ଶୃଙ୍ଖଳିତ ମତଦାନର ପ୍ରତୀକ 

ଶୃଙ୍ଖଳିତ ମତଦାନର ପ୍ରତୀକ 

ଆମ ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଭୋଟ ଦାନ ବ୍ୟବସ୍ଥାରେ ନାଗରିକମାନେ ନିଜ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ଗଣତନ୍ତ୍ରର ଜୀବନରେଖା କହିଲେ ଏହା ଅତୁ୍ୟକ୍ତି ହେବନାହିଁ । ରାଜନୈତକ ପୃଷ୍ଠଭୂମିକୁ ଦେଖିଲେ ଏହି ଗଣତନ୍ତ୍ର ବ୍ୟବସ୍ଥାର ମହାନ ଗଣପର୍ବ ନାଗରିକର ଅଧିକାର ଓ ସମ୍ମିଳିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ । ଚଳିତ ଅର୍ଥାତ୍ ୨୦୨୪ ନିର୍ବାଚନ ଆରମ୍ଭ ହୋଇଯାଇଛି । କହିବାକୁ ଗଲେ ୧୯୫୧ରେ ଦେଶର ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ପାଖାପାଖି ୭୩ ବର୍ଷ ପରେ ଚଳିତ ବର୍ଷର ଅଷ୍ଟାଦଶ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । 
ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରି ନୂଆ ଭୋଟରମାନଙ୍କୁ ଉତ୍ସାହ ଦେବାସହ ଭୋଟ ଦେବା ନିମିତ୍ତ ଭୋଟ କେନ୍ଦ୍ରକୁ ଯିବାକୁ ପ୍ରବର୍ତ୍ତାଇବା ଓ ସଚେତନତା କରିବାପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ ଆୟୋଗ ପକ୍ଷରୁ ଅନେକ ଜନ ସଚେତନଧର୍ମୀ ଉଦ୍ୟମ, କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହିକ୍ରମରେ ଓଡ଼ିଶାରେ ମୁଖ୍ୟ ନିର୍ବାଚନ ଅଧିକାରୀ ତୃଣମୂଳସ୍ତର କୁହାଯାଉଥିବା ବୁଥ ଲେବୁଲ ଅଫିସର ମାନଙ୍କ ପାଇଁ ଏକ ମାସ୍କଟ ପ୍ରସ୍ତୁତ କରିଛନ୍ତି । ତେବେ ଖୁସି ଓ କୌତୁହଳର ବିଷୟ ହେଉଛି ଏହି ମାସ୍କଟରେ ଯେଉଁ ଚିତ୍ରଟି ସ୍ଥାନ ପାଇଛି ତାହା ହେଉଛି "ମିତା ଦିଦି' । ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଏକ ଲୋକପ୍ରିୟ ସ୍ଥାନୀୟ ନାମ କିମ୍ବା ପ୍ରେରଣାଦାୟୀ ଚରିତ୍ରଙ୍କୁ ନେଇ ଲୋକମାନଙ୍କ ପାଖରେ ସଚେତତନତାର ବାର୍ତ୍ତା ରଖିବା ପାଇଁ ଏକ ଏକ ଚରିତ୍ରର ସୃଷ୍ଟି କରାଯାଇଥାଏ । ସମସ୍ତେ ବେଶ ଭଲ ଭାବେ ଜାଣନ୍ତି ଯେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବୁଥ ସ୍ତରୀୟ ଅଫିସର ଓ ସହାୟକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାଥାଏ । ଯଥାର୍ଥ କଥା ହେଉଛି ବୁଥ ସ୍ତରରେ ହିଁ ନିର୍ବାଚନ ଓ ମତଦାନର ପ୍ରକୃତ ପରିଚାଳନା ହୁଏ । ମତଦାତା ମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ନୂଆ ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବା ନିମିତ୍ତ ଓଡ଼ିଶାରେ ପ୍ରସ୍ତୁତ କରାଯାଇଥିାବ "ମିତା ଦିଦି' ମାସ୍କଟକୁ ସମଗ୍ର ଦେଶରେ ବୁଥସ୍ତରୀୟ ଅଫିସର ମାନଙ୍କ ନିମିତ୍ତ ମାସ୍କଟ ଭାବରେ ମୁଖ୍ୟ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି । ଏହା ହିଁ କୋଟି କୋଟି ଓଡ଼ିଆଙ୍କ ପାଇଁ ଯେତିକି ଆନନ୍ଦ ସମ ଭାବରେ ଗର୍ବ ଓ ଗୌରବର ପ୍ରସଙ୍ଗ ।
