲେ । ହେଲେ କ୍ଷୀରି ଗରମ ଥିବାରୁ ପ୍ରଭୁ ଅଲାରନାଥଙ୍କ ଶ୍ରୀଅଙ୍ଗରେ ଫୋଟକା ହୋଇଯାଇଥିଲା । ଏହି ଚିହ୍ନ ଆଜିବି ଅଲାରନାଥଙ୍କ ମୂର୍ତ୍ତିରେ ଦେଖିବାକୁ ମିଳିଥାଏ । ଏହି ସ୍ମୃତିରେ ଅନବସରରେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି କ୍ଷୀରି ଭୋଗ କରିଥାନ୍ତି । ତେଣୁ କୁହାଯାଏ ଏବଂ ବିଶ୍ୱାସ କରାଯାଏ, ବର୍ଷଯାକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ଅର୍ଜନ ମିଳିଥାଏ ଅଣସର ସମୟରେ ପ୍ରଭୁ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ।
କ୍ଷୀରୋଦିନୀ ବେହେରା, ମୋ -୯୭୭୭୭୨୯୦୦୨