ଭାରତୀୟ ସମ୍ବିଧାନର ଅଙ୍ଗୀକରଣ
୧୯୪୯ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭାରେ ଭାରତୀୟ ସମ୍ବିଧାନ ଗୃହୀତ ବା ଅଙ୍ଗୀକୃତ ହୋଇଥିଲା । ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକର ସମ୍ବିଧାନ ସଭାରେ ଏହି ଚିଠା ଆଗତ କରିଥିଲେ । ସେପ୍ଟେମ୍ବର ୨ରେ ଅନ୍ତରୀଣ ସରକାର ଗଠନ କରାଯାଇଥିଲା । ଡିସେମ୍ବର ୯ରେ ସମ୍ବିଧାନ ସଭାର ପ୍ରଥମ ଅଧିବେଶନ ବସିଥିଲା । ଏଥିରେ ୨୦୭ ସଦସ୍ୟ ଯୋଗଦେଇଥିଲେ । ୧୯୪୭ ପ୍ରାରମ୍ଭରେ ସମ୍ବିଧାନ ସଭାରେ ମୁସଲିମ୍ ଲିଗ୍ ଓ ଅନ୍ୟ ସ୍ୱାଧୀନ ରାଜ୍ୟର ପ୍ରତିିନିଧିମାନେ ଯୋଗ ଦେଇଥିଲେ । ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସାଧାରଣତନ୍ତ୍ର ଦିବସ ଭାବେ ଦେଶରେ ପାଳନ କରାଯାଉଛି । ସେହି ସମ୍ବିଧାନ ସଭା ପରବର୍ତ୍ତୀ ସମୟରେ ପାର୍ଲାମେଣ୍ଟର ରୂପ ନେଇଥିଲା । ସମ୍ବିଧାନ ଅନୁସାରେ ୧୯୫୨ରେ ପ୍ରଥମ ନିର୍ବାଚନ ପରଠାରୁ ପାର୍ଲାମେଣ୍ଟାରୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଇଛି ।
ତେବେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶର ହସ୍ତ ଲିଖିତ ସମ୍ବିଧାନ ନିଜେ ଏକ ଆଶ୍ଚର୍ଯ୍ୟ । ତେବେ ଆଉ ଏକ ରୋଚକ ଘଟଣା ଆମେ ଏଠାରେ ଉପସ୍ଥାପନ କରୁଛୁ । ଅନେକ ହୁଏତ ଜାଣିନଥିବେ ଛତିଶଗଡ଼ ବସ୍ତର ଜିଲ୍ଲା ଅନ୍ତର୍ଗତ ବୁରୁଙ୍ଗପାଳ ଗ୍ରାମରେ ଭାରତୀୟ ସମ୍ବିଧାନର ମନ୍ଦିର କରାଯିବା ସହ ଏହାର ପୂଜା କରାଯାଉଛି । ୧୯୯୬ ଡିସେମ୍ବର ୨୪ରୁ ଗ୍ରାମବାସୀ ଏହି ମନ୍ଦିରକୁ ପ୍ରତିଷ୍ଠା କରିବା ସହ ଛଅଫୁଟ ଉଚ୍ଚ ଓ ଦଶଫୁଟ ଚଉଡାର ଏକ କାନ୍ଥରେ ଭାରତୀୟ ସମ୍ବିଧାନରେ ଅନୁସୂଚୀତ ଅଞ୍ଚଳ ପାଇଁ ଗ୍ରାମସଭାର ଶକ୍ତି ଆଦି ସମ୍ପର୍କିତ ତଥ୍ୟ ମଧ୍ୟ ଲିଖିତ ରହିଛି । ସେହିଭଳି ହିମାଚଳ ପ୍ରଦେଶର କୁଲୁ ଅନ୍ତର୍ଗତ ମଲାଣା ଗ୍ରାମରେ ରହିଛି ସମ୍ବିଧାନ ଦିବସର ସ୍ମୃତି । ଏଠାରେ ଗ୍ରାମବାସୀମାନେ ସ୍ୱତନ୍ତ୍ର ଭାବେ ଏକ ସଂସଦ ପ୍ରତିଷ୍ଠା କରିବା ସହ ଏହି ଗାଁକୁ ଛୋଟ ଗ୍ରୀସ ଭାବେ ସମସ୍ତେ ଜାଣନ୍ତି । ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ପାଇଁ ଆମ ସମସ୍ତଙ୍କ ଭିତରେ ଗଣତନ୍ତ୍ର ପ୍ରତି ଭଲ ପାଇବା ଓ ଗଣତନ୍ତ୍ରକୁ ସମ୍ମାନ ଦେବା ପାଇଁ ପ୍ରତିବଦ୍ଧତା ବୃଦ୍ଧି ପାଇବା ହେଉଛି ଆଜିର ଦିବସର ଅନ୍ତର୍ନିହିତ ତାତ୍ପର୍ଯ୍ୟ ।
ଯଶସ୍ୱିନୀ ପଟ୍ଟନାୟକ