କୌଣସି ଏକ ଘଟଣା ବହୁଳ କ୍ରୀଡ଼ା, କାର୍ଯ୍ୟକ୍ରମ ବା ସ୍ୱତନ୍ତ୍ର ଘଟଣାର ସ୍ମୃତି ସନ୍ତକ ବା ପ୍ରତିକାତ୍ମକ ଏକ ସଚେତନଧର୍ମୀ ବାର୍ତ୍ତା ଦେଉଥିବା ଚିତ୍ର ବା ଚରିତ୍ରକୁ ନେଇ ମାସ୍କଟ ପ୍ରସ୍ତୁତ ହୋଇଥାଏ । ଓଡ଼ିଶାର ଏହି ମାସ୍କଟ ବର୍ତ୍ତମାନ ସମଗ୍ର ଦେଶରେ ବ୍ୟବହୃତ ହେଉଛି । ବୁଥ ଲେବୁଲ ଅଫିସର ମାନଙ୍କର ଇ-ପତ୍ରିକାରେ ଓଡ଼ିଶାର ମାସ୍କଟ ସ୍ଥାନ ପାଇବା ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଭୋଟଦାନ କେନ୍ଦ୍ରରେ ମତଦାନ ବେଳେ ବୁଥସ୍ତରୀୟ ଅଧିକାରୀମାନେ ଅନେକ ଅସୁବିଧା ଓ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇଥାନ୍ତି । ଏହାକୁ ସେମାନେ ତକ୍ରାଳ ସମାଧାନ କରି ଗଣତନ୍ତ୍ରର ମହାପର୍ବରେ ନିଜ ସେବା ଜାରି ରଖିଥାନ୍ତି । ଅନେକ ସମୟରେ ବୁଥ ଦଖଲ, ଅନୈତିକ ଉପାୟରେ ମତଦାନ, ହିଂସାତ୍ମକ ବା ଅସାମାଜିକ କାର୍ଯ୍ୟ, ବୁଥ ସ୍ତରରୁ ସଂଗଠିତ ହେଉଥିବାରୁ ବୁଥ ଦାୟିତ୍ୱରେ ଥିବା କତିପୟ ଅର୍ଥାତ୍ ମାତ୍ର ତିନି ଚାରିଜଣ କ୍ଷେତ୍ର ଅଧିକାରୀ, ବରିଷ୍ଠ ଅଧିକାରୀ ତକ୍ରାଳ ସମାଧାନ କରିବା ଏତେଟା ସହଜ ସାଧ୍ୟ ହୋଇନଥାଏ । ଏ କ୍ଷେତ୍ରରେ ରାଜନୈତିକଦଳ ଓ ଜନସାଧାରଣଙ୍କର ଅକୁଣ୍ଠ, ଉଲ୍ଲେଖନୀୟ ସମର୍ଥନ ସହଯୋଗର ଆବଶ୍ୟକତା ରହିଥାଏ । ସ୍ଥାନୀୟ ପ୍ରଶାସନ ପାଇଁ ଏହା ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ହୋଇଥାଏ । ନିର୍ବାଚନ ପରିଚାଳନା ସମୟରେ ଯେତେ ଶୀଘ୍ର ସମ୍ଭବ ଶାନ୍ତି ଶୃଙ୍ଖଳା ପରିବେଶ ଭିତରେ ମତଦାନ ଶେଷ ହେବ ଏବଂ ସେତେ ଶୀଘ୍ର ବୁଥସ୍ତରୀୟ ଅଧିକାରୀମାନେ ନିର୍ବାଚନ ସମ୍ପର୍କିତ ଉପକରଣ ସହିତ ନିକଟସ୍ଥ ବ୍ଲକ, ସବଡିଭିଜନ କିମ୍ବା ଜିଲ୍ଲାସ୍ତରୀୟ ମୁଖ୍ୟାଳୟକୁ ଚାଲି ଯିବା ପାଇଁ ଉଚିତ ମନେ କରିଥାନ୍ତି । କାରଣ ମତଦାନ ପରବର୍ତ୍ତୀ ସମୟରେ ଅନେକ କ୍ଷେତ୍ରରେ ହିଂସାକାଣ୍ଡର ଉଦାହରଣ ରହିଛି । ଏହି ସମସ୍ତ ବିଷୟ ପ୍ରତି ଲୋକମାନଙ୍କୁ ସଚେତନ କରିବା ପାଇଁ ବୁଥ ସ୍ତରରେ ଏକ ମାସ୍କଟକୁ ସମସ୍ତ ପ୍ରକାର ସଚେତନତାର ସନ୍ତକ ଭାବେ ଗ୍ରହଣ କରାଯାଇଥାଏ । ଚଳିତ ବର୍ଷର ନିର୍ବାଚନରେ ଓଡ଼ିଶାର ମାସ୍କଟ ସଫଳ ହେବା ସହ ଏହି ମାସ୍କଟକୁ ନିର୍ବାଚନ ଆୟୋଗ ବ୍ୟବହାର କରିବା ଫଳରେ ଏହା ସମଗ୍ର ନିର୍ବାଚନ ପ୍ରକ୍ରିୟାର ଏକ ପ୍ରତିନିଧି ଓ ସନ୍ତକ ଭାବେ ମାନ୍ୟତା ପାଇଛି । ଏହି ମାସ୍କଟ ହେଉଛି ସ୍ୱଚ୍ଛ ମତଦାନ, ନିର୍ଭୟ ଓ ନିରପେକ୍ଷତାର ପ୍ରତୀକ । ଏହି ବିଚାରକୁ ଭୋଟରମାନେ ଗ୍ରହଣ କରି ମତଦାନ ପ୍ରକ୍ରିୟାକୁ ନିଜ ଆଡ଼ୁ ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ସୁପରିଚାଳନା ସହ ଏହାର ପରିସମାପ୍ତି କରି ଦେଶ ଓ ସମାଜର ଜଣେ ଜାଗ୍ରତ ନାୟକ ଭାବେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିଲେ ଏହା ରାଷ୍ଟ୍ରପତି ଆମ ସମସ୍ତଙ୍କର ଏକ ଉଲ୍ଲେଖନୀୟ ସେବାନିଦର୍ଶନ ଭାବେ ପରିଗଣିତ ହେବ । 
କଟକ