ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ
ଡା.ଉମେଶ ଚନ୍ଦ୍ର ପାତ୍ର : ପୁରାଣରେ ବର୍ଣ୍ଣିତ ଅଛି- "ଜଗତ ମାତା ଚ ପ୍ରକୃତିଃ ପୁରୁଷଶ୍ଚ ଜଗତ ପିତା । ଗରିୟସୀ ଜଗତାଂ ମାତା, ମାତା ଶତଗୁଣଂ ପିତା । ।' ଅର୍ଥାତ୍ ଜଗତର ଜନ୍ମଦାତ୍ରୀ ହେଉଛନ୍ତି ମାତା । ଜଗତର ପାଳନ ବା ରକ୍ଷାକର୍ତ୍ତା ହେଉଛନ୍ତି ପୁରୁଷ । ସୁତରାଂ ଜନ୍ମଦାତ୍ରୀ ବା ଜଗତର ମାତା, ପିତାଙ୍କ ଠାରୁ ଶହେଗୁଣ ଅଧିକ ଶ୍ରେଷ୍ଠ । ନାରୀଙ୍କ ସ୍ଥାନ ସର୍ବଦା ଆଗରେ । ନାରୀକୁ ପ୍ରଥମ ସ୍ଥାନ ଦିଆଯାଇଛି । ସୁତରାଂ ଦେବତା ଓ ମହାପୁରୁଷମାନଙ୍କର ନାମ ସହିତ ସେମାନଙ୍କର ପତ୍ନୀଙ୍କ ନାମ ସଂଯୋଗ କରାଯାଇଛି । ଯଥା ସୀତାରାମ, ରାଧେଶ୍ୟାମ, ଗୌରୀଶଙ୍କର, ଉମାମହେଶ, ଲକ୍ଷ୍ମୀନାରାୟଣ, ସାବିତ୍ରୀସତ୍ୟବାନ, ମାୟାବ୍ରହ୍ମା, ପ୍ରକୃତିପରମେଶ୍ୱର, ଶକ୍ତିଶିବ ଇତ୍ୟାଦି । ପବିତ୍ରତା, ସ୍ନେହ, ବାତ୍ସଲ୍ୟ, ଦୟା, ସେବା, ସହାନୁଭୂତି, ଭକ୍ତିଭାବନା ଆଦି ଗୁଣରେ ପୁରୁଷ ଅପେକ୍ଷା ନାରୀ ହିଁ ଆଗରେ । ସୁତରାଂ ଧାର୍ମିକ ଓ ଆଧ୍ୟାତ୍ମିକ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକରେ ନାରୀଙ୍କୁ ସର୍ବତ୍ର ସ୍ୱାଗତ ଓ ସମ୍ମାନ କରାଯାଏ । ନାରୀଙ୍କୁ ତାଙ୍କ ମହନୀୟତା ଅନୁଯାୟୀ ପ୍ରତିଷ୍ଠା ମଧ୍ୟ ଦିଆଯାଇଛି । ସତ୍ୟଯୁଗରେ ସାବିତ୍ରୀ, ତ୍ରେତୟା ଯୁଗରେ ସୀତା, ଅନୁସୂୟା, ଦ୍ୱାପରରେ କୁନ୍ତୀ, ଦ୍ରୌପଦୀ ଆଦି ନିଜ ନିଜର ପବିତ୍ରତା ଓ ପରାକାଷ୍ଠା ବଳରେ ଯୁଗେ ଯୁଗେ ବନ୍ଦିତ । ଇତିହାସରୁ ଜଣାଯାଏ ଝାନସୀରାଣୀ ଲକ୍ଷ୍ମୀବାଈ, ସରୋଜିନୀ ନାଇଡୁ, ଅରୁଣା ଆସଫ୍ ଅଲ୍ଲୀ, ସୁଚେତା କୃପାଳିନୀ, କମଳା ନେହେରୁ, କସ୍ତୁରବା ଗାନ୍ଧୀ, ମଦରଟେରେସା, ଇନ୍ଦିରାଗାନ୍ଧୀ, ନନ୍ଦିନୀ ଶତପଥୀ ଆଦି ମହୀୟସୀ ମହିଳାମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଅଦମ୍ୟ ଶକ୍ତିର ପରାକାଷ୍ଠା ପ୍ରତିପାଦନ କରି କାଳଜୟୀ ହୋଇପାରିଛନ୍ତି । ନାରୀ ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି । ନାରୀ ବିନା ଏ ସୃଷ୍ଟି ସମ୍ଭବ ନୁହେଁ । ନାରୀ ବିନା ସଂସାର କଳ୍ପନା ବୃଥା । ନାରୀ ବିନା ପୁରୁଷ ସମ୍ପୂର୍ଣ୍ଣ ହୋଇପାରେନା । ନର, ନାରୀ ଏକ ରଥର ଦୁଇ ଚକ । ଏକ ଶରୀରର ଦୁଇପାଦ । ଏକ ମୁଖର ଦୁଇ ନେତ୍ର । ଜଣକ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ । ତେଣୁ ନାରୀକୁ ପୁରୁଷର ଅର୍ଦ୍ଧାଙ୍ଗିନୀ କୁହାଯାଏ । ଭାରତୀୟ ସଂସ୍କୃତି ଓ ଧର୍ମରେ ନାରୀକୁ ଆବାହମାନ କାଳରୁ ପୁରୁଷର ଏକ ଓ ଅବିଚ୍ଛିନ୍ନ ଅଙ୍ଗରୂପେ ସ୍ୱୀକାର କରାଯାଇଛି । ପତ୍ନୀ ବିନା ପତିର କୌଣସି ଧର୍ମକାର୍ଯ୍ୟ, ଯଜ୍ଞାଦି କର୍ମ ସଫଳ ହୁଏନା ।
ଶାସ୍ତ୍ରରେ ନାରୀମାନଙ୍କୁ ସପ୍ତ ସଦ୍ଗୁଣର ଅଧିକାରିଣୀ ବୋଲି କୁହାଯାଇଛି । ସତ୍ୟ, ପ୍ରେମ, ଧର୍ମ, ଶାନ୍ତି, ସହନ, ଆନନ୍ଦ ଓ ସହାନୁଭୂତି । ସେ ଘରର ସ୍ତ୍ରୀ, ଯେ କି ଘରର ସୁନାମର ଆଧାର । ସେହିପରି ରାଜ୍ୟ ଦେଶ, ଏପରିକି ବିଶ୍ୱର ମର୍ଯ୍ୟାଦା ରକ୍ଷାରେ ନାରୀମାନଙ୍କର ମୁଖ୍ୟ ଭୂମିକା ରହିଛି । ଘର ଭିତରେ ନାରୀକୁ ଗୃହଲକ୍ଷ୍ମୀର ଉଚ୍ଚ ମର୍ଯ୍ୟାଦା ଦିଆଯାଇଛି । ଘରଣୀ ହିଁ ଘରର ସୁନାମ ପଛରେ ଥାଏ । ନାରୀ ତ୍ୟାଗସ୍ୱରୂପିଣୀ ଅଟେ । ପୁରୁଷ ତ୍ୟାଗ କରୁଥିଲେ ବି ସେଥିରେ ସ୍ୱାର୍ଥଭାବନା ଥାଏ, କିନ୍ତୁ ନାରୀର ତ୍ୟାଗ ପୁରାପୁରି ନିଃସ୍ୱାର୍ଥପର । ସେଥିପାଇଁ ଆମେ ଆମର ନାରୀମାନଙ୍କ ପାଇଁ ଗର୍ବ କରିବା ଉଚିତ । ନାରୀମାନଙ୍କୁ ଅଷ୍ଟୈଶ୍ୱର୍ଯ୍ୟ ସ୍ୱରୂପିଣୀ ବୋଲି କୁହାଯାଇଛି । ସେଥିପାଇଁ ଆମ ସଂସ୍କୃତିରେ ପିତା, ଗୁରୁ ଓ ଭଗବାନଙ୍କ ଅପେକ୍ଷା ମାତାଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଉଛି । ଯଥାର୍ଥରେ କୁହାଯାଇଛି "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ତତ୍ର ରମନ୍ତେ ସର୍ବ ଦେବତା' । ଯୁଗପୁରୁଷୋତ୍ତମ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ର ତାଙ୍କ ଦିବ୍ୟ ସମ୍ଭାଷଣରେ କହିଛନ୍ତି - ନାରୀମାନେ ଲକ୍ଷ୍ମୀ ସ୍ୱରୂପିଣୀ ହୋଇଥିବା ଯୋଗୁଁ ସେମାନଙ୍କୁ ସମ୍ମାନିତା କରାଯିବା ବେଳେ ହିଁ ପୃଥିବୀ ସମୃଦ୍ଧିଲାଭ କରିପାରିବ । ଭାରତ ନିଜର ମହାନତା ଓ ଗାରିମା ପାଇଁ ନାରୀମାନଙ୍କ ନିକଟରେ ସମ୍ପୂର୍ଣ୍ଣ ଋଣୀ । ତେଣୁ ନାରୀ ମାନଙ୍କୁ ସମ୍ମାନ କର ଏବଂ ସେମାନଙ୍କୁ ସୁଖୀ କର । ଅତୀତ ହେଉ, ବର୍ତ୍ତମାନ ହେଉ ବା ଭବିଷ୍ୟତ ହେଉ ସର୍ବକାଳରେ ନାରୀ ହିଁ ପ୍ରଗତିର ମେରୁଦଣ୍ଡ, ଦେଶ ଓ ଜାତିର ହୃତ୍ପିଣ୍ଡ ଓ ପ୍ରାଣବାୟୁ ସଦୃଶ । ପୁରାଣ ଯୁଗରେ ଗାନ୍ଧାରୀ, ଦ୍ରୌପଦୀ, କୁନ୍ତୀ, ତାରା ଓ ମନେ୍ଦାଦୋରୀଙ୍କୁ ପଞ୍ଚକନ୍ୟା କୁହାଯାଉଥିଲା । ଆଧ୍ୟାତ୍ମିକ ସାଧନା କ୍ଷେତ୍ରରେ ପୁରାଣ ପୃଷ୍ଠାରେ ଗାର୍ଗୀ, ମୈତ୍ରେୟୀ, ସୁଲଭା, ଲୋପାମୁଦ୍ରା, ବିଶ୍ୱବାରାଙ୍କ କୃତି ଓ ସ୍ୱୀକୃତି କାଳଜୟୀ ହୋଇରହିଛି । ସେହିପରି ବୈଦିକ ଯୁଗରେ ନାରୀ ମାନଙ୍କ ଦ୍ୱାରା ରଚିତ ଶ୍ଳୋକ ବେଦରେ ସ୍ଥାନ ପାଇଛି । ସ୍ୱାମୀ ବିବେକାନନ୍ଦ ପ୍ରାୟ ଶହେ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ, ଏକ ବିଂଶ ଶତାବ୍ଦୀ ହେବ ମାତୃ ଗୌରବର ଶତାବ୍ଦୀ । ଠାକୁର ଶ୍ରୀ ଶ୍ରୀ ଅନୁକୂଲଚନ୍ଦ୍ର ତାଙ୍କ ଭାଷାରେ - "ମାତା ତା'ର ସ୍ୱାମୀର ସାଥୀ ଓ ପଥ ପ୍ରଦର୍ଶକ, ଶିଶୁର ଆଦ୍ୟଗୁରୁ, ସାମାଜିକ ଜୀବନଧାରାର ଆଧାର, ପରିବାରର ଆଦର୍ଶ, ଦୈହିକ ଓ ମାନସିକ ସ୍ୱାସ୍ଥ୍ୟର ଜାଗ୍ରତ ପ୍ରହରୀ ।' ସେ ଆଦ୍ୟାଶକ୍ତି, ସୃଷ୍ଟିକାରିଣୀ ଓ ସମୃଦ୍ଧିର ଦେବୀ । ଭାରତର ମହାନ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ନାରୀ ମାନଙ୍କର ଦାନ ଅତୁଳନୀୟ । ବୈଦିକ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀମାନେ ହିଁ ଭାରତୀୟ ସଂସ୍କୃତିର ସଂରକ୍ଷକ ଓ କର୍ଣ୍ଣଧାର ହୋଇ ଆସିଛନ୍ତି । ଆମ ଜନ୍ମଭୂମି ଭାରତରେ ଅମୃତୋପମ ଭାବ ହେଉଛି ନିଜର ମାତାଙ୍କ ପ୍ରତି ପ୍ରେମ । ଉତ୍ତମ ଚରିତ୍ର ହିଁ ପ୍ରକୃତ ସୌନ୍ଦର୍ଯ୍ୟ, ନୈତିକତା ନାରୀର ପ୍ରାଣବାୟୁ, ଲଜ୍ଜ୍ୟା ତା'ର ଜୀବନୀ ଶକ୍ତି ଓ କଠୋର ସତ୍ୟାନୁସରଣ ହିଁ ତା'ର ପ୍ରତିଦିନର କର୍ତ୍ତବ୍ୟ । ଭାରତୀୟ ଧର୍ମ, ସଂସ୍କୃତି ଓ ଦିବ୍ୟ ସମାଜ ଗଠନ ସହ ପରିବାରରେ ମାତୃ ଆଦର୍ଶର ମହନୀୟତା ଚିର ଜାଜ୍ଜୁଲ୍ୟମାନ ହୋଇ ସମସ୍ତଙ୍କ ପାଇଁ ପ୍ରେରଣାର ଆଲୋକବର୍ତ୍ତିକା ହେଇ ଚାଲିଥାଉ ଏହା ହିଁ କାମନା ।
ମୋ : ୯୪୩୭୦୫୧୯୫୭