ମମତାମୟୀ ମାଆ 

ମାତୃଦିବସ ପ୍ରଥମେ ଆମେରିକାରେ ପାଳନ କରାଯାଇଥିଲା । ଆନ୍ନା କାରଭିସ୍ ନାମକ ଜଣେ ମହିଳା ପ୍ରଥମେ ତାଙ୍କ ମା’ଙ୍କ ସ୍ମୃତି ସ୍ମାରକ ସ୍ୱରୂପ, ମା’ଙ୍କ ଶେଷଇଚ୍ଛା ଅନୁସାରେ ଏହି ମାତୃଦିବସ ପାଳନ ଆରମ୍ଭ କରିଥିଲେ । ଏହିପରି ଶ୍ରଦ୍ଧାଞ୍ଜଳି ସେ ତାଙ୍କ ମା’ଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଦେଇଥିଲେ । ଏହାପରେ ସବୁ ମା’ମାନଙ୍କ ପାଇଁ ଜାତୀୟ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଛୁଟିଦିବସରେ ମାତୃଦିବସ ପାଳନ କରିବାକୁ ଚାହିଁଲେ । ତାଙ୍କର ଅନୁରୋଧ ପରେ ୧୯୪୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତି ଅନୁସାରେ ସେହିଦିନଠାରୁ ପ୍ରତିବର୍ଷ ମେ’ ମାସରେ ଦ୍ୱିତୀୟ ରବିବାର ଦିନଟିକୁ ମାତୃଦିବସ ରୂୂପେ ପାଳନ କରାଗଲା । ରବିବାର ଦିନଟିକୁ ମାତୃଦିବସ ରୂପେ ପାଳନ କରାଗଲା ।
ଏ ସୃଷ୍ଟିରେ ଯେତେ ସ୍ୱର ଝଙ୍କୃତ ହୁଏ ସବୁଠୁ ସୁନ୍ଦର ସୁର ହେଉଛି ମା’ ଡାକର ସ୍ୱର । ସେ ପୁଣି ଅମୃତମୟ ସତ୍ତାଟିଏ । ତ୍ୟାଗ, ତିତିକ୍ଷା, ଭଲପାଇବା ଏବଂ ପ୍ରେମର ପ୍ରତିମୂତ୍ତିଟିଏ । ନିଜ ଜୀବନକୁ ଯିଏ ମୃତୁ୍ୟ ମୁହଁକୁ ଠେଲିଦେଇ ସନ୍ତାନଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରେ ଏବଂ ଆରୋଗ୍ୟ କାମନା କରେ ସେ ହେଉଛି ମାଆ । ସତରେ ମା’ ସ୍ନେହଁ, ପ୍ରେମ, ତ୍ୟାଗ, ମମତା, ଅହିଂସା, ପ୍ରୀତିର ଛଳଛଳ ଜୀବନ୍ତ ମୂର୍ତ୍ତିଟିଏ । ସବୁ ହଳାହଳ ବିଷକୁ ହଜମ କରି ଲୁହକୁ ଲୁଚାଇ ଦେଇ ଆଖିରେ ଯିଏ ଆନନ୍ଦର ଅଶ୍ରୁ ଆଣେ ସେ ମାଆ । ତା’ର ପ୍ରେମ ସାଗର ଠାରୁ ଆହୁରି ଗଭୀର, ଫୁଲଠାରୁ ଆହୁରି କୋମଳ, ଜହ୍ନଠାରୁ ଆହୁରି ଶୀତଳ ପୁଣି ଅଗ୍ନିଠାରୁ ଆହୁରି