ମାଲଗୁଡ଼ୀର ସ୍ରଷ୍ଟା
ଇଂରେଜୀ ଭାଷାରେ ସାହିତ୍ୟ ସୃଷ୍ଟି କରିଥିବା ପ୍ରଥମ ପିଢ଼ିର ତିନି ଭାରତୀୟ ଲେଖକଙ୍କ ମଧ୍ୟରେ ଆର୍କେ ନାରାୟଣ ଜଣେ । ଅନ୍ୟ ଦୁଇ ଜଣ ହେଉଛନ୍ତି ମୁଲ୍କରାଜ ଆନନ୍ଦ ଓ ରାଜା ରାଓ । ଆର୍କେଙ୍କ ପୂରା ନାଁ ରାସୀପୁରମ୍ କୃଷ୍ଣସ୍ୱାମୀ ଅୟସ୍ର ନାରାୟଣସ୍ୱାମୀ । ସେ ଗୁଡ଼ିଏ ସୁପାଠ୍ୟ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ଲେଖି ଯାଇଛନ୍ତି । ନୋବେଲ୍ ବିଜେତା ମାର୍କିନ୍ ଲେଖକ ୱିଲିଅମ୍ ଫକ୍ନର୍ଙ୍କ ପରି ଆର୍କେ ମଧ୍ୟ ନିଜର ରଚନାଗୁଡ଼ିକୁ ବାସ୍ତବ ରୂପ ଦେବା ପାଇଁ ଏକ କାଳ୍ପନିକ ସହର ସୃଷ୍ଟି କରିଥିଲେ, ଯେଉଁଟି ମାଲଗୁଡ଼ୀ ଭାବେ ବିଖ୍ୟାତ୍ । ୧୯୩୦ ବିଜୟା ଦଶମୀରେ ସେ ପ୍ରଥମେ ମାଲଗୁଡ଼ୀ ରେଳ ଷ୍ଟେସନ୍ର କଳ୍ପନା କରିଥିଲେ । ତାଙ୍କ ବାସ୍ତବଧର୍ମୀ ଜୀବନ୍ତ ରଚନାଗୁଡ଼ିକୁ ପଢ଼ି ଅନେକ ବିଦ୍ଗଧ ପାଠକ ଏହି ନାମରେ ସତସତିକା ସହରଟିଏ ଥିବା ବିଶ୍ୱାସ କରୁଥିଲେ । ଆରକେଙ୍କୁ ଫରାସୀ ଗାଳ୍ପିକ ମୋପାସାଁଙ୍କ ସହ ତୁଳନା କରାଯାଏ । ବ୍ରିଟିଶ ସାହିତି୍ୟକ ଗ୍ରାହାମ୍ ଗ୍ରିନ୍ଙ୍କ ସହ ତାଙ୍କର ଅନ୍ତରଙ୍ଗ ବନ୍ଧୁତା ଥିଲା । ଗ୍ରିନ୍, ତାଙ୍କର ପ୍ରଥମ ଚାରି ଉପନ୍ୟାସ “ସ୍ୱାମୀ ଆଣ୍ଡ ଫ୍ରେଣ୍ଡସ୍’, “ଦ ବ୍ୟାଚେଲର୍ ଅଫ୍ ଆର୍ଟସ’, “ଦ ଡାର୍କ ରୁମ୍’ ଓ “ଦ ଇଂଲିଶ ଟିଚର୍’ ବିଦେଶରେ ଛପାଇବାର ବ୍ୟବସ୍ଥା କରିଥିଲେ, ଯାହାଫଳରେ ବିଶ୍ୱ ସ୍ତରର ପାଠକମାନେ ତାଙ୍କ ରଚନା ସହ ପରିଚିତ ହୋଇଥିଲେ । ଗାଇଡ଼ ଉପନ୍ୟାସ ନିମନ୍ତେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ପରେ ସେ ପଦ୍ମ ବିଭୂଷଣ ପାଇଥିଲେ । ତାଙ୍କୁ ରାଜ୍ୟ ସଭାକୁ ମଧ୍ୟ ମନୋନୀତ କରାଯାଇଥିଲା । ଆର୍କେଙ୍କ ପିତା ଥିଲେ ଜଣେ ସ୍କୁଲ ଶିକ୍ଷକ । ପିତାଙ୍କର ସର୍ବଦା ବଦଳି ହେଉଥିବାରୁ ଆର୍କେ ଆଈଙ୍କ ଘରେ ବଢ଼ିଥିଲେ । ପାର୍ବତୀ ଆଈ ତାଙ୍କର ଲାଳନପାଳନ ଭାର ଗ୍ରହଣ କରିଥିଲେ । ଶୈଶବରେ ତାଙ୍କର ଖେଳ ସାଥୀ ଥିଲେ ଗୋଟିଏ ମୟୂର ଓ ଗୋଟିଏ ଦୁଷ୍ଟ ବାନର । ତାଙ୍କର ଗେହ୍ଲା ନାଁ ଥିଲା କୁଞ୍ଜାପ୍ପା । ଆରକେ୍ଙ୍କୁ ସତେଇଶ ବର୍ଷ ହୋଇଥିବା ବେଳେ ସେ ଥରେ କୋଏମ୍ବାଟୁରସ୍ଥିତ ଭଉଣୀ ଘରକୁ ବୁଲିବାକୁ ଯାଇ ରାଜମ ନାମ୍ନୀ ପନ୍ଦର ବର୍ଷ ବୟସ୍କା ବାଳିକାଙ୍କ ସଂସ୍ପର୍ଶରେ ଆସିଥିଲେ ଯାହା ପରେ ପ୍ରେମରେ ପରିଣତ ହୋଇଥିଲା । ବହୁ ପ୍ରତିବନ୍ଧ ସତ୍ତ୍ୱେ ରାଜମଙ୍କୁ ବିବାହ କରି ପରିବାର ଚଳାଇବା ପାଇଁ ଦ ଜଷ୍ଟିସ ନାମକ ଖବରକାଗଜରେ ରିପୋର୍ଟର ଭାବେ ଯୋଗଦେଇଥିଲେ । ବିବାହର ମାତ୍ର ପାଞ୍ଚ ବର୍ଷ ପରେ ଆନ୍ତ୍ରିକ ଜ୍ୱରରେ ରାଜମଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ଝିଅ ହେମାକୁ ତିନିବର୍ଷ । ଗଭୀର ଭାବେ ବ୍ୟଥିତ ଆର୍କେ ଭାଙ୍ଗି ନପଡ଼ି କନ୍ୟାର ସମସ୍ତ ଦାୟିତ୍ୱ ବହନ କରିଥିଲେ । ୧୯୦୬ ମସିହାରେ ମାଡ଼୍ରାସରେ ଏହି ମହାନ ଲେଖକଙ୍କ ଜନ୍ମ ହୋଇଥିଲା ।
ଯଶସ୍ୱିନୀ ପଟ୍ଟନାୟକ