ଗୋପାଳ ମହାପାତ୍ର : ଆମ ସମ୍ବିଧାନର ଅନୁଛେଦ ୧(୧) ରେ ଦେଶର ନାମ “ଇଣ୍ଡିଆ ଦ୍ୟାଟ ଇଜ୍ ଭାରତ” ବୋଲି ଉଲ୍ଲେଖ ରହିଛି । ଏହାର ଅର୍ଥ ହେଉଛି ଆମ ଦେଶର ମୂଳ ପ୍ରାଚୀନ ନାମ “ଭାରତ” କୁ ବିକଳ୍ପ ନାମ ଭାବେ ଉଲ୍ଲେଖ କରାଯାଇଛି । ପରିଣାମ ସ୍ୱରୂପ ଭାରତର ସମ୍ବିଧାନ “ ଇଣ୍ଡିଆ ର ସମ୍ବିଧାନ” ପାଲଟିଗଲା ଏବଂ ସବୁ ସ୍ଥାନରେ “ଇଣ୍ଡିଆ” ଶବ୍ଦର ପ୍ରୟୋଗ ଏବଂ ପ୍ରଚାର କରାଗଲା । ଆମ ସଂସ୍କୃତି ଏବଂ ସଭ୍ୟତା ବିଶ୍ୱର ସବୁଠାରୁ ପୁରୁଣା ସଭ୍ୟତା ଅଟେ । ଏପରିକି ଦେଶର ବାସ୍ତବିକ୍ ନାମ ଭାରତବର୍ଷ ଅଟେ । ପୁରାଣ ଏବଂ ଗୀତା ଭଳି ପ୍ରାଚୀନ ଗ୍ରନ୍ଥମାନଙ୍କରେ ଏ ଦେଶକୁ ଭାରତ ବୋଲି ବର୍ଣ୍ଣନା କରାଯାଇଛି । ଚକ୍ରବର୍ତ୍ତୀ ସମ୍ରାଟ ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ଭାରତ ହୋଇଛି ବୋଲି ଅନେକଙ୍କ ମତ । ସମ୍ରାଟ ଭରତ ଥିଲେ ରାଜା ଦୁଷ୍ମନ୍ତ ଏବଂ ରାଣୀ ସକୁନ୍ତଳାଙ୍କ ସୁପୁତ୍ର । ବିଷ୍ଣୁ ପୁରାଣରେ ଆମ ଦେଶର କ୍ଷେତ୍ରୀୟ ସୀମା ବାବଦରେ ଯାହା ଉଲ୍ଲେଖ କରାଯାଇଛି ତଦନୁସାରେ “ ଉତ୍ତରଂ ଯତ୍ – ସମୁଦ୍ରସ୍ୟ ହିମଦେ ସତୈବ ଦକ୍ଷିଣମ୍ ବର୍ଷମ୍ ତଦୁ ଭାରତଂ ନାମ ଭାରତୋ ଯତ୍ର ସନ୍ତତିଃ” । ଅର୍ଥାତ୍ ଉତ୍ତରରେ ସମୁଦ୍ର ଏବଂ ଦକ୍ଷିଣରେ ବରଫାବୃତ୍ତ ପର୍ବତ, ମଧ୍ୟରେ ଯେଉଁ ଦେଶ ରହିଛି ତାକୁ ଭାରତ କୁହାଯାଏ । ମହାଭାରତରେ ଆମର ମାତୃଭୂମିର ଉଲ୍ଲେଖ ଭାରତବର୍ଷ ରୂପରେ କରାଯାଇଛି । ରାଜା ଭରତଙ୍କ ଦ୍ୱାରା ସ୍ଥାପିତ ଏବଂ ଶାସିତ ସାମ୍ରାଜ୍ୟରେ କେବଳ ଯେ ବର୍ତ୍ତମାନର ଭାରତୀୟ ଭୂଭାଗ ଥିଲା ତା ନୁହେଁ ବରଂ ଆଖପାଖର ଅନ୍ୟଦେଶ ବର୍ମା (ବ୍ରହ୍ମଦେଶ), ନେପାଳ, ତିବତ, ଆଫଗାନିସ୍ଥାନ, ଉଜବେକିସ୍ଥାନ, ରୁଷ, ଚୀନ, ମାଲେସିଆ, ଇଣ୍ଡେନେସିଆ ଏବଂ ବର୍ତ୍ତମାନର ଭାରତରୁ ବିଭାଜିତ ପାକିସ୍ଥାନ ଓ ବଙ୍ଗଳାଦେଶ ସାମିଲ ଥିଲା । କୁହାଯାଇପାରେ ଯେ ଭାରତର ବର୍ତ୍ତମାନ ଇଂରାଜୀ ନାମ ଉତ୍ତର ପଶ୍ଚିମର ପବିତ୍ର ନଦୀ ସିନ୍ଧୁରୁ ହିଁ ଆସିଛି । ପାରସି ମାନେ ଏହି ନଦୀକୁ ସିନ୍ଧୁ ଭାବେ ଉଚ୍ଚାରଣ ନକରି “ହିନ୍ଦୁ” ବୋଲି ଉଚ୍ଚାରଣ କରୁଥିଲେ ଏବଂ ୟୁନାନୀ “ଇନ୍ଦୁ” ବୋଲି ଉଚ୍ଚାରଣ କରୁଥିଲେ ବୋଲି ଐତିହାସିକ ମାନେ ଉଲ୍ଲେଖ କରିଛନ୍ତି । ରାଜା ଆଲଫ୍ରେଡ଼ ଓରୋସିୟସ ଅନୁବାଦରେ ଭାରତର ଇଂରାଜୀ ନାମର ପ୍ରୟୋଗ କରିଥିଲେ ବୋଲି ୫ମ ଶତାବ୍ଦୀରେ ଲାଟିନରେ ଲେଖାଯାଇଥିବା ବିଶ୍ୱ ଇତିହାସରେ ବଣ୍ଣିତ ଅଛି । ଏହାପରେ ମୋଗଲ, ଫ୍ରେଞ୍ଚ, ସ୍ପେନିସ, ପର୍ତ୍ତୁଗୀଜ ମାନେ ଭାରତକୁ ଭିନ୍ନ ଭିନ୍ନ ନାମରେ ନାମିତ (ଉଚ୍ଚାରିତ) କରିଥିଲେ । ମୋଗଲ ମାନେ ହିନ୍ଦୁସ୍ଥାନ କହୁଥିଲେ କିନ୍ତୁ ଇଷ୍ଟଇଣ୍ଡିଆ କମ୍ପାନୀ ଭାତର ଆସିବା ପରେ ନାମ ପରିବର୍ତ୍ତନ କରି ଦେଶର ନାମ ଇ୍ଣ୍ଡିଆ କରି ଦେଲେ କାରଣ ଇଂରେଜ ମାନେ ଆମକୁ ରାଜା (କିଙ୍ଗ୍) ଆଲଫ୍ରେଡ଼ଙ୍କ ସମୟରୁ ଇଣ୍ଡିଆ ନାମରେ ଜାଣିଥିଲେ । ୧୮୫୮ ମସିହା ଅଗଷ୍ଟ ମାସରେ ଇଷ୍ଟଇଣ୍ଡିଆ କମ୍ପାନୀ ଠାରୁ ଭାରତର ଶାସନର ଦାୟିତ୍ୱ ନେବା ବେଳେ ତତ୍କାଳୀନ ବ୍ରିଟିଶ ସରକାର “ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଅଧିନିୟମ” ଗୃହୀତ କରାଇଥିଲେ ଫଳତଃ ଭାରତର ନାମ ସେବେଠାରୁ ଇଣ୍ଡିଆ ହୋଇଯାଇଥିଲା ଓ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଦେଶର ନାମ ଇଣ୍ଡିଆ ରହିଗଲା ।