ତେଜସ୍ୱିନୀ, ଶକ୍ତିଶାଳୀ । ସେଥିପାଇଁ ମାଆ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ” । ପ୍ରତ୍ୟେକ ସନ୍ତାନର ପ୍ରଥମ ପରିଚୟ ହେଉଛି ମା’ର ଛାତି । ଯେଉଁ ମାତୃସ୍ତନରୁ ଶିଶୁ ଅମୃତ ପାନ କରି ବଡ଼ ମଣିଷ ହୁଏ, ସମାଜ ତଥା ରାଷ୍ଟ୍ର ବିକାଶର ଶ୍ରେଷ୍ଠ ସାଧନ ହୁଏ । ତାର ପ୍ରେମରେ ନଥାଏ ଛଳନା । ଥାଏ ନିସ୍ୱାର୍ଥପର, ଅନାବିଳ ପ୍ରେମ, ସ୍ନେହ, ଶ୍ରଦ୍ଧା ଏବଂ ପ୍ରୀତିର ଅମୃତ ଧାରା । ବେଦ ମଧ୍ୟ ଏହା ସ୍ୱୀକାର କରେ ଯେ ମା’ ହେଉଛି ରାଷ୍ଟ୍ରର ଧ୍ୱଜା । ସେ ରାଷ୍ଟ୍ର ନିର୍ମାଣକାରୀ । ତା’ର ଚରଣରେ ଥାଏ ସକଳ ତୀର୍ଥ ।
ଏ ସଂସାରରେ ସେ ହିଁ ସବୁଠାରୁ ସୁଖୀ ଯା’ର ମୁଣ୍ଡ ଉପରେ ମା’ର ଲମ୍ବାପଣତ ଥାଏ । ଆଉ ଯିଏ ଯେତେ ସୁଖ, ସମୃଦ୍ଧି, ଧନଧାନ୍ୟରେ ତାର ରାଜକୋଷ ପୂର୍ଣ୍ଣ କଲେ ମଧ୍ୟ ଯଦି ମା’ ପ୍ରତି ହିଂସା, ବର୍ବରତା, ନିର୍ଯ୍ୟାତନା ଦେଇ ତାକୁ ଉପେକ୍ଷା କରେ ସେ କେବେ ସୁଖୀ ହୋଇପାରେନା । ଏ ସଂସାରରେ କୁପୁତ୍ର ଦେଖାଯାଆନ୍ତି ହେଲେ କୁମାତା କେବେବି ଦେଖାଯାଆନ୍ତି ନାହିଁ । ମା’ ନିଜ ଶରୀରର ରକ୍ତ, ମାଂସ, ମଜ୍ଜାରୁ ସୃଷ୍ଟି କରେ ସନ୍ତାନ ପୁଣି ସେହି ସନ୍ତାନ ପାଇଁ ଜୀବନର ସମସ୍ତ ସୁଖକୁ ଜଳାଞ୍ଜଳୀ ଦେଇ ସେହି ସନ୍ତାନର ପରିଚୟରେ ପରିଚିତ ହୋଇ ଆତ୍ମଗର୍ବ କରେ । ଥରେ ଜ୍ଞାନପୀଠ ପୁରସ୍କାର ବିଜେତା ସ୍ୱର୍ଗତଃ ଗୋପୀନାଥ ମହାନ୍ତି କହିଥିଲେ ମାଆ ଗୋଟିଏ; କିନ୍ତୁ ତା’ର ନାମ ଅନେକ, ରୂୂପ ମଧ୍ୟ ଅନେକ । ସେ ଜନ୍ମ ଦିଏ ବୋଲି ଜନନୀ, ତା’ ଦ୍ୱାରା ଅଙ୍ଗପ୍ରତ୍ୟେଙ୍ଗର ପୁଷ୍ଟି ସାଧନ ହୁଏ ବୋଲି ସେ ଆମ୍ବା, ସେ ବୀରପୁତ୍ରକୁ ଜନ୍ମଦିଏ ବୋଲି ସେ ବୀରପ୍ରସବିନୀ । ସେ ହିଁ ଦୁଃଖର ସାନ୍ତ୍ୱନା, ହତାଶାର ଆଶା, ଦୁର୍ବଳର ବଳ, ଅସୁରକ୍ଷିତ ବ୍ୟକ୍ତିର ସୁରକ୍ଷାର ବଳୟ । ଶାନ୍ତି, ମୈତ୍ରୀ, ପ୍ରୀତିର ଗନ୍ତାଘର । ଆଜି ଯାହାକୁ ନେଇ ଏ ରାଷ୍ଟ୍ର ଏ ଜାତି ଗର୍ବ କରୁଛି । ଯେମିତିକି ମହାତ୍ମା ଗାନ୍ଧି, ମଦର ଟେରେସା, ସ୍ୱାମୀ ବିବେକାନନ୍ଦ, ଲାଲବାହାଦୁର ଶାସ୍ତ୍ରୀ, ନେତାଜୀ, ବୈଜ୍ଞାନିକ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ, ଗୋପବନ୍ଧୁ ସମସ୍ତେ ଏହି ମାତୃଗର୍ଭରୁ ସୃଷ୍ଟି । ଯେଉଁ ଦେଶର ମା’ ଯେତେ ମହାନ୍, ସେ ଜାତି ସେତିକି ମହାନ୍ । ଏହି କଥାକୁ କହିବାର ତାତ୍ପର୍ଯ୍ୟ ହେଉଛି ଥରେ ଫ୍ରାନ୍ସ ବୀର ନେପୋଲିଅନ୍ ମଧ୍ୟ କହିଥିଲେ– ମୋତେ ଭଲ ମା’ଟିଏ ଦିଅ ମୁଁ ତୁମକୁ ଭଲ ରାଷ୍ଟ୍ରଟିଏ ଦେବି । ଆଜି ଆଧୁନିକ ମଣିଷ ଜଗତିକରଣ, ପାଶ୍ଚାତ୍ୟକରଣ ସହରୀକରଣର ଆଳଦେଖାଇ ବସ୍ତୁବାଦୀ ମୋହରେ ଅଧିକ ଅର୍ଥ, ପ୍ରତିଷ୍ଠା ପଛରେ ଧାଇଁ ନୈତିକତାକୁ ହରାଇ ମାଆ ପ୍ରତି ସମ୍ମାନ ରହିବା ତ ଦୂରର କଥା ବରଂ 
ମାତା କୌଶଲ୍ୟା, ମାତା କୁନ୍ତୀ, ମା ଗାନ୍ଧାରୀ, ମା ଯଶୋଦା, ମା’ ପୁତୁଲିବାଇ, ମା ଜିଜାବାଈ, ମା’ ମଦର ଟେରେସା, ମା’ ପ୍ରଭାବତୀ ଦେବୀ, ମା’ ରମାଦେବୀ, ମା’ ସରଳାଦେବୀ, ମା’ କସ୍ତୁରବାଗାନ୍ଧୀଙ୍କ ପାଇଁ ଆଜି ମଧ୍ୟ ଏ ଜାତି ଗର୍ବ କରୁଛି । ଯେଉଁ ଅମୂଲ୍ୟ ରତ୍ନ ସ୍ୱରୂପ ସନ୍ତାନ ସୃଷ୍ଟି କରିଥିଲେ ସେହି ଅମ୍ଳାନ କାଳଜୟୀ ସନ୍ତାନଙ୍କୁ ନେଇ ଆଜି ରାଷ୍ଟ୍ର ସମଗ୍ର ବିଶ୍ୱରେ ଗର୍ବିତ ।  ବିଶ୍ୱାସର ମେରୁଦଣ୍ଡ ଏବଂ ପ୍ରଗତିର ପ୍ରତୀକ ମାଆ । ସେ ମା’କୁ ଉପଯୁକ୍ତ ସମ୍ମାନ ଦେଇ ଶୃଙ୍ଖଳିତ ହୋଇ ଆମେ ଯଦି ସମଗ୍ର ବିଶ୍ୱକଲ୍ୟାଣ ପାଇଁ କାର୍ଯ୍ୟ କରି ଦେଶକୁ ପ୍ରଗତି ପଥରେ ଆଗେଇ ନେବା ତେବେ ତାହାହେବ ମାତୃ ଦିବସ ପାଳନ କରିବାର ପ୍ରକୃତ ଯଥାର୍ଥତା ।
ମୀରା ବେଉରା,ମୋ:୯୮୫୩୩୫୦୩୮୪