ଲୋପ ପାଇବାକୁ ବସିଲାଣି ରିକ୍ସା


କଟକରୁ ପ୍ରଣବ କୁମାର ନନ୍ଦି: କଥାରେ କୁହାଯାଏ ‘କଟକ ସହର, ଧବଳ ଟଗର’ । ଏକ ହଜାର ବର୍ଷର ଇତିହାସକୁ ବହନ କରୁଥିବା ଏହି ପୁରୁଣା ସହରର ଐତିହ୍ୟ, ପରମ୍ପରା ଓ ଭାଇଚାରାର ସଂପର୍କ ଅତି ନିଆରା । ସାଂସ୍କୃତିକ ସହର କଟକର ଅନ୍ୟତମ ପରିଚୟ ହେଉଛି ରିକ୍ସା । ବିଶେଷତଃ ପାର୍ବଣ ଋତୁରେ ରିକ୍ସାରେ ବୁଲିବାର ମଜ୍ଜା ସବୁଠାରୁ ଅଲଗା ବୋଲି ଏବେ ମଧ୍ୟ ଅନେକ ବରିଷ୍ଠ କଟକିଆ ମତ ଦିଅନ୍ତି । ସହରରେ ଏବେ ଦୁଇଚକିଆ ଯାନ, କାର, ଅଟୋ, ମୋ ବସ୍ର ବହୁଳ ବ୍ୟବହାର ହେଉଥିଲେ ମଧ୍ୟ ରିକ୍ସାରେ ବୁଲିବାର ମଜ୍ଜା ସଂପୂର୍ଣ୍ଣ ଭିନ୍ନ । ତେବେ ବର୍ତ୍ତମାନ ରିକ୍ସା ବ୍ୟବସାୟ ପୁରାପୁରି ମାନ୍ଦା ହୋଇ ପଡ଼ିବା ସଂଗେ ସଂଗେ ରିକ୍ସାର ଆଦର ମଧ୍ୟ ବହୁତ କମିଯାଇଛି । ଫଳରେ ରିକ୍ସା ଚାଳକ ଓ ମାଲିକମାନଙ୍କର ଜୀବନଜୀବିକା ଏବେ ସନ୍ଧିହାନ ମଧ୍ୟରେ ରହିଛି ।
କଟକରେ ରିକ୍ସା କେବେଠୁ ଆରମ୍ଭ ହୋଇଛି ତାହାର କୌଣସି ପ୍ରମାଣିକ ତଥ୍ୟ ସଠିକ୍ ଭାବେ ନଥିଲେ ମଧ୍ୟ ବ୍ରିଟିଶ ସରକାରଙ୍କ ଶାସନ କାଳରୁ ପ୍ରଥମେ ହାତଟଣା ରିକ୍ସା ଚାଲୁଥିଲା । କାଳକ୍ରମେ ବିଂଶ ଶତାବ୍ଦୀର ୫୦ ଦଶକରେ ରିକ୍ସା ବଜାରକୁ ଆସିଥିଲା । ଗ୍ରାମାଞ୍ଚଳରୁ ସହରକୁ ଲୋକେ କାମଧନ୍ଦା ଅନ୍ୱେଷଣରେ ଆସି କିଛି କାମ ନ ପାଇ ଜୀବନ ପ୍ରତିପୋଷଣ ପାଇଁ ରିକ୍ସା ଟାଣୁଥିଲେ । ପଡୋଶୀ ରାଜ୍ୟ ଆନ୍ଧ୍ରର ଓଡ଼ିଶା ସୀମାବର୍ତ୍ତୀ ଇଚ୍ଛାପୁରମ, ପଲାସା, ସୋମପେଣ୍ଠ ଓ ସିିକାକୁଲମ ଆଦି ଅଂଚଳରୁ ଲୋକମାନେ କଟକରେ ବସବାସ କରି ରିକ୍ସା ଚଳାଇବାକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରୁଥିଲେ । ସେତେବେଳେ ସହରର ପୁରୁଣା ବସ୍ଷ୍ଟାଣ୍ଡ, ଚାନ୍ଦିନୀଚୌକ, ଷ୍ଟେସନବଜାର, ମାଲଗୋଦାମ, ଓଏମପି ଓ ଛତ୍ରବଜାର ଆଦି ଅଂଚଳକୁ ଯିବା ଆସିବା ପାଇଁ ଲୋକମାନେ ପ୍ରାୟତଃ ରିକ୍ସା ଉପରେ ନିର୍ଭର କରୁଥିଲେ । ସେହିପରି ଝିଅମାନେ କଲେଜ ଯିବା ପାଇଁ ରିକ୍ସାକୁ ମାସିକିଆ ଭଡ଼ା ଧାର୍ଯ୍ୟ କରି ଯିବା ଆସିବା କରୁଥିଲେ । ପାର୍ବଣ ଋତୁ ଆସୁଥିଲେ ରିକ୍ସା ଚାଳକଙ୍କ ପାଇଁ  ‘କଚେ ପୁଅ ବାର’ ହେଉଥିଲା । ରିକ୍ସା ଚାଳକମାନେ ଭଲ ଦୁଇ ପଇସା ରୋଜଗାର କରି ସୁଖଦୁଃଖରେ ପରିବାର ପ୍ରତିପୋଷଣ କରୁଥିଲେ । ୭୦ ଦଶକରେ ରିକ୍ସାକୁ ନେଇ ଭଲ ବ୍ୟବସାୟ ମଧ୍ୟ ହେଉଥିଲା । ଜଣେ ଜଣେ ରିକ୍ସା ମାଲିକ ୧୦୦ରୁ ଊଦ୍ଧ୍ୱର୍ ରିକ୍ସା କିଣି ବ୍ୟବସାୟ କରୁଥିଲେ । ରିକ୍ସା ଦୁଇବେଳା ଭଡ଼ା ସୂତ୍ରରେ ରିକ୍ସା ଚାଳକଙ୍କୁ ଦିଆଯାଉଥିଲା । ବିଶେଷ କରି କଟକ ସହରକୁ ଭ୍ରମଣ, ବ୍ୟବସାୟ, ମେଡ଼ିକାଲ କାର୍ଯ୍ୟ ଓ ସିନେମା ଦେଖିବା ପାଇଁ ଜନସାଧାରଣ ରିକ୍ସା ଉପରେ ନିର୍ଭର କରୁଥିଲେ । ସେତେବେଳେ ରିକ୍ସା ଚାଳକଙ୍କ ଭଲ ଆୟ ହେଉଥିଲା । ଏହି ରିକ୍ସା ଚାଳକମାନଙ୍କୁ ନେଇ ହିନ୍ଦୀ ସିନେମାଠାରୁ ଆରମ୍ଭ କରି ଓଡ଼ିଆ ଚଳଚ୍ଚିତ୍ର ପୁର୍ନମିଳନର ଗୀତ ‘ମୁଁ ରିକ୍ସାବାଲା’ ସେତିକି ଲୋକପି୍ରୟ ହୋଇଥିଲା । କଟକ ସହରରେ ରିକ୍ସା ମାଲିକମାନେ ନିଜର ରିକ୍ସା ପଛରେ ନିଜର ନାମ ସଂକେତକୁ ବ୍ୟବହାର କରି ରିକ୍ସାର ନମ୍ବର ରଖୁଥିଲେ । ସେମାନଙ୍କ ମଧ୍ୟରେ ରାଜକୁମାର, ମା’ଚଣ୍ଡୀ, ଆରକେଡ଼ି, ଜେକେ, ନଟରାଜ ଓ ବିଏନ ପ୍ରଭୃତି ନାମ ରିକ୍ସା ପଛରେ ଲେଖା ଥିବାର ଦେଖିବାକୁ ମିଳୁଥିଲା ।
ସମୟ ପରିବର୍ତ୍ତନରେ ବିଂଶ ଶତାବ୍ଦୀର ୯୦ଦଶକରେ ସହରକୁ ଅଟୋ ଓ ଟାଉନବସ୍ର ଆଗମନ ହେଲା । ସେହିପରି ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଦୁଇଚକିଆ ମୋଟରଗାଡ଼ି କିଣିଦେଲେ । ଏହାପରେ ଆରମ୍ଭ ହୋଇଗଲା ରିକ୍ସା ଚାଳକଙ୍କ ଦୁର୍ଦ୍ଦିନ ସମୟ । ବହୁ ରିକ୍ସା ମାଲିକ ରିକ୍ସା ବିକ୍ରୟ କରି ତାହା ସ୍ଥାନରେ ଅଟୋ କିଣି ଭଡ଼ା ସୂତ୍ରରେ ନିୟୋଜିତ କଲେ । ରିକ୍ସା ଚାଳକମାନଙ୍କ ରୋଜଗାରର ପନ୍ଥା ଆସ୍ତେ ଆସ୍ତେ ବନ୍ଦ ହେବାକୁ ଲାଗିବାରୁ ସେମାନେ ଅନ୍ୟ କାମରେ ନିୟୋଜିତ ହେଲେ । ଆଜି ବି ସହରର ଚଣ୍ଡୀଛକ, ବକ୍ସିବଜାର, ଛତ୍ରବଜାର, ମାଲଗୋଦାମ, କଲେଜଛକ, ଓଏମପିଛକ, ବାଦାମବାଡ଼ି, ଷ୍ଟେସନବଜାର, ପ୍ରେସଛକ ଓ ନୂଆବଜାର ପ୍ରଭୃତି ଅଂଚଳରେ କିଛି ରିକ୍ସା ଚାଳକ ଏହି ଧନ୍ଦାକୁ ଆପଣେଇ ଜୀବନ ନିର୍ବାହ କରୁଛନ୍ତି । ବାଦାମବାଡ଼ି ଅଂଚଳରେ ଦୀର୍ଘ ୪୦ ବର୍ଷ ଧରି ରିକ୍ସା ଚାଳନା କରୁଥିବା ଚାଳକ ଭି ରାଜୁ କୁହନ୍ତି, ଆଗଭଳିଆ ଆଉ ଯାତ୍ରୀ ମିଳୁ ନାହାନ୍ତି । ଭଡ଼ା ବାବଦରେ ଯାତ୍ରୀ ବହୁତ ମୁଲଚାଲ କରୁଛନ୍ତି । ମାଲିକ ମଧ୍ୟ ଭଡ଼ା ବଢ଼େଇ ଦେଇଛି । ଜୀବନସାରା ରିକ୍ସା ଟାଣିଥିବାରୁ ବୃଦ୍ଧ ବୟସରେ ଆଉ କେଉଁ ଧନ୍ଦାକୁ ଆପଣେଇବି ବୋଲି ବାଷ୍ପରୁଦ୍ଧ କଣ୍ଠରେ ସେ ପ୍ରକାଶ କରିଛନ୍ତି । ଷ୍ଟେସନ ବଜାରରେ ରିକ୍ସା ଟାଣୁଥିବା ଅନାମ ନାୟକ କୁହନ୍ତି, ଦୀର୍ଘ ୩୦ ବର୍ଷ ଧରି ରିକ୍ସା ଚଳାଉଛି । ଆଗଭଳି ଆଉ ବେପାର ହେଉନାହିଁ । ତାଙ୍କର ଭବିଷ୍ୟତ ପିଢ଼ିକୁ ରିକ୍ସା ଚଳାଇବାକୁ ମନା କରିଦେଇଛନ୍ତି । ପୁରୁଣା ରିକ୍ସା ମାଲିକ ହାଡ଼ିବନ୍ଧୁ ବେହେରା କୁହନ୍ତି, ୯୦ଦଶକରେ ତାଙ୍କର ୩୦ ଖଣ୍ଡ ରିକ୍ସା ଥିଲା । ସହରରେ ଟାଉନବସ୍, ଅଟୋ, ଦୁଇଚକିଆ ଗାଡ଼ି ଓ ମୋ ବସ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ରିକ୍ସା ବେପାର ଆଉ ଭଲ ନ ହେବାରୁ ସେ ଏହି ବ୍ୟବସାୟ ବନ୍ଦ କରିଦେଇଛନ୍ତି ।  ସାଂସ୍କୃତିକ ସହର କଟକର ଜୀବନ ରେଖା ସହ ରିକ୍ସା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏବେ ବି କିଛି ସହରବାସୀ ବସଷ୍ଟାଣ୍ଡ, ବଡ଼ ମେଡ଼ିକାଲ ଓ ଷ୍ଟେସନକୁ ଯିବା ପାଇଁ ରିକ୍ସା ଉପରେ ନିର୍ଭର କରୁଛନ୍ତି । ସରକାରୀସ୍ତରରୁ କିଛି ସୁବିଧା ସୁଯୋଗ ମିଳିବା ସହିତ ଇ-ରିକ୍ସା ଯୋଗାଇ ଦେଲେ ରିକ୍ସା ଚାଳକମାନଙ୍କ ଦୁଃଖ କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।