ଦକ୍ଷିଣରୁ ନବୀନ, ପଶ୍ଚିମରୁ ଶାହ, ଉପକୂଳରୁ ରାହୁଲ

ଦକ୍ଷିଣରୁ ନବୀନ, ପଶ୍ଚିମରୁ ଶାହ, ଉପକୂଳରୁ ରାହୁଲ

 ଭୁବନେଶ୍ୱର : ଏଣିକି ଜୋରଧରିବ ପ୍ରଚାର  । ଶୋଭାଯାତ୍ରା, ସମାବେଶରେ ଦୁଲୁକିବ ସାରା ଓଡ଼ିଶା  । ବିଜେଡ଼ି, ବିଜେପି ଓ କଂଗ୍ରେସର ହେଭିୱେଟମାନେ ପ୍ରଚାର ମଇଦାନକୁ କୁଦିବେ  । ଏଥିପାଇଁ ତିନି ଦଳ ପ୍ରଚାରର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି  । ଦକ୍ଷିଣରୁ ବିଜେଡ଼ିର ପ୍ରଚାର ବିଗୁଲ ଫୁଙ୍କିବେ ସୁପ୍ରିମୋ ନବୀନ ପଟ୍ଟନାୟକ  । ସେପଟେ ପଶ୍ଚିମରେ ବିଜେପିର ହାୱା ସୃଷ୍ଟି ପାଇଁ ଉଦ୍ୟମ କରିବେ ଅମିତ ଶାହ  । ଅପରପକ୍ଷରେ ପ୍ରଚାରରେ କଂଗ୍ରେସ ବି ପଛରେ ପଡ଼ିବ ନାହିଁ  । ଉପକୂଳରୁ ରାହୁଲ ଗାନ୍ଧୀ ପ୍ରଚାର ଆରମ୍ଭ କରିବେ  ।
ଆସନ୍ତା ୨୪ରେ ନବୀନ ନିଜ ଗଡ଼ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ  । ତାଙ୍କ ସହ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ଯିବେ  । ସେହିଦିନ ଦୁଇଟି ସ୍ଥାନରେ ସମାବେଶ ହେବ  । ସକାଳ ସାଢ଼େ ୧୦ରେ ହିଞ୍ଜିଳି ଓ ସାଢ଼େ ୧୧ରେ ଶେରଗଡ଼ର ଜନସଭାରେ ନବୀନ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି  । ଆସନ୍ତା ୩୦ରେ ସେ ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହ ଛତ୍ରପୁରରେ ନାମାଙ୍କନ ପତ୍ର ଦାଖଲ କରିବେ  । ସେହିଦିନ ଚିକିଟିରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା ମଧ୍ୟ କରିବେ  ।
ଏହାପରେ ନବୀନଙ୍କର ମାରାଥନ ପ୍ରଚାର ଆରମ୍ଭ ହୋଇଯିବ  । ମେ’ ପହିଲାରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଦିଗପହଣ୍ଡି ଓ ଛତ୍ରପୁରରେ ନବୀନ ପ୍ରଚାର କରିବେ  । ମେ’ ୩ରେ କନ୍ଧମାଳ ଲୋକସଭା ଆସନ ଅଧିନରେ ଆସୁଥିବା ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା ଆସନରେ ବିଜେଡ଼ି ସମାବେଶ ହେବ  । ମେ’ ୬ରେ ଗୋପାଳପୁର ଓ ଆସ୍କାରେ ଦୁଇଟି ସମାବେଶର କାର୍ଯ୍ୟକ୍ରମ ରହିଛି  । ଅପରପକ୍ଷରେ ମେ’ ୭ରେ ନବୀନ ଶେରଗଡ଼, ହିଞ୍ଜିଳି ଓ ବ୍ରହ୍ମପୁରରେ ୩ଟି ରୋଡ଼ ଶୋ’ କରିବେ  । ଏହାଛଡ଼ା ମେ’ ୯ରେ ଗୋପାଳପୁରରେ ରୋଡ଼ଶୋ’ର ମଧ୍ୟ କାର୍ଯ୍ୟକ୍ରମ ରହିଛି  । ନବୀନଙ୍କ ସହ ସବୁ ସଭା ଓ ରୋଡ଼ଶୋ’ରେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେବୋଲି ବିଜେଡ଼ି ସୂତ୍ରରୁ ଜାଣିବାକୁ ମିଳିଛି  ।
ମେ’ ୨୫ରୁ ଅମିତ ଶାହ ସୋନପୁରରୁ ପ୍ରଚାର ଆରମ୍ଭ କରିବେ  । ପଶ୍ଚିମ ଗଡ଼ରେ ଗତଥର ୫ ଲୋକସଭା ଆସନରେ ବିଜେପି ବାଜିମାତ୍ କରିଥିଲା  । ସେଥିପାଇଁ ଶାହ ପଶ୍ଚିମ ଉପରେ ବେଶୀ ଫୋକସ୍ କରିଛନ୍ତି  । ଶାହାଙ୍କ ପରେ ମେ’ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରମୁଖ ପ୍ରଚାର ମଇଦାନକୁ ଓହ୍ଲାଇବେ । ଯାହାକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇଯାଇଛି  ।
ଅପରପକ୍ଷରେ ଉପକୂଳରୁ କଂଗ୍ରେସ ପ୍ରଚାର ଆରମ୍ଭ କରିବ  । ଦଳର ପୋଷ୍ଟର ବୟ ରାହୁଲ ଗାନ୍ଧୀ ଆଗାମୀ ୨୮ରେ ଓଡ଼ିଶା ଆସିବେ  । ସାଲେପୁରରେ ସେ ପ୍ରଚାର କରିବେ ବୋଲି ଓଡ଼ିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ସୂଚନା ଦେଇଛନ୍ତି  ।