ବ୍ରିଟିଶ ଉପନିବେଶକ ମାନଙ୍କ ମାନଙ୍କ ଦ୍ୱାରା ଲଦି ଦିଆଯାଇଥିବା “ଇଣ୍ଡିଆ” ନାମ ଗୋଲାମୀର ପ୍ରତୀକ ଅଟେ ଏବଂ ଏହା ଭାରତୀୟ ଲୋକଙ୍କ ଭାବନା, ସ୍ୱାଭିମାନ, ସଂସ୍କୃତି ଏବଂ ସଭ୍ୟତା ଉପରେ ଆଘାତ ନିଶ୍ଚୟ । ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ “ଭାରତ” ସ୍ଥାନରେ “ଇଣ୍ଡିଆ” ନାମରେ ଚଳଣି ଜାରି ରହିବା କେବଳ ଯେ ଦୁର୍ଭାଗ୍ୟ ତା ନୁହେଁ ଏହା ଅଲୋକତାନ୍ତ୍ରିକ ଏବଂ ଜନବିରୋଧୀ ମଧ୍ୟ । କ’ଣ ବିଶ୍ୱମାନଚିତ୍ରରେ “ଭାରତ” ନାମରେ କୌଣସି ଦେଶ ଅଛି? କ’ଣ କେହି ବିଦେଶୀ (ବିଶ୍ୱର ଅନ୍ୟଦେଶର ଲୋକ) “ଭାରତ” ନାମରେ କୌଣସି ଦେଶର ଅସ୍ତିତ୍ୱ ବାବଦରେ ଜାଣିଛନ୍ତି? କ’ଣ ଭାରତ ପରିଭ୍ରମଣରେ ଆସୁଥିବା ବିଦେଶୀ ଜାଣନ୍ତି ଯେ ସେମାନେ “ଭାରତ” ଦେଶରେ ଅଛନ୍ତି? ଭାରତୀୟ ସ୍ୱାଧୀନତା ଅଧିନିୟମ ୧୯୪୭ ଅନୁସାରେ “ଇଣ୍ଡିଆ” ତ ସ୍ୱାଧୀନ ହୋଇଗଲା ହେଲେ ମହାନ “ଭାରତ” ନାମରେ ଅସ୍ତିତ୍ୱ ହଜିଗଲା । ଯେଉଁ ଦେଶ ମାନେ ସ୍ୱାଧୀନ ହେବା ପରେ ତାଙ୍କର ମୂଳ ନାମ ପୁନଃ ସ୍ଥାପିତ କରିଛନ୍ତି ସେମାନେ ହଲେ ଶ୍ରୀଲଙ୍କା, ସୁରିନାମ, ଘାନା, ଜାମ୍ବିଆ, ଜିମ୍ବାୱେ ଆଦି ଦେଶ । ସ୍ୱାଧୀନତା ପୂର୍ବରୁ ଶ୍ରୀଲଙ୍କାର ନାମ ଥିଲା ସିଲୋନ କିନ୍ତୁ ସ୍ୱାଧୀନତା ପରେ ହେଲା ଶ୍ରୀଲଙ୍କା । ଡ଼ଚ୍ ଗୁଏନାର ନାମ ସୁରିନାମ, ଗୋଲ୍ଡକୋଷ୍ଟରୁ ଘାନା, ଉତ୍ତର ରୋଡ଼େସିଆରୁ ଜାମ୍ବିଆ ଏବଂ ଦକ୍ଷିଣ ରୋଡ଼େସିଆ ସ୍ୱାଧୀନତା ପରେ ଜିମ୍ବାୱେ ହୋଇଥିଲା । ଜାମ୍ବିଆର ସ୍ୱାଧୀନ ହେଲା ପରେ ତାର ନାମ ତାଞ୍ଜାନିଆ ଏବଂ ଫାରସର ନାମ ଇରାନ, ମେସୋପଟ୍ଟାମିଆର ଇରାକ, ଫର୍ମୋସା ସ୍ୱାଧୀନ ହେବା ପରେ ତାଇଓ୍ୟାନ ହେଲା । ଶ୍ୟାମ ହେଲା ଥାଇଲାଣ୍ଡ, ବର୍ମା ହେଲା ମ୍ୟାମାର, ହଲାଣ୍ଡ ହେଲା ନେଦରଲ୍ୟାଣ୍ଡ, ଦକ୍ଷିଣ ପଶ୍ଚିମ ଆଫ୍ରିକା ହେଲା ନାମ୍ବିଆ ।
