ଯୌଥ ପରିବାର ଓ ବୋହୂ
ଅପର୍ଣ୍ଣା ନାୟକ : ସେ ଦିନର କଥା ସବୁ ମନ ଭିତରୁ ଆଦୌ ଭୁଲି ବି ହେବନି । ଘରର ସାନଝିଅର ଅଶେଷ ଶ୍ରଦ୍ଧା ପାଇଥିବା ଝିଅଟି ଏକ ବଡ଼ ଯୌଥ ପରିବାରର, ବଡ଼ବୋହୂ ହୋଇ ସଂସାର ଗଢ଼ିବା ବେଳକୁ ତା ଆଗରେ ଥିଲା ଅନେକ ଆହ୍ୱାନ । ଘରେ କର୍ମଜୀବୀ ଅଥଚ ଅତ୍ୟନ୍ତ ସ୍ନେହୀ ଶାଶୂ, ସେନାବାହିନୀ ପରି ଗୁରୁତ୍ୱପୂର୍ଣ୍ଣ ଓ କର୍ମକ୍ଷେତ୍ରରେ ହିଁ ରହୁଥିବା ସ୍ୱାମୀ ଆଉ ସେତେବେଳେ ଦିଅର ବି ଅବିବାହିତ ଥିଲେ । ଏହିପରି ଆହ୍ୱାନ ଭରା ସମୟରେ ନୂଆ ସଂସାର ଡ଼ଙ୍ଗାରେ ଆଉଲା ମାରିବାକୁ ସାହସ କରୁଥିଲେ ଅନନ୍ୟା । ଝଡ଼, ଝଞ୍ଜା ଓ ଆହ୍ୱାନ ଭିତରେ ସେ କିନ୍ତୁ ଏକ ବୃହତ୍ ଯୌଥ ପରିବାରର ବଡ଼ବୋହୂ ଭାବେ ସମସ୍ତଙ୍କର ଗେଲ ବସରର ଓ ଦାୟିତ୍ୱପୂର୍ଣ୍ଣ ବୋହୂ ଭାବେ ମର୍ଯ୍ୟାଦା ମଧ୍ୟ ପାଇଥିଲେ । ଆମ ଗହଣରେ ପାରିବାରିକ ମଧୁର ଜୀବନର ସଫଳତାକୁ ସାଉଁଟି ଥିବା କ୍ୱଚିତ ଅନନ୍ୟାଙ୍କ କାହାଣୀ ଦେଖିବାକୁ ପାଇଥାଉ । ତେବେ ସମସ୍ତେ ଯେ ଅନନ୍ୟାଙ୍କ ପରି ସଫଳତାର ସ୍ୱାକ୍ଷର ରଖିପାରି ନଥାନ୍ତି । ଅଭାବବୋଧ, ଭରଷା, ନୈରାଶ୍ୟ ଓ ଦାମ୍ପତ୍ୟ ଝଡ଼ ଅନେକଙ୍କ ସୁନା ସଂସାରକୁ ଅଦିନିଆ କାଳଝଡ଼ ପରି ଚୁନା କରିଦେବାର ଢ଼େର ନଜିର ବି ମଧ୍ୟ ରାତି ପାହିଲେ ଦେଖୁଛୁ ଓ ଶୁଣୁଛୁ ମଧ୍ୟ ।
ଓଡ଼ିଆ ସଂସ୍କୃତିରେ ଯୌଥପରିବାର ଚଳଣି କେଉଁ କାଳରୁ ରହିଆସିଛି । କିନ୍ତୁ ଆଜିକାଲି ଯୌଥ ପରିବାର ଖୁବ୍ କମ୍ ଦେଖାଯାଉଛି । ଯୌଥ ପରିବାର ମୁଖ୍ୟତଃ ପରିବାରର ସଦସ୍ୟଙ୍କ ଅର୍ଥନୈତିକ ବୈଷମ୍ୟ ଓ ବିଚାରଧାରାରେ ପାର୍ଥକ୍ୟ ଯୋଗୁଁ ତିଷ୍ଠି ପାରୁ ନାହିଁ । ତେଣୁ ଯୌଥ ପରିବାରରେ ଚଳିବା ପାଇଁ ହେଲେ ପ୍ରଥମେ ଘରର ସମସ୍ତ ଆୟ ଓ ବ୍ୟୟକୁ ନେଇ ଗୋଟିଏ ହିସାବ କରିବାକୁ ପଡ଼ିଥାଏ । ଏ କ୍ଷେତ୍ରରେ ଘରର ଗୃହିଣୀ ହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ଘରର ଜଣେ ସୁଗୃହିଣୀ ପ୍ରଥମେ ଘରର ସମସ୍ତ ନିୟମିତ ଖର୍ଚ୍ଚ, ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କୁ ଦିଆଯାଉଥିବା ଉପହାର ଖର୍ଚ୍ଚ, ଘରର ରକ୍ଷଣାବେକ୍ଷଣା ଖର୍ଚ୍ଚ ଓ ଜରୁରୀକାଳୀନ ଖର୍ଚ୍ଚ ଇତ୍ୟାଦିକୁ ଏକ ଆନୁମାନିକ ହିସାବ କରିବା ଉଚିତ । ଏଭଳି ତାଲିକା ପ୍ରସ୍ତୁତ ପରେ ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଏହି ବ୍ୟୟଭାରକୁ ନେଇ ମାସିକ କେତେ ଅର୍ଥ ଦେବାକୁ ପଡ଼ିବ ତାହା ଧାର୍ଯ୍ୟ କରିଦେବା ଆବଶ୍ୟକ । ଏଥିରେ ସାମାନ୍ୟ କମ୍ବେଶୀ ହେଲେ ଚଳିବ ମାତ୍ର ଏହା ଆପୋସ ବୁଝାମଣା ଭିତରେ ରହିବା ଉଚିତ ।