ଆମ ଦେଶରେ ଅନେକ ସହରର ନାମକୁ ବଦଳାଯାଇଛି । ବମ୍ବେକୁ ମୁମ୍ବାଇ,କଲକତାକୁ କୋଲକତା, ମାଡ୍ରାସକୁ ଚେନ୍ନାଇ, ବେଙ୍ଗଲୋରକୁ ବେଙ୍ଗାଲୁର, ଆଲହାବାଦକୁ ପ୍ରୟାଗରାଜ, ଗୁଡ଼ଗାଓଁକୁ ଗୁରୁଗ୍ରାମ, ପଣ୍ଡିଚେରୀକୁ ପୁଡୁଚେରୀ, ବରୋଦାକୁ ବଦଦୋରା, ତ୍ରିଭେନ୍ଦ୍ରମକୁ ଥିରୁଅନନ୍ତପୁରମ ଓ୍ୟାଲଟିୟରକୁ ବିଶାଖାପାଟଣା, ତାଞ୍ଜୋରକୁ ତଞ୍ଜାବୁର, କନୟୋରକୁ କାନପୁର, କାଲିକଟକୁ କୋଚ୍ଚ୍ିକୋଡ଼, କ୍ୟାପ କେମରିନକୁ କନ୍ୟାକୁମାରୀ, ମୋଗଲସରାଇକୁ ଦୀନଦୟାଲ ନଗର, ଓ ହୋସଙ୍ଗାବାଦକୁ ନର୍ମଦାପୁରମ୍ ଭଳି ଆହୁରି ଅନେକ ସହର ଅଛି ଯାହାର ନାମ ପରିବର୍ତ୍ତନ କରାଯାଇଛି । ୨୦୧୧ରେ ଓରିସା ରାଜ୍ୟର ନାମ ପରିବର୍ତ୍ତନ କରାଯାଇ ଓଡିଶା କରାଯାଇଥିଲା । କେନ୍ଦ୍ର ସରକାର ଏବେ ଆହୁରି ଅନେକ ସହରର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ଅନେକ ଗାଁ, ଜିଲ୍ଲା, ରେଳଷ୍ଟେସନ, ସଂସ୍ଥାନ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରା ହେବା ପରେ “ଆଜାଦୀ କା ଅମୃତ ମହୋସôବ” ପାଳନ କରାଗଲା । ସୁତରାଂ ସଂସଦରେ ସମ୍ବିଧାନର ଅନୁଛେଦ ୧(୧)ରେ ସଂଶୋଧନ କରାଯାଇ ଦେଶର ନାମ “ଇଣ୍ଡିଆ ଦ୍ୟାଟ ଇଜ ଭାରତ” ପରିବର୍ତ୍ତେ “ଭାରତବର୍ଷ ଦ୍ୟାଟ ଇଜ ଭାରତ” ଅଥବା କେବଳ “ଭାରତ” କରାଯିବ ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ । ଫଳତଃ ଏଇ ମହାନ ଦେଶର ଇଂରାଜୀ ନାମ ଇଣ୍ଡିଆ ସ୍ଥାନରେ ନିଜର ମୂଳ ପ୍ରାଚୀନ ନାମ ଭାରତ ଭାବେ ପରିଚିତ ହୋଇ ପାରିବ ।
ରାମଚନ୍ଦ୍ରପୁର, ରଣପୁର ମୋ :-୯୪୩୮୪୮୫୦୯୪