ପ୍ରଥମେ ଘରର କେତେକ ଧାର୍ଯ୍ୟ ଖର୍ଚ୍ଚକୁ ନେଇ ତାଲିକା ପ୍ରସ୍ତୁତ କରନ୍ତୁ । ଆପଣଙ୍କ ହାତକୁ ଅର୍ଥ ଆସିବା ମାତ୍ରେ ସେହି ସେହି ନିର୍ଦ୍ଧିଷ୍ଟ ଖର୍ଚ୍ଚ ପାଇଁ ଅଲଗା ଟଙ୍କା ରଖି ଦିଅନ୍ତୁ । ଅନ୍ୟ ଯେତେ ଅଧିକା ଖର୍ଚ୍ଚ ଆସିଲେ ମଧ୍ୟ ସେଥିରେ ହାତ ମାରନ୍ତୁ ନାହିଁ । ପରିବାର ମଧ୍ୟରେ କାମ କରୁଥିବା ଲୋକ, କ୍ଷୀରବାଲା, ଡ୍ରାଇଭର, ଖବରକାଗଜବାଲା ଇତ୍ୟାଦି ବ୍ୟକ୍ତିବିଶେଷଙ୍କୁ ମାସର ପ୍ରଥମ ସପ୍ତାହ ହେବାମାତ୍ରେ ତାଙ୍କର ପ୍ରାପ୍ୟ ପ୍ରଦାନ କରନ୍ତୁ । ଯଦି ଆପଣଙ୍କୁ ଏହା ଅସୁବିଧା ହେଉଛି ବୋଲି ଭାବୁଥାନ୍ତି ତେବେ ଘରର ଅନ୍ୟ କୌଣସି ସଦସ୍ୟାଙ୍କୁ ଏହି ଦାୟିତ୍ୱ ଅର୍ପଣ କରିପାରନ୍ତି । ତେବେ ଆପଣ ଭାରମୁକ୍ତ ହେବା ସହିତ ଆପଣଙ୍କ ନିକଟରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଅନ୍ୟ ଜଣେ ଅବଗତ ହୋଇପାରିବେ । ପରିବାର ମଧ୍ୟରେ ଯଦି କେହି ନିଜ ନିଜ ପିଲାଙ୍କ ପାଇଁ ଅଧିକା ଖର୍ଚ୍ଚ କରିବାକୁ ଇଛା କରନ୍ତି, ତେବେ ସେମାନଙ୍କୁ ଅଧିକ ଖର୍ଚ୍ଚ ବହନ କରିବା ପାଇଁ ଅଧିକ ଟଙ୍କା ଦେବାକୁ କୁହନ୍ତୁ । ଗୋଟିଏ ପାଣ୍ଠି ରଖନ୍ତୁ, ଯେଉଁଥିରେ ପ୍ରତିମାସ କିଛି ନା କିଛି ଅର୍ଥ ସେଥିରେ ଜମା ରଖିବେ, ଯାହା ଜରୁରୀ ଦରକାର ବେଳେ କାମରେ ଲାଗିବ । ଏହାଛଡ଼ା ଘରର ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସ ଅଲଗାକରି କିଛି ଟଙ୍କା ରଖନ୍ତୁ, ଯାହା ଘରର ମରାମତି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ । ଏଥିପାଇଁ ଜଣଙ୍କୁ ଏକାଥରେ କୌଣସି ଭାର ବହନ କରିବାକୁ ପଡ଼ିବ ନାହିଁ । ଆପଣ ଭୁଲି ଯାଆନ୍ତୁ ନାହିଁ ଯେ ଆପଣ ସେହି ଯୌଥ ପରିବାରର ବଡ଼ ବୋହୂ ନୁହଁନ୍ତି ଆପଣ ସେ ଘରର ବଡ଼ ଝିଅ ମଧ୍ୟ । ସାଧାରଣତଃ ତେଲ ଲୁଣ ସଂସାର ଓ ମଧ୍ୟବିତ୍ତ ଜୀବନର କଷଣ ଭିତରେ ଏମାନଙ୍କ ଦାୟିତ୍ୱ ଓ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ସବୁକିଛିକୁ ଭଗବାନଙ୍କ ଉପରେ ସମର୍ପି ପରିବାରର ଗୁରୁ ଗୁରୁଜନ ଓ ସ୍ୱାମୀଙ୍କ ଆଶୀର୍ବାଦ, ଶ୍ରଦ୍ଧା, ଭଲ ପାଇବାରେ ହିଁ ଜୀବନ ଡଙ୍ଗା ଅତି ଖୁସିମୟ ଭାବେ ଆହୁରି ଆଗେଇ ଚାଲିପାରିବ ।
ନୂଆଦିଲ୍ଲୀ